ଗଜପତି: ଦିନ ଦ୍ୱିପ୍ରହରରେ ରାସ୍ତା ମଝିରୁ ଯୁବତୀଙ୍କୁ ଅପହରଣ। ବାପାଙ୍କ ଆଖି ସାମ୍ନାରେ ମା’ ଓ ଝିଅଙ୍କୁ ଜୋରଜବରଦସ୍ତ ବୋଲେରୋରେ ନେଇଗଲେ ଦୁର୍ବୃତ୍ତ। ଗଜପତି ଜିଲ୍ଲାରେ ଘଟିଥିବା ଏଭଳି ଏକ ଚାଞ୍ଚଲ୍ୟକର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ମଧ୍ୟରାତ୍ରିରେ ଅପହୃତା ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ମହାଳିମ୍ବ ଗାଁର ତାରିଣୀ ଦଳାଇ ନିଜ ସ୍ତ୍ରୀ ଓ ଝିଅଙ୍କ ସହ ବାଇକ୍ ଯୋଗେ ଗଜପତି ଜିଲ୍ଲା ରାମଗିରି ନିକଟ ଅଞ୍ଚମା ଗାଁକୁ ଆସିଥିଲେ। ସମ୍ପର୍କୀୟଙ୍କ ଘରୁ ଫେରୁଥିବା ସମୟରେ ଆର. ଉଦୟଗିରି ଥାନା ଅନ୍ତର୍ଗତ ଶିଆଳିଲଟି ନିକଟସ୍ଥ ମୂଷାଦଲିଠାରେ ଘଟିଥିଲା ଏହି ଅପହରଣ ଘଟଣା।
ଏକ ବୋଲେରୋରେ ଆସିଥିବା କିଛି ଦୁର୍ବୃତ୍ତ ଗାଡ଼ିରୁ ତେଲ ସରିଯାଇଥିବା ବାହାନା କରି ତାରିଣୀଙ୍କ ବାଇକ୍ ଅଟକାଇଥିଲେ। ତାରିଣୀ କିଛି ବୁଝିବା ପୂର୍ବରୁ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଜୋରଜବରଦସ୍ତ ବୋଲେରୋ ଭିତରକୁ ଟାଣି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। କିଛି ବାଟ ଯିବା ପରେ ତାରିଣୀଙ୍କ ସ୍ତ୍ରୀଙ୍କୁ ରାସ୍ତାରେ ଛାଡ଼ି ଝିଅକୁ ନେଇ ଫେରାର୍ ହୋଇଯାଇଥିଲେ।
ଏନେଇ ତାରିଣୀ ତୁରନ୍ତ ପୋଲିସ ସହାୟତା ନମ୍ବର ୧୧୨କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ଆର. ଉଦୟଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଶେଷରେ ରାତି ପ୍ରାୟ ୧୨ଟା ବେଳକୁ ପୋଲିସ ଅପହରଣରେ ବ୍ୟବହୃତ ବୋଲେରୋକୁ ଠାବ କରିବା ସହ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।
ଅନ୍ୟପଟେ, ବୋଲେରୋ ଡ୍ରାଇଭରକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ବେଳେ ମୁଖ୍ୟ ଅପହରଣକାରୀ ଏବେ ବି ଫେରାର୍ ରହିଛି।
ତେବେ କାହିଁକି ଯୁବତୀଙ୍କୁ ଅପହରଣ କରାଯାଇଥିଲା? ଏହା ପଛରେ କାହାର ହାତ ରହିଛି ? ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ପାଇଁ ଏଭଳି ଘଟଣା ଘଟିଛି? ଅପହରଣ ପଛର ପ୍ରକୃତ ଉଦ୍ଦେଶ୍ୟ ଏବେ ବି ଅସ୍ପଷ୍ଟ ରହିଛି। ପୋଲିସର ପରବର୍ତ୍ତୀ ତଦନ୍ତ ପରେ ହିଁ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ହଟିବ।