ଆଜି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ ‘ମୋକା’

ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇପାରିନି ସାମୁଦ୍ରିକ ବାତ୍ୟା ‘ମୋକା’ । ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି କରିଥିବା ବେଳେ ଏହାର ଗତିପଥ ବଦଳିଗଲା । ଓଡ଼ିଶାରେ ପ୍ରଭାବହୀନ ହୋଇଥିବା ବେଳେ ଗତିପଥ ବଦଳାଇଛି ।

ଅତି ଉଗ୍ର ସାମୁଦ୍ରିକ ବାତ୍ୟା ‘ମୋକା’ର ଘଣ୍ଟାପ୍ରତି ବେଗ ରହିଛି ୧୭ କିଲୋମିଟର । ଗତ ୬ ଘଣ୍ଟା ଧରି ଏହି ବେଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି । ଆଜି ଭୋର୍‌ ସାଢ଼େ ୫ଟାରେ ଉତ୍ତରପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗର ୩୨ ନମ୍ବର ବୁଲେଟିନ୍‌ରୁ ସ୍ପଷ୍ଟ ହୋଇଛି । ସାମୁଦ୍ରିକ ବାତ୍ୟା ‘ମୋକା’ଏବେ ପୋର୍ଟ ବ୍ଲେୟାର୍‌ର ଉତ୍ତର-ଉତ୍ତରପଶ୍ଚିମରୁ ପ୍ରାୟ ୭୯୦ କିଲୋମିଟର୍‌, ବାଂଲାଦେଶ କକ୍ସ୍‌ ବଜାରର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୩୦୦ କିଲୋମିଟର ଏବଂ ମିଆଁମାର ସିତ୍ତ୍ୱେରର ଦକ୍ଷିଣ ପଶ୍ଚିମରୁ ୨୧୦ କିଲୋମିଟର୍‌ ଦୂରରେ ବାତ୍ୟା କେନ୍ଦ୍ରଭୂତ ରହିଛି ।

ଧୀରେ ଧୀରେ ସାମୁଦ୍ରିକ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଆଜି ମଧ୍ୟାହ୍ନ ବେଳକୁ ଅତି ଉଗ୍ର ରୂପ ଧାରଣ କରିବ ସାମୁଦ୍ରିକ ବାତ୍ୟା ‘ମୋକା’ । କକ୍ସବଜାର ଓ ସିତ୍ତ୍ବେ ପାଖ ଦେଇ କ୍ୟାୟୁକପ୍ୟୁ ରାସ୍ତାରେ ଗତି କରିବ । ଏହି ସାମୁଦ୍ରିକ ବାତ୍ୟା ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍‌ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଜି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୦ କିଲୋମିଟର ରହିପାରେ । ତେବେ ସର୍ବାଧିକ ୨୧୦ କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *