୧୪ରୁ ରାଜ୍ୟର ତାପମାତ୍ରାରେ ୨-୩ ଡିଗ୍ରି ବୃଦ୍ଧି ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ବାଙ୍ଗଲାଦେଶ ମୁହାଁ ହୋଇଥିଲେ ବି ଏହାର ପ୍ରଭାବରେ ଶୁକ୍ରବାର ଓ ଶନିବାର ରାଜ୍ୟର ବହୁ ସ୍ଥାନରେ ମେଘୁଆ ପାଗ ରହିଛି। ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ୧୪ ତାରିଖରୁ ତାପମାତ୍ରାରେ ୨ରୁ ୪ ଡିଗ୍ରି ବୃଦ୍ଧି ପାଇବା ନେଇ ଅନୁମାନ ଲଗାଇଛି ଭୁବନେଶ୍ୱର ପାଣିପାଗ ବିଭାଗ।

ରାଜ୍ୟରେ ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୧.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୧.୨ଡିଗ୍ରି, ବୌଦ୍ଧରେ ୪୦.୬ ଡିଗ୍ରି, ରାଉରକେଲାରେ ୪୦.୪ ଡିଗ୍ରି ଓ ବଲାଙ୍ଗୀରରେ ୪୦ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ମେଘୁଆ ପାଗ ଯୋଗୁଁ ଆଜି ଭୁବନେଶ୍ବରର ସର୍ବୋ‌ଚ୍ଚ ତାପମାତ୍ରା ୩୭.୨ ଡିଗ୍ରି ଓ କଟକରେ ୩୭ଡିଗ୍ରି ରେକର୍ଡ ହୋଇଛି। କିନ୍ତୁ ପ୍ରବଳ ଗୁଳୁଗୁଳି ଉପକୂଳବାସୀଙ୍କୁ ହନ୍ତସନ୍ତ କରିଥିଲା। ଶନିବାର ଦିନ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ରହିବ।

ଶୁକ୍ରବାର ରାଜ୍ୟର ମୋଟାମୋଟି ତାପମାତ୍ରା କମିବା ସହ ସୂର୍ଯ୍ୟତାପରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ବାତ୍ୟା ପ୍ରଭାବ ଓଡିଶାକୁ ରହିବ ନାହିଁ। ତେବେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗର, କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କ ପ୍ରବେଶ ନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ସେପଟେ, ବିଭାଗ ସୂଚନା ମୁତାବକ, ରାଜ୍ୟରେ ୧୪ ତାରଖରୁ ତାପମାତ୍ରା ୨-୩ ଡିଗ୍ରି ବୃଦ୍ଧି ପାଇବ। ୧୫ ତାରିଖରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀ‌ଷ୍ମ ପ୍ରବାହ ଅନୁଭୂତ ହେବ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା କିଛି କିଛି ସ୍ଥାନରେ ୪୫ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ୧୫ ତାରିଖରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଉତ୍କଟ ହେବାର ସମ୍ଭାବନା ଥିବାରୁ ଏହି ୪ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୬ ତାରିଖ ଦିନ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜନିତ ୟେଲୋୱାର୍ଣ୍ଣିଂ ଜାରି କରାଯିବା ସହ ଏହି ଦୁଇ ଦିନ ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଖରାକୁ ନ ବାହାରିବାକୁ ତଥା ଅଧିକ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଚାଷ ଜମିରେ ଜଳସେଚନ ଜାରି ରଖିବା ଓ ବିଶେଷକରି ଆଖୁ, ମକା, ମୁଗ ଓ ଡାଲିଜାତୀୟ ଫସଲ ତଥା ପନିପରିବା ଓ ଫସଲକୁ ଜଳସେଚନ ଚାଲୁ ରଖିବାକୁ କୃଷକଙ୍କୁ ପରାମର୍ଶ ଦିଆଯାଇଛି।

ଇତିମଧ୍ୟରେ କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଥିବା ଭୀଷଣ ବାତ୍ୟା ‘ମୋକା’ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ପୋର୍ଟବ୍ଲେୟାରର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ୫୩୦ କିମି, ବାଂଲାଦେଶର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୯୫୦ କିମି ଓ ମିଆଁମାର୍‌ର ଦକ୍ଷିଣ-ଦକ୍ଷିଣ ପଶ୍ଚିମରୁ ୮୭୦ କିମି ଦୂରରେ ରହିଛି। ଏହା ଧୀରେ ଧୀରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି।

ଆଜି ମୋକା ଉଗ୍ର ରୂପ ନେବା ସହ ବାତ୍ୟାର ଆଖି ଦୃଶ୍ୟମାନ ହୋଇଛି। ଏହି ସ୍ଥିତିରେ ୧୪ ତାରିଖ ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍ ଉପକୂଳ ଅତିକ୍ରମ କରିବ ବାତ୍ୟା ମୋକା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିମି ତଥା ସ୍ଥଳବିଶେଷରେ ପବନର ବେଗ ୧୭୫କିମି ଛୁଇଁବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *