ଏକାଠି ଜୀଇଁବା ମରିବାର ପ୍ରତିଶ୍ରୁତି ଦେଇ ଜୀବନ ନେଲା ବିଶ୍ୱାସଘାତ ପ୍ରେମିକ

ବିଶ୍ୱାସଘାତ ପ୍ରେମିକ। ଏକାଠି ଜୀଇଁବା, ମରିବାର ପଣ କରି ପ୍ରେମିକାକୁ ବିଷ ପିଆଇବା ପରେ ମାରିଥିଲା ଛୁ। ପ୍ରଥମେ ସମାଜ ସାଜିଥିଲା ଉଭୟଙ୍କ ମିଳନ ପଥେ ବଇରୀ, ପରେ ଯାହାକୁ ନେଇ ସମାଜ ସହ ଲଢିବାକୁ ଅଣ୍ଟା ଭିଡିଥିଲା ନାବାଳିକା ପ୍ରେମିକା। କିନ୍ତୁ ପ୍ରେମିକର  ପ୍ରତାରଣା ଭାଙ୍ଗିଦେଲା ଯେମିତି ସବୁ ଦମ୍ଭ। ଦୀର୍ଘ ଏକ ମାସ ଧରି ଜୀବନ ମରଣ ସହ ଯୁଦ୍ଧ କରି ଶେଷରେ ସବୁ ଦିନ ପାଇଁ ଆଖି ବୁଜିଛି ନାବାଳିକା ପ୍ରେମିକା। ଏମିତି ପ୍ରେମରେ ଧୋକାବାଜିର ଖବର ଆସିଛି କଳାହାଣ୍ଡି ଜିଲ୍ଲାରୁ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ନୂନପାଣି ଗାଁର ଜଣେ ନାବାଳିକାର ସେହି ଗ୍ରାମର ଜଣେ ଯୁବକଙ୍କ ସହ ଗଢିଉଠିଥିଲା ପ୍ରେମ ସମ୍ପର୍କ। ଏକାଠି ଜୀଇଁବା ମରିବାର ନେଇଥିଲେ ଶପଥ। କିନ୍ତୁ ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ମିଳନରେ ବାଧା ସାଜିଥିଲା ସମାଜ। ତେଣୁ ସାଙ୍ଗ ହୋଇ ନ ଜୀଅଁନ୍ତୁ ମରିବାକୁ ନେଲେ ନିଷ୍ପତ୍ତି। ଆତ୍ମହତ୍ୟା ପାଇଁ ମାର୍ଚ୍ଚ 19 ତାରିଖକୁ ବାଛିନେଲେ। ପୂର୍ବ ଯୋଜନା ମୁତାବକ ସେହିଦିନ, ନାବାଳିକା ଘରେ କିଛି ନ କହି ଚାଲି ଯାଇଥିଲା ପ୍ରେମିକ ଘରକୁ। ଉଭୟ ପ୍ରେମିକର ବାରିପଟକୁ ଚାଲିଯାଇଥିଲେ। ସେଠାରେ ପ୍ରେମିକା ହାତକୁ ଏକ ବିଷ ବୋତଲ ବଢାଇଦେଇଥିଲା ପ୍ରେମିକ। କହିଥିଲା, ତୁ ଆଗ ପିଇ, ମତେ ଦେ, ମୁଁ ପିଇବି।

ପ୍ରେମିକ ଉପରେ ଅନ୍ଧ ଭଳି ବିଶ୍ୱାସ କରୁଥିବା ନାବାଳିକା ପ୍ରେମିକା କିଛି ନ ଭାବି, ନ ଚିନ୍ତି ପିଇଥିଲା ବିଷ। ନିଜେ ପିଇ ସାରି ପ୍ରେମିକକୁ ବୋତଲ ଦେବାକୁ ଅନେଇଲା ବେଳକୁ ପ୍ରେମିକ ସେଠାରୁ ମାରିଥିଲା ଛୁ। ବିଷ ଜ୍ୱାଳାରେ ଛଟପଟ ପ୍ରେମିକା ବିକଳ ହୋଇ ଚିତ୍କାର କରୁଥିଲା। ନାବାଳିକାର ଚିତ୍କାର ଶୁଣି ପ୍ରେମିକର ପରିବାର ଆସି ଦେଖି ନାବାଳିକାକୁ ତୁରନ୍ତ ଧର୍ମଗଡ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। କିନ୍ତୁ ତାର ସ୍ଥିତି ଗୁରୁତର ଥିବାରୁ ସେଠାରୁ ବୁର୍ଲା ମେଡିକାଲକୁ ରେଫର କରାଗଲା। ନାବାଳିକାର ପରିବାରକୁ ମଧ୍ୟ ଖବର ଦେଇଥିଲେ ବିଶ୍ୱାସଘାତ ପ୍ରେମିକର ପରିବାର। ସେଠାରେ ସେମାନେ ପହଞ୍ଚିଥିଲେ।

ଦୀର୍ଘ ଏକ ମାସ ଧରି ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ପ୍ରେମିକା ଶେଷରେ ସୋମବାର ରାତିରେ ଆଖି ବୁଜି ଦେଲା। ନାବାଳିକାର ପରିବାର ଲୋକେ ନାବାଳିକାର ମୃତଦେହ ଘରକୁ ନ ନେଇ ପ୍ରେମିକର ଘର ଆଗରେ ରଖି ଧାରଣା ଦେଇଥିଲେ। ତୁରନ୍ତ ସମ୍ପୃକ୍ତ ଧୋକାବାଜକୁ ଗିରଫ କରିବାକୁ ଦାବି କରିଥିଲେ। ପୋଲିସ ସେଠାରେ ପହଞ୍ଚି ତୁରନ୍ତ ଯୁବକକୁ ଗିରଫ କରିବାକୁ ଦେଇଛି ପ୍ରତିଶ୍ରୁତି।

ସୂଚନାଯୋଗ୍ୟ, ମାର୍ଚ୍ଚ 22 ତାରିଖରେ ଯୁବକ ବିରୋଧରେ ନାବାଳିକାର ପରିବାର ପକ୍ଷରୁ ଏକ ଏତଲା ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ, ଯାହାକୁ ନେଇ ପରିବାରରେ ଅସନ୍ତୋଷ ରହିଛି।  

Leave a Reply

Your email address will not be published. Required fields are marked *