Month: May 2023

  • ଏଠି ପାଣି ନୁହେଁ ବରଂ ମାଟିରେ ଚାଲିଛି ବାସନ ଧୁଆ

    ଏଠି ପାଣି ନୁହେଁ ବରଂ ମାଟିରେ ଚାଲିଛି ବାସନ ଧୁଆ

    ଆମେ ପ୍ରତ୍ୟେକ ଦିନ ବାସନ ଧୋଇବା ପାଇଁ ପାଣି ଏବଂ ସାବୁନର ବ୍ୟବହାର କରିଥାଉ । କିନ୍ତୁ ଆପଣ କେବେ ମାଟି କିମ୍ବା କାଦୁଅରେ ବାସନ ସଫା କରୁଥିବା ଦେଖିଛନ୍ତି କି? ଏହା ଅଜବ ଲାଗୁଥାଇପାରେ, କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିବା ଯେଉଁଥିରେ ଏକ ଗୋଷ୍ଠୀର ଲୋକମାନେ କାଦୁଅରୁ ପ୍ଲେଟ୍ ସଫା କରୁଥିବା ଦେଖିବାକୁ ମିଳିଛି । ଟ୍ୱିଟର ଯିଏ ଭିଡିଓଟି ପୋଷ୍ଟ କରିଥିଲେ ସେ ଲେଖିଛନ୍ତି, “ପ୍ରଥମ ଥର ମୁଁ ଏମିତି ମାଟିରେ ପାତ୍ର ଧୋଇଥିବାର ଦେଖୁଛି । କିନ୍ତୁ ଏହା ବଢିଆ କାମ କରୁଛି ଆଉ ଥାଳିରୁ ତେଲ ବାହାର କରିବା ସହଜ ହେଉଛି ।”

    ଟ୍ବିଟରରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖାଯାଉଛି ଯେ, କୌଣସି ଏକ ଫଙ୍କସନ ସରିଲା ପରେ ବାହାରେ କିଛି ଲୋକଙ୍କ ଭିଡ ଜମିଛି, ଯେଉଁମାନେ ନିଜ ହାତରେ ପାଖରେ ଗଦା ହୋଇଥିବା ମାଟି ସାହାଯ୍ୟରେ ପ୍ଲେଟ ଗୁଡିକ ସଫା କରୁଛନ୍ତି । ଆଉ ପରେ ପାଖରେ ଥିବା ଜଳ ଦ୍ବାରା ସେହି ପ୍ଲେଟ ଗୁଡିକୁ ଧୁଆ ଯାଉଛି । କୁହାଯାଉଛି ଯେ, ସେହି ମାଟି ଦ୍ବାରା କୁଆଡେ ପ୍ଲେଟ ଗୁଡିକରେ ଲାଗିଥିବା ତେଲକୁ ସଫା କରାଯାଉଥିଲା । କାରଣ ସେହି ମାଟିରେ ବାସନରେ ଲାଗିଥିବା ତେଲ ଭଲ ସଫା ହୋଇଥାଏ ।

  • ବହୁ ଚର୍ଚ୍ଚିତ ମାଲଗୋଦାମ ବ୍ୟବସାୟୀ ହତ୍ୟା ମାମଲାରେ ଧଳ ବ୍ରଦର୍ସ ଖଲାସ

    ବହୁ ଚର୍ଚ୍ଚିତ ମାଲଗୋଦାମ ବ୍ୟବସାୟୀ ହତ୍ୟା ମାମଲାରେ ଧଳ ବ୍ରଦର୍ସ ଖଲାସ

    ବହୁ ଚର୍ଚ୍ଚିତ କଟକ ମାଲଗୋଦାମ ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରେ ଧଳସାମନ୍ତ ବ୍ରଦର୍ସଙ୍କୁ ମିଳିଛି କ୍ଲିନ ଚିଟ। ପ୍ରମାଣ ଅଭାବରୁ ଅଭିଯୁକ୍ତ ସୁଶୀଳ ଓ ସୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି କଟକ ଦୌରାଜଜ୍। ଆଗରୁ ଏହି ମାମଲାରେ ଆଉ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ।

    କଟକ ମାଲଗୋଦାମର ଜଣାଶୁଣା ଡ଼ାଲି ବ୍ୟବସାୟୀ ମହମ୍ମଦ ଫାରୁକଙ୍କୁ ୨୦୧୪ ମସିହା ନଭେମ୍ବର ୧୨ ତାରିଖରେ ହତ୍ୟା କରାଯାଇଥିଲା। ସେ ଗୋଦାମରେ ବସିଥିବା ବେଳେ ଦୁଇଟି ବାଇକରେ କିଛି ଦୁର୍ବୃତ୍ତ ଗୋଦାମରେ ପହଞ୍ଚି ଥିଲେ ଓ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫାରୁକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

    ହତ୍ୟାକାଣ୍ଡ ପରେ ପୋଲିସରେ ଅଭିଯୋଗ ହୋଇଥିଲା କି, ଧଳବ୍ରଦର୍ସ ତାଙ୍କୁ ୩୦ ଲକ୍ଷ ଟଙ୍କା ମାଗିଥିଲେ ଫାରୁକଙ୍କୁ। କିନ୍ତୁ ଫାରୁକ ବଟି ଦେବାକୁ ମନା କରିଦେଇଥିଲେ। ଯାହାକୁ ନେଇ ଧଳଭାଇଙ୍କ ଇଙ୍ଗିତରେ ହତ୍ୟା ହୋଇଥିଲା  ବୋଲି ଅଭିଯୋଗରେ ଉଲ୍ଳେଖ କରାଯାଇଥିଲା। ତେଣୁ ଅଭିଯୋଗ ଆଧାରରେ ୭ ଜଣଙ୍କୁ ଗିରଫ କରିଥିଲା କଟକ କମିଶନରେଟ ପୁଲିସ। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛି।

    କିନ୍ତୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ଜିଲ୍ଲା ଦୌରାଜଜ୍ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ଆଜି ଦୁଇ ଭାଇ ସୁଶୀଳ ଓ ସୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି। ମାମଲାରେ ମୋଟ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳି ନ ଥିଲା।

    ଏନେଇ ଧଳସାମନ୍ତଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି, ବିଭିନ୍ନ ପର୍ଯ୍ୟୟରେ ଏହି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟ ଏହା ଉପରେ ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଫାରୁଙ୍କ ସ୍ତ୍ରୀ ଓ ଭାଇଙ୍କ ସମେତ ଗୋଦାମରେ ଯେଉଁ କର୍ମଚାରୀମାନେ କାମ କରୁଥିଲେ ସେମାନେ କୋର୍ଟରେ ମୁହଁ ଖୋଲୁନାହାନ୍ତି। ତେଣୁ ଏହା ନୋ ଏଭିଡିଏନ୍ସ କେସ୍ ହୋଇଯାଇଛି ଏବଂ କୋର୍ଟ ଅଭିଯୁକ୍ତମାନଙ୍କୁ ନର୍ଦ୍ଦୋଷରେ ଖଲାସ କରିଛନ୍ତି।

    ତଦନ୍ତକାରୀ ସଂସ୍ଥା ତଥ୍ୟପ୍ରମାଣ ନଥାଇ ଅଯଥା କୋର୍ଟଙ୍କ ସମୟ ନଷ୍ଟ କରିବା ଅନୁଚିତ୍। ଏହାଦ୍ୱାରା ଲୋକେ ତଦନ୍ତକାରୀ ସଂସ୍ଥା ଉପରେ ବିଶ୍ୱାସ ହରାଉଛନ୍ତି। କିଛି ଲୋକେ ଅଯଥା ହତାସ ହେଉଛନ୍ତି। ଗୋଟିଏ ଲୋକକୁ ମାରିଦିଆ ଗଲା, ହେଲେ ତାକୁ କିଏ ମାରିଲା ପୁଲିସ ତଦନ୍ତରେ ଜାଣି ନପାରି ଅଧାଖଣ୍ଡିଆ ଚାର୍ଜସିଟ୍ କୋର୍ଟ ଦେବା ଅନୁଚିତ୍। ଗଣତାନ୍ତ୍ରିକ ଦେଶରେ ଏହା ଦ୍ୱାରା ଲୋକେ ନ୍ୟାୟ ପାଉନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

  • ଇମରାନଙ୍କ ବିରୋଧରେ ବିରୋଧୀ ମେଣ୍ଟର ବିକ୍ଷୋଭ

    ଇମରାନଙ୍କ ବିରୋଧରେ ବିରୋଧୀ ମେଣ୍ଟର ବିକ୍ଷୋଭ

    ପାକିସ୍ତାନରେ ସ୍ଥିତି ସୁଧୁରିବାର ନାମ ନେଉ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ପାକ ସୁପ୍ରିମ କୋର୍ଟରୁ ଜାମିନ ମିଳିବା ପରେ ସ୍ଥିତି ଆହୁରି ଉତ୍କଟ ହୋଇଛି। ଇମାରାନ ବିରୋଧୀ ରାଜନୈତିକ ଦଳ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଛନ୍ତି। ଇମରାନଙ୍କ ମୁକ୍ତ ହେବାକୁ ଘୋର ବିରୋଧ କରିଛି ପିଡିଏମ। ଏମିତି କି ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ ବା ପିଡିଏମ ପକ୍ଷରୁ ସୁପ୍ରିମ କୋର୍ଟ ସମ୍ମୁଖରେ ପ୍ରଦର୍ଶନ ଦିଆଯିବା ସହ ସେଠାରେ କ୍ୟାମ୍ପ ଲଗାଯାଇଛି। ପିଡିଏମରେ ସତ୍ତାରେ ଥିବା ପାକିସ୍ତାନ ମୁସଲିମ ଲିଗ ନବାଜ, ଜମିୟତ ଉଲେମା ଏ ଉସ୍ଲାମ ଫଜଲ ଓ ପାକିସ୍ତାନ ପିପୁଲ୍ସ ପାର୍ଟି ସହ ବହୁ ଦଳ ମିଶିଛନ୍ତି।

    ପିଡିଏମ ସୁପ୍ରିମ କୋର୍ଟଙ୍କ ନିଷ୍ପତିକୁ ବିରୋଧ କରି କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସେପଟେ ଉମରାନଙ୍କ ଦଳ ପାକିସ୍ତାନ ତେହରିକ ଏ ଇନସାଫ ପକ୍ଷରୁ ଟ୍ୱିଟ କରି କୁହାଯାଇଛି କି, ପ୍ରାୟ ୭୦୦୦ ପିଟିଆଇ କର୍ମକର୍ତ୍ତା, ନେତା ଓ ମହିଳାଙ୍କୁ ଜେଲରେ ଭର୍ତ୍ତି କରାଯାଇଛି। ସମ୍ବିଧାନକୁ ଶେଷ କରିବାକୁ ତଥା ସୁପ୍ରିମ କୋର୍ଟକୁ କବଜା କରିବାକୁ ଏକ ସମୂହକୁ ସୁରକ୍ଷା ଏଜେନ୍ସି ସାହାଯ୍ୟ କରୁଛି। ସମସ୍ତେ ଶାନ୍ତିପୂର୍ଣ୍ଣ ବିରୋଧ ପାଇଁ ପ୍ରସ୍ତୁତ, କାରଣ ଥରେ ସମ୍ବିଧାନ ଓ ସୁପ୍ରିମ କୋର୍ଟର ଅନ୍ତ ଘଟିଲେ ପାକିସ୍ତାନର ସବୁ ସ୍ୱପ୍ନ ଧୂଳିସାତ୍ ହୋଇଯିବ। ଏନେଇ ଇମରାନ ମଧ୍ୟ ତାଙ୍କ ଟ୍ୱିଟର ପେଜରେ ପିଡିଏମର ବିକ୍ଷୋଭର ଏକ ଭିଡିଓ ସେୟାର କରିଛନ୍ତି।

    https://twitter.com/ImranKhanPTI/status/1658029505972150273

    ଦୁଇ ଦିନ ପୂର୍ବରୁ ଇମରାନ ଖାନ ଜେଲରୁ ମୁକୁଳିବା ପରେ ଦେଶକୁ ସମ୍ବୋଧିତ କରି କହିଛନ୍ତି କି, ସେ ଆର୍ମିକୁ ରାଜନୀତିକୁ ଆସିବାକୁ ନିଜର ଏକ ରାଜନୈତିକ ପାର୍ଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଏବେ ସୈନ୍ୟ ପ୍ରତିଷ୍ଠାନ ମୋ ଦଳର ନାମ ମେଟାଇ ଦେବାରେ ଲାଗିଛି। ଏଥିସହ, ସେନାର ନେତୃତ୍ୱ ଉପରେ ଆଙ୍ଗୁଳି ଉଠାଇ କହିଥିଲେ କି, ସେନା ଦ୍ୱାରା ନିଆଯାଇଥିବା ପଦକ୍ଷେପ ପାଇଁ ପୂର୍ବରୁ ଦେଶ ଜରୁରୀ ପରିସ୍ଥିତି ଦେଇ ଗତି କରିଛି।

    ଏହା ପୂର୍ବରୁ ଇମରାନ ଖାନଙ୍କୁ ସେନାର ରେଞ୍ଜର୍ସ ଇସଲାମବାଦ ହୋଇକୋର୍ଟରୁ ଇମରାନଙ୍କୁ ଗିରଫ କରିଥିଲା। ସେତେବେଳେ ଇମରାନ ଏକ ଭ୍ରଷ୍ଟାଚାର ମାମଲାରେ ଶୁଣାଣି ପାଇଁ କୋର୍ଟଙ୍କୁ ଯାଉଥିଲେ। କୋର୍ଟରେ ପହଞ୍ଚି ସେ ବାୟୋମେଟ୍ରିକ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିଲା। ପରେ ଇମରାନଙ୍କ ଗିରଫଦାରୀକୁ ନେଇ ଦେଶରେ ବ୍ୟାପକ ହିଂସା ଦେଖା ଦେବା ପରେ ଇସଲାମ ବାଦ ହାଇକୋର୍ଟ ଇମରାନଙ୍କୁ ଜାମିନ ପ୍ରଦାନ କରିଥିଲେ।

  • ଆର୍ୟାନ ଖାନଙ୍କୁ କେସରେ ନଫସାଇବା ପାଇଁ ୱାଙ୍ଖେଡେ କରିଥିଲେ ୧୮ କୋଟି ଟଙ୍କାର ଡିଲ୍!

    ଆର୍ୟାନ ଖାନଙ୍କୁ କେସରେ ନଫସାଇବା ପାଇଁ ୱାଙ୍ଖେଡେ କରିଥିଲେ ୧୮ କୋଟି ଟଙ୍କାର ଡିଲ୍!

    ଆର୍ୟାନ୍ ଖାନ ମାମଲାରେ ପୂର୍ବତନ ଏନସିବି ଡାଇରେକ୍ଟର ସମୀର ୱାଙ୍ଖେଡେ ଅସୁବିଧାରେ ଘେରି ହୋଇଥିବାର ଦେଖାଯାଉଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ଏଫଆଇଆର ପଞ୍ଜିକରଣ କରିଛି । ଏଥିରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ୍ ଖାନଙ୍କୁ ସମ୍ପୃକ୍ତ ନକରିବା ବଦଳରେ ସମୀର ୱାଙ୍ଖେଡେ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି ।

    ଏଫଆଇଆର ଅନୁଯାୟୀ, ସମୀର ୱାଙ୍ଖେଡେଙ୍କ ଇଷାରାରେ ଗୋସାଭି ଆର୍ୟାନ୍ ଖାନ ମାମଲାରେ ୨୫ କୋଟି ଟଙ୍କା ଦାବି କରିଥିଲେ । ଏହି ଅର୍ଥରାଶି ବଦଳରେ ଆର୍ୟାନ୍ ଖାନଙ୍କୁ ଡ୍ରଗ୍ ମାମଲାରେ ଫସାଯିବ ନାହିଁ ବୋଲି ନିଶ୍ଚିତ କରାଯାଇଥିଲା ।

    ଏଫ୍ଆଇଆରରେ ଦର୍ଶାଯାଇଛି, ସମୀର ୱାଙ୍ଖେଡେ ଏହି କାରବାର ପାଇଁ ଟଙ୍କା ପ୍ରସଙ୍ଗରେ ଗୋସାଭିଙ୍କୁ ସମ୍ପୂର୍ଣ୍ଣ ଛାଡ ଦେଇଥିଲେ । ଗୋସାଭି ୧୮ କୋଟି ଟଙ୍କାରେ ଏହି ଚୁକ୍ତି ଫାଇନାଲ କରିଥିଲେ । କେବଳ ସେତିକି ନୁହେଁ ଗୋସାଭି ମଧ୍ୟ ଆଡଭାନ୍ସ ଆକାରରେ ୫୦ ଲକ୍ଷ ଟଙ୍କା ନେଇଥିଲେ ।

    ଏଫଆଇ ଅନୁଯାୟୀ, ଅନୁସନ୍ଧାନରେ ସମୀର ୱାଙ୍ଖେଡେ ମଧ୍ୟ ତାଙ୍କ ବିଦେଶ ଯାତ୍ରା ବିଷୟରେ ସଠିକ୍ ସୂଚନା ଦେଇନାହାନ୍ତି । ସେ ତାଙ୍କର ମହଙ୍ଗା ଘଣ୍ଟା ଏବଂ ପୋଷାକ ବିଷୟରେ ମଧ୍ୟ ସତ କହିନାହାନ୍ତି । ସମୀର ୱାଙ୍ଖେଡେଙ୍କ ପାଖେ ତାଙ୍କ ଆୟ ଠାରୁ ବି ଅଧିକ ସମ୍ପତ୍ତି ଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି ।

    ମେ ୧୨ ତାରିଖରେ ସମୀର ୱାଙ୍ଖେଡେଙ୍କ ବିରୋଧରେ ଏକ ବଡ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଇ ସିବିଆଇ ତାଙ୍କ ଘର ଉପରେ ଚଢାଉ କରିଥିଲା । ସିବିଆଇ ଟିମ୍ ୱାଙ୍ଖେଡେଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘରେ ୧୩ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା । ସିବିଆଇ ଅଧିକାରୀ ମାନେ ୱାଙ୍ଖେଡେଙ୍କ ପିତା, ଶ୍ୱଶୁର ଏବଂ ଭଉଣୀଙ୍କ ଘରେ ମଧ୍ୟ ପହଞ୍ଚିଥିଲେ ।

  • ଟେରର ଫଣ୍ଡିଂ ପ୍ରସଙ୍ଗ, କାଶ୍ମୀରର ବିଭିନ୍ନ ସ୍ଥାନରେ NIA ରେଡ୍

    ଟେରର ଫଣ୍ଡିଂ ପ୍ରସଙ୍ଗ, କାଶ୍ମୀରର ବିଭିନ୍ନ ସ୍ଥାନରେ NIA ରେଡ୍

    ଟେରର ଫଣ୍ଡିଂ ପ୍ରସଙ୍ଗରେ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ଦକ୍ଷିଣ କାଶ୍ମୀରର ସୋପିଆନ ଏବଂ ପୁଲୱାମା ଭଳି ଅଞ୍ଚଳରେ ଜୋରଦାର ଚଢ଼ାଉ ହୋଇଛି । ରାଜ୍ୟର ମୋଟ ୧୩ଟି ସ୍ଥାନରେ ଚଢ଼ାଉ ଚାଲିଛି ।

    ଟେରର ଫଣ୍ଡିଂ ପ୍ରସଙ୍ଗରେ ଶ୍ରୀନଗର,ଅନନ୍ତନାଗ,ବଡ଼ଗାଓଁ,ସୋପିଆନ,ପୁଲୱାମା ଭଳି ଅଞ୍ଚଳରେ ରେଡ୍ ଚାଲିଛି । ଏହି ଅଞ୍ଚଳରେ ଛଦ୍ମବେଶୀ ଆତଙ୍କୀ ସଂଗଠନ କାର୍ଯ୍ୟ କରୁଛି । ପାକିସ୍ତାନ ଲିଙ୍କରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ମେ’୧୧ ତାରିଖରେ ଏନଆଇଏ ବାରାମୁଲାରେ ରେଡ୍ କରିଥିଲା । ସୟଦ କରିମର ଜାଭିଦ ଅହମଦ ଧୋବି, ସାଙ୍ଗ୍ରୀ କଲୋନୀର ସୋଏବ ଅହମ୍ମଦ ଚୁର, କାଂଶୀପୁରାର ଅବଦ୍ଦୁଲ ଖଲିକଙ୍କ ଘରେ ଚଢ଼ାଉ କରିଥିଲା ଏନଆଇଏ ।

    ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଏବଂ ହମଲା ଯୋଜନା କରିବା ଅଭିଯୋଗରେ ଏନଆଇଏ ଏହି ଚଢ଼ାଉ କରିଥିଲା । ପୁଞ୍ଚରେ ନିକଟରେ ୫ ଯବାନଙ୍କ ସହିଦ ପରେ ଆକ୍ସନ ମୋଡ଼କୁ ଆସିଛି ଏନଆଇଏ । NIA ଟିମ୍ ସହ SIA ଟିମ୍ ମଧ୍ୟ ରେଡରେ ସାମିଲ ହୋଇଛି ।

    ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ହିଂସାକୁ ନଜରରେ ରଖି ବ୍ୟାପକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଯେମିତି କୌଣସି ଅପ୍ରୀତିକର ଘଟଣା ନଘଟେ ସେଥିପ୍ରତି ସଜାଗ ରହିଛି ସେନା । ଟେରର ଫଣ୍ଡିଂ ପ୍ରସଙ୍ଗ ନେଇ ଏବେ ଜୋରଦାର ରେଡ୍ ଆରମ୍ଭ କରିଛି NIA ଟିମ୍ । ଦେଶରେ ହିଂସା ସୃଷ୍ଟି ପାଇଁ ଆତଙ୍କବାଦୀମାନେ ଉଦ୍ୟମ ଜାରି ରଖିଥିବା ବେଳେ ଏଥିରେ ରୋକ୍ ଲଗାଇବାକୁ NIA ଏବଂ SIA ଟିମ୍ ପକ୍ଷରୁ ରେଡ୍ କରାଯାଉଛି ।

  • ୪୦ ମାଙ୍କଡ଼ଙ୍କ ମୃତ୍ୟୁ ପରେ ତଦନ୍ତ ଆରମ୍ଭ

    ୪୦ ମାଙ୍କଡ଼ଙ୍କ ମୃତ୍ୟୁ ପରେ ତଦନ୍ତ ଆରମ୍ଭ

    ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରୁ ସାମ୍ନାକୁ ଆସିଛି ବିଚଳିତ କଲାପରି ଚିତ୍ର। ହାପୁଡ ଜିଲ୍ଲାର ଗଢମୁକ୍ତେଶ୍ୱର ଥାନା ଅଞ୍ଚଳରେ ଏକା ଥରେ ୪୦ ମାଙ୍କଡଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଛି। ଏତେ ସଂଖ୍ୟାରେ ମାଙ୍କଡଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣା ପୁରା ଅଞ୍ଚଳବାସୀଙ୍କୁ ଅଶ୍ଚର୍ଯ୍ୟ ଚକିତ କରି ଦେଇଛି। କେହି ମାଙ୍କଡ ସବୁଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି।  ତେବେ ବନ ବିଭାଗ ଘଟଣାର ତଦନ୍ତ କରୁଛି। ମୃତ ମାଙ୍କଡଙ୍କ ମୃତଦେହ ଜବତ କରି ଯାଞ୍ଚ ପାଇଁ ଭାରତୀୟ ପଶୁ ଗବେଷଣା ସଂସ୍ଥା ବା ଆଇଭିଆରଆଇକୁ ପଠାଯାଇଛି।

