ଖୋଲିଲା ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଫାଇଲ ପୁଣି ଖୋଲିଛି। ପାରଳାଖେମୁଣ୍ଡି  ଏସ୍‌ଡିଜେଏମ୍‌ କୋର୍ଟ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ନୋଟିସ୍‌ ଜାରି କରିଛନ୍ତି। ମାମଲାରେ ଦଫା 302 (ହତ୍ୟା) ଓ 120/B (ଅପରାଧୀକ ଷଡ଼ଯନ୍ତ୍ର ରଚିବା) ଉପରେ ନୂଆ ରୂପରେ ବିଚାର କରିବାକୁ  ଏସ୍‌ଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରିବା ପରେ ଏମିତି ଆଭିମୁଖ୍ୟ ଗ୍ରହଣ କରିଛନ୍ତି କୋର୍ଟ।

ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଏକ ପିପି ଫାଇଲ୍‌ କରି ହତ୍ୟା ସମ୍ବନ୍ଧିତ ପର୍ଯ୍ୟାପ୍ତ ପ୍ରମାଣ ଦେଇଥିଲେ। ପ୍ରମାଣ ଆଧାରରେ ଏସ୍‌ଡିଜେଏମ୍‌ ୩୦୨, ୧୨୦(B) ରେ ବୋହୂ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କୁ ନୋଟିସ୍‌ କରିଥିବା ଓକିଲ କହିଛନ୍ତି।

ଅଭିରାମ ମହାପାତ୍ରଙ୍କ ଆବେଦନ ମୁତାବକ, ତାଙ୍କ ପୁଅ ସୌମ୍ୟଙ୍କୁ  ହତ୍ୟା କରାଯାଇଥିଲା ଓ ଏହା ବୋହୂ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି ହୋଇଥିଲା। ତେଣୁ ସେମାନଙ୍କ ବିରୋଧରେ 302 ଦଫା ଲାଗିଥିଲା। କିନ୍ତୁ କ୍ରାଇମବ୍ରାଞ୍ଚ ଏହାକୁ ଦୁର୍ଘଟଣାର ରୂପ ଦେଇ ଚାର୍ଜସିଟ୍‌ରେ ୩୦୪(A), ୨୮୫ ଆଇପିସିରେ ମାମଲା ରୁଜୁ କରିଥିଲା। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଅସନ୍ତୋଷ ପ୍ରକାଶ କରି ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ କେସ୍‌ ଫାଇଲ୍‌ କରିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ଯାହାକୁ ହାଇକୋର୍ଟ ଗ୍ରହଣ କରି ନୋଟିସ୍‌ ଜାରି କରିଥିଲେ ଓ ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି ବୋଲି ଅଭିରାମଙ୍କ ଓକିଲ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୨ ତାରିଖ ସନ୍ଧ୍ୟାରେ ସୌମ୍ୟଙ୍କ ସରକାରୀ ବାସଭବନରେ ଜୀବନ୍ତ ଦଗ୍ଧ ହୋଇ କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଥିଲା।   

Leave a Reply

Your email address will not be published. Required fields are marked *