Category: ଜିଲ୍ଲା

  • ୧୪ ଜିଲ୍ଲାରେ ବନ୍ଦ ପାଳନ, କର୍ଫ୍ୟୁ କୋହଳ, ଫେରୁଛି ଶାନ୍ତି

    ୧୪ ଜିଲ୍ଲାରେ ବନ୍ଦ ପାଳନ, କର୍ଫ୍ୟୁ କୋହଳ, ଫେରୁଛି ଶାନ୍ତି

    ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ଘଟଣା ପ୍ରତିବାଦରେ ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ । ଏହି ବନ୍ଦ ଡାକରା ଦେଇଛି ଭିଏଚପି ପଶ୍ଚିମ ପ୍ରାନ୍ତ ଶାଖା । ଆଜି ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ବନ୍ଦ ରହିବ । ଚକଅଖ ବନ୍ଦ ରଖିବାକୁ ଆହ୍ୱାନ କରାଯାଇଛି ।

    ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗିରରେ ବଜରଙ୍ଗ ଦଳ ସଦସ୍ୟ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି । ସେହିପରି ଭବାନୀପାଟଣାରେ ମଧ୍ୟ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଦେବଗଡ଼ରେ ଦୋକାନବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି । ସୋନପୁର,ବୌଦ୍ଧ, କଳାହାଣ୍ଡି,ନୂଆପଡ଼ା,କୋରାପୁଟ,ନବରଙ୍ଗପୁର,ମାଲକାନଗିରି, ରାୟଗଡ଼ା, ସମ୍ବଲପୁର, ଦେବଗଡ଼,ଝାରସୁଗୁଡ଼ା,ସୁନ୍ଦରଗଡ଼,ବଲାଙ୍ଗିର ଜିଲ୍ଲାରେ ବନ୍ଦ ପ୍ରଭାବ ପଡ଼ିଛି । ସମ୍ବଲପୁର ହିଂସା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭିଏଚ୍‌ପି । ବିଜେପି ଓ ବଜରଙ୍ଗ ଦଳ ଏହି ବନ୍ଦ ଡାକରାକୁ ପୁରାପୁରି ସମର୍ଥନ ଜଣାଇଛନ୍ତି । …

    ସେପଟେ, ସ୍ୱାଭାବିକ ଅବସ୍ଥାକୁ ଫେରୁଛି ସମ୍ବଲପୁର । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ସହରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଭିଡ଼ ଜମିଛି । ପୂର୍ବ ନିର୍ଦ୍ଦେଶନାମା ଅନୁସାରେ ଆଜି ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ୬ ଦିନ ହେଲା ସହରରେ ଅଚଳାବସ୍ଥା ଦୂର ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ସେପଟେ, ଘଟଣାରେ ଏଯାଏ ୮୫ ଜଣଙ୍କ ମୃତ୍ୟୁ ହେଲାଣି ।

  • ଖୋଲିଲା ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

    ଖୋଲିଲା ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

    ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଫାଇଲ ପୁଣି ଖୋଲିଛି। ପାରଳାଖେମୁଣ୍ଡି  ଏସ୍‌ଡିଜେଏମ୍‌ କୋର୍ଟ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ନୋଟିସ୍‌ ଜାରି କରିଛନ୍ତି। ମାମଲାରେ ଦଫା 302 (ହତ୍ୟା) ଓ 120/B (ଅପରାଧୀକ ଷଡ଼ଯନ୍ତ୍ର ରଚିବା) ଉପରେ ନୂଆ ରୂପରେ ବିଚାର କରିବାକୁ  ଏସ୍‌ଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରିବା ପରେ ଏମିତି ଆଭିମୁଖ୍ୟ ଗ୍ରହଣ କରିଛନ୍ତି କୋର୍ଟ।

    ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଏକ ପିପି ଫାଇଲ୍‌ କରି ହତ୍ୟା ସମ୍ବନ୍ଧିତ ପର୍ଯ୍ୟାପ୍ତ ପ୍ରମାଣ ଦେଇଥିଲେ। ପ୍ରମାଣ ଆଧାରରେ ଏସ୍‌ଡିଜେଏମ୍‌ ୩୦୨, ୧୨୦(B) ରେ ବୋହୂ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କୁ ନୋଟିସ୍‌ କରିଥିବା ଓକିଲ କହିଛନ୍ତି।

    ଅଭିରାମ ମହାପାତ୍ରଙ୍କ ଆବେଦନ ମୁତାବକ, ତାଙ୍କ ପୁଅ ସୌମ୍ୟଙ୍କୁ  ହତ୍ୟା କରାଯାଇଥିଲା ଓ ଏହା ବୋହୂ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି ହୋଇଥିଲା। ତେଣୁ ସେମାନଙ୍କ ବିରୋଧରେ 302 ଦଫା ଲାଗିଥିଲା। କିନ୍ତୁ କ୍ରାଇମବ୍ରାଞ୍ଚ ଏହାକୁ ଦୁର୍ଘଟଣାର ରୂପ ଦେଇ ଚାର୍ଜସିଟ୍‌ରେ ୩୦୪(A), ୨୮୫ ଆଇପିସିରେ ମାମଲା ରୁଜୁ କରିଥିଲା। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଅସନ୍ତୋଷ ପ୍ରକାଶ କରି ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ କେସ୍‌ ଫାଇଲ୍‌ କରିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ଯାହାକୁ ହାଇକୋର୍ଟ ଗ୍ରହଣ କରି ନୋଟିସ୍‌ ଜାରି କରିଥିଲେ ଓ ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି ବୋଲି ଅଭିରାମଙ୍କ ଓକିଲ କହିଛନ୍ତି।

    ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୨ ତାରିଖ ସନ୍ଧ୍ୟାରେ ସୌମ୍ୟଙ୍କ ସରକାରୀ ବାସଭବନରେ ଜୀବନ୍ତ ଦଗ୍ଧ ହୋଇ କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଥିଲା।   

  • କେମିତି ମଲେ ସ୍ୱାମୀ ଓ ୨ ପତ୍ନୀ, ଘର ଭିତରେ ମୃତଦେହ

    କେମିତି ମଲେ ସ୍ୱାମୀ ଓ ୨ ପତ୍ନୀ, ଘର ଭିତରେ ମୃତଦେହ

    ବରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ । ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଆଖିଫୁଟା ଗାଁରେ ୩ ଜଣଙ୍କ ମୃତ୍ୟୁ । ଏକ ଘରେ ଜଣେ ବ୍ୟକ୍ତି ଓ ତାଙ୍କର ଦୁଇ ପତ୍ନୀଙ୍କ କ୍ଷତାକ୍ତ ମୃତଦେହ ମିଳିଛି । ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ପୋଲିସ ।

    ୩ ମୃତକ ଟଙ୍କଧର ସାହୁ, ତାଙ୍କର ଦୁଇ ପତ୍ନୀ ମାଧବୀ ଓ ଦ୍ରୌପଦୀ ସାହୁ । ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପତ୍ନୀଙ୍କର କୌଣସି ପିଲା ନଥିଲା । ତେଣୁ ଟଙ୍କଧର ଦ୍ୱିତୀୟ ବିବାହ କରିଥିବା ବେଳେ ସମସ୍ତେ ଏକାଠି ରହୁଥିଲେ । ପରିବାର ଠିକଠାକ୍ ଚାଲିଥିଲା । କଳିଝଗଡ଼ାର କୌଣସି ପ୍ରଶ୍ନ ନଥିଲା ।

    ତେବେ ଆଜି ସକାଳେ ଟଙ୍କଧରଙ୍କ ଘର ବନ୍ଦ ଥିବାବେଳେ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ପଡ଼ୋଶୀମାନେ ଦେଖିନଥିଲେ । ସେମାନଙ୍କ ସନ୍ଦେହ ହୋଇଥିଲା । ତେଣୁ ଅପରାହ୍ଣରେ ପଡ଼ୋଶୀ ଆସି କବାଟ ବାଡ଼େଇଥିଲେ । କେହି ନଖୋଲିବାରୁ ସେମାନଙ୍କ ସନ୍ଦେହ ହୋଇଥିଲା । ସେମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଯାଞ୍ଚ କରିବା ସହିତ ଗାଁ ଲୋକଙ୍କୁ ପୋଲିସ୍ ପଚରାଉଚୁରା କରୁଛି । ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳ ଯାଞ୍ଚ କରିବା ପରେ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

  • ଆଜି ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ, ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ

    ଆଜି ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ, ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ

    ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର ଉଦଘାଟନ କରିବେ ନବୀନ । ଗୁରୁଜଙ୍ଗରେ ଦୀର୍ଘଦିନର ପ୍ରାଥମିକ ଶିକ୍ଷାକେନ୍ଦ୍ର ଅବହେଳିତ ଅବସ୍ଥାରେ ଥିଲା । ତେବେ ନବୀନଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାରେ ଏବେ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଗଢ଼ି ଉଠିଛି ।

    ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ସେଠାରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ପ୍ରସ୍ତୁତ ହେବ । ରାଜ୍ୟ ସରକାରଙ୍କ ସହଯୋଗରେ ଏହାର ପ୍ରତିଷ୍ଠା ହୋଇଥିବାବେଳେ ନବୀନ ଏହାର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରେ ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍ ସହ ହ୍ୱିଲଚେୟାର ବାଣ୍ଟିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଖୋର୍ଦ୍ଧାବାସୀ ବେଶ୍ ଉତ୍ସାହିତ ଅଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ ପ୍ରଶାସନ ।

  • ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି

    ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି

    ମଙ୍ଗଳବାର ଝାରସୁଗୁଡା ଉପନିର୍ବାଚନ ପାଇଁ  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଦୀପାଳି ପ୍ରଥମେ ଝାରସୁଗୁଡ଼ା ପାଟଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ମନମୋହନ ସ୍କୁଲ ପଡ଼ିଆଠାରୁ ପ୍ରାୟ ୪ କିମି ଶୋଭାଯାତ୍ରାରେ ଯାଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୀପାଳିଙ୍କ ସହ ଶୋଭାଯାତ୍ରାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସାରଦା ନାୟକ ପ୍ରମୁଖଙ୍କ ସହ ୧୫ ହଜାରରୁ ଅଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେହି ଆସନ ଖାଲି ଥିଲା।

    ଝାରସୁଗୁଡ଼ା ଉପନିର୍ବାଚନ ନାମାଙ୍କନ ଦାଖଲ ପାଇଁ ଆଉ ୩ଦିନ ଥିବାବେଳେ ଅଦ୍ୟାବଧି ୫ଜଣ  ନାମାଙ୍କନ ଦାଖଲ କରି ସାରିଛନ୍ତି। କଂଗ୍ରେସର ତରୁଣ ପାଣ୍ଡେ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସମେତ ହିନ୍ଦୁସ୍ତାନ ନିର୍ମାଣ ଦଳର ପ୍ରାର୍ଥୀ ବିଜୟ ଜାଲାନ, ସ୍ୱାଧୀନ ପ୍ରାର୍ଥୀ ଭୁବନେଶ୍ୱର ଗର୍ଡିଆ ଓ ମନିଷ ଶର୍ମା ନାମାଙ୍କନ ଦାଖଲ କରିଛନ୍ତି।

  • ପ୍ରାର୍ଥନା ବେଳେ ଅସୁସ୍ଥ ହୋଇପଡିଲେ 6ଷ୍ଠ ଶ୍ରେଣୀ ଛାତ୍ର

    ପ୍ରାର୍ଥନା ବେଳେ ଅସୁସ୍ଥ ହୋଇପଡିଲେ 6ଷ୍ଠ ଶ୍ରେଣୀ ଛାତ୍ର

    ଚଳିତ ବର୍ଷ କଲବଲ କଲାଣି ଖରା। ପୂର୍ବହ୍ନ 10ଟାରୁ ସୂର୍ଯ୍ୟ ତେଜ ଏମିତି ହେଉଛି କି ଘରୁ ବାହାରିବା ମୁସକିଲ। ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ସ୍କୁଲ ସବୁକୁ ସକାଳ 6ଟା30ରୁ 11ଟା କରିଛନ୍ତି। ହେଲେ କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇ ପଶି ପଞ୍ଚାୟତ କେନ୍ଦେଇ ପଶି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ 6ଷ୍ଠ ଶ୍ରେଣୀ ଛାତ୍ର ସକାଳେ ହୋଇଥିବା ପ୍ରାର୍ଥନା ବେଳେ ଅସୁସ୍ଥ ହୋଇଯାଇଥିବା ସୂଚନା ରହିଛି। ଅସୁସ୍ଥ ଛାତ୍ର ହେଉଛନ୍ତି ଆକାଶ ନାଏକ।

    ଆକାଶ ପ୍ରାର୍ଥନା ବେଳେ ଅସୁସ୍ଥ ହୋଇପଡିବାରୁ ଶିକ୍ଷୟିତ୍ରୀମାନେ ଗ୍ଲୁକୋଜ ପାଣି ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଥିଲେ। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏପରି ଖରା ହେଉଥିବା ବେଳେ ସ୍କୁଲ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତିକୁ ଅନେକ ନାପସନ୍ଦ କରିଛନ୍ତି।

    ସୂଚନାଯୋଗ୍ୟ, ଆଜି ପାଣିପାଗ ବିଭାଗର ତଥ୍ୟ ମୁତାବକ, ଦିନ 11ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା 40.0 ଡିଗ୍ରୀ ହୋଇଥିବା ବେଳେ, ଝାରସୁଗୁଡାରେ 40.2, କେନ୍ଦୁଝରରେ 39.2, ସମ୍ବଲପୁରରେ 38.6, ହୀରାକୁଦରେ 37.4, ଚାନ୍ଦବାଲିରେ 37, ବାଲେଶ୍ୱରରେ 36.4, ଗୋପାଳପୁରରେ 34.6, ପୁରୀରେ 34.2, ପାରାଦୀପରେ 28 ଡିଗ୍ରୀ ରେକର୍ଡ ହୋଇଛି।

  • ଏକାଠି ଜୀଇଁବା ମରିବାର ପ୍ରତିଶ୍ରୁତି ଦେଇ ଜୀବନ ନେଲା ବିଶ୍ୱାସଘାତ ପ୍ରେମିକ

    ଏକାଠି ଜୀଇଁବା ମରିବାର ପ୍ରତିଶ୍ରୁତି ଦେଇ ଜୀବନ ନେଲା ବିଶ୍ୱାସଘାତ ପ୍ରେମିକ

    ବିଶ୍ୱାସଘାତ ପ୍ରେମିକ। ଏକାଠି ଜୀଇଁବା, ମରିବାର ପଣ କରି ପ୍ରେମିକାକୁ ବିଷ ପିଆଇବା ପରେ ମାରିଥିଲା ଛୁ। ପ୍ରଥମେ ସମାଜ ସାଜିଥିଲା ଉଭୟଙ୍କ ମିଳନ ପଥେ ବଇରୀ, ପରେ ଯାହାକୁ ନେଇ ସମାଜ ସହ ଲଢିବାକୁ ଅଣ୍ଟା ଭିଡିଥିଲା ନାବାଳିକା ପ୍ରେମିକା। କିନ୍ତୁ ପ୍ରେମିକର  ପ୍ରତାରଣା ଭାଙ୍ଗିଦେଲା ଯେମିତି ସବୁ ଦମ୍ଭ। ଦୀର୍ଘ ଏକ ମାସ ଧରି ଜୀବନ ମରଣ ସହ ଯୁଦ୍ଧ କରି ଶେଷରେ ସବୁ ଦିନ ପାଇଁ ଆଖି ବୁଜିଛି ନାବାଳିକା ପ୍ରେମିକା। ଏମିତି ପ୍ରେମରେ ଧୋକାବାଜିର ଖବର ଆସିଛି କଳାହାଣ୍ଡି ଜିଲ୍ଲାରୁ।

    କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ନୂନପାଣି ଗାଁର ଜଣେ ନାବାଳିକାର ସେହି ଗ୍ରାମର ଜଣେ ଯୁବକଙ୍କ ସହ ଗଢିଉଠିଥିଲା ପ୍ରେମ ସମ୍ପର୍କ। ଏକାଠି ଜୀଇଁବା ମରିବାର ନେଇଥିଲେ ଶପଥ। କିନ୍ତୁ ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ମିଳନରେ ବାଧା ସାଜିଥିଲା ସମାଜ। ତେଣୁ ସାଙ୍ଗ ହୋଇ ନ ଜୀଅଁନ୍ତୁ ମରିବାକୁ ନେଲେ ନିଷ୍ପତ୍ତି। ଆତ୍ମହତ୍ୟା ପାଇଁ ମାର୍ଚ୍ଚ 19 ତାରିଖକୁ ବାଛିନେଲେ। ପୂର୍ବ ଯୋଜନା ମୁତାବକ ସେହିଦିନ, ନାବାଳିକା ଘରେ କିଛି ନ କହି ଚାଲି ଯାଇଥିଲା ପ୍ରେମିକ ଘରକୁ। ଉଭୟ ପ୍ରେମିକର ବାରିପଟକୁ ଚାଲିଯାଇଥିଲେ। ସେଠାରେ ପ୍ରେମିକା ହାତକୁ ଏକ ବିଷ ବୋତଲ ବଢାଇଦେଇଥିଲା ପ୍ରେମିକ। କହିଥିଲା, ତୁ ଆଗ ପିଇ, ମତେ ଦେ, ମୁଁ ପିଇବି।

    ପ୍ରେମିକ ଉପରେ ଅନ୍ଧ ଭଳି ବିଶ୍ୱାସ କରୁଥିବା ନାବାଳିକା ପ୍ରେମିକା କିଛି ନ ଭାବି, ନ ଚିନ୍ତି ପିଇଥିଲା ବିଷ। ନିଜେ ପିଇ ସାରି ପ୍ରେମିକକୁ ବୋତଲ ଦେବାକୁ ଅନେଇଲା ବେଳକୁ ପ୍ରେମିକ ସେଠାରୁ ମାରିଥିଲା ଛୁ। ବିଷ ଜ୍ୱାଳାରେ ଛଟପଟ ପ୍ରେମିକା ବିକଳ ହୋଇ ଚିତ୍କାର କରୁଥିଲା। ନାବାଳିକାର ଚିତ୍କାର ଶୁଣି ପ୍ରେମିକର ପରିବାର ଆସି ଦେଖି ନାବାଳିକାକୁ ତୁରନ୍ତ ଧର୍ମଗଡ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। କିନ୍ତୁ ତାର ସ୍ଥିତି ଗୁରୁତର ଥିବାରୁ ସେଠାରୁ ବୁର୍ଲା ମେଡିକାଲକୁ ରେଫର କରାଗଲା। ନାବାଳିକାର ପରିବାରକୁ ମଧ୍ୟ ଖବର ଦେଇଥିଲେ ବିଶ୍ୱାସଘାତ ପ୍ରେମିକର ପରିବାର। ସେଠାରେ ସେମାନେ ପହଞ୍ଚିଥିଲେ।

    ଦୀର୍ଘ ଏକ ମାସ ଧରି ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ପ୍ରେମିକା ଶେଷରେ ସୋମବାର ରାତିରେ ଆଖି ବୁଜି ଦେଲା। ନାବାଳିକାର ପରିବାର ଲୋକେ ନାବାଳିକାର ମୃତଦେହ ଘରକୁ ନ ନେଇ ପ୍ରେମିକର ଘର ଆଗରେ ରଖି ଧାରଣା ଦେଇଥିଲେ। ତୁରନ୍ତ ସମ୍ପୃକ୍ତ ଧୋକାବାଜକୁ ଗିରଫ କରିବାକୁ ଦାବି କରିଥିଲେ। ପୋଲିସ ସେଠାରେ ପହଞ୍ଚି ତୁରନ୍ତ ଯୁବକକୁ ଗିରଫ କରିବାକୁ ଦେଇଛି ପ୍ରତିଶ୍ରୁତି।

    ସୂଚନାଯୋଗ୍ୟ, ମାର୍ଚ୍ଚ 22 ତାରିଖରେ ଯୁବକ ବିରୋଧରେ ନାବାଳିକାର ପରିବାର ପକ୍ଷରୁ ଏକ ଏତଲା ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ, ଯାହାକୁ ନେଇ ପରିବାରରେ ଅସନ୍ତୋଷ ରହିଛି।  

  • କର୍ଫ୍ୟୁ ଆହୁରି କୋହଳ, ଇଣ୍ଟରନେଟ୍ ପୁଣି ୨୪ ଘଣ୍ଟା ବନ୍ଦ

    କର୍ଫ୍ୟୁ ଆହୁରି କୋହଳ, ଇଣ୍ଟରନେଟ୍ ପୁଣି ୨୪ ଘଣ୍ଟା ବନ୍ଦ

    ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣା ପରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରହିଛି । ଜିଲ୍ଲାରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଆସନ୍ତାକାଲି ସକାଳ ୧୦ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
    ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।

    ସେପଟେ, ସମ୍ବଲପୁରରେ କର୍ଫ୍ୟୁ ଆହୁରି କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧ଟା ଯାଏ କଟକଣା କୋହଳ ହୋଇଛି । ସେହିପରି ଅପରାହ୍ଣ ୩.୩୦ରୁ ସନ୍ଧ୍ୟା ୬ଟା ଯାଏ କଟକଣା କୋହଳ କରିଛି ପ୍ରଶାସନ । ଏହି ସମୟ ଭିତରେ ଲୋକେ ଜିନିଷପତ୍ର କିଣାବିକା କରିପାରିବେ । ହନୁମାନ ଜୟନ୍ତୀ ହିଂସା ପରେ ଲଗାତାର ଭାବେ କଟକଣା ଲାଗୁ କରାଯାଇଛି । ଘଟଣାରେ ସଂପୃକ୍ତି ଅଭିଯୋଗରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି ।

    ଅନ୍ୟପଟେ ଆଜି ସମ୍ବଲପୁର ଆସୁଥିବା ବିଜେପି ଟିମକୁ ରାସ୍ତାରେ ଅଟକାଇଛି ପୋଲିସ । ଝାରସୁଗୁଡ଼ା ଓ ସମ୍ବଲପୁର ସୀମାନ୍ତ ଶ୍ରୀପୁରା ଛକରେ ପୋଲିସ ଅଟକାଇଥିବା ସୂଚନା ମିଳିଛି । ବିଜେପି ଟିମରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ୍ ଓରାମ୍, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଅଛନ୍ତି ।

  • ବଦଳିଲା ପରିଚୟ, ଲୁଗା ସେଲ୍ସମ୍ୟାନରୁ ବନିଲେ ମୂର୍ତ୍ତି କାରିଗର

    ବଦଳିଲା ପରିଚୟ, ଲୁଗା ସେଲ୍ସମ୍ୟାନରୁ ବନିଲେ ମୂର୍ତ୍ତି କାରିଗର

    ସେ ଜଗତର ନାଥ, କାଳିଆ ସାଆନ୍ତି । ଭକ୍ତଙ୍କ ଦୁଃଖସୁଖର ସାଥୀ । ଭକ୍ତଙ୍କ ଭାବରେ ସବୁବେଳେ ବନ୍ଧା । ତାଙ୍କ କରୁଣା ପାଇଁ ଶ୍ରଦ୍ଧାଳୁ ବ୍ୟାକୁଳ । ଭକ୍ତଙ୍କୁ ସ୍ୱପ୍ନ ଦେଖାନ୍ତି ଆଉ ପୂରଣ ବି କରନ୍ତି । ଯାହାର କେବେ ବି ଅନ୍ତ ନାହିଁ ସେ ଜଗତର ନାଥ, ଜଗନ୍ନାଥ । ବାସ୍ତବତାର ଏକ ଚିତ୍ର ନିଶ୍ଚିତ ଭାବେ ଆପଣଙ୍କ ମନକୁ ଛୁଇଁବ ।

    ଏ ହେଉଛି କଟକ ନିଶ୍ଚିନ୍ତକୋଇଲି ବ୍ଲକ୍ ରାମକୃଷ୍ଣପୁର ଗାଁ । ଏହି ଗାଁରେ ଜଗନ୍ନାଥ ବିଶ୍ୱାସୀ ତଥା ଭକ୍ତ ଗୋପାଳଚନ୍ଦ୍ର ନାଥଙ୍କ ଘର । ଜଣେ ଲୁଗା ସେଲ୍ସମ୍ୟାନ ଭାବେ କାର୍ଯ୍ୟରତ ଥିଲେ ଗୋପାଳ । ଏହାରି ଭିତରେ ଦିନେ ଭକ୍ତଙ୍କୁ କାଳିଆ ଠାକୁରଙ୍କ ସ୍ୱପ୍ନ ହୋଇଛି । ସେ କୁଆଡ଼େ ତାଙ୍କର ମୂର୍ତ୍ତି ତିଆରି କରୁଛନ୍ତି । ସକାଳ ହେଲା ପରେ ମନରେ ଅନେକ ସ୍ୱପ୍ନ ଓ ଆଶା । ହେଲେ ଗୋପାଳଙ୍କୁ ସାହାସ ଓ ଶକ୍ତି ଯୋଗାନ୍ତି ଜଗତର ନାଥ ।

    ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଜଗନ୍ନାଥଙ୍କ ମୂର୍ତ୍ତି ତିଆରିରେ ଲାଗିପଡ଼ନ୍ତି ଗୋପାଳ । ଆଖି ଝଲସିଲା ଭଳି, ମହାବାହୁଙ୍କ ସୁନ୍ଦର ମୂର୍ତ୍ତି ତିଆରି କରନ୍ତି । ଆରମ୍ଭ ହୁଏ ଜଗନ୍ନାଥଙ୍କ ବିଭିନ୍ନ ବେଶ ସହ ଅତି ସୁନ୍ଦର ବିଗ୍ରହ । ଏସବୁ ସୋଲରେ ତିଆରି କରି ଅଞ୍ଚଳରେ ମୂର୍ତ୍ତି କାରିଗର ଭାବେ ପରିଚିତ ହୁଅନ୍ତି । ପ୍ରଭୁଙ୍କ କୃପାରୁ ରାତାରାତି ସେଲସମ୍ୟାନରୁ ସେ ପାଲଟିଗଲେ ମୂର୍ତ୍ତି କାରିଗର ।

    ଗୋପାଳଙ୍କ ହାତରେ କୁଆଡ଼େ ଯାଦୁ ରହିଛି । ତାଙ୍କ ହାତ ତିଆରି ମୂର୍ତ୍ତି ଏବେ କେବଳ ନିଜ ଅଞ୍ଚଳ ନୁହଁ, ଆମେରିକା, ଦୁବାଇ ସମେତ ବିଭିନ୍ନ ଦେଶରେ ବିକ୍ରି ହେଉଛି । ଅନଲାଇନରେ ଅର୍ଡର କରୁଛନ୍ତି ଜଗନ୍ନାଥପ୍ରେମୀ । ହ୍ୱାଟ୍ସଆପ୍ କଲ୍ କରି ଏହି ମୂର୍ତ୍ତି କିଣୁଛନ୍ତି ଯୁବକ ଓ ଯୁବତୀ । ମୂର୍ତ୍ତି ପାଇଁ ସେ କୌଣସି ଅର୍ଥ ଦାବି କରନ୍ତି ନାହିଁ । ଭଗବାନଙ୍କ ଦୟାରୁ ଯାହା ମିଳେ ଗ୍ରହଣ କରନ୍ତି । ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ବେଶ୍ ପ୍ରେରଣା ଯୋଗାଉଛି । କେହି କେହି ଖୁସିରେ ତାଙ୍କୁ ଅର୍ଥ ବି ଦେଇଥାନ୍ତି । ଏସବୁ କେବଳ ଜଗନ୍ନାଥଙ୍କ ଲୀଳା ବୋଲି କହିଛନ୍ତି ଏ ଯୁଗର ବିଶ୍ୱକର୍ମା ଗୋପାଳ ।

  • ଗଦା ବୁଲାଇ ସାହି ପରିକ୍ରମା କଲେ ବାହୁବଳୀ ହନୁମାନ

    ଗଦା ବୁଲାଇ ସାହି ପରିକ୍ରମା କଲେ ବାହୁବଳୀ ହନୁମାନ

    ହନୁମାନଙ୍କ ମୁଖା ମେଲଣରେ ବୁଲିଲେ ବାହୁବଳୀ ହନୁମାନ । ସାହି ପରିକ୍ରମା କରିବା ସହ ନିଜ କଳା ପ୍ରଦର୍ଶନ କରିଛନ୍ତି ବାହୁବଳୀ । ତାଙ୍କୁ ଯିଏ ଦେଖିଲା ଭାବବିହ୍ଵଳ ହୋଇ ମୁଣ୍ଡିଆ ମାରିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ରାଣୀହାଟସ୍ଥିତ ଶଗଡ଼ିଆ ସାହିରେ । ପ୍ରପେସରପଡ଼ା ଯୁବକ ସଂଘ ପକ୍ଷରୁ ହନୁମାନ ମୁଖା ମେଳଣର ଆୟୋଜନ କରାଯାଇଥିଲା ।

    ଦୀର୍ଘ ବର୍ଷ ଧରି ଏହି ମୁଖା ମେଳଣର ଆୟୋଜନ ହୋଇ ଆସୁଥିବା ବେଳେ ଚଳିତ ଥର 14ଟି ମୁଖା ସାମିଲ ହୋଇଥିଲେ । ରାଣୀହାଟ ପୂଜା ମଣ୍ଡପ ନିକଟରୁ ହନୁମାନ ମୁଖା ପୂଜା ପାଇବା ପରେ ବିରାଟ ଶୋଭାଯାତ୍ରାରେ ବାହାରି ପ୍ରପେସରପଡ଼ା ପରିକ୍ରମା କରିଥିଲା। ଏଥିରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ବାହୁବଳୀ ହନୁମାନ। ହରିୟାଣାରୁ ଆସିଥିବା ଏହି ୮ ଫୁଟର ବାହୁବଳୀ ହନୁମାନ ଶଗଡ଼ିଆ ସାହି ସମେତ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିଥିଲେ । ତାଙ୍କୁ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ବାହୁବଳୀ ହନୁମାନ ଗଦା ବୁଲେଇବା ସହ ନିଜ କଳା ପ୍ରଦର୍ଶନ କରିଥିଲେ ।