କ୍ରିକେଟ୍ କିମ୍ବଦନ୍ତୀଙ୍କ ଜନ୍ମଦିନ, ସବୁଠି ଶୁଭେଚ୍ଛାର ସୁଅ

ସଚିନ ତେନ୍ଦୁଲକର । ଗଡ୍ ଅଫ୍ କ୍ରିକେଟ୍ ସଚିନ ତେନ୍ଦୁଲକରଙ୍କ ଆଜି ୫୦ତମ ବାର୍ଥଡେ । ୫୧ ବର୍ଷ ବୟସରେ ପାଦ ରଖିଛନ୍ତି ମହାନ୍ କ୍ରିକେଟର ସଚିନ । ଚାରିଆଡୁ ତାଙ୍କ ପାଇଁ ଆସିଛି ଶୁଭେଚ୍ଛାର ସୁଅ ।

କ୍ରିକେଟ୍ ଜଗତର ବାଦଶାହ । ସର୍ବକାଳୀନ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର । ନାଁ ହିଁ ଯଥେଷ୍ଟ କାରଣ କ୍ରିକେଟ ପଡ଼ିଆରେ ସେ ଏମିତି କିଛି ସ୍ମୃତି ଛାଡ଼ି ଯାଇଛନ୍ତି ଯାହା ଅଭୁଲା । କେବଳ ଭାରତ ନୁହେଁ ସାରା ବିଶ୍ୱ ତାଙ୍କୁ ମନେ ରଖିବ । ଆଜି ସେହି ମହାନ ବଲେବାଜ୍ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ।

୧୯୮୯ରୁ ଅନ୍ତର୍ଜାତୀୟ କ୍ରିକେଟ ସଫର । ଦୀର୍ଘ ୨୪ ବର୍ଷ ଅର୍ଥାତ୍ ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ ସଚିନ । ଜଣେ ବିସ୍ଫୋରକ ତଥା ମହାନ୍ ବ୍ୟାଟସମ୍ୟାନ୍ ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ । ମାତ୍ର ୧୬ ବର୍ଷ ବୟସରୁ ଇଣ୍ଟରନ୍ୟାସନାଲ୍ ମ୍ୟାଚରେ ଡେବ୍ୟୁ କରିଥିଲେ । ୧୯୮୯ରେ ପାକିସ୍ତାନ ବିପକ୍ଷରେ ଦିନିକିଆ ଆରମ୍ଭ ଏବଂ ୨୦୧୨ରେ ପାକ୍ ଟିମ୍ ବିପକ୍ଷରେ ହିଁ ଖେଳିଥିଲେ ଅନ୍ତିମ ଓଡିଆଇ । ପାକିସ୍ତାନ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଖେଳିଥିଲେ ଅନ୍ତିମ ଟେଷ୍ଟ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ ଏହି ମହାନ୍ ଖିଲାଡି । ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଏକମାତ୍ର ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ସଚିନ ୪୬୩ ମ୍ୟାଚରୁ ୪୯ ଶତକ ସହ ୧୮୪୨୬ ରନ୍ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ ସର୍ବାଧିକ ସ୍କୋର ରହିଛି । ସେହିପରି ୨୦୦ ଟେଷ୍ଟ ଖେଳି ସଚିନ କରିଛନ୍ତି ୧୫୯୨୧ ରନ୍ ଯେଉଥିରେ ୫୧ ଶତକ ସାମିଲ ଅଛି । IPLରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ସଚିନ । ୨୦୦୮ରୁ ୨୦୧୩ ଯାଏ ଏହି ଫ୍ରାଞ୍ଚାଇଜ୍ ଲିଗରେ ମଧ୍ୟ କମାଲ କରିଥିଲେ ।

୨୦୧୧ ବିଶ୍ୱକପ୍ ବିଜୟୀ ଟିମ୍ ସଦସ୍ୟ ଥିଲେ ସଚିନ । ୧୯୯୮ରେ ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନର ସେନ୍ ୱାର୍ଣ୍ଣେଙ୍କ ନିଦ ହଜାଇ ଦେଇଥିଲେ । ମୈଦାନରେ ଏମିତି କୌଣସି ବୋଲର ନାହିଁ ଯେ ସଚିନଙ୍କ ପ୍ରହାରରୁ ନିଜକୁ ରୋକିଛି । ସ୍ପିଡଷ୍ଟର ହୁଅନ୍ତି ଅବା ସ୍ପିନର ସମସ୍ତଙ୍କ ନିଦ ହଜିଛି । ବ୍ରେଟ୍ ଲି, ମ୍ୟାକଗ୍ରାଥ,
ସୋଏବ ଅଖତାର, ସେନବଣ୍ଡ, ମୁରଲୀଥରନ୍, ୱାର୍ଣ୍ଣେ, ୱାସିମ ଆକ୍ରମ, ୱାକର ୟୁନୁସ ସମସ୍ତଙ୍କ ପାଇଁ ସେ ଥିଲେ ଟେନସନ୍ । ନିଜ ଟେକନିକ୍, ନିଜ ଅନ୍ଦାଜରେ ସେ ବିସ୍ଫୋରକ ବ୍ୟାଟିଂ କରି ଇତିହାସ ରଚିଛନ୍ତି । ଅନେକ ରେକର୍ଡ ରହିଛି ଯାହା ଅନ୍ୟମାନଙ୍କ ପାଇଁ ଅସମ୍ଭବ ।

ସଫଳତା ଏବଂ ବିଫଳତା ନେଇ ମୈଦାନରେ ଏକକୀ ଲଢୁଥିଲେ ସଚିନ । ଟିମ୍ ଇଣ୍ଡିଆକୁ ସେ ଦିନର ଶକ୍ତିଶାଳୀ ଟିମ୍ ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ପାକିସ୍ତାନ ହରାଇଛି ହେଲେ ସଚିନକୁ କେହି ପରାସ୍ତ କରିନାହାଁନ୍ତି । ସମସ୍ତେ ଏହି ମହାନ୍ ଖେଳାଳିଙ୍କ ନିକଟରେ ହାର୍ ମାନିଛନ୍ତି ।

ସଚିନ ନିଜ କ୍ୟାରିୟରରେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପଦ୍ମଶ୍ରୀ, ପଦ୍ମ ବିଭୁଷଣ ଭଳି ଆୱାର୍ଡ ପ୍ରଦାନ କରାଯାଇଛି । ୨୦୧୪ରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । କ୍ରୀଡ଼ା କ୍ଷେତ୍ରରେ ସଚିନ ୨୦ରୁ ଅଧିକ ପୁରସ୍କାର ମଧ୍ୟ ପାଇଛନ୍ତି ।

ଧର୍ମପତ୍ନୀ ଅଞ୍ଜଳି, ପୁଅ ଅର୍ଜୁନ ଏବଂ ଝିଅ ସାରାଙ୍କୁ ନେଇ ସଚିନଙ୍କ ଖୁସିର ପରିବାର । କ୍ରୀଡ଼ା କ୍ଷେତ୍ରରେ ଯେମିତି ଭଦ୍ର, ବାହାରେ ମଧ୍ୟ ସମସ୍ତଙ୍କ ସହ ନିଜର ବନ୍ଧୁତା ରକ୍ଷା କରିଛନ୍ତି ମହାନ୍ କ୍ରିକେଟ ଜଗତର ଗଡ୍ । ଆଜି ତାଙ୍କ ଜନ୍ମଦିନରେ Suchanatv24x7 ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ।

Leave a Reply

Your email address will not be published. Required fields are marked *