କର୍ଣ୍ଣାଟକ ଡ୍ରାମା: ମହରଗରୁ ଯାଇ କାନ୍ତାରରେ କଂଗ୍ରେସ

ଏବେ କର୍ଣ୍ଣାଟକରେ ଆରମ୍ଭ ହୋଇଛି ‘କିସା କୁର୍ସି କା’ଡ୍ରାମା । ଚିରାଚରିତ ଢଙ୍ଗରେ କଂଗ୍ରେସ ଭିତରେ ଥିବା ଦଳଗତ ମତଭେଦ ଓ ବାହାରର ଚାପ ଏବେ ସ୍ପଷ୍ଟ ବାରି ହେଉଛି । ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତେଜିଥିବା ବିବାଦ ଶେଷ ନ ହେଉଣୁ ମୁଖ୍ୟ ପଦବୀଗୁ଼ଡ଼ିକୁ ନେଇ ସୁନ୍ନି ୱାକଫ୍ ବୋର୍ଡ ଅଧ୍ୟକ୍ଷ ସଫି ସାଦିଙ୍କ ଦାବି ଏବେ କଂଗ୍ରେସକୁ ଅଡୁଆରେ ପକାଇଛି ।

ସୁନ୍ନି ଉଲମା ବୋର୍ଡ ନେତାମାନେ ଦାବି କରିଛନ୍ତି ଯେ କଂଗ୍ରେସ ଜଣେ ମୁସଲମାନଙ୍କୁ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିବା ସହ ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେପରିକି ସ୍ୱାସ୍ଥ୍ୟ, ରାଜସ୍ୱ ଏବଂ ଗୃହ ବିଭାଗ ଇତ୍ୟାଦି ମୁସଲମାନ ବିଧାୟକଙ୍କ ଅଧୀନରେ ରଖାଯାଉ । ନିର୍ବାଚନ ପୂର୍ବରୁ ଧର୍ମନିରପେକ୍ଷତା ଏବଂ ଭାଇଚାରାର ଡିଣ୍ଡିମ ପିଟୁଥିବା କଂଗ୍ରେସ ନିର୍ବାଚନ ପରେ ବହୁରୂପି ଏଣ୍ଡୁଅ ଭଳି ନିଜର ରଙ୍ଗ ବଦଳାଇ ଦେଇଛି ।

ସୁନ୍ନି ୱାକଫ୍ ବୋର୍ଡ ଅଧ୍ୟକ୍ଷ ସଫି ସାଦିଙ୍କୁ ଦୋଷାରୋପ କରି କଂଗ୍ରେସ କହିଛି ଯେ ସାଦି ଜଣେ ବିଜେପି କର୍ମୀ ଏବଂ ନେତା । ବିଜେପି ପ୍ରବୋଚନାରେ ସେ ଏଭଳି ଦାବି ଉଠାଇଛନ୍ତି ଯାହା କି ବିଜେପି ସରକାର କ୍ଷମତାଧୀନ ଥିବାବେଳେ ସେ କରିପାରିନଥିଲେ । ତେବେ, ଯାହା ହେଉନା କାହିଁକି ସାଫି ଯେ କଂଗ୍ରେସ ଉପରେ ଭରସା କରୁଛନ୍ତି ତାହା ସବୁଠାରୁ ବଡ଼ କଥା । ତେବେ କଂଗ୍ରେସର ଏଭଳି ରାଜନୈତିକ ବୟାନ୍ ନୂଆ କଥା ନୁହେଁ ।

ଏବେ ଆସିବା ଗୁମର କଥା କଣ । ସାଦିଙ୍କ କହିବା ଅନୁସାରେ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ଜଣେ ମୁସଲମାନଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ଆଲୋଚନା ହୋଇଥିଲା । ଏହା ସହିତ ମୁସଲମାନମାନେ ୩୦ଟି ସିଟରେ ନିର୍ବାଚନ ଲଢ଼ିବା ପାଇଁ ଦାବି କରିଥିଲେ । କିନ୍ତୁ ୩୦ ବଦଳରେ ଏହି ସଂଖ୍ୟାଲଘୁ ସଂପ୍ରଦାୟର ନେତାମାନଙ୍କୁ ୧୫ଟି ଆସନରୁ ଲଢ଼ିବା ପାଇଁ କଂଗ୍ରେସ ଟିକେଟ୍ ଦେଇଥିଲା । ଏବଂ ଉଲ୍ଲେଖନୀୟ କଥା ହେଲା ୧୫ଟି ଆସନରୁ ୯ଟିରେ ମୁସଲିମ୍ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେଣୁ ସାଦିଙ୍କ କହିବାନୁସାରେ ନିର୍ବାଚନ ପୂର୍ବର କଥା ଏବଂ କଂଗ୍ରେସ ବିଜୟ ପଛରେ ମୁସଲିମ୍ ସଂପ୍ରଦାୟର ଯେଉଁ ବିରାଟ ଅବଦାନ ରହିଛି ତାହା ବିଚାର କରି କଂଗ୍ରେସ ସେମାନଙ୍କ ଦାବି ଗ୍ରହଣ କରିନେବା ଉଚିତ୍ । ତେବେ କଥା ହେଉଛି ସଂଖ୍ୟାଲଘୁ ସଂପ୍ରଦାୟ ନେତା ଯଦି ଅନ୍ୟ କୌଣସି ଦଳ ସହିତ ସମ୍ପର୍କ ରଖିଥାନ୍ତି ତେବେ କଂଗ୍ରେସ କଣ ସେମାନଙ୍କ ଆଗକୁ ଯିବା ରାସ୍ତା ରୋକିବା ଠିକ୍ ହେବ କି ?

ଦୀର୍ଘ ୩୬ ବର୍ଷ ପରେ ବୃହତ ବିଜୟ ହାସଲ କରିଥିବାରୁ ସେଲିବ୍ରେସନ କରିଛନ୍ତି ନେତା ଓ କର୍ମୀ । ହେଲେ ଦଳକୁ ଅଡୁଆରେ ପକାଇଛି ମୁଖ୍ୟମନ୍ତ୍ରୀ ପଦ । କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । କାହା ହାତରେ ଦାୟିତ୍ୱ ଛାଡ଼ିବ କଂଗ୍ରେସ । ଶିବକୁମାର ନା ସିଦ୍ଧରମୈୟା, କାହା ନାଁରେ ମୋହର ମାରିବ ଦଳ । ୧୩ ତାରିଖରେ ରେଜଲ୍ଟ ଘୋଷଣା ପରେ ଏଯାଏ ସିଏମ୍ ପୋଷ୍ଟ ପାଇଁ ଅଙ୍କ ଛିଡୁନି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ୨ ମୁଖ୍ୟ ଦାବିଦାରଙ୍କ ମଧ୍ୟରୁ କର୍ଣ୍ଣାଟକ ପିସିସି ସଭାପତି ଡି.କେ.ଶିବକୁମାର ଅନ୍ୟତମ । ଆଜି ଦିଲ୍ଲୀରେ ପହଞ୍ଚି ଦଳର ସଭାପତିଙ୍କୁ ସେ ଭେଟିବେ । ଦିଲ୍ଲୀ ଯିବା ପୂର୍ବରୁ ଦଳ ପାଇଁ ସବୁବେଳେ ନିଷ୍ଠାର ସହ କାର୍ଯ୍ୟ କରିଛି । ଆଗକୁ ଏହି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଶିବକୁମାର । ରାହୁଲ ଗାନ୍ଧିଙ୍କ ପଦଯାତ୍ରା ପାଇଁ କର୍ଣ୍ଣାଟକରେ କଂଗ୍ରେସକୁ ବଳ ମିଳିଛି । ମୁଁ ଯାହା କରିବାକୁ ପ୍ରତିଶ୍ରୁତି ଦେଇଥିଲି ତାହା ପୂରଣ କରିଛି । ଏବେ ସଭାପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା । ତେବେ ଦଳକୁ ଧୋକା ଦେବିନି କି ବିଦ୍ରୋହ କରିବି ନାହିଁ ବୋଲି କହିଛନ୍ତି ଶିବକୁମାର ।

କର୍ଣ୍ଣାଟକ ସିଏମ୍ ସସପେନ୍ସ ଜାରି ଥିବାବେଳେ ରେସରେ ଆଗରେ ଅଛନ୍ତି ସିଦ୍ଧରମୈୟା । ଏଥର ସେ ରାଜନୀତି କ୍ୟାରିୟର ଶେଷ କରିବେ । ଦଳ ପାଇଁ ଦୀର୍ଘ ବର୍ଷ କାମ କରିଥିବାରୁ କଂଗ୍ରେସ ତାଙ୍କୁ ଶେଷ ସୁଯୋଗ ଦେଇପାରେ । ସେପଟେ ସିଦ୍ଧରମୈୟାଙ୍କ ସପୋର୍ଟରେ ଅଧିକ ବିଧାୟକ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଓ ଶିବକୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି କିଛି କିଛି ଆଭାସ ମିଳୁଛି । ଏହାସହ ଡିକେ ଶିବକୁମାର ରାଜ୍ୟ କଂଗ୍ରେସ ସଭାପତି ପଦରେ ମଧ୍ୟ ରହିବା ଏକପ୍ରକାର ନିଶ୍ଚିତ ।

Leave a Reply

Your email address will not be published. Required fields are marked *