୪୦ ମାଙ୍କଡ଼ଙ୍କ ମୃତ୍ୟୁ ପରେ ତଦନ୍ତ ଆରମ୍ଭ

ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରୁ ସାମ୍ନାକୁ ଆସିଛି ବିଚଳିତ କଲାପରି ଚିତ୍ର। ହାପୁଡ ଜିଲ୍ଲାର ଗଢମୁକ୍ତେଶ୍ୱର ଥାନା ଅଞ୍ଚଳରେ ଏକା ଥରେ ୪୦ ମାଙ୍କଡଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଛି। ଏତେ ସଂଖ୍ୟାରେ ମାଙ୍କଡଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣା ପୁରା ଅଞ୍ଚଳବାସୀଙ୍କୁ ଅଶ୍ଚର୍ଯ୍ୟ ଚକିତ କରି ଦେଇଛି। କେହି ମାଙ୍କଡ ସବୁଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି।  ତେବେ ବନ ବିଭାଗ ଘଟଣାର ତଦନ୍ତ କରୁଛି। ମୃତ ମାଙ୍କଡଙ୍କ ମୃତଦେହ ଜବତ କରି ଯାଞ୍ଚ ପାଇଁ ଭାରତୀୟ ପଶୁ ଗବେଷଣା ସଂସ୍ଥା ବା ଆଇଭିଆରଆଇକୁ ପଠାଯାଇଛି।

ଘଟଣାକୁ ନେଇ ବନ ଅଧିକାରୀ ସଞ୍ଜୟ ମାଲ କହିଛନ୍ତି କି, ମୃତ ମାଙ୍କଡଙ୍କ ମୃତଦେହ ନିକଟରୁ ଗୁଡ ଓ ତରଭୁଜ ମିଳିଛି। ସନ୍ଦେହ କରାଯାଉଛି କି, ଗୁଡ ଓ ତରଭୁଜରେ କିଛି ମିଶାଇ ମାଙ୍କଡଙ୍କୁ ଖୁଆଇ ଦିଆଯାଇଛି, ଯେଉଁଥିରେ ମାଙ୍କଡଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଯାଞ୍ଚ କରାଯାଉଛି ଓ ଯାଞ୍ଚ  ପରେ ପୁରା ଘଟଣା ସାମ୍ନାକୁ ଆସିବ। ତେବେ ପ୍ରାରମ୍ଭିକ ତଦନ୍ତରୁ ଏହା ବିଷକ୍ରିୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି। ପୋଲିସ ଓ ବନ ବିଭାଗ ଘଟଣାରେ ଯାଞ୍ଚରେ ଲାଗି ଯାଇଛି।

ଏହା ପୂର୍ବରୁ ଏହି ଅଞ୍ଚଳରେ ଏକ ମାଙ୍କଡର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିଲା। ଏହା ପରେ ମାଙ୍କଡଙ୍କ ଏକ ବିରାଟ ଦଳ ସଡକ ଉପରେ ଏକାଠି ହୋଇଥିଲେ ଓ ସହି ଅଞ୍ଚଳରେ ଉତ୍ପାତ ଖେଳାଇ ଦେଇଥିଲେ। ବହୁ କ୍ଷୟକ୍ଷତି କରିବା ପରେ ମୃତ ମାଙ୍କଡକୁ ନେଇ ଅନ୍ୟ ମାଙ୍କଡ ସବୁ ସେଠାରୁ ଚାଲିଯାଇଥିଲେ। ହାପୁଡରେ ବହୁ ସଂଖ୍ୟାରେ ମାଙ୍କଡ ରହିଛନ୍ତି। ପ୍ରତି ଗଳି କନ୍ଦିରେ ମାଙ୍କଡଙ୍କ ଦ୍ୱାରା ଫସଲ ନଷ୍ଟ, ଖାଦ୍ୟ ସାମଗ୍ରୀ ନଷ୍ଟ, ନାନା ଭାବେ ଉତ୍ପାତର ଅନେକ ନଜିର ରହିଛି।

ମାଙ୍କଡଙ୍କ ପାଇଁ ବାଡି ବଗିଚାରେ ପନି ପରିବା ଫସଲ କରିବାକୁ ସେଠାକାର ଲୋକେ ଅରାଜି ହେଉଛନ୍ତି। ମାଙ୍କଡଙ୍କ ସଂଖ୍ୟା ବୃଦ୍ଧି ସହ କ୍ଷୟକ୍ଷତି ବୃଦ୍ଧି ପାଇଚାଲିଛି। ମାଙ୍କଡଙ୍କ ଆକ୍ରମଣରୁ ସେଠାକାର ବାସିନ୍ଦା ମଧ୍ୟ ବର୍ତ୍ତୁ ନାହାନ୍ତି। କେତେବେଳେ ମାଙ୍କଡ ଲୋକଙ୍କୁ କାମୁଡୁଛି ତ ପୁଣି କେତେବେଳେ ଛୋଟ ଗୃହପାଳିତ ପଶୁ ଓ ଛୋଟ ପିଲାଙ୍କୁ ଉଠାଇ ନେଉଛନ୍ତି ମାଙ୍କଡ। ମୁକେଶ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ କିଛି ଦିନ ତଳେ ମାଙ୍କଡଙ୍କ ପାଇଁ ଚାଲିଯାଇଥିଲା। ମୁକେଶ ଛାତରେ ଠିଆହୋଇଥିବା ବେଳେ ମାଙ୍କଡଟିଏ ଗୋଡାଇଥିଲା। ଭୟରେ ମୁକେଶ ସେଠାରୁ ଖସି ଆସିବାକୁ ଚେଷ୍ଟା କରୁଥିବା ବେଳେ ଛାତରୁ ଖସିପଡିଥିଲେ। କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କ ମୃତ୍ୟୁ ହୋଇଥିଲା। ପ୍ରତିଦିନ ଜିଲ୍ଲା ହସ୍ପିଟାଲକୁ ରେବିଜ ଇଞ୍ଜକ୍ସନ ନେବାକୁ ବହୁ ଲୋକ ଧାଉଁଛନ୍ତି।

ସ୍ଥିତି ଏମିତି ହୋଇଛି କି, ସେଠାକାର ଲୋକେ ନିଜ ନିଜ ଘରକୁ ମାଙ୍କଡଙ୍କ କବଳରୁ ମୁକ୍ତ କରିବାକୁ ଘରର ଛାତ ଉପରେ ଲୁହା ଜାଲ ଲଗାଇବାକୁ ବାଧ୍ୟ ହେଉଛନ୍ତି। ଏତେ ସବୁ ପରେ ମଧ୍ୟ ମାଙ୍କଡଙ୍କ ଉତ୍ପାତ କମୁନାହିଁ। ତେଣୁ କେହି ଜାଣି ଶୁଣି ମାଙ୍କଡଙ୍କୁ ମାରୁବାରୁ ସେମାନଙ୍କୁ ତରଭୁଜ ଓ ଗୁଡରେ ବିଷ ମିଶାଇ ଦେଇଥିବା ସନ୍ଦେହ କରା ଯାଉଛି। ଏହି ଦିଗରେ ତଦନ୍ତ ଆଗେଇ ଚାଲିଛି।

Leave a Reply

Your email address will not be published. Required fields are marked *