ସୁଦାନରେ ଉଗ୍ର ରୂପ ନେଉଛି ଗୃହଯୁଦ୍ଧ, ହୁହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା, ମେଡିକାଲରେ ବି ପଡୁଛି ବୋମା

ସୁଦାନରେ ଦିନକୁ ଦିନ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଗୃହଯୁଦ୍ଧ ଫଳରେ ମୃତ୍ୟୁର ସଂହାରଲୀଳା ଦେଖିବାକୁ ମଳୁଛି । ଦିନ ଗଡି ଚାଲିଛି ଆଉ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଥିବା ବେଳେ ମେଡିକାଲ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ କରାଯାଉଛି । ଯାହାଫଳରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି ।

ଅନ୍ୟପଟେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ନିରନ୍ତର ଉଦ୍ୟମ ଚାଲିଛି । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି । ସୁଦାନରେ ପ୍ରାୟ ୩ ହଜାରରୁ ଅଧିକ ଭରତୀୟ ଫସି ରହିଥିବା ଜଣାପଡିଛି । ଭାରତ ସରକାର ବାୟୁସେନାର ୨ଟି ବିମାନ ସୁଦାନ ପଠାଯାଇଥିବା ବେଳେ ଭାରତୀୟ ନୌସେନା ସକ୍ରିୟ ରହିଛି । ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୁଦାନର ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଉଦି ଆରବ, ମିଶର ଓ ଆମେରିକା ସହିତ ଲାଗାତର ଯୋଗାଯୋଗ କରାଯାଉଛି ।

ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଫସି ରହିଥିବା ଲୋକଙ୍କ ସହ ନିୟମିତ ଯୋଗାଯୋଗ କରାଯିବା ସହ ସଜାଗ ରହିବାକୁ ପରାମର୍ଶ ଦିଆଯାଉଛି । ଭାରତୀୟ ନାଗରିକଙ୍କୁ ସେଠାରୁ ସୁରୁଖୁରୁରେ ଉଦ୍ଧାର ପଇଁ ଆରମ୍ଭ ହୋଇଥିବା ମିଶନ କିଭଳି ସଫଳ ହେବ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି ।

Leave a Reply

Your email address will not be published. Required fields are marked *