ଆଦର୍ଶ କଲୋନୀ ପାଇଁ ନବୀନଙ୍କ ପ୍ୟାକେଜ ଘୋଷଣା

କେନ୍ଦ୍ରାପଡ଼ା ସାତଭାୟା ବଗପାଟିଆ ଥଇଥାନ କଲୋନୀ ଏବେ ଆଦର୍ଶ କଲୋନୀ ହେବ । 5T ସଚିବ ଭି.କେ.ପାଣ୍ଡିଆନଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ୨୨ କୋଟି ୫୦ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ୨୭ ଓ ୨୮ ଦୁଇ ଦିନ ଧରି 5T ସଚିବ ଭି.କେ.ପାଣ୍ଡିଆନ କେନ୍ଦ୍ରପଡ଼ା ଗସ୍ତ କରିଥିଲେ । ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରି ବିସ୍ଥାପିତଙ୍କୁ ଭେଟିଥିଲେ 5T ସଚିବ । ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୨୨ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍ ମଞ୍ଜୁର କରିଛନ୍ତି ନବୀନ । ଏହି ଅର୍ଥରେ ସେ ଅଞ୍ଚଳରେ ବନ୍ଧବାଡ଼ର ସୁଦୃଢ଼ୀକରଣ ସହିତ ହିତାଧିକାରୀଙ୍କ ବାସଗୃହ,ଜୀବିକା କାର୍ଯ୍ୟକ୍ରମ,ରାସ୍ତା,ପିଇବା ପାଣି,ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ । ଏହା ସହିତ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇ ଦିଆଯିବ ।

ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯିବ । ଏଥିସହ ଲାଇଟ୍ ଆଣ୍ଡ ସାଉଣ୍ଡର ବ୍ୟବସ୍ଥା କରାଯାଇ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟକ ସ୍ଥାନ ଭାବେ ବିକଶିତ କରିବା ପାଇଁ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାତଭାୟା ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯାଇଥିଲା । କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆରେ ଥଇଥାନ କରାଯାଉଛି । ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏହା ଦେଶର ପ୍ରଥମ କଲୋନୀ ହେବ ।

Leave a Reply

Your email address will not be published. Required fields are marked *