ପ୍ରାର୍ଥନା ବେଳେ ଅସୁସ୍ଥ ହୋଇପଡିଲେ 6ଷ୍ଠ ଶ୍ରେଣୀ ଛାତ୍ର

ଚଳିତ ବର୍ଷ କଲବଲ କଲାଣି ଖରା। ପୂର୍ବହ୍ନ 10ଟାରୁ ସୂର୍ଯ୍ୟ ତେଜ ଏମିତି ହେଉଛି କି ଘରୁ ବାହାରିବା ମୁସକିଲ। ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ସ୍କୁଲ ସବୁକୁ ସକାଳ 6ଟା30ରୁ 11ଟା କରିଛନ୍ତି। ହେଲେ କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇ ପଶି ପଞ୍ଚାୟତ କେନ୍ଦେଇ ପଶି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ 6ଷ୍ଠ ଶ୍ରେଣୀ ଛାତ୍ର ସକାଳେ ହୋଇଥିବା ପ୍ରାର୍ଥନା ବେଳେ ଅସୁସ୍ଥ ହୋଇଯାଇଥିବା ସୂଚନା ରହିଛି। ଅସୁସ୍ଥ ଛାତ୍ର ହେଉଛନ୍ତି ଆକାଶ ନାଏକ।

ଆକାଶ ପ୍ରାର୍ଥନା ବେଳେ ଅସୁସ୍ଥ ହୋଇପଡିବାରୁ ଶିକ୍ଷୟିତ୍ରୀମାନେ ଗ୍ଲୁକୋଜ ପାଣି ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଥିଲେ। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏପରି ଖରା ହେଉଥିବା ବେଳେ ସ୍କୁଲ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତିକୁ ଅନେକ ନାପସନ୍ଦ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ପାଣିପାଗ ବିଭାଗର ତଥ୍ୟ ମୁତାବକ, ଦିନ 11ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା 40.0 ଡିଗ୍ରୀ ହୋଇଥିବା ବେଳେ, ଝାରସୁଗୁଡାରେ 40.2, କେନ୍ଦୁଝରରେ 39.2, ସମ୍ବଲପୁରରେ 38.6, ହୀରାକୁଦରେ 37.4, ଚାନ୍ଦବାଲିରେ 37, ବାଲେଶ୍ୱରରେ 36.4, ଗୋପାଳପୁରରେ 34.6, ପୁରୀରେ 34.2, ପାରାଦୀପରେ 28 ଡିଗ୍ରୀ ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *