ସୁଦାନରୁ ବିଦେଶୀଙ୍କ ଉଦ୍ଧାର ଜୋରଦାର

ସୁଦାନରେ ପାରାମିଲିଟାରୀ ଓ ମିଲିଟାରୀ ମଧ୍ୟରେ ଜାରି ଘମାଘୋଟ ଯୁଦ୍ଧରେ 72 ଘଣ୍ଟାର ଯୁଦ୍ଧ ବିରତି ଘୋଷଣା ହୋଇଛି। ଆମେରିକା ଓ ସାଉଦୀ ଆରବର ମଧ୍ୟସ୍ଥଦା ପରେ ଉଭୟ ପକ୍ଷ 3 ଦିନ ପାଇଁ ଯୁଦ୍ଧରେ ବିରତି ଘୋଷଣା କରିଛନ୍ତି। ଏହି ସମୟରେ ସେଠାରେ ଥିବା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ସମ୍ଭବ ହୋଇପାରିବ। ସୋମବାର ଏହି ଘୋଷଣା ପରେ ବିଦେଶ ମନ୍ତ୍ରୀ ଜୟ ଶଙ୍କର ସୂଚନା ଦେଇଛନ୍ତି କି, ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ବାହାର କରିବାକୁ ଅପରେଶନ କାବେରୀର ଆରମ୍ଭ କରାଯାଇଛି, ଯେଉଁଥିରେ 500 ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚିସାରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ମୁତାବକ, ଯୁଦ୍ଧବିରାମ, ସେଠାରୁ ବିଦେଶୀଙ୍କୁ ସଫଳତାର ସହ ବାହାର କରିବାରେ ସହାୟକ ହେବ। ସ୍ପେନ, ଜୋଡାନ, ଇଟାଲୀ, ଫ୍ରାନ୍ସ, ଡେନମାର୍କ, ଜର୍ମାନ ସମେତ କିଛି ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ଯୁଦ୍ଧପ୍ରବଣ ରାଷ୍ଟ୍ରରୁ ବାହାର କରି ନେବାରେ ସକ୍ଷମ ହୋଇଛନ୍ତି। ବ୍ରିଟେନ ମଧ୍ୟ ତାର ଦୂତାବାସ କର୍ମଚାରୀଙ୍କୁ ସେଠାରୁ ବାହାର କରି ଆଣିଛି। ବ୍ରିଟେନର ଉଦ୍ଧାରକାରୀ ଦଳ ମଧ୍ୟ କିଛି ଅନ୍ୟ ରାଜ୍ୟର ନାଗରିକଙ୍କୁ ଉଦ୍ଧାର କରିଛି। ସିଏନଏନ ରିପୋର୍ଟ ମୁତାବକ, ସାଉଦୀ ଆରବ ସୁଦାନରୁ 10 ସାଉଦୀ ନାଗରିକଙ୍କୁ ଉଦ୍ଧାର କରିଥିବା ବେଳେ ଆମେରିକାର 189 ନାଗରିକଙ୍କୁ ବାହାର କରିଛି। ଏନେଇ ସାଉଦୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଏପ୍ରିଲ 15ରୁ ସୁଦାନର ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏଥିରେ 427 ଲୋକଙ୍କ ମୃତ୍ୟୁ ହୋଇଛି। ଯୁଦ୍ଧ ଆରମ୍ଭ ହେବା ପରେ ସେଠାରେ ଲୋକମାନେ ନିଜକୁ ଘର ଭିତରେ ଆବଦ୍ଧ କରିନେଇଛନ୍ତି।  ଯୁଦ୍ଧପାଇଁ ସେଠାର ସ୍ଥିତି ଗମ୍ଭୀର ହୋଇଯାଇଛି। ଦେଶକୁ ଆମଦାନୀ ହ୍ରାସ ପାଇଛି। ଲୋକଙ୍କ କିଣା ବିକା ମଧ୍ୟ ପ୍ରଭାବିତ ହୋଇଛି। ଏଥିସହ, ହସ୍ପିଟାଲ କ୍ଷତିଗ୍ରସ୍ତ ହେବା ସହ ହସ୍ପିଟାଲ ସବୁ ବନ୍ଦ ହେବା ସ୍ଥିତିରେ ପହଞ୍ଚିଛି। ଜନବସତି ଧୀରେ ଧୀରେ ଯୁଦ୍ଧକ୍ଷେତ୍ରରେ ପରିଣତ ହେଉଛି। ଉଭୟ ପକ୍ଷରୁ ହଜାର ହଜାର ସଂଖ୍ୟାରେ ସଶସ୍ତ୍ର ବଳ ରାଜପଥ ଉପରେ ଲଢେଇ କରୁଛନ୍ତି।

Leave a Reply

Your email address will not be published. Required fields are marked *