ମୁକୁଲଙ୍କ ଦଳଡିଆଁ କଳା, ଏବେ ପୁଣି ବିଜେପିକୁ ଡେଇଁବେ !

ପଶ୍ଚିମବଙ୍ଗ ରାଜନୀତିରେ କେତେବେଳେ କ’ଣ ଘଟୁଛି ତାହା ଆକଳନ କରିବା ଅସମ୍ଭବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ଚାଲିଥିବା ସିଂହାସନ ଟଣାଓଟରା ଯୁଦ୍ଧ କାହାକୁ ଅଛପା ନାହିଁ । ଟିଏମସିରୁ ଅନେକ ନେତା ଯାଇ ବିଜେପିରେ ମଧ୍ୟ ମିଶି ସାରିଲେଣି । ଏଥିପାଇଁ ମମତା ବାନାର୍ଜୀ ସର୍ବଦା କେନ୍ଦ୍ରୀୟ ଏଜେନ୍ସି ମାନଙ୍କ ଦୁରୁପୋଯୋଗ କରାଯାଉଥିବା ଅଭିଯୋଗ କରନ୍ତି । ଏବେ ବିଜେପି ଛାଡ଼ି ଟିଏମସିରେ ପୁନଶ୍ଚ ଯୋଗ ଦେଇଥିବା ମୁକୁଲ ରୟଙ୍କ ଚର୍ଚ୍ଚା ଜୋର୍ ଧରିଛି । ବ୍ୟକ୍ତିଗତ କାର୍ଯ୍ୟରେ ମୁକୁଲ ରୟ ସୋମବାର ରାତିରେ ନୂଆଦିଲ୍ଲୀ ଯାଇଥିବା ବେଳେ ସେ ନିଖୋଜ ହୋଇଥିବା ଗତକାଲି ତାଙ୍କ ପରିବାର ଲୋକେ କହିଥିଲେ । କିନ୍ତୁ ମଙ୍ଗଳବାର ସନ୍ଧ୍ୟାବେଳେ ରୟ ଏକ ବଙ୍ଗଳା ନିଉଜ୍‌ ଚାନେଲ୍‌କୁ ସାକ୍ଷାତକାର ଦେଇ କହିଛନ୍ତି,’ଜଣେ ବିଜେପି ବିଧାୟକ,ମୁଁ ବିଜେପିକୁ ସମର୍ଥନ କରିବି । ଦଳ ମୋ ରହଣି ପାଇଁ ବ୍ୟବସ୍ଥା କରିଛି । ମୁଁ ଅମିତ ଶାହାଙ୍କୁ ଭେଟିବା ସହିତ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କଥାବାର୍ତ୍ତା ହେବାକୁ ଚାହେଁ । ଏବେ ପୁଣି ବିଜେପିକୁ ଫେରିବାକୁ ଚାହୁଁଛି।”

ଏଠାରେ ଜଣାଇ ଦେଉଛୁ, ମୁକୁଲ ରୟ ତୃଣମୂଳ କଂଗ୍ରେସର ଜଣେ ପ୍ରମୁଖ ନେତା ଥିଲେ । 2017 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚରେ ଟିଏମସି ଛାଡି ବିଜେପିରେ ମିଶିଯାଇଥିଲେ । ବିଜେପି ପ୍ରାର୍ଥୀଭାବେ ସେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ, ବିଧାନସଭାରୁ ଇସ୍ତଫା ନ‌ଦେଇ ସେ ପରେ ପୁଣି ତୃଣମୂଳ କଂଗ୍ରେସକୁ ଫେରିଆସିଥିଲେ।

ରୟ କହିଛନ୍ତି, ବହୁଦିନ ହେବ ମୋର ଦେହ ଭଲ ନଥିଲା। ତେଣୁ,ରାଜନୀତିରୁ ଦୂରେଇ ରହୁଥିଲି। କିନ୍ତୁ,ଏବେ ମୁଁ ଭଲ ଅଛି ଏବଂ ପୁଣି ସକ୍ରିୟ ରାଜନୀତି କରିବି । ସେ ଆଉ ତୃଣମୂଳ କଂଗ୍ରେସରେ ସାମିଲ ହେବେନାହିଁ ବୋଲି ସୁନିଶ୍ଚିତ କରିଛନ୍ତି । ପୁଅ ଶୁଭ୍ରାଂଶୁକୁ ମଧ୍ୟ ବିଜେପିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଏହା କୁଆଡେ ତାଙ୍କ ପୁଅଙ୍କ ପାଇଁ ଶୁଭଙ୍କର ହେବ ବୋଲି ରୟ କହିଛନ୍ତି ।
ସେପଟେ ରୟଙ୍କ ପୁଅ ଶୁଭ୍ରାଂଶୁ କହିଛନ୍ତି ଯେ,ତାଙ୍କ ବାପା ‘ଡିମେନ୍‌ସିଆ ଓ ପାର୍କିନ୍‌ସନ୍‌ସ୍‌’ ରୋଗରେ ପୀଡ଼ିତ । ତେଣୁ ତାଙ୍କ ଦେହ ଅସୁସ୍ଥ ରହୁଛି । ଗତ ମାସରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଛି। ସେ ପରିବାର ଲୋକ ଏବଂ ଘନିଷ୍ଠ ସହଯୋଗୀମାନଙ୍କୁ ବି ଚିହ୍ନିପାରୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *