ଫରିଦାପୁର: ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ

ଉତ୍ତରପ୍ରଦେଶର ବରେଲିର ଫରିଦାପୁରସ୍ଥିତ ଏକ ଫ୍ୟାକ୍ଟ୍ରରେ ଗତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୪ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଜଣେ ଶ୍ରମିକ ନିଖୋଜ । ଫ୍ୟାକ୍ଟ୍ରୀରେନିଆଁ ଲାଗିବା ପରେ କିଲୋମିଟର କିଲୋମିଟର ବ୍ୟାପୀ କଳା ଧୂଆଁ ଆକାଶକୁ ଆଚ୍ଛାଦିତ କରିଦେଇଥିଲା।

ସୂଚନା ମୁତାବକ, ଫରିଦାପୁରସ୍ଥିତ ଏକ ଫ୍ୟାକ୍ଟ୍ରିର ପରିସରରେ ଏକ ଭୟଙ୍କର ଶବ୍ଦ ହୋଇଥିଲା ଓ କେହି କିଛି ବୁଝିବା ପୂର୍ବରୁ ନିଆଁ ଲାଗିଯାଇଥିଲା। କେହି କିଛି ବୁଝିବା ଆଗରୁ ନିଆଁ ପୂରା କମ୍ପାନୀ ପରିସରକୁ ବ୍ୟପୀଯାଇଥିଲା। ନିଆଁ ଏତେ ପ୍ରଖର ଥିଲା କି କମ୍ପାନୀରୁ ବାହାରିବା ସେଠାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ  ଅସମ୍ଭବ ହୋଇ ଯାଇଥିଲା। ସେହି ସମୟରେ ସେଠାରେ ପ୍ରାୟ ୧୫୦ ଶ୍ରମିକ କାମ କରୁଥିଲେ । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ, କମ୍ପାନୀରେ ଲାଗିଥିବା ଲୁହା ବିମ୍‌ଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଖସିପଡିଥିଲା ଓ ସେହି ଲୁହା ରଡ ତଳେ ଚାପି ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ଅଳ୍ପ ସମୟ ଭିତରେ କମ୍ପାନୀ ପରିସରର ସବୁ କିଛି ପୋଡି ଜଳି ପାଉଁଶ ହୋଇଯାଇଥିଲା।

ସୂଚନା ପାଇ ବରେଲିରୁ ୧୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ଓ ବହୁ ସମୟର ଅକ୍ଳାନ୍ତ ଚେଷ୍ଟା ପରେ ନିଆଁ ଉପରେ କାବୁ ମିଳିଥିଲା। ନିଆଁ ଲିଭିବା ପରେ ଭିତରୁ ଶ୍ରମିକଙ୍କୁ ଖୋଜି ବାହାର କରିବା ଏକ ଚ୍ୟାଲେଞ୍ଜ ହୋଇଥିଲା ଅଗ୍ନିଶମ ବାହିନୀ ପାଇଁ। ଗ୍ୟାସ୍‌ କଟରରେ ତତଲା ଲୁହା ବିମ୍‌କୁ କାଟି ତା’ ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଥିଲା। ଏଥିସହ ୩ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟତଃ ଲୁହା ଖଣ୍ଡ ସବୁ ତଳେ ଖସୁ ପଡିଥିବାରୁ ତା ତଳେ ବହୁ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ନିଖୋଜ ଥିବା ସୂଚନା  ରହିଛି।

ତେବେ କମ୍ପାନୀରେ ବାହାର ରାଜ୍ୟର ଅଧିକାଂଶ ଲୋକ କାମ କରୁଥିଲେ। ତେଣୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳି ପାରିନି। ଏଥିସହ ଅର୍ଦ୍ଧ ତରଳା ଲୁହା ତଳେ ଲୋକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। କମ୍ପାନୀରେ କିପରି ନିଆଁ ଲାଗିଲା ତାର ସ୍ପଷ୍ଟ ହୋଇନଥିବା ବେଳେ କରଣ ଖୋଜା ଚାଲିଛି। କ୍ଷୟକ୍ଷତିର ବି ଆକଳନ ହୋଇ ନାହିଁ। ଧ୍ୱଂସାବଶେଷ ତଳୁ ଶ୍ରମିକଙ୍କ ସହ ନିଖୋଜ ଅଗ୍ନିଶମ କର୍ମଚାରୀଙ୍କୁ ଖୋଜା ଯାଉଥିବା ଉତ୍ତରପ୍ରଦେଶର ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *