Category: ଦେଶ-ବିଦେଶ

  • ଆଜି କର୍ଣ୍ଣାଟକ ନିର୍ବାଚନ ଫଳାଫଳ, ଭୋଟ୍ ଗଣତି ଜାରି

    ଆଜି କର୍ଣ୍ଣାଟକ ନିର୍ବାଚନ ଫଳାଫଳ, ଭୋଟ୍ ଗଣତି ଜାରି

    କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କାହାର ବାଜିମାତ୍ ହେବ । ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଜାରି ରହିଛି । ବେଙ୍ଗାଳୁରୁ ସମେତ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଜେପି ଆଗରେ ଚାଲିଥିବା ସୂଚନା ମିଳିଛି ।

    ୩୬ଟି କେନ୍ଦ୍ରରେ ଭୋଟ୍‌ ଗଣତି ଜାରି ରହିଛି । କର୍ଣ୍ଣାଟକରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ଏହାରି ଭିତରେ ବିଭିନ୍ନ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି ଦୁଇ ଦଳ । ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବିଜେପିକୁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ ସମାନ ଆକଳନ କରିଛି । ଜେଡିଏସ୍‌ ଚଳିତ ନିର୍ବାଚନରେ କିଙ୍ଗ୍‌ମେକର ହେବା ଲକ୍ଷ୍ୟ ରଖିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କ ବଡ଼ ଭୂମିକା ରହିବ । ସେପଟେ, ଗଣନା କେନ୍ଦ୍ରରେ କୌଣସି ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଷ୍ଟ୍ରଙ୍ଗ ରୁମ୍‌ ବାହାରେ ପୋଲିସ, ଫୋର୍ସ ମୁତୟନ ହୋଇଛନ୍ତି ।

    ଆଜିର ରେଜଲ୍ଟକୁ ସବୁ ଦଳର ଅପେକ୍ଷା ରହିଛି । ଲୋକଙ୍କ ନିକଟତର ହେବା ପାଇଁ, ଭୋଟ୍ ହାତେଇବା ପାଇଁ ଜୋରଦାର ପ୍ରଚାର କରିଥିଲେ ସବୁ ଦଳୀୟ ନେତା ଓ କର୍ମୀ । ତେବେ ଆଜିର ଫଳାଫଳ ହିଁ କହିବ ପ୍ରକୃତରେ କର୍ଣ୍ଣାଟକବାସୀ କାହାକୁ ଭଲ ପାଆନ୍ତି । କାହାର ଭାଗ୍ୟ ସେମାନେ ନିର୍ଦ୍ଧାରଣ କରିଛନ୍ତି ଆଜି ହିଁ ସ୍ପଷ୍ଟ ହେବ ।

  • ଛାତ୍ରଛାତ୍ରୀ ଶୁଣିଲେନି ‘ମନ୍ କି ବାତ୍’, କାର୍ଯ୍ୟାନୁଷ୍ଠାନ ନେଲା କଲେଜ

    ଛାତ୍ରଛାତ୍ରୀ ଶୁଣିଲେନି ‘ମନ୍ କି ବାତ୍’, କାର୍ଯ୍ୟାନୁଷ୍ଠାନ ନେଲା କଲେଜ

    ‘ମନ୍ କି ବାତ୍’ ନ ଶୁଣିବାରୁ ଦଣ୍ଡ ! ୩୬ ଜଣ ଛାତ୍ରଛାତ୍ରୀଙ୍କୁ ନିଜ ହଷ୍ଟେଲରେ ସପ୍ତାହେ କାଳ ରହିବାକୁ ପଡ଼ିଛି । ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛିଲା । ପଞ୍ଜାବର Post Graduate Institute of Medical Education and Research ବା PGIMERର ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଏହାକୁ ନେଇ ସମାଲଚୋନା ଆରମ୍ଭ ହୋଇଥିବା ବେଳେ ନିଜ ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ ।

    ଗତ ୩୦ ତାରିଖରେ ‘ମନ୍ କି ବାତ୍’ର ଶହେତମ ସଂସ୍କରଣ ପ୍ରସାରିତ ହୋଇଥିଲା । ଏହାକୁ ଶୁଣିବା ପାଇଁ କଲେଜ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉପସ୍ଥିତ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ମେଲ୍‌ ପଠାଯାଇଥିଲା । ଏହାସତ୍ତ୍ୱେ ତୃତୀୟ ବର୍ଷର ୨୮ ଜଣ ନର୍ସିଂ ଛାତ୍ରଛାତ୍ରୀ ଏବଂ ପ୍ରଥମ ବର୍ଷର ୮ ଜଣ ଛାତ୍ରଛାତ୍ରୀ ଏହା କାର୍ଯ୍ୟକ୍ରମରେ ସାମିଲ ହୋଇନଥିବାରୁ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ ଏ ସଂକ୍ରାନ୍ତରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏକ ସପ୍ତାହ ଯାଏ ହଷ୍ଟେଲରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

    ସେପଟେ,ଏଭଳି ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର । PGIMER କଲେଜ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ସେ କଡ଼ା ସମାଲୋଚନା କରିଛନ୍ତି । ସେ କେବେ ବି ‘ମନ୍ କି ବାତ୍’କାର୍ଯ୍ୟକ୍ରମ ଶୁଣନ୍ତୁ ନାହିଁ ସେଥିପାଇଁ କ’ଣ ଦଣ୍ଡିତ ହେବା ଆବଶ୍ୟକ ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ଘଟଣା ଖୁବ୍‌ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ଟିଏମସି ସାଂସଦ ।

    ବିଭିନ୍ନ ମହଲରୁ ସମାଲଚୋନା ପରେ କଲେଜ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ‘ମନ୍ କି ବାତ୍’କାର୍ଯ୍ୟକ୍ରମର ୯୯ ନମ୍ବର ଅଧ୍ୟାୟରେ PGIMER କଲେଜରେ ହୋଇଥିବା ଏକ ଅଙ୍ଗ ଦାନ ସମ୍ପର୍କରେ ମୋଦି ଉଲ୍ଲେଖ କରିଥିଲେ । ଏପରିକି ଅଙ୍ଗ ଦାନ କରୁଥିବା ପରିବାର ବିଷୟରେ ବି ଆଲୋଚନା କରିଥିଲେ । ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ । ଏହା କଲେଜ ପାଇଁ ବେଶ୍‌ ଗର୍ବର ବିଷୟ ଥିଲା । ତେଣୁ ୧୦୦ତମ ସଂସ୍କରଣରେ ମୋଦିଙ୍କ ଭାଷଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ଶୁଣି ତାହା ଉପରେ ଅନୁଶୀଳନ କରିବାକୁ ଛାତ୍ରମାନଙ୍କୁ କୁହାଯାଇଥିଲା । ତଥାପି କିଛି ଛାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିବାବେଳେ ସ୍ପଷ୍ଟ କାରଣ ବି କହି ପାରିନଥିଲେ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ଆକ୍ସନ ନିଆଯାଇଥିବା କଲେଜ ପକ୍ଷରୁ କୁହାଯାଇଛି ।

  • ଦ କେରଳ ଷ୍ଟୋରୀକୁ ନେଇ ଦିଦିଙ୍କୁ ସିଜେଆଇଙ୍କ ପ୍ରଶ୍ନ

    ଦ କେରଳ ଷ୍ଟୋରୀକୁ ନେଇ ଦିଦିଙ୍କୁ ସିଜେଆଇଙ୍କ ପ୍ରଶ୍ନ

    ବିବାଦୀୟ ଚଳଚ୍ଚିତ୍ର ଦି କେରଳ ଷ୍ଟୋରୀକୁ ପଶ୍ଚିମ ବଙ୍ଗରେ ନିଷିଦ୍ଧ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟ ରାଜ୍ୟ ସବୁରେ ଏହି ଚଳଚ୍ଚିତ୍ର ଶାନ୍ତିରେ ଚାଲୁଥିବା ବେଳେ ପଶ୍ଚିମବଙ୍ଗରେ ନିଷିଦ୍ଧ କରିବାର କାରଣ ପଚାରିଛନ୍ତି ସର୍ବୋଚ୍ଚ କୋର୍ଟ। ଶୁକ୍ରବାର ଶୁଣାଣି କାଳରେ ରାଜ୍ୟ ସରକାରକୁ ପ୍ରଶ୍ନ କରିଛନ୍ତି କୋର୍ଟ। ଏଥିସହ ପ୍ରତିବନ୍ଧକ ଲଗାଇଥିବା ପଶ୍ଚିମ ବଙ୍ଗ ଓ ତାମିଲନାଡୁକୁ ନୋଟିସ କରିଛନ୍ତି କୋର୍ଟ।

    ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ ଉପରେ ପ୍ରତିବନ୍ଧକ  ଓ ତାମିଲନାଡୁରେ ଅଘୋଷିତ କଟକଣା ବିରୋଧରେ ଫିଲ୍ମର ନିର୍ମାତା ବିପୁଲ ଶାହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଆରମ୍ଭ କରିଛନ୍ତି । ଶୁଣାଣି ବେଳେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ କି, ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମ ଚାଲିଛି। ପଶ୍ଚିମବଙ୍ଗ ମଧ୍ୟ ଦେଶର ଏକ ଅଂଶ। ସେଠାରେ କାହିଁକି ଫିଲ୍ମ ଉପରେ କଟକଣା ଜାରି କରାଯାଇଛି?

    ଯଦି ଫିଲ୍ମ ଅନ୍ୟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିପାରିବ ତେବେ ପଶ୍ଚିମବଙ୍ଗରେ କାହିଁକି? ଯଦି ଲୋକମାନେ ଏହାକୁ ଦେଖିବାକୁ ଚାହୁଁନାହାଁନ୍ତି, ତେବେ ଏହା ସେମାନଙ୍କ ଉପରେ ନିର୍ଭର କରୁଛି। କିନ୍ତୁ ପଶ୍ଚିମବଙ୍ଗ ସରକାର କାହିଁକି ଏହାକୁ ନିଷିଦ୍ଧ କରିଛନ୍ତି? ଆସନ୍ତା ବୁଧବାରଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

    ସେପଟେ ସୋମବାର ଦିନ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ଓ ଘୃଣା ସୃଷ୍ଟିକରୁଥିବା ଘଟଣାରୁ ବର୍ତ୍ତିବା ପାଇଁ ରାଜ୍ୟରେ ବିବାଦସ୍ପଦ ଫିଲ୍ମ ଦ କେରଳ ଷ୍ଟୋରୀର ପ୍ରଦର୍ଶନ ଉପରେ ତତ୍କାଳ ପ୍ରତିବନ୍ଧ ଲଗାଇବାକୁ ଆଦେଶ ଦେଇଥିଲେ। ନିର୍ମାତା କୋର୍ଟଙ୍କୁ ଆହୁରି ଅବଗତ କରିଥିଲେ କି ତାମିଲନାଡୁ ମଧ୍ୟ ଡିଫେକ୍ଟୋ ବ୍ୟାନ ଲଗାଇଛି। ଏହା ପରେ ଅନ୍ୟ କିଛି ରାଜ୍ୟ ମଧ୍ୟ ଫିଲ୍ମକୁ ବ୍ୟାନ କରିବାକୁ ଧମକ ଦେଉଛନ୍ତି।  ନିର୍ମାତାଙ୍କୁ କ୍ଷତି ସହିବାକୁ ପଡୁଛି।

    କୋର୍ଟରେ ନିର୍ମାତାଙ୍କ ପକ୍ଷରୁ ହରୁସ ସାଲଭେ ଜଣାଇଥିଲେ କି, ୫ ମେରେ ଫିଲ୍ମ ରିଲିଜ ହୋଇଥିଲା। ପଶ୍ଟିମ ବଙ୍ଗ ମୁଖ୍ୟମନ୍ତ୍ରୀ କହିଲେ ଫିଲ୍ମରୁ ରାଜ୍ୟର ଆଇନ ଶୃଙ୍ଖଳା ପ୍ରତି ବିପଦ ରହିଛି। ସେହିପରି ତାମିଲନାଡୁରେ ଡିଫେକ୍ଟୋ ବ୍ୟାନ କରାଯାଇଛି। ପ୍ରଥମେ ଫିଲ୍ମ ରିଲିଜ ହୋଇଥିଲା। କିନ୍ତୁ ପରେ ଧମକ ମିଳିବାରୁ ଫିଲ୍ମକୁ ଚାଲିବାକୁ ଦିଆଗଲା ନାହିଁ। ଏଥିନେଇ ସାଲଭି କୋର୍ଟଙ୍କ ନିକଟରେ ଫିଲ୍ମକୁ ସୁଚାରୁ ରୂପେ ଚାଲିବାକୁ ଦେବାକୁ ନିର୍ଦ୍ଦେଶ ହେବାକୁ ଅନୁରୋଧ କରିଛନ୍ତି।ତେଣୁ କୋର୍ଟ ଏହି ମାମଲାରେ ନୋଟିସ ଜାରି କରିବେ ବୋଲି କହିଛନ୍ତି।

    ଆନ୍ୟପଟେ ଅନେକ ରାଜ୍ୟରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି। ଦର୍ଶକ ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି, ଯାହ୍ ବକ୍ସ ଅଫିସ କଲେକ୍ସନରୁ ପ୍ରମାଣିତ ହେଉଛି। ଦ କେରଳ ଷ୍ଟୋରୀ ରିଲିଜର ସପ୍ତମ ଦିନରେ ୧୨ କୋଟି ଆୟ କରି ସାରିଛି। ପୁରା ସପ୍ତାହର ଆୟ ପହଞ୍ଚିଛି ୮୦.୮୬ କୋଟିରେ। ଆଉ ମାତ୍ର ୨୦ କୋଟି ଆୟରେ ଫିଲ୍ମ ୧୦୦ କ୍ଲବରେ ସାମିଲ ହୋଇଯିବ। ଫିଲ୍ମଟି ରିଲିଜର ପ୍ରଥମ ଦିନରେ ୮.୦୩ କୋଟିରୁ ଓପନିଂ ଆରମ୍ଭ କରି ଦ୍ୱିତୀୟ ଦିନରେ ୧୧.୨୨ କୋଟି, ତୃତୀୟ ଦିନରେ ୧୬.୪ କୋଟି, ଚତୁର୍ଥ ଦିନରେ ୧୦.୭, ପଞ୍ଚମ ଦିନରେ ୧୧.୧୪ କୋଟି ଓ ଷଷ୍ଠ ଦିନରେ ୧୨ କୋଟି ଆୟ କରିବାରେ ସକ୍ଷମ ହୋଇଛି।

  • ଛାତ୍ରଙ୍କଠାରୁ ୬.୦୧ ପ୍ରତିଶତ ଆଗୁଆ ଛାତ୍ରୀ

    ଛାତ୍ରଙ୍କଠାରୁ ୬.୦୧ ପ୍ରତିଶତ ଆଗୁଆ ଛାତ୍ରୀ

    ଆଜି ପ୍ରକାଶ ପାଇଛି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଯୁକ୍ତ ଦୁଇ ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ୍‌ ୧୬,୯୬,୭୭୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ ରହିଥିବା ସିବିଏସଇ ପକ୍ଷରୁ ସୂଚନା ରହିଛି। ଚଳିତ ବର୍ଷ ଜାତୀୟ ପାଶ ହାର ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇଥିବା ବେଳେ କିନ୍ତୁ ତ୍ରିଭେନ୍ଦ୍ରମର ରେଜଲ୍ଟ ସର୍ବାଧିକ ୯୯.୯୧ ପ୍ରତିଶତ ରହିଛି। ତେବେ ଚଳିତ ବର୍ଷରୁ ସିବିଏସଇ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଉଥିବା ଅସ୍ୱାସ୍ଥ୍ୟକର ପ୍ରତିଯୋଗିତାକୁ ଏଡାଇବାକୁ ଡିଭିଜନରେ ଫଳ ପ୍ରକାଶ କରିନାହିଁ।

    ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ ପକ୍ଷରୁ ପ୍ରକାଶ ପାଇଥିବା ଚଳିତ ଯୁକ୍ତ ଦୁଇ ରେଜଲ୍ଟରେ ଦେଖିବାକୁ ମିଳୁଛି କି, ଚଳିତ ରେଜଲ୍ଟ ପୂର୍ବ ବର୍ଷ ତୁଳନାରେ କମ ରହିଛି। ତେବେ ଚଳିତ ଥର ତ୍ରିଭେନ୍ଦ୍ରମର ପାଶ ହାର ସର୍ବାଧିକ ୯୯.୯୧ ପ୍ରତିଶତ ରହିଛି, ଯେତେବେଳେ କି, ପ୍ରୟାଗରାଜର ପାଶହାର ୭୮.୦୫ ପ୍ରତିଶତ ସହ ତାଲିକାରେ ତଳେ ରହିଛି। ସେହିପରି ଚଳିତ ଥର ଛାତ୍ରଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ଛାତ୍ରୀ। ଛାତ୍ରୀଙ୍କ ପାଶହାର ୯୦.୬୮ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ତୁଳନାରେ ଏହା ୬.୦୧ ପ୍ରତିଶତ ଅଧିକ ରହିଛି।

    ପରୀକ୍ଷାରେ ଭଲ ପ୍ରଦର୍ଶନ ନ କରିବା କାରଣରୁ ପ୍ରତିବର୍ଷ ବହୁ ପରୀକ୍ଷାର୍ଥୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥାନ୍ତି। କେହି କେହି ଘରୁ ଲୁଚି କେଉଁଆଡେ ଚାଲି ଯାଇ ନିଜ ସୁନ୍ଦର ଭବିଷ୍ୟତକୁ ନଷ୍ଟ କରି ଦେଇଥାନ୍ତି। ତେଣୁ ଏହି ସମ୍ବେଦନଶୀଳ ଘଟଣା ସବୁକୁ ଏଡାଇବାକୁ ବୋର୍ଡ ପକ୍ଷରୁ ଡିଭିଜନ ସିଷ୍ଟମ ଉଠାଇ ଦିଆଯାଇଥିବା ବେଳେ କେବଳ ଯେଉଁମାନେ ବହୁତ ଭଲ ରେଜଲ୍ଟ କରିଥିବେ ସେମାନଙ୍କ ଭିତରୁ ସର୍ବାଗ୍ରରେ ରହୁଥିବା ୦.୧ ପ୍ରତିଶିତଙ୍କୁ ମେରିଟ ସାର୍ଟିଫିକେଟ ପ୍ରଦାନ କରିବାକୁ ଯାଉଛି।

    ସୂଚନାଯୋଗ୍ୟ, ଛାତ୍ରଛାତ୍ରୀ ସିବିଏସଇ ୱେବ ସାଇଟ Cbse.nic.in, cbseresults.nic.in କିମ୍ବା digilocker.gov.inରେ ଫଳାଫଳକୁ ନେଇ ସବିଶେଷ ବିବରଣୀ ଦିଆଯାଇଛି। ଫଳ ଜାଣିବାକୁ ୱେବ ସାଇଟ ଖୋଲିବା ପରେ ଏକ ଅପସନ ଆସିବ, ଯେଉଁଥିରେ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ନିଜ ନିଜର ରୋଲ ନମ୍ବର, ସ୍କୁଲ ନମ୍ବର, ଆଡମିଟ କାର୍ଡ ଆଇଡି ଏବଂ ଜନ୍ମ ତାରିଖ ମଗାଯାଇଛି। ଏସବୁ ପୂରଣ କରି ସେମାନେ ନିଜ ମାର୍କ ଯାଞ୍ଚ କରିପାରିବେ। ପରୀକ୍ଷାର୍ଥୀଙ୍କ ଡିଜି ଲକର୍‌ ଆକାଉଣ୍ଟକୁ ସକ୍ରିୟ କରିବା ପାଇଁ ସିବିଏସ୍‌ଇ ଛଅ ଅଙ୍କ ବିଶିଷ୍ଟ ସୁରକ୍ଷା ପିନ୍‌ ଜାରି କରାଯାଇଛି।

  • ଡାକ୍ତରଙ୍କଠୁ ବି କମ୍ ନୁହଁନ୍ତି ନର୍ସ

    ଡାକ୍ତରଙ୍କଠୁ ବି କମ୍ ନୁହଁନ୍ତି ନର୍ସ

    ଆଜି ସମଗ୍ର ବିଶ୍ୱ ପାଳନ କରୁଛି ଆନ୍ତର୍ଜାତିକ ସେବିକା ଦିବସ । ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟକ୍ଷେତ୍ରରେ ସେବିକାମାନଙ୍କର ଅତୁଳନୀୟ ଅବଦାନ ଏବଂ ଉତ୍ସର୍ଗିକୃତ ସେବାକୁ ମନେପକାଇବା ଲାଗି ସେମାନଙ୍କୁ ସମ୍ମାନ ଦେବାର ଦିନଟିଏ। ୧୯୭୪ ମସିହାରୁ ଅନ୍ତର୍ଜାତୀୟ ସେବିକା ପରିଷଦ ପକ୍ଷରୁ ଏହି ଦିବସ ପାଳନ କରାଯାଇଆସୁଛି । ଆଧୁନିକ ଧାତ୍ରୀସେବାର ପ୍ରତିଷ୍ଠାତ୍ରୀ ଭାବେ ବିବେଚିତ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମବାର୍ଷିକ ମେ ୧୨ ତାରିଖକୁ ସେବିକା ଦିବସ ଭାବେ ପାଳନ କରାଯାଉଛି । ତେବେ ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତରଙ୍କର ଯେତିକି ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ରହୁଛି ନର୍ସ ମାନଙ୍କର ମଧ୍ୟ ସମାନ ଭୂମିକା ରହିଛି । ସେମାନେ ରୋଗୀଙ୍କର ଅହରହ ଯତ୍ନ ନେଇଥାନ୍ତି । ଯାହା କୋଭିଡ ସମଯରେ ଆମେ ସମସ୍ତେ ଦେଖିଛେ । କିଭଳି ନିଜ ଜୀବନକୁ ବାଜି ଲାଗାଇ ଆକ୍ରାନ୍ତଙ୍କର ସେବା କରୁଥିଲେ ।

    ମହାମାରୀ କରୋନା ଆମକୁ ନର୍ସମାନଙ୍କ ମହାନତା ହୃଦୟଙ୍ଗମ କରାଇଛି। ସେହି ଘଡିସନ୍ଧି ମୁହୂର୍ତ୍ତରେ ଯେତେବେଳେ ଆମେ ଘରେ ନିଜକୁ ବନ୍ଦୀକରି ରଖିଥିଲେ ନିଜ ତଥା ନି଼ଜ ପରିବାରକୁ, ସେହି ସମୟରେ କିନ୍ତୁ ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତଙ୍କ ସେବାରେ ନିଜ ପରିବାରଠୁ ଅଲଗା ରହିଥିଲେ। ପିପିଟି କିଟ ପିନ୍ଧି ଗରମରେ ସନ୍ତୁଳି ହେଉଥିଲେ ବି ସେବାଠୁ ନିଜକୁ ଦୂରେଇ ଦେଇ ନ ଥିଲେ। ଏପରି ସେବା ମନବୃତ୍ତିକୁ ନେଇ ଆଗେଇ ଚାଲିଥିବା ସେବିକାଙ୍କ ସେବାକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ମେ ୧୨ ତାରିଖରେ ପାଳନ ହେଉଛି ବିଶ୍ୱ ସେବିକା ଦିବସ।

    ପ୍ରତିବର୍ଷ ମେ’୧୨ ତାରିଖରେ ଅନ୍ତର୍ଜାତୀୟ ନର୍ସ ଡେ ପାଳନ କରାଯାଇଥାଏ। ଆଧୁନିକ ସେବାର ଜନ୍ମଦାତ୍ରୀ ଫ୍ଲୋରେନ୍ସ ନାଇଟଆଙ୍ଗଲଙ୍କ ସମ୍ମାନରେ ତାଙ୍କ ଜନ୍ମ ଦିନକୁ ବିଶ୍ବ ସେବିକା ଦିବସ ଭାବେ ପାଳନ କରାଯାଇ ଆସୁଛି। ଅନ୍ତର୍ଜାତୀୟ ସେବିକା ପରିଷଦ ବା ଆଇସିଏନ ପକ୍ଷରୁ ୧୯୭୪ରେ  ଅନ୍ତର୍ଜାତୀୟ ସେବିକା ଦିବସର ପାଳନର ପରିକଳ୍ପନା କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ଏହି ଦିବସର ପାଳନ ହୋଇ ଆସୁଛି।

    ଏହି ଦିବସ ଅବସରରେ ଚଳିତ ବର୍ଷ ଆଇସିଏନ ପକ୍ଷରୁ ଥିମ ରହିଛି, ଆମ ନର୍ସ ଆମ ଭବିଷ୍ୟତ। ସାମ୍ପ୍ରତିକ ସ୍ଥିତିକୁ ନେଇ ଚଳିତ ଥିମ ସମୂର୍ଣ୍ଣ ଫିଟ ଆସୁଛି।

  • ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ

    ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ

    ଆଜି ପ୍ରକାଶ ପାଇଛି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଯୁକ୍ତ ଦୁଇ ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ୍‌ ୧୭ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ ରହିଥିବା ସିବିଏସଇ ପକ୍ଷରୁ ସୂଚନା ରହିଛି। ଛାତ୍ରଛାତ୍ରୀ ସିବିଏସଇ ୱେବ ସାଇଟ Cbse.nic.in, cbseresults.nic.in କିମ୍ବା digilocker.gov.inକୁ ଯାଇ ନିଜ ଫଳାଫଳ ଜାଣିପାରିବେ।

    ଫଳ ଜାଣିବାକୁ ୱେବ ସାଇଟ ଖୋଲିବା ପରେ ଏକ ଅପସନ ଆସିବ, ଯେଉଁଥିରେ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ନିଜ ନିଜର ରୋଲ ନମ୍ବର, ସ୍କୁଲ ନମ୍ବର, ଆଡମିଟ କାର୍ଡ ଆଇଡି ଏବଂ ଜନ୍ମ ତାରିଖ ମଗାଯିବ। ଏସବୁ ପୂରଣ କରି ସେମାନେ ନିଜ ମାର୍କ ଯାଞ୍ଚ କରିପାରିବେ। ପରୀକ୍ଷାର୍ଥୀଙ୍କ ଡିଜି ଲକର୍‌ ଆକାଉଣ୍ଟକୁ ସକ୍ରିୟ କରିବା ପାଇଁ ସିବିଏସ୍‌ଇ ଛଅ ଅଙ୍କ ବିଶିଷ୍ଟ ସୁରକ୍ଷା ପିନ୍‌ ଜାରି କରିଛି।

    digilocker.gov.inରୁ ବିଦ୍ୟାଳୟଗୁଡ଼ିକ ସେମାନଙ୍କର ଏଲ୍‌ଓସି ପ୍ରମାଣପତ୍ର ବ୍ୟବହାର କରି ଡାଉନଲୋଡ କରିପାରିବେ। ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ସୁରକ୍ଷା ପିନ ବ୍ୟବହାର କରି ସେମାନଙ୍କ ଆକାଉଣ୍ଟକୁ ଆକ୍ଟିଭ୍‌ କରିବାକୁ ପଡ଼ିବ। ଯାହା ଫଳରେ ଫଳାଫଳ ଘୋଷଣା ହେବା ପରେ ସେମାନେ ସେମାନଙ୍କର ମାର୍କ ସିଟ ଏବଂ ସାର୍ଟିଫିକେଟର ଡିଜିଟାଲ କପି ଡାଉନଲୋଡ୍‌ କରିପାରିବେ। ବୋର୍ଡ ମଧ୍ୟ ଆଇଭିଆର୍‌ଏସ୍‌ ଏବଂ ଏ୍‌ଏମ୍‌ଏସ୍‌ ମାଧ୍ୟମରେ ଫଳାଫଳ ପ୍ରଦାନ କରିପାରିବ।

  • ଅତିଭୀଷଣ ବାତ୍ୟାରେ ପରିଣତ ହେଲା ମୋକା

    ଅତିଭୀଷଣ ବାତ୍ୟାରେ ପରିଣତ ହେଲା ମୋକା

    ଆଜି ସକାଳ ୫.୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ, ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ବେଗ ୯ କିମି ହାରରେ ଉତ୍ତରଆଡକୁ ଗତିକରୁଛି ବାତ୍ୟା ମୋକା। ଏହା ୧୩.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୮.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିବା ସହ ପୋର୍ଟବ୍ଲେୟାର ଠାରୁ   ପଶ୍ଚିମଉତ୍ତର ଓ ପଶ୍ଚିମ ଦିଗରେ ୫୨୦ କିମି, ବଙ୍ଗଳାଦେଶର କକ୍ସ ବଜ଼ାର ଠାରୁ   ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ୧୦୧୦ କିମି, ଏବଂ ମିଆଁମାରର ସ୍ୱଇଟେ ଠାରୁ ସମାନ ଦିଗରେ ୯୩୦ କିମି ଦୂରରେ ସକ୍ରିୟ ରହିଛି ବୋଲି କେନ୍ଦ୍ର ପାଣିପାଗ ବିଭାଗ ସୂଚନା ଦେଇଛି।

