ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି ବିବାଦ, ମୁମ୍ବାଇସ୍ଥିତ ପୈତୃକ ବାସଭବନରେ ଚଢ଼ାଉ

ସମୀର ୱାଙ୍ଖଡେଙ୍କ ନାଁ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା । ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିବା ପରେ ଦେଶରେ ଯେଉଁ ଜଣେ ବଡ ଅଫିସରଙ୍କ ନାଁ ଶୁଣିବାକୁ ମିଳୁଥିଲା ସିଏ ହେଉଛନ୍ତି ସମୀର ୱାଙ୍ଖଡେ । କହିବାକୁ ଗଲେ ୨୦୨୧ ପରଠାରୁ ବିବାଦ ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି । ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଥିବା ବେଳେ ଶନିବାର ପୁଣିଥରେ ତାଙ୍କ ଘରେ ସିବିଆଇ ଚଢାଉ କରିଛି । ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ସେତେବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସିଂଘମର ପରିଚୟ ପାଇଥିଲେ । ସବୁ ଜାତୀୟ ଗଣମାଧ୍ୟମରେ ଗୋଟିଏ ଚର୍ଚ୍ଚା, ସମୀର ୱାଙ୍ଖଡେଙ୍କ ଭଳି ଅଫିସର ବିରଳ ଦେଖିବାକୁ ମିଳନ୍ତି ।

ଆଉ ବର୍ତ୍ତମାର ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ମାମଲା ଦାଏର କରିଛି ସିବିଆଇ । ଏହି ମାମଲାରେ ତାଙ୍କ ସହ ଅନ୍ୟ ଅଧିକାରୀଙ୍କ ସମେତ କିଛି ବାହାର ବ୍ୟକ୍ତିଙ୍କ ନାଁ ମଧ୍ୟ ଯୋଡି ହୋଇଯାଇଛି । ମାମଲା ରୁଜୁ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କ ପୈତୃକ ଘରେ ସିବିଆଇ ରେଡ୍ କରିଛି । ଏହାକୁ ନେଇ ୱାଙ୍ଖଡେ କହିଛନ୍ତି, ବିନା କାରଣରେ ତାଙ୍କୁ ଫଶାଯାଉଛି, ଜଣେ ଦେଶଭକ୍ତ ହେବାର ଶାସ୍ତି ତାଙ୍କୁ ଦିଆଯାଉଛି ।

ଏଠାରେ ଜଣାଇଦେଉଛୁ, ଶୁକ୍ରବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ସମୀରଙ୍କ ମୁମ୍ବାଇ ସ୍ଥିତ ପୈତୃକ ବାସଭବନରେ ୧୩ ଘଣ୍ଟା ଯାଏଁ ତଲାସି କରିଛି । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ରହୁଥିବା ଘରେ ରେଡ କରାଯାଇଥିଲା ।ଏପରି କି ସମୀର ୱାଙ୍ଖଡେଙ୍କୁ ତାଙ୍କ ଶ୍ୱଶୁର ଘରକୁ ମଧ୍ୟ ଛାଡିନଥିଲା ସିବିଆଇ । ୨୦୨୧ ମସିହାରେ ମୁମ୍ବାଇ କ୍ରୁଜରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ରେଭ୍ ପାର୍ଟିରେ ଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ସମୀର ୱାଙ୍ଖଡେଙ୍କ ଉପରେ ଗୋଟିଏ ଗୋଟିଏ ବିବାଦ ଘନେଇବାରେ ଲାଗିଛି ।

Leave a Reply

Your email address will not be published. Required fields are marked *