Blog

  • ଆଜିଠାରୁ ଦିଲ୍ଲୀରେ ମାଗଣା ବିଜୁଳି ସେବା ବନ୍ଦ, AAPର ପରବର୍ତ୍ତୀ ତାଲିକା କ’ଣ ?

    ଆଜିଠାରୁ ଦିଲ୍ଲୀରେ ମାଗଣା ବିଜୁଳି ସେବା ବନ୍ଦ, AAPର ପରବର୍ତ୍ତୀ ତାଲିକା କ’ଣ ?

    ଆମ୍ ଆଦମୀ ପାର୍ଟି AAPର ଖେଳ ଖତମ୍ । ଆଜ୍ଞା, ଏଣିକି ଆଉ ମାଗଣା ବିଜୁଳି ମିଳିବନି । ଆପଣଙ୍କୁ ୟୁନିଟ୍ ଅନୁସାରେ ବିଲ୍ ପୈଠ କରିବାକୁ ପଡ଼ିବ । AAPର ମାଗଣା ଯୁଗ ଶେଷ ! ଆରମ୍ଭ ହେଲା ଆପ୍ ସରକାରଙ୍କ ଅସଲି ଗେମ୍ ! ଆଜିଠାରୁ ରାଜଧାନୀରେ ମାଗଣା ବିଜୁଳି ସେବା ବନ୍ଦ । ଏଭଳି ଘୋଷଣା କରିଛନ୍ତି ଶକ୍ତିମନ୍ତ୍ରୀ ଅତିଶି । ଘଟଣାକୁ ନେଇ ପୁଣି ଥରେ ତୁତୁ ମେଁ ମେଁ ହୋଇଛନ୍ତି ଦିଲ୍ଲୀ ସରକାର ଓ LG ଭି.କେ.ସକ୍ସେନା ।

    ଆପ୍ ସରକାର ଦୀର୍ଘଦିନ ହେଲା ୪୬ ଲକ୍ଷ ରାଜଧାନୀବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଆସୁଥିଲା । ଆସନ୍ତାବର୍ଷ ମଧ୍ୟ ଏହାକୁ ଚାଲୁ ରଖିବା ପାଇଁ ବଜେଟ୍ ଆଣିଛି । ମାତ୍ର ଆପ୍ ରାସ୍ତାରେ କଣ୍ଟା ସାଜିଛନ୍ତି ଏଲଜି ଭି.କେ.ସକ୍ସେନା । ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ସେ ଅଣଦେଖା କରୁଛନ୍ତି । ଏହା ଆଗକୁ ବଢ଼ାଇବା ପାଇଁ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି ବିଭାଗୀୟ ମନ୍ତ୍ରୀ ।

    ସେପଟେ ଅଭିଯୋଗ ଖଣ୍ଡନ କରିବା ସହ ଆପ୍ ସରକାର ଉପରେ ବର୍ଷିଛନ୍ତି ଏଲଜି । ଅତିଶି ମ୍ୟାଡମ୍ ମୂଲ୍ୟହୀନ ରାଜନୀତି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମାଗଣା ବିଜୁଳି ଯୋଗାଇବା କାମ ଆପ୍ ସରକାରଙ୍କ । ଏହାର ଡେଡଲାଇନ୍ ଏପ୍ରିଲ୍ ୧୫ ଯାଏ ରହିଛି । ସବୁ ଫାଇଲ୍ ଏଯାଏ କାହିଁକି ପେଣ୍ଡିଂ ରଖିଥିଲେ ଆପ୍ ସରକାର । ଗତ ୧୧ ତାରିଖରେ ତାଙ୍କ ନିକଟକୁ ଫାଇଲ୍ ଆସିଛି । ଭୁଲ୍ କରି ଅନ୍ୟ ଉପରେ ବର୍ଷିବା ଦିଲ୍ଲୀ ସରକାରଙ୍କ ଅଭ୍ୟାସଗତ ରୋଗ ବୋଲି କଡ଼ା ସମାଲୋଚନା କରିଛନ୍ତି ଭି.କେ.ସକ୍ସେନା ।

    ଶକ୍ତିମନ୍ତ୍ରୀ ମିଥ୍ୟା ଅଭିଯୋଗ କରୁଛନ୍ତି, ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ମିଥ୍ୟା ପ୍ରଚାର କରି ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ୧୩ ତାରିଖରେ ଚିଠି ଲେଖି ଅନୁରୋଧ କରିବା, ଆଉ ଆଜି ଅର୍ଥାତ୍ ୧୪ ତାରିଖରେ ପ୍ରେସମିଟ୍ କରି ଅନ୍ୟକୁ ଦୋଷାରୋପ କରିବା, ଏଭଳି ଡ୍ରାମା କରିବାର ମାନେ କ’ଣ ବୋଲି ଆପ୍ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଏଲଜି । ଭି.କେ.ସକ୍ସେନାଙ୍କ ସହ ବିଜୁଳି ସବସିଡି ନେଇ କୁଆଡ଼େ ୫ ମିନିଟ୍ ଆଲୋଚନା ପାଇଁ ଅନୁରୋଧ କରିଥିଲେ ଶକ୍ତିମନ୍ତ୍ରୀ । ୨୪ ଘଣ୍ଟା ପରେ ବି କୌଣସି ରେସପନ୍ସ ମିଳିଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

    ଦୀର୍ଘଦିନ ହେଲା ଆପ୍ ସରକାର ମାଗଣା ପାଣି ଓ ବିଜୁଳି ଯୋଗାଇ ଆସୁଥିଲା । ରାଜଧାନୀବାସୀଙ୍କୁ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦେଉଥିଲା ଆପ୍ ସରକାର । ଗତବର୍ଷ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିୟମରେ ପରିବର୍ତ୍ତନ କରିଥିଲେ । ଆବେଦନ କରିଥିବା ଗ୍ରାହକ ମାଗଣା ବିଜୁଳି ପାଇବେ ବୋଲି କହିଥିଲେ କେଜ୍ରିୱାଲ । ଏବେ ଶେଷରେ ଆପ୍ ଗେମ୍ ସରିଛି । ଏଣିକି ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ମିଳିବ ନାହିଁ । ଦିଲ୍ଲୀବାସୀଙ୍କୁ ମନାଇବା ପାଇଁ ଆପ୍ ସରକାର ଆଉ କି ଏଜେଣ୍ଡା ବାହାର କରିବେ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

  • ପିତାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ କରିବାକୁ ଅସଦ କରିଥିଲା ମସୁଧା

    ପିତାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ କରିବାକୁ ଅସଦ କରିଥିଲା ମସୁଧା

     ୟୁପିର ବାହୁବଳୀ ନେତା ଆତିକ ଅହମଦଙ୍କ ପୁଅ ଅସଦ ଓ ତାର ସହଯୋଗୀ ଗୁଲାମକୁ ଗତକାଲି ଝାନ୍ସିରେ ୟୁପି ପୋଲିସ ଏନକାଉଣ୍ଟରରେ ସଫା କରିଦେଇଛି। ଏହା ପରେ ଅସଦକୁ ନେଇ ନୂଆନୂଆ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି। ସୂତ୍ରରୁ ଖବର ମିଳିଛି କି, ଗତକାଲି ଅତିକକୁ ନେଇ ଯାଉଥିବା ପୋଲିସ ଗାଡି ଉପରେ ଆକ୍ରମଣ କରିବାକୁ ମସୁଧା କରିଥିଲା ମୃତକ। ତେବେ ପିତା ଆତିକକୁ ମୁକୁଳାଇବା ପାଇଁ ନୁହେଁ ବରଂ, ଏପରି ଆକ୍ରମଣ କରି ସେ ଉତ୍ତର ପ୍ରଦେଶ ସରକାରକୁ ଅପଦସ୍ତ କରିବାକୁ ଚାହିଁଥିବା କହିଛନ୍ତି।

    ପୋଲିସ ଆତିକକୁ ନେଇ ଯାଉଥିବା ଗାଡି ଉପରେ କିଛି ରାଉଣ୍ଡ ଗୁଳି ଚଳାଇ ଅସିଦ ଓ ତାର ସହଯୋଗୀ ଆତିକର ସୁରକ୍ଷାକୁ ନେଇ ସରକାର ଉପରେ ପ୍ରଶ୍ନ ଉଠାଇବାକୁ ଚାହିଁଥିଲେ। ଫଳରେ ସାବରମତି ଜେଲରୁ ପ୍ରୟାଗରାଜ ସ୍ଥାନାନ୍ତର ଉପରେ ପ୍ରତିବନ୍ଧକ ଲାଗିଥାନ୍ତା। ସେପଟେ, ଉମେଶ ପାଲର ହତ୍ୟା ପରେ ଅସଦ ଫେରାର ଥିବା ବେଳେ ଅତିକ ଓ ତାର ଭାଇ ଅଶରଫକୁ ଅସଦର ସୁରକ୍ଷା ଚିନ୍ତା ଘାରିଥିଲା। ତେଣୁ ଆତିକ ତାର ସହଯୋଗୀ ତଥା ପରିଚିତଙ୍କୁ ଅସଦର ସୁରକ୍ଷା ଭିକ୍ଷା କରିଥିଲା।

    ଉମେଶ ପାଲ ହତ୍ୟା ଘଟଣା ପରେ ଅସଦକୁ ଧରିବାକୁ ପୋଲିସ ପୁରସ୍କାର ଘୋଷଣା କରିଥିଲା। ଏହି ହତ୍ୟା ଘଟଣାରେ ପୂର୍ବରୁ ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟରରେ ମରାଯିବା ପରେ ଆତିକ ଆଖିରୁ ଲିଭି ଯାଇଥିଲା ନିଦ। ୟୁପି ପୋଲିସ ଯେଉଁଠି ଦେଖିବ ତାର ପୁଅକୁ ମାରିଦେବ, ଏହି ଆଶଙ୍କା ଥିଲା ଆତିକକୁ, ଯାହା ଶେଷରେ ସତ ହୋଇଛି।

    ଅସଦକୁ ନେଇ ଆଉ ଏକ ତଥ୍ୟ ପୋଲିସକୁ ହସ୍ତଗତ ହୋଇଛି। ଉମେଶ ପାଲ ହତ୍ୟାକୁ ନେଇ ଅସଦ ତାର ଦାଦା ବା ଆତିକର ଭାଇ ସହ ଫେବୃଆରୀ 11ରେ ଅସଦ ଦାଦା ଅଶରଫ ସହ 2 ଘଣ୍ଟା ଧରି ଆଲୋଚନା କରିଥିଲା। ଏହି ଦିନ ଆତିକ ଓ ଅଶରଫକୁ ପ୍ରୟାଗରାଜ କୋର୍ଟ 2006 ଉମେଶ ପାଲ ଅପହରଣ ଘଟଣାରେ ଦୁଇ ଭାଇଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ। ଉଭୟ ଅସଦ ଓ ଅଶରଫ ମଧ୍ୟରେ ହୋଇଥିବା ସାକ୍ଷାତକାର ପାଇଁ ଜେଲ କର୍ତ୍ତୃପକ୍ଷ ମଧ୍ୟ ବ୍ୟବସ୍ଥା କରିଥିଲେ ଓ ଯେଉଁଠି ସିସିଟିଭି କ୍ୟାମେରା ନଥିଲା, ସେଠାରେ ଦୀର୍ଘ ଆଲୋଚନା  କରାଯାଇ ଉମେଶ ପାଳଙ୍କୁ 25 ଫେବୃଆରୀରେ ହତ୍ୟା କରାଯାଇଥିଲା।  

  • ହାଇଦ୍ରାବାଦରେ ଦେଶର ସବୁଠାରୁ ଉଚ୍ଚ ମୂର୍ତ୍ତି ଉନ୍ମୋଚିତ

    ହାଇଦ୍ରାବାଦରେ ଦେଶର ସବୁଠାରୁ ଉଚ୍ଚ ମୂର୍ତ୍ତି ଉନ୍ମୋଚିତ

    ଭାରତର ସମ୍ୱିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ 132 ତମ ଜୟନ୍ତୀ ଅବସରରେ ହାଇଦ୍ରାବାଦରେ ଏକ ପ୍ରତିମୂର୍ତ୍ତିର ଉନ୍ମୋଚନ କରାଯାଇଛି। 125 ଫୁଟ ଉଚ୍ଚର ବ୍ରୋଞ୍ଚ ମୂର୍ତ୍ତିକୁ ତେଲେଙ୍ଗାନା ମୁଖ୍ୟମନ୍ତୀ କେ ଚନ୍ଦ୍ରଶେଖର ରାଓ ଅନାବରଣ କରିଛନ୍ତି। ଭାରତରେ ଆମ୍ବେଦକରଙ୍କ ଯେତେସବୁ ମୂର୍ତ୍ତି ରହିଛି, ଏହା ସବୁଠାରୁ ଉଚ୍ଚ।

    ହାଇଦ୍ରାବାଦର ପ୍ରସିଦ୍ଧ ହୁସେନ ସାଗର ହ୍ରଦ ନିକଟରେ ଅବସ୍ଥିତ ରାଜ୍ୟ ସଚିବାଳୟ କଡରେ ବାବା ସାହେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି।  ଏହି ଅବସରରେ ହେଲିକପ୍ଟରରୁ ଆକାଶ ମାର୍ଗରୁ ମୂର୍ତ୍ତି ଉପରେ ପୁଷ୍ପ ବୃଷ୍ଟି କରାଯାଇଥିଲା। ଉନ୍ମୋଚନୀ ଉତ୍ସବକୁ ଲୋକଙ୍କ ପରିବହନ ପାଇଁ 750ରୁ ଅଧିକ ବସର ଚଳପ୍ରଚଳ କରାଯାଇଥିଲା। ଉତ୍ସବକୁ ବାବା ସାହେବଙ୍କ ନାତିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ରାଜ୍ୟ ସରକାର।  

    ଏହି ଉନ୍ମୋଚନ ଉତ୍ସବକୁ 35000 ଜନତାଙ୍କ ସମାଗମ ହୋଇଥିବା ବେଳେ 2 ଲକ୍ଷ ମିଷ୍ଟାନ୍ନ ପ୍ୟାକେଟ, 1.50 ଲକ୍ଷ ଘୋଳଦହି ପ୍ୟାକେଟ  ଓ 1.50 ଲକ୍ଷ ପାଣି ପ୍ୟାକେଟର ବ୍ୟବସ୍ଥା କରାଯାଇଥିଲା।

  • ଦାନ୍ତ ଉଠିବାକୁ ଅଶୁଭ ମାନନ୍ତି ହୋ’ ସମ୍ପ୍ରଦାୟ

    ଦାନ୍ତ ଉଠିବାକୁ ଅଶୁଭ ମାନନ୍ତି ହୋ’ ସମ୍ପ୍ରଦାୟ

    ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସକୁ ମୂଳ ପୋଛ କରିପାରୁ ନାହିଁ ମଣିଷ। ଏହି ଅନ୍ଧ ବିଶ୍ୱାସରେ ଏମିତି କିଛି କରାଯାଉଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ। ହୋ ସମ୍ପ୍ରଦାୟରେ ଆଜି ବି ଦେଖିବାକୁ ମିଳୁଛି। ଏହି ସମ୍ପ୍ରଦାୟରେ ଯେତେବେଳେ ଛୋଟ ପିଲାଙ୍କର ପ୍ରଥମେ ଉପର ମାଢିରେ ଦାନ୍ତ ଉଠିଥାଏ, ଏହାକୁ ଅଶୁଭ ଧରାଯାଇଥାଏ। ତେଣୁ ଏହି ଅଶୁଭତ୍ୱକୁ ଖଣ୍ଡନ ପାଇଁ ଆପଣାଇଥାନ୍ତି ଅଦ୍ଭୂତ କାର୍ଯ୍ୟାନୁଷ୍ଠାନ। ନିଜ ପିଲାଙ୍କୁ ସାହାଡା ଗଛ ବା କୁକୁର ସହ କରିଥାନ୍ତି ବାହାଘର। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। 2 ଜଣ ପିଲାଙ୍କ ବାହାଘର କୁକୁର ସହ କରାଯାଇଛି।

    ସୂଚନା ଅନୁଯା଼ୟୀ, ସୋର ବ୍ଲକ ଅଧୀନ ସିଙ୍ଗାଖୁଣ୍ଟା ପଞ୍ଚାୟତର ବନ୍ଧସାହୁ ଗାଁର ଦୁଇ ଶିଶୁଙ୍କର ଆଗେ ଉପର ମାଢିରେ ଦାନ୍ତ ଉଠିଥିଲା। ଏହା ଗାଁକୁ ବିପଦ ବୋଲି ଲୋକଙ୍କ ଭିତରେ ଭାଳେଣି ପଡିଗଲା ଓ ଏହି ଅଶୁଭତ୍ୱକୁ ଖଣ୍ଡନ କରିବାକୁ ଦୁଇଟି କୁକୁର ଯୋଗାଡ କରାଗଲା, ଗୋଟିଏ ଥିଲା ମାଈ କୁକୁର ଓ ଅନ୍ୟଟି ଅଣ୍ଡିରା। ପୁଅକୁ ମାଈ କୁକୁର ସହ ଓ ଝିଅଟିକୁ ଅଣ୍ଡିରା କୁକୁର ସହ ବାହା କରାଯାଇଥିଲା।  ବାହାଘର ପାଇଁ ସକାଳୁ ସକାଳୁ ଉଭୟ ପରିବାରରେ 7ଟି ପରିବାରରୁ ଆସି ପହଞ୍ଚିଥିଲା ହଳଦୀ,ସୋରିଷ ତେଲ, ବାଡୁଅ ପାଣି।

    ଏହା ପରେ ଦୁଇ ପିଲାଙ୍କୁ ନେଇ ଗାଁର ଚାରି ଛକ ନିକଟକୁ ବାହାରିଥିଲା ଶୋଭାଯାତ୍ରା। ସେଠାରେ ପୂଜା ପାଠ କରାଯାଇ ବାଡୁଅ ପାଣି ଗାଧୁଆ ହୋଇଥିଲା। ଯେମିତି ବାହାଘର ହୁଏ ସେମିତି ମାଈ କୁକୁର ଓ ଝିଅ ମଥାରେ ସିନ୍ଦୁର ଦିଆଯାଇଥିଲା। ବାହାଘର ସରିବା ପରେ ସମସ୍ତେ ଫେରିଥିଲେ ଘରକୁ ଓ ଭୋଜି ଖାଇ ନାଚଗୀତରେ ମସଗୁଲ ହୋଇଥିଲେ ସମସ୍ତେ।     

  • ଡକ୍ଟର B.R.ଆମ୍ବେଦକରଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲା ସାରା ଦେଶ

    ଡକ୍ଟର B.R.ଆମ୍ବେଦକରଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲା ସାରା ଦେଶ

    ଆଜି ଆମ୍ବେଦକର ଜୟନ୍ତୀ । ସାରା ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବିଭିନ୍ନ ସ୍ଥାନରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।

    ଡକ୍ଟର ବି.ଆର୍.ଆମ୍ବେଦକର । ୧୪ ଏପ୍ରିଲ ୧୮୯୧ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ସାରା ଜୀବନ ସମତା ନିମନ୍ତେ ଲଢ଼ିଥିବାରୁ ତାଙ୍କ ଜନ୍ମଦିନକୁ ସମତା ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଏହାକୁ ଏବେ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରିବା ପାଇଁ ମିଳିତ ଜାତିସଂଘରେ ଦାବି ହେଉଛି ।

    ଆମ୍ବେଦକର ଏକାଧାରରେ ଜଣେ ଅର୍ଥନୀତିଜ୍ଞ, ସମାଜସେବୀ,ରାଜନୀତିଜ୍ଞ ଥିଲେ । ସେ ଦେଶର ସମ୍ବିଧାନ ପ୍ରଣେତା ଭାବେ ବେଶ୍ ଜଣାଶୁଣା । ଯେଉଁ ସମ୍ବିଧାନକୁ ଆମେ ମାନୁଛେ ତାର ସୃଷ୍ଟିକର୍ତ୍ତା ଏହି ମହାନ୍ ବ୍ୟକ୍ତି । ଭାରତ ଅଗଷ୍ଟ ୧୫, ୧୯୪୭ରେ ସ୍ୱାଧୀନତା ପାଇଥିଲା ସତ କିନ୍ତୁ ଦେଶ କିପରି ପରିଚାଳିତ ହେବ ସେ ନେଇ କୌଣସି ନିୟମକାନୁନ ନଥିଲା । ଭାରତ ସ୍ୱାଧୀନତା ପାଇବା ପରେ ସମ୍ବିଧାନ ପ୍ରସ୍ତୁତ ପାଇଁ ଏକ ଡ୍ରାଫ୍ଟିଂ କମିଟି ଗଠନ ହୋଇଥିଲା । ଆମ୍ବେଦକର ଏହି କମିଟିର ଅଧ୍ୟକ୍ଷ ଥିଲେ । ତାଙ୍କ ନେତୃତ୍ୱରେ ଏହି ଟିମ୍ ସମ୍ବିଧାନ ପ୍ରସ୍ତୁତ କରିଥିଲେ । ୧୯୪୯, ନଭେମ୍ବର ୨୬ ସୁଦ୍ଧା ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ୧୯୫୦ ଜାନୁଆରୀ ୨୬ରୁ ନୂଆ ସମ୍ବିଧାନ ଅନୁସାରେ ଦେଶ ଶାସିତ ହେଲା ଯାହାର ସୃଷ୍ଟିକର୍ତ୍ତା ଥିଲେ ଡକ୍ଚର ଆମ୍ବେଦକର ।

    ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ସାରା ଦେଶରେ ଆଜି ଡକ୍ଟର B.R.ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।

  • ନାବାଳକଙ୍କୁ ବେଲ୍ଟରେ ପିଟିଲେ ଯୁବକ

    ନାବାଳକଙ୍କୁ ବେଲ୍ଟରେ ପିଟିଲେ ଯୁବକ

    କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଅମାନୁଷିକ ଦୃଶ୍ୟ । କଣ୍ଟିଆପଡ଼ା ଗାଁରେ ଥିବା ଗାଡ଼ିଆରେ ଗାଧୋଉଥିବା ବେଳେ ପିଲାଙ୍କୁ ଗୋଡ଼ ତଳେ ପକାଇ ବେଲ୍ଟରେ ମାଡ଼ ସହ ଗୋଇଠା ମାରିଲେ କିଛି ଯୁବକ ।

    ହିତାହିତ ଜ୍ଞାନକୁ ଭୁଲିଗଲେ ଯୁବକମାନେ । ନାବାଳକମାନଙ୍କୁ ଗୋଡ଼ ତଳେ ପକାଇ ବେଲ୍ଟରେ ମାଡ଼ ମାରିବା ସହ ଅମାନୁଷିକ ଭାବେ ଗୋଇଠା ମାରିଛନ୍ତି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

    ସୂଚନା ଅନୁଯାୟୀ,କିଛିଦିନ ହେଲା ତାପମାତ୍ରା ବୃଦ୍ଧି ଯୋଗୁଁ ଅସହ୍ୟ ଗୁଳୁଗୁଳି ହେଉଛି । ଗରମରୁ ରକ୍ଷା ପାଇବା ପାଇଁ କଣ୍ଟିଆପଡ଼ା ଗାଁର ଛୋଟଛୋଟ ପିଲା ଏକ ଗାଡ଼ିଆରେ ଗାଧୋଇଥାନ୍ତି । ତେବେ କାହିଁକି ସେମାନେ କାଦୁଅରେ ଗାଧୋଉଛନ୍ତି ବୋଲି କିଛି ଯୁବକ ତାଗିଦ କରିଥିଲେ । ଏଥିସହ ତାଙ୍କୁ ଗୋଡ଼ ତଳେ ପକାଇ ବେଲ୍ଟରେ ମାଡ଼ ମାରୁଥିଲେ । ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

    ଏଭଳି ଏକ ସ୍ପର୍ଶକାତର ଘଟଣାରେ ଦର୍ଶକଙ୍କୁ ଆମେ ପ୍ରକୃତ ଭିଜୁଆଲ୍ ଦେଖେଇପାରୁନୁ ଯାହା ଆଇନ୍ ବିରୋଧୀ । ଦର୍ଶକବନ୍ଧୁ ଗାଡି଼ଆରେ ନାବାଳକ, ଛୋଟପିଲା ଗାଧୋଇବା କ’ଣ ଅନ୍ୟକୁ କ୍ଷତି ପହଞ୍ଚାଏ କି ? ପିଲାଙ୍କୁ ବୁଝାଇବା ଆବଶ୍ୟକ କିନ୍ତୁ ଶାରୀରିକ ନିର୍ଯାତନା ଦେବା ଏବଂ ଏହାର ଭିଡିଓ ଭାଇରାଲ୍ କରିବା ନିହାତି ଅମାନୁଷିକ କାର୍ଯ୍ୟ । ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ସେଥିପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ । …

  • ଖରା ପାଇଁ ଓୟୁଏଟି ପକ୍ଷରୁ ଆଡଭାଇଜରୀ ଜାରି

    ଖରା ପାଇଁ ଓୟୁଏଟି ପକ୍ଷରୁ ଆଡଭାଇଜରୀ ଜାରି

    ଗ୍ରୀଷ୍ମ ପ୍ରବାହରେ ରାଜ୍ୟ ରେକର୍ଡ କରିଛି। ରାଜ୍ୟର 5 ସହରର ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଛି। ଯାହାକୁ ନେଇ ଓୟୁଏଟି ପକ୍ଷରୁ ଚାଷୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚାଷୀଙ୍କୁ ଖରାକୁ ଏଡାଇବା ସହ ଗୃହପାଳିତ ପଶୁଙ୍କ ଉଚିତ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ଏଥିସହ, ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି।

    ରାଜ୍ୟରେ ମୁଣ୍ଡଫଟା ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡିଶା ୟୁନିଭର୍ସିଟି ଅଫ ଏଗ୍ରିକଲ୍ଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ପକ୍ଷରୁ ଚାଷୀଙ୍କ ଉଦ୍ଦେଶ୍ୟରେ ଏକ ଆଡଭାଇଜରୀ ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ଯେପରି ଫସଲ ନଷ୍ଟର କାରଣ ନ ହୁଏ ସେଥିପାଇଁ ଓୟୁଏଟି ଏକ ହେଲ୍ପ ଲାଇନ ନମ୍ବର ଜାରି କରିଛି। 13ରୁ 20 ତାରିଖ ପର୍ଯ୍ୟନ୍ତ ଦିନ 10ଟାରୁ 5ଟା ପର୍ଯ୍ୟନ୍ତ ଚାଷୀମାନେ 0674-2397933 ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ଖରା ଜନିତ ସମସ୍ୟା ସମ୍ପର୍କରେ ବୁଝିପାରିବେ ବୋଲି କୁଳପତି ପ୍ରଭାତ ରାଉତ କହିଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ଓୟୁଏଟିର ବୈଜ୍ଞାନିକମାନେ ସହଯୋଗ କରିବେ।

    ଏଥିସହ ଫସଲକୁ ଅଷ୍ଟପଦୀ ପୋକର ସଂକ୍ରମଣରୁ ରକ୍ଷା କରିବାକୁ୪୦୦ ମିଲି ପ୍ରୋପାରଜାଇଟ ୫୭ ଇସି କିମ୍ବା ୨୦୦ ମିଲି ସ୍ପାଇରୋମେସିଫେନ କୀଟନାଶକ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରିବା ପାଇଁ କୁହାଯାଇଛି। ଅତ୍ୟଧିକ ଟାଣଖରା ସମୟରେ କୃଷିକାର୍ଯ୍ୟ ଓ ବିକ୍ରିବଟା ସାମୟିକ ସ୍ଥଗିତ କରାଯିବା ପାଇଁ ଓୟୁଏଟି ପରାମର୍ଶ ଦେଇଛି।

  • ପାରିବାରିକ କଳିରୁ ଛୁରାମାଡ଼

    ପାରିବାରିକ କଳିରୁ ଛୁରାମାଡ଼

    କେନ୍ଦୁଝର ଯୋଡ଼ା ଥାନା ଅଧିନ ବିଲେଇପଦାରେ ପାରିବାରିକ ଗଣ୍ଡଗୋଳରୁ ଛୁରା ମାଡ଼ । ସମ୍ପର୍କୀୟ ଭାଇର ଛୁରା ମାଡ଼ରେ ଜଣେ ଗୁରୁତର ହୋଇଛି । ଗୁରୁତରଙ୍କ ନାଁ ଅମିତ କୁମାର ଲୋହାର ।

    ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଚମ୍ପୁଆ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ,ଅମିତ ଲୋହାର ଓ ତାଙ୍କ ପିଉସୀ ପୁଅ ଭାଇ ଗୌତମ ଲୋହାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

    ଆଜି କୌଣସି କାରଣକୁ ନେଇ ପୁତୁରା ସଞ୍ଜୀବ ଲୋହାରାଙ୍କ ସହ ଅମିତଙ୍କ ମାରପିଟ୍ ହୋଇଥିଲା । ଏହି ସମୟରେ ସଞ୍ଜୀବଙ୍କ ବାପା ଗୌତମ ଏକ ଛୁରୀରେ ଅମିତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅମିତଙ୍କ ଗୋଡ଼ ଏବଂ ଅଣ୍ଟାତଳ ଭାଗରେ ଗଭୀର କ୍ଷତ ଲାଗିଛି । ଏହି ଘଟଣାରେ ଅମିତଙ୍କ ସମ୍ପର୍କୀୟ ପୁତୁରା ସଞ୍ଜୀବ ଲୋହାର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଯୋଡ଼ା ପୋଲିସ ଘଟଣାର ଛାନଭିନ୍ କରୁଛି ।

  • ଆଜିଠୁ ଓଡ଼ିଆ ନବବର୍ଷ, ରାଜ୍ୟବାସୀଙ୍କୁ ଶୁଭେଚ୍ଛା

    ଆଜିଠୁ ଓଡ଼ିଆ ନବବର୍ଷ, ରାଜ୍ୟବାସୀଙ୍କୁ ଶୁଭେଚ୍ଛା

    ଆଜି ମହା ବିଷୁବ ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବେ ମଧ୍ୟ ପାଳନ କରାଯାଏ । ଆଜିର ଦିନକୁ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହୁଏ । ପ୍ରତିବର୍ଷ ଏପ୍ରିଲ ୧୪ରେ ଏହି ପର୍ବ ଆସିଥାଏ । ଏହା ହେଉଛି ଚଳିତବର୍ଷର ପ୍ରଥମ ସଂକ୍ରାନ୍ତି। ବର୍ଷର ପ୍ରଥମ ସଂକ୍ରାନ୍ତି ଏବଂ ପ୍ରଥମ ଦିନଟିକୁ ଅତି ଧୁମଧାମରେ ପାଳନ କରାଯାଏ । କ୍ଷୀର,ଦହି,ଗୁଡ଼,କଦଳୀ ଓ ନଡ଼ିଆକୁ ମିଶାଇ ପଣା ପ୍ରସ୍ତୁତ କରାଯାଏ । ଏହାକୁ ପ୍ରଥମେ ଦେବଦେବୀଙ୍କ ପାଖରେ ଭୋଗ ଲଗାଯାଏ । ଆଜିର ଦିନରେ ବେଲ ପଣା ମଧ୍ୟ ପ୍ରସ୍ତୁତ କରାଯାଏ ।

    ଆଜି ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହେଉଛି । ଶାସ୍ତ୍ର ଅନୁଯାୟୀ ମହାଦେବଙ୍କ ଏକାଦଶ ଅବତାର ହେଉଛନ୍ତି ହନୁମାନ । ଭକ୍ତଙ୍କ ସବୁ ସଙ୍କଟକୁ ସେ ଦୂର କରିଥାନ୍ତି । ସେପଟେ, ଓଡ଼ିଆ ନବବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ସେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡ଼ିଶା ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।