ବଦଳିଲା ପରିଚୟ, ଲୁଗା ସେଲ୍ସମ୍ୟାନରୁ ବନିଲେ ମୂର୍ତ୍ତି କାରିଗର

ସେ ଜଗତର ନାଥ, କାଳିଆ ସାଆନ୍ତି । ଭକ୍ତଙ୍କ ଦୁଃଖସୁଖର ସାଥୀ । ଭକ୍ତଙ୍କ ଭାବରେ ସବୁବେଳେ ବନ୍ଧା । ତାଙ୍କ କରୁଣା ପାଇଁ ଶ୍ରଦ୍ଧାଳୁ ବ୍ୟାକୁଳ । ଭକ୍ତଙ୍କୁ ସ୍ୱପ୍ନ ଦେଖାନ୍ତି ଆଉ ପୂରଣ ବି କରନ୍ତି । ଯାହାର କେବେ ବି ଅନ୍ତ ନାହିଁ ସେ ଜଗତର ନାଥ, ଜଗନ୍ନାଥ । ବାସ୍ତବତାର ଏକ ଚିତ୍ର ନିଶ୍ଚିତ ଭାବେ ଆପଣଙ୍କ ମନକୁ ଛୁଇଁବ ।

ଏ ହେଉଛି କଟକ ନିଶ୍ଚିନ୍ତକୋଇଲି ବ୍ଲକ୍ ରାମକୃଷ୍ଣପୁର ଗାଁ । ଏହି ଗାଁରେ ଜଗନ୍ନାଥ ବିଶ୍ୱାସୀ ତଥା ଭକ୍ତ ଗୋପାଳଚନ୍ଦ୍ର ନାଥଙ୍କ ଘର । ଜଣେ ଲୁଗା ସେଲ୍ସମ୍ୟାନ ଭାବେ କାର୍ଯ୍ୟରତ ଥିଲେ ଗୋପାଳ । ଏହାରି ଭିତରେ ଦିନେ ଭକ୍ତଙ୍କୁ କାଳିଆ ଠାକୁରଙ୍କ ସ୍ୱପ୍ନ ହୋଇଛି । ସେ କୁଆଡ଼େ ତାଙ୍କର ମୂର୍ତ୍ତି ତିଆରି କରୁଛନ୍ତି । ସକାଳ ହେଲା ପରେ ମନରେ ଅନେକ ସ୍ୱପ୍ନ ଓ ଆଶା । ହେଲେ ଗୋପାଳଙ୍କୁ ସାହାସ ଓ ଶକ୍ତି ଯୋଗାନ୍ତି ଜଗତର ନାଥ ।

ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଜଗନ୍ନାଥଙ୍କ ମୂର୍ତ୍ତି ତିଆରିରେ ଲାଗିପଡ଼ନ୍ତି ଗୋପାଳ । ଆଖି ଝଲସିଲା ଭଳି, ମହାବାହୁଙ୍କ ସୁନ୍ଦର ମୂର୍ତ୍ତି ତିଆରି କରନ୍ତି । ଆରମ୍ଭ ହୁଏ ଜଗନ୍ନାଥଙ୍କ ବିଭିନ୍ନ ବେଶ ସହ ଅତି ସୁନ୍ଦର ବିଗ୍ରହ । ଏସବୁ ସୋଲରେ ତିଆରି କରି ଅଞ୍ଚଳରେ ମୂର୍ତ୍ତି କାରିଗର ଭାବେ ପରିଚିତ ହୁଅନ୍ତି । ପ୍ରଭୁଙ୍କ କୃପାରୁ ରାତାରାତି ସେଲସମ୍ୟାନରୁ ସେ ପାଲଟିଗଲେ ମୂର୍ତ୍ତି କାରିଗର ।

ଗୋପାଳଙ୍କ ହାତରେ କୁଆଡ଼େ ଯାଦୁ ରହିଛି । ତାଙ୍କ ହାତ ତିଆରି ମୂର୍ତ୍ତି ଏବେ କେବଳ ନିଜ ଅଞ୍ଚଳ ନୁହଁ, ଆମେରିକା, ଦୁବାଇ ସମେତ ବିଭିନ୍ନ ଦେଶରେ ବିକ୍ରି ହେଉଛି । ଅନଲାଇନରେ ଅର୍ଡର କରୁଛନ୍ତି ଜଗନ୍ନାଥପ୍ରେମୀ । ହ୍ୱାଟ୍ସଆପ୍ କଲ୍ କରି ଏହି ମୂର୍ତ୍ତି କିଣୁଛନ୍ତି ଯୁବକ ଓ ଯୁବତୀ । ମୂର୍ତ୍ତି ପାଇଁ ସେ କୌଣସି ଅର୍ଥ ଦାବି କରନ୍ତି ନାହିଁ । ଭଗବାନଙ୍କ ଦୟାରୁ ଯାହା ମିଳେ ଗ୍ରହଣ କରନ୍ତି । ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ବେଶ୍ ପ୍ରେରଣା ଯୋଗାଉଛି । କେହି କେହି ଖୁସିରେ ତାଙ୍କୁ ଅର୍ଥ ବି ଦେଇଥାନ୍ତି । ଏସବୁ କେବଳ ଜଗନ୍ନାଥଙ୍କ ଲୀଳା ବୋଲି କହିଛନ୍ତି ଏ ଯୁଗର ବିଶ୍ୱକର୍ମା ଗୋପାଳ ।

Leave a Reply

Your email address will not be published. Required fields are marked *