ବୌଦ୍ଧ: ଘର ଭିତରେ ପଶିଲା କାର୍, ମହିଳାଙ୍କ ମୃତ୍ୟୁ

ବୌଦ୍ଧ ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଲୁହୁରାଗଡ଼ିଆ ଛକରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଏକ ଇନୋଭା କାର୍ ଲୁହୁରାଗଡ଼ିଆ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜପଥ ପାର୍ଶ୍ୱରେ ଥିବା ଏକ ଘର ଭିତରକୁ ପଶି ମହିଳାଙ୍କୁ ଧକ୍କା ଦେଇଥିଲା କାର୍ । ପରେ ପରେ କାରଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳା ଲୁହୁରାଗଡ଼ିଆ ଗାଁର ପାନେଶ୍ଵରୀ ଧଳ ।

ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା । ପ୍ରତିବାଦରେ ଗାଁ ଲୋକେ ୫୭ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ିମଟର ଅଟକି ରହିଛି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକେ ଯାଆସ କରିବାରେ ହଇରାଣ ହୋଇଛନ୍ତି । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ବୁଝାସୁଝା କରୁଛି । କାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।

ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଆସୁଥିବା ଇନୋଭା କାର୍ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତ ଗତି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଘରେ ଭିତରେ ପଶିଯାଇଥିଲା କାର୍ ।

Leave a Reply

Your email address will not be published. Required fields are marked *