ସାମୁଦ୍ରିକ ବାତ୍ୟା ‘ମୋକା’ର ଘଣ୍ଟାପ୍ରତି ବେଗ ୮ କି.ମି., କାଲି ଅତି ଭୀଷଣ ବାତ୍ୟାରେ ହେବ ପରିଣତ

ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟ ଗଭୀର ଅବପାତ, ସାମୁଦ୍ରିକ ବାତ୍ୟା ‘ମୋକା’ରେ । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇଥିଲା । ଆଜି ଭୋର୍‌ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା କଥା କହିଛି ଭାରତୀୟ ପାଣିପାଗ ବିଭାଗ ।

ପୋର୍ଟ ବ୍ଲେୟାର୍‌ର ପଶ୍ଚିମ-ଦକ୍ଷିଣପଶ୍ଚିମରୁ ପ୍ରାୟ ୫୧୦ କିଲୋମିଟର୍, ବାଂଲାଦେଶର କକ୍ସ୍‌ ବଜାରର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୧୨୧୦ କିଲୋମିଟର୍‌ ଏବଂ ମିଆଁମାର ସିତ୍ତ୍ବେରର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୧୧୨୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଜଳରାଶି ଉପରେ କେନ୍ଦ୍ରୀଭୂତ ସାମୁଦ୍ରିକ ବାତ୍ୟା ମୋକାର ସଠିକ ଅବସ୍ଥିତି ରହିଛି । ଧୀରେ ଧୀରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ।

ଆହୁରି ତୀବ୍ରତର ହୋଇ ଆଜି ମଧ୍ୟରାତ୍ର ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ରହିଛି । ତାପରେ ସାମୁଦ୍ରିକ ବାତ୍ୟା ମୋଡ଼ ପରିବର୍ତ୍ତନ କରି ଆସନ୍ତାକାଲି ଅର୍ଥାତ୍ ୧୨ ତାରିଖ ସକାଳୁ ଉତ୍ତର-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତିଶୀଳ ହୋଇ ସନ୍ଧ୍ୟା ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ୧୩ ତାରିଖ ସନ୍ଧ୍ୟା ବ‌େଳକୁ ବାତ୍ୟା ତୀବ୍ରତର ଚରମ ସୀମାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ୧୪ ତାରିଖ ସକାଳ ବେଳକୁ ସାମୁଦ୍ରିକ ବାତ୍ୟା ସାମାନ୍ୟ ଦୁର୍ବଳ ହେବ । ପୂର୍ବାହ୍ନ ବେଳକୁ ଘଣ୍ଟାପ୍ରତି ୧୪୫ କିଲୋମିଟର୍‌ ପବନ ବହିବା ସହ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର୍‌ ଉପକୂଳ ଅତିକ୍ରମ କରିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *