ବିବାଦରେ ସାମୁହିକ କନ୍ୟା ବିବାହ ଯୋଜନା, ଶିବରାଜଙ୍କୁ ସମାଲୋଚନା

ବିବାଦ ଘେରକୁ ଆସିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ । ରାଜ୍ୟରେ ଚାଲିଥିବା ସାମୁହିକ କନ୍ୟା ବିବାହ/ନିକାହ ଯୋଜନାରେ ସେ ବିବାଦୀୟ ହୋଇଛନ୍ତି । ଘଟଣାକୁ ରାଜନୀତିର ରୂପ ଦେଇଛନ୍ତି ବିରୋଧୀ । ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ମହିଳାଙ୍କ ବିବାହ ପାଇଁ ସରକାର ସାମୁହିକ କନ୍ୟା ବିବାହ ଯୋଜନା ଜାରି ରଖିଛନ୍ତି । ଏବେ କିନ୍ତୁ ଡିନ୍ଦୋରୀର ଗଡ଼ସରାଇ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରାଯାଇଛି ।

ଗର୍ଭଧାରଣ ପରୀକ୍ଷା ପରେ ବିବାହ କରିଥାନ୍ତେ ୨୧୯ ଝିଅ । କିନ୍ତୁ ଟେଷ୍ଟିଂ ପରେ ୫ ଝିଅଙ୍କ ରିପୋର୍ଟ ସକାରାତ୍ମକ ଥିବାରୁ ସେମାନେ ବିବାହରୁ ବଞ୍ଚିତ ହୋଇଛନ୍ତି । ବିବାହ ପୂର୍ବରୁ କନ୍ୟାଙ୍କ ଗର୍ଭଧାରଣ ପରୀକ୍ଷା ଅନୁଚିତ, କିଏ ଏଭଳି ନିର୍ଦ୍ଦେଶ ଦେଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ଦଳ । ଏଭଳି ସ୍ଥିତିରେ ବିବାହରୁ ବଞ୍ଚିତ ଜଣେ ମହିଳା କହିଛନ୍ତି ସେ ତାଙ୍କ ପ୍ରେମିକ ସହ ରହୁଥିଲେ । ଗର୍ଭଧାରଣ ସକାରାତ୍ମକ ଥିବାରୁ ଫାଇନାଲ୍ ଲିଷ୍ଟରେ ତାଙ୍କ ନାଁ ନାହିଁ । ପୂର୍ବରୁ ଏଭଳି ପରୀକ୍ଷା ହୋଇନଥିଲା ବୋଲି କହିଛନ୍ତି ବାଚଚାରଗାଁ ସରପଞ୍ଚ ମେଦାନୀ ମାରୱା । ଏହା ଝିଅଙ୍କ ପ୍ରତି ଘୋର ଅପମାନ । ପରିବାର ଆଗରେ ସେମାନ ଅପମାନିତ ହୋଇଥିବା କହିଛନ୍ତି ମାରୱା ।

ସେପଟେ, ଡିନ୍ଦୋରୀ ଡାକ୍ତର କହିଛନ୍ତି ଯେ ବିବାହ ପୂର୍ବରୁ ଝିଅଙ୍କ ବୟସ ଯାଞ୍ଚ, ରକ୍ତହୀନତା ଏବଂ ଶାରୀରିକ ସୁସ୍ଥତା ଜାଣିବା ପାଇଁ ଏଭଳି ଟେଷ୍ଟିଂ କରାଯାଇଥିଲା । ସେ ଆହୁରି କହିଛନ୍ତି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ କେତେକ ଝିଅଙ୍କ ଗର୍ଭବତୀ ପରୀକ୍ଷା କରାଯାଇଥିଲା ଯାହା ସନ୍ଦେହରେ ରହିଛି । ଆମେ କେବଳ ପରୀକ୍ଷା କରି ଅନୁସନ୍ଧାନ ରିପୋର୍ଟ ଦେଇଥାଉ ବୋଲି ଡାକ୍ତର କହିଛନ୍ତି ।

କଂଗ୍ରେସ କିନ୍ତୁ ଏହି ମୌକାର ଫାଇଦା ନେବାକୁ ଆଟାକିଂ ଆରମ୍ଭ କରିଛି । ଝିଅଙ୍କ ଗର୍ଭବତୀ ପରୀକ୍ଷା ନିହାତି ନିନ୍ଦନୀୟ । ଏହା ଝିଅ,ମହିଳାଙ୍କୁ ବେଶ୍ ଅପମାନିତ କରିଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ବୋଲି କଂଗ୍ରେସ କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ କାହା ନିର୍ଦ୍ଦେଶରେ ଏଭଳି ଅପମାନଜନକ କାର୍ଯ୍ୟ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଏଥିପାଇଁ କିଏ ଦାୟୀ । ମହିଳାଙ୍କ ସମ୍ମାନହାନୀ ହେଉଛି ନା ନାହିଁ । ତୁରନ୍ତ ଘଟଣାର ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି କମଲ ନାଥ ।

୨୦୦୬ରେ ମଧ୍ୟପ୍ରଦେଶରେ କନ୍ୟା ବିବାହ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ସାମିଲ ମହିଳାଙ୍କ ବିବାହ ପାଇଁ ସରକାର ୫୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ।

Leave a Reply

Your email address will not be published. Required fields are marked *