ଇମରାନଙ୍କ ବିରୋଧରେ ବିରୋଧୀ ମେଣ୍ଟର ବିକ୍ଷୋଭ

ପାକିସ୍ତାନରେ ସ୍ଥିତି ସୁଧୁରିବାର ନାମ ନେଉ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ପାକ ସୁପ୍ରିମ କୋର୍ଟରୁ ଜାମିନ ମିଳିବା ପରେ ସ୍ଥିତି ଆହୁରି ଉତ୍କଟ ହୋଇଛି। ଇମାରାନ ବିରୋଧୀ ରାଜନୈତିକ ଦଳ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଛନ୍ତି। ଇମରାନଙ୍କ ମୁକ୍ତ ହେବାକୁ ଘୋର ବିରୋଧ କରିଛି ପିଡିଏମ। ଏମିତି କି ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ ବା ପିଡିଏମ ପକ୍ଷରୁ ସୁପ୍ରିମ କୋର୍ଟ ସମ୍ମୁଖରେ ପ୍ରଦର୍ଶନ ଦିଆଯିବା ସହ ସେଠାରେ କ୍ୟାମ୍ପ ଲଗାଯାଇଛି। ପିଡିଏମରେ ସତ୍ତାରେ ଥିବା ପାକିସ୍ତାନ ମୁସଲିମ ଲିଗ ନବାଜ, ଜମିୟତ ଉଲେମା ଏ ଉସ୍ଲାମ ଫଜଲ ଓ ପାକିସ୍ତାନ ପିପୁଲ୍ସ ପାର୍ଟି ସହ ବହୁ ଦଳ ମିଶିଛନ୍ତି।

ପିଡିଏମ ସୁପ୍ରିମ କୋର୍ଟଙ୍କ ନିଷ୍ପତିକୁ ବିରୋଧ କରି କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସେପଟେ ଉମରାନଙ୍କ ଦଳ ପାକିସ୍ତାନ ତେହରିକ ଏ ଇନସାଫ ପକ୍ଷରୁ ଟ୍ୱିଟ କରି କୁହାଯାଇଛି କି, ପ୍ରାୟ ୭୦୦୦ ପିଟିଆଇ କର୍ମକର୍ତ୍ତା, ନେତା ଓ ମହିଳାଙ୍କୁ ଜେଲରେ ଭର୍ତ୍ତି କରାଯାଇଛି। ସମ୍ବିଧାନକୁ ଶେଷ କରିବାକୁ ତଥା ସୁପ୍ରିମ କୋର୍ଟକୁ କବଜା କରିବାକୁ ଏକ ସମୂହକୁ ସୁରକ୍ଷା ଏଜେନ୍ସି ସାହାଯ୍ୟ କରୁଛି। ସମସ୍ତେ ଶାନ୍ତିପୂର୍ଣ୍ଣ ବିରୋଧ ପାଇଁ ପ୍ରସ୍ତୁତ, କାରଣ ଥରେ ସମ୍ବିଧାନ ଓ ସୁପ୍ରିମ କୋର୍ଟର ଅନ୍ତ ଘଟିଲେ ପାକିସ୍ତାନର ସବୁ ସ୍ୱପ୍ନ ଧୂଳିସାତ୍ ହୋଇଯିବ। ଏନେଇ ଇମରାନ ମଧ୍ୟ ତାଙ୍କ ଟ୍ୱିଟର ପେଜରେ ପିଡିଏମର ବିକ୍ଷୋଭର ଏକ ଭିଡିଓ ସେୟାର କରିଛନ୍ତି।

ଦୁଇ ଦିନ ପୂର୍ବରୁ ଇମରାନ ଖାନ ଜେଲରୁ ମୁକୁଳିବା ପରେ ଦେଶକୁ ସମ୍ବୋଧିତ କରି କହିଛନ୍ତି କି, ସେ ଆର୍ମିକୁ ରାଜନୀତିକୁ ଆସିବାକୁ ନିଜର ଏକ ରାଜନୈତିକ ପାର୍ଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଏବେ ସୈନ୍ୟ ପ୍ରତିଷ୍ଠାନ ମୋ ଦଳର ନାମ ମେଟାଇ ଦେବାରେ ଲାଗିଛି। ଏଥିସହ, ସେନାର ନେତୃତ୍ୱ ଉପରେ ଆଙ୍ଗୁଳି ଉଠାଇ କହିଥିଲେ କି, ସେନା ଦ୍ୱାରା ନିଆଯାଇଥିବା ପଦକ୍ଷେପ ପାଇଁ ପୂର୍ବରୁ ଦେଶ ଜରୁରୀ ପରିସ୍ଥିତି ଦେଇ ଗତି କରିଛି।

ଏହା ପୂର୍ବରୁ ଇମରାନ ଖାନଙ୍କୁ ସେନାର ରେଞ୍ଜର୍ସ ଇସଲାମବାଦ ହୋଇକୋର୍ଟରୁ ଇମରାନଙ୍କୁ ଗିରଫ କରିଥିଲା। ସେତେବେଳେ ଇମରାନ ଏକ ଭ୍ରଷ୍ଟାଚାର ମାମଲାରେ ଶୁଣାଣି ପାଇଁ କୋର୍ଟଙ୍କୁ ଯାଉଥିଲେ। କୋର୍ଟରେ ପହଞ୍ଚି ସେ ବାୟୋମେଟ୍ରିକ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିଲା। ପରେ ଇମରାନଙ୍କ ଗିରଫଦାରୀକୁ ନେଇ ଦେଶରେ ବ୍ୟାପକ ହିଂସା ଦେଖା ଦେବା ପରେ ଇସଲାମ ବାଦ ହାଇକୋର୍ଟ ଇମରାନଙ୍କୁ ଜାମିନ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *