ମାର୍କେଟରେ ନିଆଁ ଲାଗି ପୋଡିଗଲା 100ରୁ ଅଧିକ ଦୋକାନ

ବିହାରର ବୋଧଗୟାରେ ଆଜି ନିଆଁ ଲାଗି ଜଳିଯାଇଛି 100ରି ଅଧିକ ଦୋକାନ। ବୋଧଗୟା ପରିବା ବଜାରରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ପରେ ଏମିତି ଉଗ୍ରଭାବେ ବ୍ୟାପିଯାଇଥିଲା କି, କୌଣସି ସାମଗ୍ରୀ ଉଦ୍ଧାର କରିବା ଦୋକାନୀଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଦେଖୁ ଦେଖୁ ଆଖିପିଛୁଳାକେ ନିଆଁ ପୋଡି ପାଉଁଶ କରିଦେଲା କୋଟି କୋଟି ଟଙ୍କାର ସମ୍ପତ୍ତି ବୋଲି ଅଧିକାରିକ ସୂତ୍ରରୁ ସୂଚନା ରହିଛି।

ଘଟଣାସ୍ଥଳରେ ଥିବା ଲୋକଙ୍କ ମୁତାବକ, କୌଣସି କାରଣରୁ ନିଆଁ ଲାଗିଯିବା ପରେ ଏକାଧିକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ନିଆଁ  ଉଗ୍ର ରୂପ ଧାରଣ କରି ଚାରିଆଡେ ମାଡି ଯାଇଥିଲା। ଏଥିସହ, ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବାକୁ ମଧ୍ୟ ଏତେ ବଡ ଅଗ୍ନିକାଣ୍ଡ ପାଇଁ ଦାୟୀ କରାଯାଉଛି। ନିଆଁ ଲାଗିବା ସୂଚନା ଦେବା ସତ୍ତ୍ୱେ ମଧ୍ୟ ଫାୟାର ବ୍ରିଗେଡ ସମୟରେ ପହଞ୍ଚି ପାରି ନଥିଲା। ଏଥିସହ, ନିଆଁର ତୀବ୍ରତା ଏତେ ପ୍ରଖର ଥିଲା କି, ଲୋକେ ନିଆଁ ଲିଭାଇବାକୁ ସାହସ କରିପାରି ନଥିଲେ ବୋଲି ସ୍ଥାନୀୟ ଦୋକାନୀ ଅଭିଯୋଗ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ମୋଟ 115 ଦୋକାନ ପୋଡି ପାଉଁଶ ହୋଇଯାଇଥିବା ବେଳେ 5-6ଟି ମୋଟର ସାଇକେଲ ମଧ୍ୟ ପୋଡିଯାଇଥିବା ସୂଚନା ରହିଛି।

ତେବେ ସବୁଠାରୁ ବଡ କଥା କି, ଏତେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି।

Leave a Reply

Your email address will not be published. Required fields are marked *