କର୍ଣ୍ଣାଟକରେ ବିଜୟର ନିକଟତର କଂଗ୍ରେସ, ବିଜୟୀ ବିଧାୟକଙ୍କୁ ଏକାଠି ରଖିବାକୁ ଯୋଜନା

କର୍ଣ୍ଣାଟକରେ ବିଜେପିକୁ ଧକ୍କା ଲାଗିପାରେ କାରଣ କଂଗ୍ରେସ ବିଜୟର ନିକଟତର ହେଉଛି । ଏଭଳି ସ୍ଥିତିରେ ବିଧାୟକମାନଙ୍କ ସୁରକ୍ଷା ଲାଗି କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି । ତାର ସମସ୍ତ ବିଧାୟକଙ୍କୁ ତାମିଲନାଡୁ ନେଇଯିବାକୁ ଯୋଜନା କରୁଛି ଦଳ । ଏଥିପାଇଁ ଡିଏମ୍‌କେ ନେତୃତ୍ବ ସହିତ ଯୋଗା‌ଯୋଗ ଚାଲିଥିବା ଜାତୀୟ ଗଣମାଧ୍ୟମରୁ ଖବର ମିଳିଛି ।

ଚଳିତ ନିର୍ବାଚନରେ ୧୧୦ରୁ ୧୧୫ଟି ଆସନ ପାଇବା ଆଶା ରଖିଛି କଂଗ୍ରେସ । ତେଣୁ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଯୋଜନା କରିଛି । ବିଧାୟକମାନଙ୍କୁ ତାମିଲନାଡୁ ନେଇଯିବାକୁ ଦଳ ଯୋଜନା କରୁଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କୁ ପ୍ରଥମେ ବେଙ୍ଗାଳୁରୁ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ, କଂଗ୍ରେସ ୧୨୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ।

ଆଜି କାଉଣ୍ଟିଂ ଆରମ୍ଭରୁ ହିଁ ବିଭିନ୍ନ ଆସନରେ ଅଗ୍ରଣୀ ରହିଥିଲା କଂଗ୍ରେସ । ଏହାପରେ ଦଳ ପକ୍ଷରୁ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାର ଭିଡିଓ ପୋ‌ଷ୍ଟ କରାଯାଇଥିଲା । ରାହୁଲ ହିଁ ଶ୍ରେଷ୍ଠ । ଦଳର ସଫଳତାର ଶ୍ରେୟ ରାହୁଲ୍‌ ଗାନ୍ଧିଙ୍କ ପଦଯାତ୍ରାକୁ ଦିଆଯାଇଛି । ଏଥର ଦଳର ଉତ୍ତମ ପ୍ରଦର୍ଶନରେ ତାଙ୍କର ପଦଯାତ୍ରା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ନେତା କହିଛନ୍ତି । ସେପଟେ, କର୍ଣ୍ଣାଟକ ଫଳାଫଳରେ ରାହୁଲ ଗାନ୍ଧିଙ୍କ ଯାତ୍ରା ସମୟର ବାତାବରଣ ପରିଲକ୍ଷିତ ହେଉଥିବା ଟ୍ୱିଟ୍ କରି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ ।

Leave a Reply

Your email address will not be published. Required fields are marked *