    ଏହା ଧୀରେଧୀରେ ଗତିପଥ ପରିବର୍ତ୍ତନ କରି ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l ଏହା ଏକ ଅତି ଭୀଷଣ ବାତ୍ୟା ଭାବେ ୧୪ ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣପୂର୍ବ ବଙ୍ଗଳାଦେଶ ଏବଂ ଉତ୍ତର ମିଆଁମାର ଉପକୂଳକୁ କକ୍ସ ବଜାର (ବଙ୍ଗଳାଦେଶ) ଏବଂ କ୍ୟାୟପିୟୁ (ମିଆଁମାର) ମଧ୍ୟରେ ମିଆଁମାରର ସ୍ୱଇଟେ ନିକଟରେ ଘଣ୍ଟାପ୍ରତି ୧୫୦ ରୁ ୧୬୦ କିମି ସର୍ବାଧିକ ୧୭୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

  • ସିଇଓ ପଦ ଛାଡିବେ ମସ୍କ

    ସିଇଓ ପଦ ଛାଡିବେ ମସ୍କ

    ବିଶ୍ୱର ସର୍ବ ବୃହତ ମାଇକ୍ରୋ ବ୍ଲଗିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ସିଇଓ ଏଲନ ମସ୍କ ନିଜ ପଦ ଖୁବଶୀଘ୍ର ଛାଡିବାକୁ  ଯାଉଛନ୍ତି । ମସ୍କ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏଥିସହ ଟ୍ୱିଟରର ପରବର୍ତ୍ତୀ ସିଇଓ ଜଣେ ମହିଳା ହେବାକୁ ନେଇ ଦେଇଛନ୍ତି ପରୋକ୍ଷ ସଂକେତ। ସିଇଓ ପଦ ଛାଡିବା ପରେ ସେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ବୋଲି ଟ୍ୱିଟ କରିଛନ୍ତି।

    ମସ୍କ ଗତ ବର୍ଷ ଟ୍ୱିଟରକୁ କିଣିବା ପରଠୁ ସର୍ବଦା ତାଙ୍କ ବିଭିନ୍ନ କାମକୁ ନେଇ ଚର୍ଚ୍ଚାରେ ରହି ଆସୁଥିଲେ। ଗତବର୍ଷ ସେ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିଥିଲେ।

  • ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ରାଜନୈତିକ ନୁହେଁ: ନବୀନ

    ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ରାଜନୈତିକ ନୁହେଁ: ନବୀନ

    ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଆନୁଷ୍ଠାନିକ ଭାବେ ଭେଟି ଆଲୋଚନା କରିଛନ୍ତି। ଆଲୋଚନା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆସନ୍ତା ନିର୍ବାଚନରେ ବିଜେଡିର ଭୂମିକା କିପରି ରହିବ । ଏହା ସହ  ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବା ନେଇ ଚାଲିଥିବା ଆଲୋଚନା କେତେଦୂର ଠିକ୍ ସେ ସମ୍ପର୍କରେ ନବୀନ ସ୍ପଷ୍ଟ ଟିପ୍ପଣୀ ରଖିଛନ୍ତି।

    ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ଆବଶ୍ୟକତା ଓ ଦାବି ନେଇ ଆଲୋଚନା ହୋଇଥିଲା। ମୁଖ୍ୟତଃ ପୁରୀରେ ଶ୍ରୀଜଗନ୍ନାଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କାର୍ଯ୍ୟ ତ୍ଵରାନ୍ଵିତ ପାଇଁ ଆଲୋଚନା ହୋଇଥିଲା। ଯାତ୍ରୀ ଓ ବିମାନ ସଂଖ୍ୟା ବୃଦ୍ଧି ଯୋଗୁ ଭୁବନେଶ୍ବର ଏୟାରପୋର୍ଟ ଉପରେ ଅଧିକ ଚାପ ପଡ଼ୁଛି। ତେଣୁ ଶ୍ରୀଜଗନ୍ନାଥ ଏୟାରପୋର୍ଟ କାମ ସାରିବାକୁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ା ଯାଇଥିଲା। ପୁରୀ ଏୟାରପୋର୍ଟ ପାଚେରି ପାଇଁ ଜମି ଚିହ୍ନଟ କାମ ସରିଯାଇଛି।

    ସେହିପରି ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଭେଟ ଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟ ବେଳେ କୌଣସି ରାଜନୈତିକ ମୁଦ୍ଦା ସମ୍ପର୍କରେ ଆଲୋଚନା ହୋଇଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ।

    ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ପଚାରିବାରେ ନବୀନ କହିଛନ୍ତି, ଏହି ସାମ୍ମୁଖ୍ୟରେ ଆମେ ନାହୁଁ। ଆଗାମୀ ନିର୍ବାଚନରେ ବିଜେଡି ଲୋକସଭା ଓ ବିଧାନସଭା ଆସନରେ ଏକାକୀ ଲଢ଼ିବ କି ପଚାରିବାରେ ସେ କହିଛନ୍ତି, ସର୍ବଦା ଏହା ଆମର ମୁଖ୍ୟ ନୀତି ରହିଆସିଛି।

  • ଇମରାନଙ୍କ ଗିରଫଦାରୀକୁ ନେଇ ଖପ୍ପା ପାକ୍ ସୁପ୍ରିମ କୋର୍ଟ

    ଇମରାନଙ୍କ ଗିରଫଦାରୀକୁ ନେଇ ଖପ୍ପା ପାକ୍ ସୁପ୍ରିମ କୋର୍ଟ

    ଇସଲାମାବାଦ ହାଇକୋର୍ଟ ପରିସରରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଜଳୁଛି ପାକିସ୍ତାନ। ଇମରାନଙ୍କ ଦଳ ପାକିସ୍ତାନ ତେହରିକେ ଇନସାଫ ପକ୍ଷରୁ ପ୍ରବଳ ବିରୋଧ କରାଯାଉଛି। ଦେଶବ୍ୟାପୀ ପ୍ରଦର୍ଶନ, ବିରୋଧ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ଏହାକୁ ନେଇ ହିଂସା ଦେଖିବାକୁ ମିଳୁଛି। ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କଠୋର କାର୍ଯ୍ୟାନୁଷ୍ଠାନ। ଏସବୁ ଭିତରେ ଏହି ଗିରଫଦାରୀ  ଘଟଣାରେ ଆସିଛି  ନୂଆ ଟ୍ୱିଷ୍ଟ।

    ପାକିସ୍ତାନର ସୁପ୍ରିମକୋର୍ଟ ଇମରାନଙ୍କ ଗିରଫଦାରୀକୁ ବେଆଇନ ଓ ଅନୈତିକ କୁହାଯାଇଛି। ଇମରାନଙ୍କୁ ଘଣ୍ଟାଏ ଭିତରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେଠାକାର ସର୍ବୋଚ୍ଚ କୋର୍ଟ । ମଙ୍ଗଳବାର ଇସଲାମବାଦ ହାଇକୋର୍ଟ ପରିସରରୁ ଇମରାନଙ୍କୁ ରେଞ୍ଜର୍ସ ଗିରଫ କରି ନେଇଥିଲା। ଏହାକୁ ନେଇ ସୁପ୍ରିମ କୋର୍ଟରେ ଆବେଦନ  କରାଯାଇଥିଲା। ଶୁଣାଣି କାଳରେ ସୁପ୍ରିମକୋର୍ଟ ମାମଲାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଯେଉଁଭଳି ଭାବେ ଗିରଫ କରାଯାଇଛି, ତାହାକୁ ନାପସନ୍ଦ କରିବା ସହ ଉଦବେଗ ପ୍ରକାଶ କରିଛନ୍ତି କୋର୍ଟ।  

    ଏଥିସହ ସୁପ୍ରିମକୋର୍ଟ ଇସଲାମାବାଦ ଆଇଜି ଓ କୋର୍ଟ ରେଜିଷ୍ଟ୍ରାରଙ୍କୁ ସମନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ଏନବିଏ ଆସନ୍ତାକାଲି ଇମ୍ରାନ ଖାନଙ୍କୁ ହାଜର କରିବା ପାଇଁ ଅନୁମତି ମାଗିଥିଲା। କିନ୍ତୁ ଏହି ଆବେଦନକୁ ଖାରଜ କରିଦେବା ସହ ଏକ ଘଣ୍ଟା ଭିତରେ କୋର୍ଟରେ ଇମରାନଙ୍କୁ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ସମୟ ୪.୩୦ରେ ଇମ୍ରାନ ଖାନଙ୍କୁ ହାଜର କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଉମର ଅଟ୍ଟା ବଣ୍ଡିଆଲ, ଜଷ୍ଟିସ ମହମ୍ମଦ ଅଲୀ ମଝାର ଓ ଜଷ୍ଟିସ ଅଥର ମିନୁଲ୍ଲାହଙ୍କୁ ନେଇ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

    ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନରେ ଉଲ୍ଲେଖଥିଲା କି, ହାଇକୋର୍ଟଙ୍କ ଆଦେଶ ସମ୍ବିଧାନର ଧାରା ୧୦-ଏ ର ବିରୁଦ୍ଧ ଅଟେ। ଇସଲାମାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧାଭାସରେ ପରିପୂର୍ଣ୍ଣ। ଏନଏବିର ଅଧ୍ୟକ୍ଷଙ୍କ ଦ୍ୱାରା ଦିଆଯାଇଥିବା ୱାରେଣ୍ଟ ବେଆଇନ।