ବହି ବାହାନା,ବିରୋଧୀ ନିଶାନା

ମୁଖ୍ୟମନ୍ତ୍ରୀଙ୍କ ପୁସ୍ତକ ପ୍ରେମକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ କରିଦେଇଛନ୍ତି ବିରୋଧୀ । ବୁକ୍ ଷ୍ଟୋରକୁ ଗଲେ ନିଜେ ମୁଖ୍ଯମନ୍ତ୍ରୀ। ସେଠାରୁ ଦୁଇଟି ବହି କିଣିବା ସହ ବିଲ ନିଜେ ପଇଠ କଲେ। ଗତ ରାତିରେ ମୁଖ୍ଯମନ୍ତ୍ରୀ ଓ ଭି କେ ପାଣ୍ଡିଆନ ମାଷ୍ଟର କ୍ଯାଣ୍ଟିନ ଛକକୁ ଯାଇ ସେଠାରେ ଥିବା ମଡର୍ଣ୍ଣ ବୁକ୍ ଡିପୋ ଭିତରେ ପ୍ରବେଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଦୋକାନୀ ଓ ଦୋକାନର ସବୁ କର୍ମଚାରୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିବା ବେଳେ ମୁଖ୍ଯମନ୍ତ୍ରୀ ସିଧା ବୁକ୍ ସେଲଫ୍ ଆଡକୁ ଆଗେଇ ଯାଇଥିଲେ। ଦୁଇଟି ବହି ଉଠାଇଥିଲେ ଓ ତାର ବିଲ ନିଜେ ୫୦୦ ଟଙ୍କିଆ ନୋଟରେ ଦେଇଥିଲେ। ମୁଖ୍ଯମନ୍ତ୍ରୀଙ୍କ ଏହି ବହି କିଣିବା ସମୟରେ ରାଜ୍ୟର ବହୁ ଟିଭି ଚ୍ୟାନେଲ ମଧ୍ୟ ସେଠାରେ ଉପସ୍ଥିତ ରହି ଖବର ସଂଗ୍ରହ କରିଥିଲେ। ମୁଖ୍ଯମନ୍ତ୍ରୀ କିଣିଥିବା ଗୋଟିଏ ବହି ‘ସିକ୍ରେଟ୍ସ ଅଫ ସିମିଳିପାଳ’ ଏକ ଭଲ ବହି ବୋଲି କହିଛନ୍ତି ନବୀନ। ଏଥିସହ ନିର୍ବାଚନ ପ୍ରଚାର ପରେ ସାମାନ୍ୟ ବିରାମ ପାଇଁ ବହି କିଣିଥିବା କହିଛନ୍ତି ନବୀନ।

ସେପଟେ ମୁଖ୍ଯମନ୍ତ୍ରୀ ନିଜେ ଆସି ଦୋକାନରୁ ବହି କିଣିଥିବାକୁ ନେଇ ବେଶ ଖୁସି ଥିବା ସହ ଗର୍ବ ଅନୁଭବ କରିଛନ୍ତି ଦୋକାନର ମାଲିକ।

ମୁଖ୍ଯମନ୍ତ୍ରୀ କିଣିଥିବା ‘ସିକ୍ରେଟ୍ସ ଅଫ ସିମିଳିପାଳ’ କୁ ନେଇ ଏବେ ଚର୍ଚ୍ଚା। ଏହି ବହିଟି ୨୦୨୧ରେ ବହିର ରଚୟିତା ଦେବବ୍ରତ ସ୍ବାଇଁ ନିଜେ ନବୀନଙ୍କୁ ଭେଟି ଦେଇଥିଲେ। ଏହା ପରେ ପୁଣି ମୁଖ୍ଯମନ୍ତ୍ରୀ ସେହି ବହି କିଣିବା ଓ ଆଇ ଲାଇକ୍ ଦିସ ‘ସିକ୍ରେଟ୍ସ ଅଫ ସିମିଳିପାଳ’ କହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏମିତି ନିଜେ ଦୋକାନକୁ ଯିବା ଓ ବହି କିଣିବା ପଛରେ ପ୍ରଧାନମନ୍ତ୍ରୀ ତଥା ବିରୋଧୀ ନେତାଙ୍କ ଦ୍ବାରା ବାରମ୍ବାର ତାଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠାଯିବାକୁ ପ୍ରତିହତ କରିବାକୁ ଏପରି କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି, ନବୀନଙ୍କର ଆଉ ଏକ ଛୋଟ ଭିଡିଓ ମଧ୍ୟ ବିଜେଡି ପକ୍ଷରୁ ଛଡା ଯାଇଛି। ଯେଉଁଥିରେ ସେ ଲୁଙ୍ଗି ଓ ଧଳା ଗଞ୍ଜି ପିନ୍ଧି ଏକ ଓଡିଆ ଚ୍ୟାନେଲ୍ ରେ ତାଙ୍କ ବହି କିଣିବାର ଖବର ଦେଖୁଛନ୍ତି । ଏହି ଭିଡିଓକୁ ନେଇ କୁହାଯାଉଛି କି ଦୁଇ ଦିନ ତଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ANI କୁ ସାକ୍ଷାତକାର ଦେଇ ନବୀନଙ୍କ ଟିଭିରେ ଓଡିଆ ଚ୍ୟାନେଲ ନ ଥିବା କଥା କହିଥିଲେ। ତେବେ, କିଛି ଦିନ ହେବ ମୁଖ୍ଯମନ୍ତ୍ରୀ ପ୍ରେସ ବିଜ୍ଞପ୍ତି ଜାରି କରି ନିଜ ସ୍ବାସ୍ଥ୍ୟ ବିଷୟରେ ସ୍ପଷ୍ଟିକରଣ ଦେବା, ହସ୍ପିଟାଲ ଯିବା ଏବଂ ବହି କିଣିବା ପରି ଦୃଶ୍ୟକୁ ଦେଖି ବିଶେଷଜ୍ଞ କହୁଛନ୍ତି, ଯାହା ୨୪ ବର୍ଷରେ କେବେ ଦେଖିବାକୁ ମିଳି ନ ଥିଲା, ୨୦୨୪ ନିର୍ବାଚନ ଯୋଗୁ ତାହା ସମ୍ଭବ ହୋଇଛି । ତେବେ, ସେ ଯାହା ହେଉନା କାହିଁକି, ମୁଖ୍ଯମନ୍ତ୍ରୀଙ୍କ ବହି କିଣାକୁ ନେଇ ବିଭିନ୍ନ ବର୍ଗ ପକ୍ଷରୁ ଭିନ୍ନ ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *