ଶପଥ ନେଲେ ଦୀପାଳି ଦାସ, ଲୋକଙ୍କ ସେବା କରିବାକୁ ପ୍ରତିଶ୍ରୁତି

ଝାରସୁଗୁଡ଼ା ବିଧାୟିକା ଭାବେ ନବ ନିର୍ବାଚିତ ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ଶପଥ ପାଠ କରାଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ । ମା’ ଓ ଭାଇଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି ଦୀପାଳି । ଏହି ଅବସରରେ ଦଳର କେତେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିଥିଲେ । ଶପଥ ଗ୍ରହଣ କରିବା ପରେ ନିଜର ପ୍ରତିକ୍ରିୟାରେ ଦୀପାଳି ଦାସ କହିଛନ୍ତି, ଝାରସୁଗୁଡ଼ାବାସୀ ମତେ ନିର୍ବାଚିତ କରିଛନ୍ତି । ସେମାନଙ୍କ ସେବା କରିବାର ପ୍ରତିଶ୍ରୁତି ଦେଉଛି । ଏହାଛଡ଼ା ବାପାଙ୍କ ଅଧୁରା ସ୍ବପ୍ନ ପୂରଣ ଦିଗରେ କାମ କରିବି ବୋଲି କହିଛନ୍ତି ଦୀପାଳି ।

୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିଥିଲା । ଏଥିରେ ବାଜି ମାରିଥିଲେ ଦୀପାଳି ଦାସ । ସେ କହିଛନ୍ତି ଏ ବିଜୟ ଝାରସୁଗୁଡ଼ାବାସୀଙ୍କ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ଭାବମୂର୍ତ୍ତି ତଥା ଝାରସୁଗୁ଼ଡ଼ାବାସୀଙ୍କୁ ସ୍ନେହ,ପ୍ରେମ ଓ ଭଲ ପାଇବା ହିଁ ବିଜୟର ମୂଳମନ୍ତ୍ର । ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ । ଝାରସୁଗୁଡ଼ା ଉପନିର୍ବାଚନରେ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି । ବିଜୟୀ ଘୋଷଣା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ଦୀପାଳି ।

ଜିଲ୍ଲାର ସମସ୍ତ ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର କରିବି ବୋଲି ସେ କହିଛନ୍ତି । ଝାରସୁଗୁଡା ଲୋକଙ୍କ ପାଇଁ ସମର୍ପିତ ହୋଇ ସମସ୍ତ କାମ କରିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ଦିନରେ ଜିଲ୍ଲାର ସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବି ବୋଲି ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *