ବୌଦ୍ଧ: ଜଙ୍ଗଲରେ ଲୁଚାଇଥିବା ୨୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଏତେ ପରିମାଣର ଗଞ୍ଜେଇ ଜବତ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଙ୍ଗଲରେ ଲୁଚାଇଥିବା ପ୍ରାୟ ୨୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ ।

ବୌଦ୍ଧ ସଦର ଥାନା ଅନ୍ତର୍ଗତ ମାତାଗାଡୁ ଡଙ୍କେନ୍ ଜଙ୍ଗଲରେ ଛାନଭିନ୍ କରିଥିଲା ପୋଲିସ । ସେଠାରୁ ପ୍ରାୟ ୨୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା ବୌଦ୍ଧ ଆଦର୍ଶ ଥାନା ପୋଲିସ । ଏହି ଗଞ୍ଜେଇର ଅନୁମାନିକ ମୂଲ୍ୟ ୨ କୋଟି ୮୦ ଲକ୍ଷ ଟଙ୍କା ହେବ । ଘଟଣାସ୍ଥଳରୁ ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଦନ ଗୁରୁ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଜଙ୍ଗଲରେ ଏତେ ପରିମାଣର ଗଞ୍ଜେଇ ଲୁଚାଇଥିଲେ ମାଫିଆ । ଦୀର୍ଘଦିନ ହେଲା ଏହି ଗଞ୍ଜେଇ ବେପାର ଚାଲିଥିବା ବେଳେ ଖବର ପାଇ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଇ ହୋଇଥିଲା । ଆଦର୍ଶ ଥାନା ଆଇଆଇସି ମାଧବାନନ୍ଦ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଜଙ୍ଗଲରେ ରେଡ୍ କରିଥିଲା । ପୋଲିସ ଚଢ଼ାଉ ବେଳେ ଘଟଣାସ୍ଥଳରୁ ମାଫିଆମାନେ ଚମ୍ପଟ ମାରିଥିଲେ । ସେମାନଙ୍କୁ ଧରିବାରେ ପୋଲିସ ଫେଲ୍ ମାରିଛି । ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଅନ୍ୟପଟେ, ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଘଟଣାରେ ଜବତ ପ୍ରାୟ ୫୬୩୩ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଯାଇଛି ।

ମାଲକାନଗିରି, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଭଳି ଅଞ୍ଚଳରେ ଗଞ୍ଜେଇ କାରବାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଅନ୍ୟ ରାଜ୍ୟକୁ ଗଞ୍ଜେଇ ପଠାଇ ମାଫିଆମାନେ ମାଲେମାଲ ହେଉଛନ୍ତି । ଏଥିରେ ରୋକ୍ ଲଗାଇବା ପାଇଁ ପୋଲିସ ପକ୍ଷରୁ ଅଭିଯାନ ଆରମ୍ଭ ହେଉଛି । କେତେବେଳେ ଗଞ୍ଜେଇ ଜବତ ହେଉଛି ତ କେତେବେଳେ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଉଛି । ମାଫିଆ, ଚାଲାଣକାରୀ ଏମାନଙ୍କୁ ଧରିବାରେ ପୋଲିସ ସଫଳ ହେଉଛି ତ ଆଉ କେତେବେଳେ ଦୁର୍ବୃତ୍ତମାନେ ଚମ୍ପଟ ମାରୁଛନ୍ତି । ତେଣୁ ମାଫିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ନିଜ ଅଭିଯାନକୁ ଜାରି ରଖିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ବି ହେଉଛି । ଆସନ୍ତା ଦିନରେ ଅଭିଯାନ ଜାରି ରହିବ ଏବଂ ମାଫିଆଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *