ରାଜନଗର: ବିଦ୍ୟୁତ୍ ଆଘାତରେ ଜଣେ ମୃତ, ଜଣେ ଗୁରୁତର

ଅହିରାଜପୁର ଚିଙ୍ଗୁଡ଼ି ଘେରିରେ ମୃତ୍ୟୁ

ରାଜନଗର ବ୍ଲକ ଅନ୍ତର୍ଗତ କେରୁଆପାଳ ପଞ୍ଚାୟତ ଅହିରାଜପୁର ଗ୍ରାମର ପଞ୍ଚାନନ ଜେନାଙ୍କ ବଡ଼ ପୁଅ ପିଣ୍ଟୁ ଜେନା (୪୨ ) ଗତକାଲି ସଂନ୍ଧ୍ୟା ୭:୩୦ ମିନିଟ ସମୟରେ ଚିଙ୍ଗୁଡ଼ି ଘେରିର ଏ.ଆର ରୋଟର ପାଇପ କାଟୁଥିବା ସମୟରେ ସର୍ଟ ସର୍କିଟରେ ହେତୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।

ଗୁରୁତର ପିଣ୍ଟୁ ଜେନାଙ୍କୁ ପ୍ରଥମେ ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଶବ ବ୍ୟବଚ୍ଛେଦ ପାଇଁ କାଗଜପତ୍ର ପ୍ରସ୍ତୁତ କରିଥିଲେ ।

ଯେଉଁ ଚିଙ୍ଗୁଡ଼ି ଘେରିରେ ବିଦ୍ୟୁତ ଆଘାତ ପାଇ ପିଣ୍ଟୁ ମୃତ୍ୟୁ ବରଣ କରିଛନ୍ତି, ସେହି ଚିଙ୍ଗୁଡ଼ି ଘେରିରେ ବିଦ୍ୟୁତ ବିଭାଗୀୟ କର୍ମୀମାନେ ହାତଗୁଞ୍ଜା ନେଇ ବିଦ୍ୟୁତ ଯୋଗାଣ କରିଥିବା ଚର୍ଚ୍ଚା ହେଉଛି । ବିଦ୍ୟୁତ ବିଭାଗର ଅଗୋଚରରେ, ତାଳଚୁଆର ଅନେକ ଚିଙ୍ଗୁଡ଼ିଘେରି ମାଲିକ ବିଭାଗୀୟ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଚୋରାରେ ବିଦ୍ୟୁତ ବ୍ୟବହାର କରୁଥିବାରୁ ଏଭଳି ଛୋଟ-ବଡ଼ ଘଟଣା ଘଟୁଛି

ବ୍ରାହ୍ମଣସାହି ପଞ୍ଚାୟତ ଗାଁ ଦାଣ୍ଡରେ ଅଘଟଣ

ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତର ଦୈତାରୀ ଜେନା (୬୬) ନିଜ ଘର ଆଗରେ ବିଦ୍ୟୁତ ତାରକୁ ଲାଗି ରହିଥିବା ଗଛକୁ କାଟିବା ପାଇଁ କୁରୁଣ୍ଟି ବିଦ୍ୟୁତ ସେବା ଶାଖାକୁ କଲ କରି ଜଣେଇଥିଲେ । ସେଠାର କାର୍ଯ୍ୟରତ ଆନନ୍ଦ ସ୍ୱାଇଁ ନାମକ ଜଣେ ବିଦ୍ୟୁତ କର୍ମଚାରୀ ତାଙ୍କୁ ‘ବିଦ୍ୟୁତ କଟା ଯାଇଛି ତୁମେ ଗଛ କାଟି ପାର’ କହିଥିଲେ । ଦୈତାରୀ ଏକ ଧାରୁଆ ଅସ୍ତ୍ରରେ ଗଛକୁ କାଟୁଥିବା ସମୟରେ ସେହି ଗଛରେ ଲାଗିଥିବା ବିଦ୍ୟୁତ ତାରରେ ତାଙ୍କୁ ଆଘାତ ଲାଗିଥିଲା । ତାଙ୍କ ଛାତି, ଅଣ୍ଟା ଓ ବାମ ଜଙ୍ଘର ଚର୍ମ ବାହାରି ଯାଇଥିବାରୁ ତାଙ୍କୁ ତୁରନ୍ତ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ।

ଏହି ଘଟଣାପରେ, ଉତକ୍ଷିପ୍ତ ଗ୍ରାମବାସୀ କୁରୁଣ୍ଟି ବିଦ୍ୟୁତ ସେବା ଶାଖାର କାର୍ଯ୍ୟାଳୟ ଆଗରେ ଧାରଣା ପ୍ରଦର୍ଶନ କରିବା ପରେ ବିଦ୍ୟୁତ କର୍ମଚାରୀଙ୍କ ସହିତ ବୁଝାମଣା ହୋଇଥିଲା ଅବସ୍ଥା ଶାନ୍ତ ପଡିଥିଲା

ମନୋଜ କୁମାର ସେଠୀ, ରାଜନଗର, କେନ୍ଦ୍ରାପଡା।

Leave a Reply

Your email address will not be published. Required fields are marked *