ସୁପ୍ରିମକୋର୍ଟ ରାୟ ବିରୋଧରେ ସୋମବାର ରାସ୍ତାକୁ ଓହ୍ଲାଇବ ଶେହବାଜ ସରକାର

ପାକିସ୍ତାନରେ ଚାଲିଛି ହାଇ ଭୋଲ୍ଟେଜ ଡ୍ରାମା । ସରକାର, ବିରୋଧି ଆଉ ସୁପ୍ରିମକୋର୍ଟ ମଧ୍ୟରେ ଚାଲିଛି ବଳ କସାକସି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି । ତାଙ୍କୁ କୋର୍ଟ ଦ୍ବାରା ୨ ସପ୍ତାହର ଜାମିନ ଦିଆଯାଇଛି । ଅଲ କାଦିର ଟ୍ରଷ୍ଟ ମାମଲାରେ ତାଙ୍କୁ ଶେହବାଜ ସରକାରଙ୍କ ଦ୍ବାରା ଜବରଦସ୍ତି ଗିରଫ କରାଯାଇଥିଲା । ଆଉ ସୁପ୍ରିମକୋର୍ଟର ଏହି ନିଷ୍ପତ୍ତ ଉପରେ ରାଗିକି ଖପ୍ପା ଶେହବାଜ ସରକାର । ତେଣୁ, ଶାସକ ଦଳ ପକ୍ଷରୁ ସୁପ୍ରିମକୋର୍ଟର ରାୟ ବିରୋଧରେ ସୋମବାର ତୀବ୍ର ଆନ୍ଦୋଳନ କରାଯିବା ନେଇ ଘୋଷଣା କରାଯାଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପରବର୍ତ୍ତୀ ରଣନୀତି ସ୍ଥିର କରାଯାଇଛି । ଡେମୋକ୍ରାଟିକ ମୁଭମେଣ୍ଟର ପ୍ରମୁଖ ମୌଲାନା ଫଜଲୁର ରହମାନ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଆମେ ସହଜରେ ଗ୍ରହଣ କରିପାରୁ ନାହୁଁ । ତେଣୁ, ଏହାର ତୀବ୍ର ବିରୋଧ କରାଯିବ । ଏହି ବିରୋଧ ପାଇଁ ସମଗ୍ର ଦେଶବାସୀଙ୍କୁ ଇସଲାମବାଦ ଅଭିମୁଖେ ଆସିବାକୁ ଆହ୍ବାନ କରାଯାଇଛି । ସୋମବାର ଦିନ ସୁପ୍ରିମକୋର୍ଟ ଆଗରେ ତିବ୍ର ବିରୋଧ କରାଯିବ ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁକ୍ରବାର ସକାଳେ ଇସଲାମବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ସେଠାରେ ଦୀର୍ଘ ସମୟ ଶୁଣାଣି ପରେ ତାଙ୍କୁ ଜାମିନ ମିଳିଥିଲା । ତାଙ୍କୁ ଦୁଇ ସପ୍ତାହର ଜାମିନ ଦିଆଯାଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଅନ୍ୟ କୌଣସି ମାମଲାରେ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

Leave a Reply

Your email address will not be published. Required fields are marked *