ଆୟକର ଠକୁଥିଲେ କି ସନାତନ ? ଘରେ ପଶିଲା ଟିମ୍

ଅଡୁଆରେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ । ତାଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ସନାତନଙ୍କ ଭୁବନେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଥିବା ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ରେଡ୍ କରିଛି ଆୟକର ଟିମ୍ । ସନାତନଙ୍କ କେନ୍ଦୁଝରରସ୍ଥିତ ବଡ଼ବିଲରେ ଥିବା ଭଡ଼ା ଘର,ନନ୍ଦିରାରେ ଥିବା ପୈତୃକ ଘର ଏବଂ ଉଚ୍ଚବାଲିରେ ଥିବା କ୍ୟାମ୍ପ ଅଫିସରେ ଆୟକର ଟିମ୍‌ ଚଢ଼ାଉ ରେଡ୍ କରିଛି । ଆୟକର ବିଭାଗର ୩ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି ।

ପ୍ରଭାବଶାଳୀ ବିଧାୟକଙ୍କ ମଧ୍ୟରୁ ସନାତନ ମହାକୁଡ଼ ଅନ୍ୟତମ । ସେ କୋଟିକୋଟି ଟଙ୍କା ଆୟକର ଫାଙ୍କିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ପୂର୍ବରୁ ତାଙ୍କ ଘରେ ଚଢ଼ାଉ କରିଥିଲା ଆୟକର ବିଭାଗ । ଆଜି ଭୋରରୁ ଭୁବନେଶ୍ୱର ଓ କେନ୍ଦୁଝରରେ ଥିବା ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସନାତନ ସମାଜସେବା କ୍ଷେତ୍ରରେ ଅନେକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଥିଲା । ହେଲେ ଏତେ ଟଙ୍କା କେଉଁଠୁ ଆଣୁଥିଲେ, ସେ ଆୟକର ଦେଉଥିଲେ ନା ନାହିଁ ସେ ନେଇ ଯାଞ୍ଚ କରାଯାଉଛି । ଏହି ଚଢ଼ାଉ ବେଳେ ସନାତନଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଟିମ୍ ।

ପୂର୍ବରୁ ଅନେକ ଥର ବିଭିନ୍ନ ବିବାଦରେ ଛନ୍ଦି ହୋଇଥିଲେ ସନାତନ । ତାଙ୍କ ନାଁରେ ଥାନାରେ ଅନେକ ମାମଲା ମଧ୍ୟ ରହିଛି । କିଛି ମାମଲାର ସମାଧାନ ହୋଇଥିବା ବେଳେ ଆଉ କେତେକ ମାମଲା ଏବେ ବି ଚାଲିଛି । ସେହିପରି ସନାତନଙ୍କ ଭୁବନେଶ୍ୱର ଥିବା ଆଲିସାନ ଘର, ଅଫିସ ସମେତ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ଚାଲିଥିବା ଚଢ଼ାଉରେ ଆୟକର ବିଭାଗର ୩ଟି ଟିମ୍ ସାମିଲ ଥିବାବେଳେ ପ୍ରତି ଟିମ୍‌ରେ ୧୦ ଜଣ ଆୟକର ବିଭାଗ ସଦସ୍ୟ ଅଛନ୍ତି । ଆଗକୁ ଆହୁରି କିଛି ତଥ୍ୟ ମିଳିବାର ସମ୍ଭାବନା ରହିଛି । ଆଉ କିଛି ସମ୍ପତ୍ତି ମଧ୍ୟ ଠାବ କରାଯିବ ବୋଲି ଅନୁମାନ କରିଛି ଟିମ୍ । କୁହାଯାଉଛି ବାରମ୍ବାର ଆୟକର ଫାଙ୍କୁଥିବାରୁ ତାଙ୍କ ଉପରେ ନଜର ରଖିଥିଲା ଆୟକର ବିଭାଗ । ଏବେ ସୁବିଧାସୁଯୋଗ ଦେଖି ଘରେ ରେଡ୍ କରାଯାଇଛି ।

Leave a Reply

Your email address will not be published. Required fields are marked *