    ଘଟଣାକୁ ନେଇ ବନ ଅଧିକାରୀ ସଞ୍ଜୟ ମାଲ କହିଛନ୍ତି କି, ମୃତ ମାଙ୍କଡଙ୍କ ମୃତଦେହ ନିକଟରୁ ଗୁଡ ଓ ତରଭୁଜ ମିଳିଛି। ସନ୍ଦେହ କରାଯାଉଛି କି, ଗୁଡ ଓ ତରଭୁଜରେ କିଛି ମିଶାଇ ମାଙ୍କଡଙ୍କୁ ଖୁଆଇ ଦିଆଯାଇଛି, ଯେଉଁଥିରେ ମାଙ୍କଡଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଯାଞ୍ଚ କରାଯାଉଛି ଓ ଯାଞ୍ଚ  ପରେ ପୁରା ଘଟଣା ସାମ୍ନାକୁ ଆସିବ। ତେବେ ପ୍ରାରମ୍ଭିକ ତଦନ୍ତରୁ ଏହା ବିଷକ୍ରିୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି। ପୋଲିସ ଓ ବନ ବିଭାଗ ଘଟଣାରେ ଯାଞ୍ଚରେ ଲାଗି ଯାଇଛି।

    ଏହା ପୂର୍ବରୁ ଏହି ଅଞ୍ଚଳରେ ଏକ ମାଙ୍କଡର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିଲା। ଏହା ପରେ ମାଙ୍କଡଙ୍କ ଏକ ବିରାଟ ଦଳ ସଡକ ଉପରେ ଏକାଠି ହୋଇଥିଲେ ଓ ସହି ଅଞ୍ଚଳରେ ଉତ୍ପାତ ଖେଳାଇ ଦେଇଥିଲେ। ବହୁ କ୍ଷୟକ୍ଷତି କରିବା ପରେ ମୃତ ମାଙ୍କଡକୁ ନେଇ ଅନ୍ୟ ମାଙ୍କଡ ସବୁ ସେଠାରୁ ଚାଲିଯାଇଥିଲେ। ହାପୁଡରେ ବହୁ ସଂଖ୍ୟାରେ ମାଙ୍କଡ ରହିଛନ୍ତି। ପ୍ରତି ଗଳି କନ୍ଦିରେ ମାଙ୍କଡଙ୍କ ଦ୍ୱାରା ଫସଲ ନଷ୍ଟ, ଖାଦ୍ୟ ସାମଗ୍ରୀ ନଷ୍ଟ, ନାନା ଭାବେ ଉତ୍ପାତର ଅନେକ ନଜିର ରହିଛି।

    ମାଙ୍କଡଙ୍କ ପାଇଁ ବାଡି ବଗିଚାରେ ପନି ପରିବା ଫସଲ କରିବାକୁ ସେଠାକାର ଲୋକେ ଅରାଜି ହେଉଛନ୍ତି। ମାଙ୍କଡଙ୍କ ସଂଖ୍ୟା ବୃଦ୍ଧି ସହ କ୍ଷୟକ୍ଷତି ବୃଦ୍ଧି ପାଇଚାଲିଛି। ମାଙ୍କଡଙ୍କ ଆକ୍ରମଣରୁ ସେଠାକାର ବାସିନ୍ଦା ମଧ୍ୟ ବର୍ତ୍ତୁ ନାହାନ୍ତି। କେତେବେଳେ ମାଙ୍କଡ ଲୋକଙ୍କୁ କାମୁଡୁଛି ତ ପୁଣି କେତେବେଳେ ଛୋଟ ଗୃହପାଳିତ ପଶୁ ଓ ଛୋଟ ପିଲାଙ୍କୁ ଉଠାଇ ନେଉଛନ୍ତି ମାଙ୍କଡ। ମୁକେଶ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ କିଛି ଦିନ ତଳେ ମାଙ୍କଡଙ୍କ ପାଇଁ ଚାଲିଯାଇଥିଲା। ମୁକେଶ ଛାତରେ ଠିଆହୋଇଥିବା ବେଳେ ମାଙ୍କଡଟିଏ ଗୋଡାଇଥିଲା। ଭୟରେ ମୁକେଶ ସେଠାରୁ ଖସି ଆସିବାକୁ ଚେଷ୍ଟା କରୁଥିବା ବେଳେ ଛାତରୁ ଖସିପଡିଥିଲେ। କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କ ମୃତ୍ୟୁ ହୋଇଥିଲା। ପ୍ରତିଦିନ ଜିଲ୍ଲା ହସ୍ପିଟାଲକୁ ରେବିଜ ଇଞ୍ଜକ୍ସନ ନେବାକୁ ବହୁ ଲୋକ ଧାଉଁଛନ୍ତି।

    ସ୍ଥିତି ଏମିତି ହୋଇଛି କି, ସେଠାକାର ଲୋକେ ନିଜ ନିଜ ଘରକୁ ମାଙ୍କଡଙ୍କ କବଳରୁ ମୁକ୍ତ କରିବାକୁ ଘରର ଛାତ ଉପରେ ଲୁହା ଜାଲ ଲଗାଇବାକୁ ବାଧ୍ୟ ହେଉଛନ୍ତି। ଏତେ ସବୁ ପରେ ମଧ୍ୟ ମାଙ୍କଡଙ୍କ ଉତ୍ପାତ କମୁନାହିଁ। ତେଣୁ କେହି ଜାଣି ଶୁଣି ମାଙ୍କଡଙ୍କୁ ମାରୁବାରୁ ସେମାନଙ୍କୁ ତରଭୁଜ ଓ ଗୁଡରେ ବିଷ ମିଶାଇ ଦେଇଥିବା ସନ୍ଦେହ କରା ଯାଉଛି। ଏହି ଦିଗରେ ତଦନ୍ତ ଆଗେଇ ଚାଲିଛି।

  • ”କାଲିର ଖେଳରେ ମୁଁ ଥିବି ବା ନଥିବି” ଏମିତି କହି ଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି

    ”କାଲିର ଖେଳରେ ମୁଁ ଥିବି ବା ନଥିବି” ଏମିତି କହି ଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି

    ହୀନ୍ଦି ଚଳଚ୍ଚିତ୍ର ‘ମେରା ନାମ ଜୋକର’ର ଡାଏଲଗ ପଢି ପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ଏମ୍.ଆର୍ ଶାହ ବହୁତ ଭାବପ୍ରବଣ ହୋଇଗଲେ ଏବଂ ତାଙ୍କ ଗଳା ମଧ୍ୟ ରୁନ୍ଧି ହୋଇଯାଉଥିଲା । ଏଥିସହିତ ତାଙ୍କର ସର୍ବୋଚ୍ଚ ନ୍ୟାୟାଳୟରୁ ଅବସର ହୋଇଗଲା । ପରମ୍ପରା ଅନୁଯାୟୀ, ସୋମବାର ଦିନ ଜଷ୍ଟିସ୍ ଏମଆର ଶାହା ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ସହ ବେଞ୍ଚରେ ବସିଥିଲେ।

    ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସମେତ ଅନେକ ଓକିଲ ସୁପ୍ରିମକୋର୍ଟରେ ଜଷ୍ଟିସ ଶାହଙ୍କୁ ପ୍ରଶଂସା କରିଥିଲେ । ଜଷ୍ଟିସ୍ ଶାହ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏକ ହିନ୍ଦୀ ଚଳଚ୍ଚିତ୍ର ଗୀତ,”କଲ୍ ଖେଲ୍ ମେଁ ହମ୍ ହୋ ନା ହୋ, ଗାର୍ଦ୍ଦିଶ ମେଁ ତାରେ ରହେଙ୍ଗେ ସାଦା…” ପାଠ କରିଥିଲେ । ଏହା ପରେ ସେ ଭାବପ୍ରବଣ ହୋଇଯାଇଥିଲେ ଆଉ ତାଙ୍କ ଗଳା ରୁନ୍ଧି ହୋଇଯାଉଥିଲା ।

    ବାସ୍ତବରେ ସୁପ୍ରିମକୋର୍ଟରେ ସର୍ବାଧିକ ନିଷ୍ପତ୍ତି ନେଇଥିବା ବିଚାରପତି ମାନଙ୍କ ମଧ୍ୟରୁ ଜଷ୍ଟିସ୍ ଶାହ ହେଉଛନ୍ତି ଅନ୍ୟତମ । ପ୍ରାୟ ୪ ବର୍ଷ ମଧ୍ୟରେ ସେ ପ୍ରାୟ ୭୧୨ କେଶର ବିଚାର କରିଛନ୍ତି । ଶିବସେନା ବିବାଦ ଏବଂ ଦିଲ୍ଲୀ ସରକାର ବନାମ ଏଲଜି ମାମଲା ଉପରେ ବିଚାର କରୁଥିବା ସମ୍ବିଧାନ ପୀଠରେ ମଧ୍ୟ ସେ ସାମିଲ ଥିଲେ ।

    ସିଜେଆଇ ଚନ୍ଦ୍ରଚୁଡ ଏହି ଅବସରରେ କହିଥିଲେ ଯେ, ସେ ଜଣେ ପ୍ରକୃତ ବନ୍ଧୁ ଏବଂ କଲେଜିୟମର ବଡ ସହଯୋଗୀ । ମୋ ପାଖେ ଅନେକ ଗୁପ୍ତ କାହାଣୀ ଅଛି । ଜଷ୍ଟିସ୍ ଶାହ କହିଥିଲେ, ଯଦି ମୁଁ ଭାବପ୍ରବଣ ହୋଇଯାଏ ଏବଂ କାନ୍ଦିବା ଆରମ୍ଭ କରେ ତେବେ ମୋତେ କ୍ଷମା କରିଦେବେ କାରଣ ମୁଁ ନଡ଼ିଆ ପରି । ଆପଣ ମାନେ ସମସ୍ତେ ମୋତେ ପରିବାର ସଦସ୍ୟ ଭାବରେ ଗ୍ରହଣ କରିଛନ୍ତି ଏବଂ ମୋତେ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ମୁଖ୍ୟ ବିଚାରପତି ମୋତେ ଭାଇ ଭାବରେ ପ୍ରୋତ୍ସାହିତ କରିଛନ୍ତି ଏବଂ ମୁଁ ତାଙ୍ କଠାରୁ ବହୁତ କିଛି ଶିଖିଛି ।

    ଶାହ କହିଛନ୍ତି, “ମୁଁ ସର୍ବଦା କାମ ଏବଂ ମକଦ୍ଦମାକାରୀଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରେ । ମୁଁ ସର୍ବଦା କୌଣସି ଭୟ କିମ୍ବା ପକ୍ଷପାତିତା ବିନା ମୋର କର୍ତ୍ତବ୍ୟ ପାଳନ କରିଛି । ଯଦି ମୁଁ କେବେ କାହାର ଭାବନାକୁ ଆଘାତ ଦେଇଛି, ତେବ ମୁଁ କ୍ଷମା ମାଗିନେଉଛି । ମୁଁ ସର୍ବଦା କାର୍ଯ୍ୟରେ ବିଶ୍ୱାସ କରେ । ସମସ୍ତେ କହୁଥିଲେ ଯେ, ମୁଁ ନ୍ୟାୟାଳୟରେ ବରିଷ୍ଠ ଏବଂ କନିଷ୍ଠ ମାନଙ୍କୁ ସମାନ ଆଖିରେ ଦେଖୁଥିଲି । ମୋର ୫ ପ୍ରତିଶତ ଜୁନିୟରଙ୍କ ପ୍ରତି ଦର୍ବଳତା ଥିଲା ଆଉ ସର୍ବଦା ଭାବୁଥିଲି ଯେ, ସେମାନେ ତର୍କ କରୁଥିବା ଓକିଲ ହେବା ଦରକାର । ମୁଁ ଜଣେ ଅବସରପ୍ରାପ୍ତ ବ୍ୟକ୍ତି ନୁହେଁ, ମୁଁ ଏକ ନୂତନ ଇନିଂସ ଆରମ୍ଭ କରିବାକୁ ଯାଉଛି ଏବଂ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ମାଗିବି ବୋଲି ଶାହ କହିଥିଲେ ।

  • ଇସ୍ତାହାରରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ପ୍ରସଙ୍ଗ, କଂଗ୍ରେସ ଅଧ୍ୟକ୍ଷଙ୍କୁ ସମନ

    ଇସ୍ତାହାରରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ପ୍ରସଙ୍ଗ, କଂଗ୍ରେସ ଅଧ୍ୟକ୍ଷଙ୍କୁ ସମନ

    କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମନ ଜାରି ହୋଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇସ୍ତାହାରରେ କଂଗ୍ରେସ ପକ୍ଷରୁ’ବଜରଙ୍ଗ ଦଳ’କୁ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ସହିତ ତୁଳନା କରାଯାଇଥିଲା । ଏହାକୁ ନେଇ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାଏର ପରେ ଆଜି ପଞ୍ଜାବର ଏକ ଅଦାଲତ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ସମନ ଜାରି କରାଯାଇଛି । ‘ବଜରଙ୍ଗ ଦଳ ହିନ୍ଦୁସ୍ତାନ’ର ସଭାପତି ହିତେଶ ଭରଦ୍ବାଜଙ୍କ ଅଭିଯୋଗ ପରେ ପଞ୍ଜାବ ସଙ୍ଗ୍‌ରୁର୍‌ ଜିଲ୍ଲା ଅଦାଲତ ଏହି ସମନ ଜାରି କରିଛନ୍ତି ।

    କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳକୁ ‘ଏସ୍‌ଆଇଏମ୍‌ଆଇ’ ଏବଂ ‘ଅଲ୍‌-କାଏଦା’ଭଳି ଦେଶବିରୋଧୀ ସଙ୍ଗଠନ ସହିତ ତୁଳନା କରାଯାଇଥିବା ଅଭିଯୋଗକାରୀ ଦର୍ଶାଇଥିଲେ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବୃଦ୍ଧି କରୁଥିବା ‘ବଜରଙ୍ଗ ଦଳ’କୁ ନିଷିଦ୍ଧ କରାଯିବ ବୋଲି ଇସ୍ତାହାରରେ ଉଲ୍ଲଖ କରିଥିଲା କଂଗ୍ରେସ । ସେପଟେ, ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟାନ୍ୟ ‘ବିଜେପି’ ନେତା ତୀବ୍ର ସମାଲୋଚନା କରିଥିଲେ । ଏ ସଂକ୍ରାନ୍ତରେ କଂଗ୍ରେସ ନିଜ ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ‌ହୋଇଥିଲା ।

    ବଜରଙ୍ଗ ଦଳକୁ ନିଷିଦ୍ଧ କରାଯିବାର କୌଣସି ଯୋଜନା ନାହିଁ ବୋଲି କଂଗ୍ରେସ କହିଛି । ଏ ପ୍ରକାରର ଦଳକୁ ନିଷିଦ୍ଧ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ଥିବା କଥା କହିଛି ଜାତୀୟ କଂଗ୍ରେସ । ସେପଟେ, ଚଳିତଥର ନିଜ ଆସନ ବଜାୟ ରଖିଥିବା ବିଦାୟୀ କର୍ଣ୍ଣାଟକ ମନ୍ତ୍ରୀ ସି.ଏନ୍‌.ଅଶ୍ବତନାରାୟଣ ଘଟଣାକୁ ନେଇ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ‘ବଜରଙ୍ଗ ଦଳ’କୁ ନିଷିଦ୍ଧ କରିବା କହି ବିବାଦ ଘେରକୁ ଆସିଛି କଂଗ୍ରେସ । ନିଷିଦ୍ଧ କଲା ପରେ ପରିସ୍ଥିତି କଣ ହେବ ସେ ବିଷୟରେ ଚିନ୍ତା କରିବା ଦରକାର ।

  • ଦିଲ୍ଲୀରୁ କୋଲକାତା ଯାତ୍ରା ମାତ୍ର ୧୭ ଘଣ୍ଟାରେ

    ଦିଲ୍ଲୀରୁ କୋଲକାତା ଯାତ୍ରା ମାତ୍ର ୧୭ ଘଣ୍ଟାରେ

    ୨୦୨୬ ସୁଦ୍ଧା ଶେଷ ହେବ ୩ ହଜାର କୋଟିର ବାରାଣାସୀ-କୋଲକାତା ଏକ୍ସପ୍ରେସ ୱେ୍ ପ୍ରକଳ୍ପ ବୋଲି ଆକଳନ କରାଯାଉଛି। ଏହାଦ୍ୱାରା ଯାତ୍ରାର ସମୟ ୬-୭ ଘଣ୍ଟା ହ୍ରାସ ପାଇବ। ଜାତୀୟ ରାଜଧାନୀ ଦିଲ୍ଲୀରୁ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଯାତ୍ରା ଏଣିକି ରୋମାଞ୍ଚକର ହେବାକୁ ଯାଉଛି । ଯଦି ସବୁକିଛି ଠିକ ହୁଏ, ତେବେ ଆଗାମୀ ତିନି ବର୍ଷ ମଧ୍ୟରେ ବାରାଣସୀ-କୋଲକାତା ଏକ୍ସପ୍ରେସ ମାତ୍ର ୧୭ ଘଣ୍ଟାରେ ଦିଲ୍ଲୀରୁ କୋଲକାତାରେ ପହଞ୍ଚି ପାରିବ।  ଯେଉଁଠି ଗ୍ରୀନଫିଲ୍ଡ ଏକ୍ସପ୍ରେସ ୱେ ଦେଇ ବାରାଣାସୀରୁ କୋଲକାତା ଯାତ୍ରା ୧୦ ଘଣ୍ଟାରେ ନିଶ୍ଚିତ  ସ୍ଥିର ହୋଇଥିବା ବେଳେ ବର୍ତ୍ତମାନ ଦିଲ୍ଲୀରୁ କୋଲକାତା ଯାତ୍ରା ୧୭ଘଣ୍ଟା ମଧ୍ୟରେ ପହଁଞ୍ଚି ପାରିବେ ।

    ଯଦି ଆମେ ଦିଲ୍ଲୀରୁ ବାରାଣାସୀ ଯାତ୍ରା ବିଷୟରେ କଥାହେବା ପୂର୍ବାଞ୍ଚଳ, ଲକ୍ଷ୍ନୌ- ଆଗ୍ରା ଏବଂ ଯମୁନା ଏକ୍ସପ୍ରେସ ୱେ ଦେଇ ୧୦ ଘଣ୍ଟାର ଏହି ଯାତ୍ରା ପୂର୍ବରୁ ସମ୍ଭବ ହୋଇସାରିଛି। ଖବର ଅନୁଯାୟୀ ବାରାଣାସୀ-କୋଲକାତା ଏକ୍ସପ୍ରେସ ୱେ୍ର ୩ ହଜାର କୋଟି ପ୍ରକଳ୍ପ ୨୦୨୬ ସୁଦ୍ଧା ଶେଷ ହେବ ବୋଲି ଆକଳନ କରାଯାଉଛି। ଯାହା ୬୯୦ କିଲୋମିଟରରୁ ୬୧୦ କିଲୋମିଟର ଦୂରତାକୁ ହ୍ରାସ କରିବ ଏବଂ ଯାତ୍ରା ସମୟକୁ ୬-୭ ଘଣ୍ଟା ହ୍ରାସ କରିବ।

    ଏହି ପ୍ରସ୍ତାବିତ ଏକ୍ସପ୍ରେସୱେକୁ ୨୦୨୧ ମସିହାରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ବିଭାଗର  ସଚିବଙ୍କ ନେତୃତ୍ୱରେ ଏକ ବୈଠକରେ ମଞ୍ଜୁରୀ ଦିଆଯାଇଥିଲା, ଯାହା ସମୟ ଏବଂ ମୂଲ୍ୟ ବଞ୍ଚାଇବା ପାଇଁ ରାଜପଥ ମାଧ୍ୟମରେ ପ୍ରମୁଖ ସହରକୁ ସଂଯୋଗ କରିବ । ଏହି ଏକ୍ସପ୍ରେସୱେ ମୋହନିଆ, ରୋହତାସ୍, ସାସାରାମ, ଔରାଙ୍ଗବାଦ,  ଗୟା,  ଚତରା , ହଜାରିବାଗ, ରାଞ୍ଚି, ବୋକାରୋ, ଧାନବାଦ୍, ରାମଗଡ, ହାୱଡ଼ା ଏବଂ ଅନ୍ୟାନ୍ୟ ସ୍ଥାନ ଦେଇ ଯାତାୟାତ କରିବ। ଏନଏଚଏଆଇ ଅନୁଯାୟୀ, ଏହି ଏକ୍ସପ୍ରେସୱେ ବାରାଣାସୀର ରିଙ୍ଗ ରୋଡରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲାର ଏନଏଚ-୧୬ ରେ ଯାଇ ରହିବ।

    ବିଭାଗୀୟ କମିଶନର କୌଶଲ ରାଜ ଶର୍ମା କହିଛନ୍ତି ଯେ ବାରାଣାସୀ ନିକଟ ଚଅଁନଦୌଲିରେ ଏକ୍ସପ୍ରେସୱେ ପାଇଁ ଜମିର ପ୍ରାରମ୍ଭିକ ଚୟନ କରାଯାଇଛି।  କିନ୍ତୁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଚଅଁନଦୌଲି ଡିଏମ୍ ଙ୍କୁ ଏହାକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ କୁହାଯାଇଛି। ବର୍ତ୍ତମାନ ବାରାଣାସୀ ଏବଂ କୋଲକାତା ମଧ୍ୟରେ ଅଧିକାଂଶ ଯାତାୟାତ ଏନଏଚ-୧୯ ମାଧ୍ୟମ ଦେଇ ହେଉଛି। ଏନଏଚ-୧୯ର ଅଧିକାଂଶ ଭାଗ ୬ ଲେନ ଅଟେ

  • ଶପଥ ନେଲେ ଦୀପାଳି ଦାସ, ଲୋକଙ୍କ ସେବା କରିବାକୁ ପ୍ରତିଶ୍ରୁତି

    ଶପଥ ନେଲେ ଦୀପାଳି ଦାସ, ଲୋକଙ୍କ ସେବା କରିବାକୁ ପ୍ରତିଶ୍ରୁତି

    ଝାରସୁଗୁଡ଼ା ବିଧାୟିକା ଭାବେ ନବ ନିର୍ବାଚିତ ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ଶପଥ ପାଠ କରାଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ । ମା’ ଓ ଭାଇଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି ଦୀପାଳି । ଏହି ଅବସରରେ ଦଳର କେତେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିଥିଲେ । ଶପଥ ଗ୍ରହଣ କରିବା ପରେ ନିଜର ପ୍ରତିକ୍ରିୟାରେ ଦୀପାଳି ଦାସ କହିଛନ୍ତି, ଝାରସୁଗୁଡ଼ାବାସୀ ମତେ ନିର୍ବାଚିତ କରିଛନ୍ତି । ସେମାନଙ୍କ ସେବା କରିବାର ପ୍ରତିଶ୍ରୁତି ଦେଉଛି । ଏହାଛଡ଼ା ବାପାଙ୍କ ଅଧୁରା ସ୍ବପ୍ନ ପୂରଣ ଦିଗରେ କାମ କରିବି ବୋଲି କହିଛନ୍ତି ଦୀପାଳି ।

    ୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିଥିଲା । ଏଥିରେ ବାଜି ମାରିଥିଲେ ଦୀପାଳି ଦାସ । ସେ କହିଛନ୍ତି ଏ ବିଜୟ ଝାରସୁଗୁଡ଼ାବାସୀଙ୍କ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ଭାବମୂର୍ତ୍ତି ତଥା ଝାରସୁଗୁ଼ଡ଼ାବାସୀଙ୍କୁ ସ୍ନେହ,ପ୍ରେମ ଓ ଭଲ ପାଇବା ହିଁ ବିଜୟର ମୂଳମନ୍ତ୍ର । ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ । ଝାରସୁଗୁଡ଼ା ଉପନିର୍ବାଚନରେ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି । ବିଜୟୀ ଘୋଷଣା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ଦୀପାଳି ।

    ଜିଲ୍ଲାର ସମସ୍ତ ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର କରିବି ବୋଲି ସେ କହିଛନ୍ତି । ଝାରସୁଗୁଡା ଲୋକଙ୍କ ପାଇଁ ସମର୍ପିତ ହୋଇ ସମସ୍ତ କାମ କରିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ଦିନରେ ଜିଲ୍ଲାର ସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବି ବୋଲି ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ କହିଛନ୍ତି ।