ଜୀବନ ଯନ୍ତ୍ରଣା ଭିତରେ ବଞ୍ଚିବା ପାଇଁ ଗଣେଶ’ଙ୍କ ସଂଘର୍ଷ

ଜୀବନ ଆଉ ଯନ୍ତ୍ରଣା । ଏହାରି ଭିତରେ ସଂଘର୍ଷ କରିବା ନିହାତି ସତ୍ୟ । ସତରେ ଜୀବନ କେତେବେଳେ କାହାର କେଉଁ ପରୀକ୍ଷା କରିବ ତାହାର ଆକଳନ କରିବା କଷ୍ଟକର । ଏମିତି ଏକ ପରିବାର ମୟୂରଭଞ୍ଜ ଉଦଳା ବ୍ଲକ୍ ଉପାନ୍ତ ଅଞ୍ଚଳରେ ଥିବା ଟଣକାସାହିରେ ବାସ କରନ୍ତି । ସେହି ଗାଁରେ ବାସ କରନ୍ତି ବୈଦନାଥ ସୋରେନଙ୍କ ପରିବାର । ବୈଦନାଥ ସୋରେନଙ୍କ ପୁଅ ଗଣେଶ ଓ ତାଙ୍କ ସ୍ତ୍ରୀ ଦୁଲାରୀ ଏବଂ ଦୁଇ ନାବାଳକ ଅଦି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଦୁଃଖ ସେମାନଙ୍କ ପାଇଁ ଏକ ସାଧାରଣ କଥା ପାଲଟିଯାଇଛି ।

ଗଣେଶଙ୍କ ବାପା ବୈଦନାଥ ବଞ୍ଚିଥିବା ବେଳେ ବାଉଁଶରେ ପାଛିଆ, ଟୋକେଇ ଆଦି ତିଆରି କରି ପରିବାର ଚଳାଉଥିଲେ । ହେଲେ,କିଛି ବର୍ଷ ତଳେ ବୈଦନାଥଙ୍କ ମୃତ୍ୟୁ ହୋଇଗଲା ପରେ ସେତେ ଯେମିତି ଏହି ପରିବାରଟି ବେସାହାରା ହୋଇଗଲା । ବଞ୍ଚିଥିବା ବେଳେ ବାପା ବୈଦନାଥ କରିଥିବା ଘରଟି ବି ବାତ୍ୟାରେ ଭାଙ୍ଗିଗଲା । ଘରେ ଥିବା ଜିନିଷପତ୍ର ପବନରେ ଉଡ଼ିଗଲା । ସେବେଠାରୁ ଆବାସ ଯୋଜନାରେ ପକ୍କା ଘରଟିଏ ପାଇଁ ଦୌଡ଼ି ଦୌଡ଼ି ହୋଇଗଲେଣି । ଲିଷ୍ଟରେ ତାଙ୍କ ନାଁ ଆସିଥିବା ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ ମିଳିପାରିଲାନି ପକ୍କା ଘରଟିଏ ।

ବୈଦନାଥଙ୍କ ଦେହାନ୍ତ ପରେ ପରିବାର ସମସ୍ତ ବୋଝ ଗଣେଶଙ୍କ ମୁଣ୍ଡ ଉପରେ ପଡ଼ିଲା । ଆଉ ଏହା ସମ୍ଭାଳିବା ତାଙ୍କ ପକ୍ଷେ ଅସମ୍ଭବ ହେଲା । ଶେଷରେ ସେ ଘର ଚଳାଇବା ପାଇଁ ରାଜଧାନୀ ଭୁବନେଶ୍ୱରକୁ ଚାଲି ଆସିଲେ । ଆଉ ସେଠାରେ ଯାହା ରୋଜଗାର କରି ଘରକୁ ପଠାଇଲେ ସେଥିରେ ବହୁତ କଷ୍ଟରେ ଚଳିବା ସହ ଦୁଇ ଛୁଆକୁ ଧରି ଦୁଲାରୀ ପାଲ ତଳେ ଜୀବନ ବିତାଉଛନ୍ତି । ଦିନ ବେଳା ନିଜ ପାଲ ଟଙ୍ଗା ଘରେ ରୋଷେଇ କରିବା ସହିତ ରାତି ହେଲେ ଦୁଇ ଛୁଆଙ୍କୁ ଧରି ପର ଘର ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି ।

Leave a Reply

Your email address will not be published. Required fields are marked *