ଆର୍ୟାନ ଖାନଙ୍କୁ କେସରେ ନଫସାଇବା ପାଇଁ ୱାଙ୍ଖେଡେ କରିଥିଲେ ୧୮ କୋଟି ଟଙ୍କାର ଡିଲ୍!

ଆର୍ୟାନ୍ ଖାନ ମାମଲାରେ ପୂର୍ବତନ ଏନସିବି ଡାଇରେକ୍ଟର ସମୀର ୱାଙ୍ଖେଡେ ଅସୁବିଧାରେ ଘେରି ହୋଇଥିବାର ଦେଖାଯାଉଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ଏଫଆଇଆର ପଞ୍ଜିକରଣ କରିଛି । ଏଥିରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ୍ ଖାନଙ୍କୁ ସମ୍ପୃକ୍ତ ନକରିବା ବଦଳରେ ସମୀର ୱାଙ୍ଖେଡେ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି ।

ଏଫଆଇଆର ଅନୁଯାୟୀ, ସମୀର ୱାଙ୍ଖେଡେଙ୍କ ଇଷାରାରେ ଗୋସାଭି ଆର୍ୟାନ୍ ଖାନ ମାମଲାରେ ୨୫ କୋଟି ଟଙ୍କା ଦାବି କରିଥିଲେ । ଏହି ଅର୍ଥରାଶି ବଦଳରେ ଆର୍ୟାନ୍ ଖାନଙ୍କୁ ଡ୍ରଗ୍ ମାମଲାରେ ଫସାଯିବ ନାହିଁ ବୋଲି ନିଶ୍ଚିତ କରାଯାଇଥିଲା ।

ଏଫ୍ଆଇଆରରେ ଦର୍ଶାଯାଇଛି, ସମୀର ୱାଙ୍ଖେଡେ ଏହି କାରବାର ପାଇଁ ଟଙ୍କା ପ୍ରସଙ୍ଗରେ ଗୋସାଭିଙ୍କୁ ସମ୍ପୂର୍ଣ୍ଣ ଛାଡ ଦେଇଥିଲେ । ଗୋସାଭି ୧୮ କୋଟି ଟଙ୍କାରେ ଏହି ଚୁକ୍ତି ଫାଇନାଲ କରିଥିଲେ । କେବଳ ସେତିକି ନୁହେଁ ଗୋସାଭି ମଧ୍ୟ ଆଡଭାନ୍ସ ଆକାରରେ ୫୦ ଲକ୍ଷ ଟଙ୍କା ନେଇଥିଲେ ।

ଏଫଆଇ ଅନୁଯାୟୀ, ଅନୁସନ୍ଧାନରେ ସମୀର ୱାଙ୍ଖେଡେ ମଧ୍ୟ ତାଙ୍କ ବିଦେଶ ଯାତ୍ରା ବିଷୟରେ ସଠିକ୍ ସୂଚନା ଦେଇନାହାନ୍ତି । ସେ ତାଙ୍କର ମହଙ୍ଗା ଘଣ୍ଟା ଏବଂ ପୋଷାକ ବିଷୟରେ ମଧ୍ୟ ସତ କହିନାହାନ୍ତି । ସମୀର ୱାଙ୍ଖେଡେଙ୍କ ପାଖେ ତାଙ୍କ ଆୟ ଠାରୁ ବି ଅଧିକ ସମ୍ପତ୍ତି ଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି ।

ମେ ୧୨ ତାରିଖରେ ସମୀର ୱାଙ୍ଖେଡେଙ୍କ ବିରୋଧରେ ଏକ ବଡ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଇ ସିବିଆଇ ତାଙ୍କ ଘର ଉପରେ ଚଢାଉ କରିଥିଲା । ସିବିଆଇ ଟିମ୍ ୱାଙ୍ଖେଡେଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘରେ ୧୩ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା । ସିବିଆଇ ଅଧିକାରୀ ମାନେ ୱାଙ୍ଖେଡେଙ୍କ ପିତା, ଶ୍ୱଶୁର ଏବଂ ଭଉଣୀଙ୍କ ଘରେ ମଧ୍ୟ ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *