ଇସ୍ତାହାରରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ପ୍ରସଙ୍ଗ, କଂଗ୍ରେସ ଅଧ୍ୟକ୍ଷଙ୍କୁ ସମନ

କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମନ ଜାରି ହୋଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇସ୍ତାହାରରେ କଂଗ୍ରେସ ପକ୍ଷରୁ’ବଜରଙ୍ଗ ଦଳ’କୁ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ସହିତ ତୁଳନା କରାଯାଇଥିଲା । ଏହାକୁ ନେଇ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାଏର ପରେ ଆଜି ପଞ୍ଜାବର ଏକ ଅଦାଲତ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ସମନ ଜାରି କରାଯାଇଛି । ‘ବଜରଙ୍ଗ ଦଳ ହିନ୍ଦୁସ୍ତାନ’ର ସଭାପତି ହିତେଶ ଭରଦ୍ବାଜଙ୍କ ଅଭିଯୋଗ ପରେ ପଞ୍ଜାବ ସଙ୍ଗ୍‌ରୁର୍‌ ଜିଲ୍ଲା ଅଦାଲତ ଏହି ସମନ ଜାରି କରିଛନ୍ତି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳକୁ ‘ଏସ୍‌ଆଇଏମ୍‌ଆଇ’ ଏବଂ ‘ଅଲ୍‌-କାଏଦା’ଭଳି ଦେଶବିରୋଧୀ ସଙ୍ଗଠନ ସହିତ ତୁଳନା କରାଯାଇଥିବା ଅଭିଯୋଗକାରୀ ଦର୍ଶାଇଥିଲେ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବୃଦ୍ଧି କରୁଥିବା ‘ବଜରଙ୍ଗ ଦଳ’କୁ ନିଷିଦ୍ଧ କରାଯିବ ବୋଲି ଇସ୍ତାହାରରେ ଉଲ୍ଲଖ କରିଥିଲା କଂଗ୍ରେସ । ସେପଟେ, ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟାନ୍ୟ ‘ବିଜେପି’ ନେତା ତୀବ୍ର ସମାଲୋଚନା କରିଥିଲେ । ଏ ସଂକ୍ରାନ୍ତରେ କଂଗ୍ରେସ ନିଜ ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ‌ହୋଇଥିଲା ।

ବଜରଙ୍ଗ ଦଳକୁ ନିଷିଦ୍ଧ କରାଯିବାର କୌଣସି ଯୋଜନା ନାହିଁ ବୋଲି କଂଗ୍ରେସ କହିଛି । ଏ ପ୍ରକାରର ଦଳକୁ ନିଷିଦ୍ଧ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ଥିବା କଥା କହିଛି ଜାତୀୟ କଂଗ୍ରେସ । ସେପଟେ, ଚଳିତଥର ନିଜ ଆସନ ବଜାୟ ରଖିଥିବା ବିଦାୟୀ କର୍ଣ୍ଣାଟକ ମନ୍ତ୍ରୀ ସି.ଏନ୍‌.ଅଶ୍ବତନାରାୟଣ ଘଟଣାକୁ ନେଇ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ‘ବଜରଙ୍ଗ ଦଳ’କୁ ନିଷିଦ୍ଧ କରିବା କହି ବିବାଦ ଘେରକୁ ଆସିଛି କଂଗ୍ରେସ । ନିଷିଦ୍ଧ କଲା ପରେ ପରିସ୍ଥିତି କଣ ହେବ ସେ ବିଷୟରେ ଚିନ୍ତା କରିବା ଦରକାର ।

Leave a Reply

Your email address will not be published. Required fields are marked *