ତାତି ସାଙ୍ଗକୁ ଗୁଳୁଗୁଳି, ଆହୁରି ବଢ଼ିବ ୫ ଡିଗ୍ରୀ ତାପମାତ୍ରା !

ରାଜଧାନୀରେ ଅସହ୍ୟ ତାତି । ସକାଳୁ ସକାଳୁ ତାପମାତ୍ରା ୩୨ ଡିଗ୍ରୀ ଉପରେ । ଆଜି ସକାଳ ୮.୩୦ ସୁଦ୍ଧା ତାପମାତ୍ରା ୩୨.୮ ଡିଗ୍ରୀ ଉପରେ ରହିଛି । ଆର୍ଦ୍ରତା ରହିଛି ୭୯ ପ୍ରତିଶତ । ଅସହ୍ୟ ଖରା ଓ ତାତି ରାଜଧାନୀବାସୀଙ୍କୁ କଲବଲ କରିଛି । ଜନଜୀବନ ଅସ୍ତବ୍ୟସ୍ତ ହେଲାଣି ।

ଆହୁରି ୩ ଦିନ ପ୍ରବଳ ଖରା ଓ ଗୁଳୁଗୁଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ତିନି ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବା ନେଇ ସୂଚନା ମିଳିଛି । ଆଜିଠାରୁ ୧୮ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍ ୱେଭ୍ ସ୍ଥିତି ଜାରି ରହିବ । ୧୬ରେ ଦେବଗଡ଼,ବୌଦ୍ଧ, ବଲାଙ୍ଗିର, ସୁନ୍ଦରଗଡ଼,ଝାରସୁଗୁଡ଼ା,ସମ୍ବଲପୁର, ସୋନପୁର,ଅନୁଗୁଳରେ ହିଟୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୧୮ ତାରିଖରେ ସୋନପୁର,ବୌଦ୍ଧ ଓ ବଲାଙ୍ଗିର, ଝାରସୁଗୁଡ଼ା,ସମ୍ବଲପୁରରେ ହିଟ୍ ୱେଭ୍‌ ଜାରି ରହିବ । ଗତକାଲି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ଥିଲା । ୪୪.୪ ଡିଗ୍ରୀ ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ଥିଲା । ସେହିପରି ଟିଟିଲାଗଡ଼ ୪୪, ଝାରସୁଗୁଡ଼ା ୪୩.୬, ଭବାନୀପାଟଣା ୪୩.୫, ବୌଦ୍ଧ ୪୨.୯ ଓ ଅନୁଗୁଳର ତାପମାତ୍ରା ଥିଲା ୪୨.୭ ଡିଗ୍ରୀ । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୮.୪ ଓ କଟକରେ ତାତି ୩୭.୬ ଡିଗ୍ରୀ ଥିଲା ।

ସୋନପୁର, ବଲାଙ୍ଗିର, ସୁନ୍ଦରଗଡ଼,ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଲର୍ଟରେ ଅଛି ପ୍ରଶାସନ । ପ୍ରତିଦିନ ଗ୍ରୀଷ୍ମ ପ୍ରବାହ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବାକୁ ନିର୍ଦ୍ଦେଶ ଅଛି । ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ବିଭାଗକୁ ମଧ୍ୟ ଆଲର୍ଟ କରାଯାଇଛି । ମେଡିକାଲ୍ ଗୁଡ଼ିକରେ ଏସି ରୁମ୍ ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ଓ ଓଆରଏସ୍ ମହଜୁଦ ରହିଛି ।

ସେପଟେ, ରାଜଧାନୀରେ ତାପମାତ୍ରା ବଢ଼ିବା ସହ ଗୁଳୁଗୁଳି ଲୋକଙ୍କ ପାଇଁ ଚିନ୍ତାଜନକ ହୋଇଛି । ଏଭଳି ସ୍ଥିତିରେ ବିଦ୍ୟୁତ୍ ବିଭାଗର ଅବହେଳା ଏବଂ ଖାମଖିଆଲି ମନୋଭାବ ଲୋକଙ୍କୁ ଆହୁରି ଟେନସନରେ ପକାଇଛି । ରାଜଧାନୀରେ ପ୍ରତିଦିନ ବାରମ୍ବାର ବିଜୁଳି କାଟିବା ନେଇ ପ୍ରଶ୍ନ ଉଠାଇଛନ୍ତି ରାଜଧାନୀବାସୀ ।

Leave a Reply

Your email address will not be published. Required fields are marked *