ଆଜିଠାରୁ ଦିଲ୍ଲୀରେ ମାଗଣା ବିଜୁଳି ସେବା ବନ୍ଦ, AAPର ପରବର୍ତ୍ତୀ ତାଲିକା କ’ଣ ?

ଆମ୍ ଆଦମୀ ପାର୍ଟି AAPର ଖେଳ ଖତମ୍ । ଆଜ୍ଞା, ଏଣିକି ଆଉ ମାଗଣା ବିଜୁଳି ମିଳିବନି । ଆପଣଙ୍କୁ ୟୁନିଟ୍ ଅନୁସାରେ ବିଲ୍ ପୈଠ କରିବାକୁ ପଡ଼ିବ । AAPର ମାଗଣା ଯୁଗ ଶେଷ ! ଆରମ୍ଭ ହେଲା ଆପ୍ ସରକାରଙ୍କ ଅସଲି ଗେମ୍ ! ଆଜିଠାରୁ ରାଜଧାନୀରେ ମାଗଣା ବିଜୁଳି ସେବା ବନ୍ଦ । ଏଭଳି ଘୋଷଣା କରିଛନ୍ତି ଶକ୍ତିମନ୍ତ୍ରୀ ଅତିଶି । ଘଟଣାକୁ ନେଇ ପୁଣି ଥରେ ତୁତୁ ମେଁ ମେଁ ହୋଇଛନ୍ତି ଦିଲ୍ଲୀ ସରକାର ଓ LG ଭି.କେ.ସକ୍ସେନା ।

ଆପ୍ ସରକାର ଦୀର୍ଘଦିନ ହେଲା ୪୬ ଲକ୍ଷ ରାଜଧାନୀବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଆସୁଥିଲା । ଆସନ୍ତାବର୍ଷ ମଧ୍ୟ ଏହାକୁ ଚାଲୁ ରଖିବା ପାଇଁ ବଜେଟ୍ ଆଣିଛି । ମାତ୍ର ଆପ୍ ରାସ୍ତାରେ କଣ୍ଟା ସାଜିଛନ୍ତି ଏଲଜି ଭି.କେ.ସକ୍ସେନା । ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ସେ ଅଣଦେଖା କରୁଛନ୍ତି । ଏହା ଆଗକୁ ବଢ଼ାଇବା ପାଇଁ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସେପଟେ ଅଭିଯୋଗ ଖଣ୍ଡନ କରିବା ସହ ଆପ୍ ସରକାର ଉପରେ ବର୍ଷିଛନ୍ତି ଏଲଜି । ଅତିଶି ମ୍ୟାଡମ୍ ମୂଲ୍ୟହୀନ ରାଜନୀତି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମାଗଣା ବିଜୁଳି ଯୋଗାଇବା କାମ ଆପ୍ ସରକାରଙ୍କ । ଏହାର ଡେଡଲାଇନ୍ ଏପ୍ରିଲ୍ ୧୫ ଯାଏ ରହିଛି । ସବୁ ଫାଇଲ୍ ଏଯାଏ କାହିଁକି ପେଣ୍ଡିଂ ରଖିଥିଲେ ଆପ୍ ସରକାର । ଗତ ୧୧ ତାରିଖରେ ତାଙ୍କ ନିକଟକୁ ଫାଇଲ୍ ଆସିଛି । ଭୁଲ୍ କରି ଅନ୍ୟ ଉପରେ ବର୍ଷିବା ଦିଲ୍ଲୀ ସରକାରଙ୍କ ଅଭ୍ୟାସଗତ ରୋଗ ବୋଲି କଡ଼ା ସମାଲୋଚନା କରିଛନ୍ତି ଭି.କେ.ସକ୍ସେନା ।

ଶକ୍ତିମନ୍ତ୍ରୀ ମିଥ୍ୟା ଅଭିଯୋଗ କରୁଛନ୍ତି, ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ମିଥ୍ୟା ପ୍ରଚାର କରି ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ୧୩ ତାରିଖରେ ଚିଠି ଲେଖି ଅନୁରୋଧ କରିବା, ଆଉ ଆଜି ଅର୍ଥାତ୍ ୧୪ ତାରିଖରେ ପ୍ରେସମିଟ୍ କରି ଅନ୍ୟକୁ ଦୋଷାରୋପ କରିବା, ଏଭଳି ଡ୍ରାମା କରିବାର ମାନେ କ’ଣ ବୋଲି ଆପ୍ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଏଲଜି । ଭି.କେ.ସକ୍ସେନାଙ୍କ ସହ ବିଜୁଳି ସବସିଡି ନେଇ କୁଆଡ଼େ ୫ ମିନିଟ୍ ଆଲୋଚନା ପାଇଁ ଅନୁରୋଧ କରିଥିଲେ ଶକ୍ତିମନ୍ତ୍ରୀ । ୨୪ ଘଣ୍ଟା ପରେ ବି କୌଣସି ରେସପନ୍ସ ମିଳିଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଦୀର୍ଘଦିନ ହେଲା ଆପ୍ ସରକାର ମାଗଣା ପାଣି ଓ ବିଜୁଳି ଯୋଗାଇ ଆସୁଥିଲା । ରାଜଧାନୀବାସୀଙ୍କୁ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦେଉଥିଲା ଆପ୍ ସରକାର । ଗତବର୍ଷ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିୟମରେ ପରିବର୍ତ୍ତନ କରିଥିଲେ । ଆବେଦନ କରିଥିବା ଗ୍ରାହକ ମାଗଣା ବିଜୁଳି ପାଇବେ ବୋଲି କହିଥିଲେ କେଜ୍ରିୱାଲ । ଏବେ ଶେଷରେ ଆପ୍ ଗେମ୍ ସରିଛି । ଏଣିକି ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ମିଳିବ ନାହିଁ । ଦିଲ୍ଲୀବାସୀଙ୍କୁ ମନାଇବା ପାଇଁ ଆପ୍ ସରକାର ଆଉ କି ଏଜେଣ୍ଡା ବାହାର କରିବେ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *