Category: ରାଜ୍ୟ ଖବର

  • ଦ୍ୱିତୀୟ ପର୍ଯ୍ୟାୟରେ ୪୪୧.୭୬ କୋଟି ସୁଧ ରିହାତି, ଚାଷୀଙ୍କୁ ନବୀନଙ୍କ ପ୍ରଶଂସା

    ଦ୍ୱିତୀୟ ପର୍ଯ୍ୟାୟରେ ୪୪୧.୭୬ କୋଟି ସୁଧ ରିହାତି, ଚାଷୀଙ୍କୁ ନବୀନଙ୍କ ପ୍ରଶଂସା

    ଲୋକସେବା ଭବନର କନଭେନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୩୫ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ, ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଗଲା । ପ୍ରଥମ ପର୍ଯ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା । ୨୦୨୨-୨୩ ବର୍ଷରେ ଚାଷୀଙ୍କୁ ସମୁଦାୟ ୮୫୬.୯୯ କୋଟି ଟଙ୍କା ସୁଧ ରିହାତି ପ୍ରଦାନ କରାଯାଇଛି ।

    ଉପସ୍ଥିତ ଥିବା ଏବଂ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଥିବା ଚାଷୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷ ଆମ ଅର୍ଥନୀତିର ଆତ୍ମା । ବିକାଶର ଆଧାର । ଆମର ନୂଆ ଓଡ଼ିଶା,ସଶକ୍ତ ଓଡ଼ିଶାର ସାରଥି ହେଉଛନ୍ତି ଆମର ଚାଷୀମାନେ । ତେଣୁ ସେମାନଙ୍କ ସଶକ୍ତିକରଣ ଉପରେ ସର୍ବଦା ଜୋର୍ ଦିଆଯାଉଛି ବୋଲି ନବୀନ କହିଥିଲେ । ଚାଷୀଙ୍କୁ ସଶକ୍ତ କରିବା ପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ସହ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି । ଚାଷୀଙ୍କୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ନବୀନ କହିଛନ୍ତି । ଚାଷୀ ଭାଇ ଆମର ଗର୍ବ ଏବଂ ସେମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁଁ କୃଷି କ୍ଷେତ୍ରରେ ଓଡ଼ିଶା ଦେଶର ଏକ ଆଗୁଆ ରାଜ୍ୟ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

    କାର୍ଯ୍ୟକ୍ରମରେ ତିନି ହିତାଧିକାରୀ ରୀନା ସେଠୀ,ନିକୁଞ୍ଜ ବିହାରୀ କାପ ଓ ସବିତା ସାମନ୍ତରାୟ ପ୍ରମୁଖ ଋଣ ଉପରେ ସୁଧ ରିହାତି ଯୋଗୁଁ ସେମାନେ କିପରି ଚାଷ ଓ ବ୍ୟବସାୟ କରି ନିଜ ପରିବାରକୁ ସୁରଖୁରରେ ଚଳାଇ ପାରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ ।

  • ସବୁଠି ବିଜୟର ଶଙ୍ଖ, ବିଜେଡିର ‘ଶଙ୍ଖ ଭବନ’ ଉଦଘାଟିତ

    ସବୁଠି ବିଜୟର ଶଙ୍ଖ, ବିଜେଡିର ‘ଶଙ୍ଖ ଭବନ’ ଉଦଘାଟିତ

    ରାଜଧାନୀ ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଶଙ୍ଖ ଭବନ । ବିଜେଡିର ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ‘ଶଙ୍ଖ ଭବନ’ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ଭଲ ପାଉଥିବା, ତଥା ଓଡ଼ିଶା ପାଇଁ ଆଗ୍ରହୀ ସମସ୍ତଙ୍କ ମିଳନସ୍ଥଳୀ ହେବ ଏହି ଭବନ । ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ବି ପ୍ରଚାର ଓ ପ୍ରସାର କରିବ ଏହି ଶଙ୍ଖ ଭବନ । ଉଦଘାଟନୀ ଅବସରରେ ଏଭଳି କହିଛନ୍ତି ସିଏମ୍ । ଏହାର ପ୍ରତି କାର୍ଯ୍ୟକ୍ରମ ରାଜ୍ୟବାସୀଙ୍କ ସେବାରେ ସମର୍ପିତ ହେବ ।

    ୧୯୯୭ରେ ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା । ବିଜୁ ବାବୁଙ୍କ ଆଦର୍ଶକୁ ନେଇ ଜନ୍ମ ନେଇଥିଲା ବିଜୁ ଜନତା ଦଳ BJD । ଓଡ଼ିଶାବାସୀଙ୍କ ସ୍ନେହ,ପ୍ରେମ ଭଲ ପାଇବା ନେଇ ଆଗକୁ ବଢ଼ିଛି ଦଳ । ସେଦିନର ବିଜୁ ଜନତା ଦଳ ଆଜି ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ସବୁଠି ବିଜୟର ଶଙ୍ଖ ବାଜୁଛି । ଓଡ଼ିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡ଼ିବ । ସ୍ଥିରତା ଆମକୁ ସଫଳତା ଏବଂ ଶାନ୍ତି ସମୃଦ୍ଧି ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶଙ୍ଖ ଭବନ ନିର୍ମାଣରେ ଯାହାର ଅବଦାନ ରହିଛି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

  • ରାଜ୍ୟରେ ୫୦୦ ଛୁଇଁଲା, ଦେଶରେ ୧୦୧୧୨ ଚିହ୍ନଟ

    ରାଜ୍ୟରେ ୫୦୦ ଛୁଇଁଲା, ଦେଶରେ ୧୦୧୧୨ ଚିହ୍ନଟ

    ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ ହଜାର ୬୧୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୫୦୨ ପଜିଟିଭ୍ ଚିହ୍ନଟ ହୋଇଛି । ଏଥିସହ ରାଜ୍ୟରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୯୨୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଆଉ ୨୭୩ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୧୦,୧୧୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

    ଶନିବାର ରିପୋର୍ଟ ତୁଳନାରେ ଏହି ସଂଖ୍ୟା କମ୍ ରହିଛି । ଶନିବାର ରିପୋର୍ଟରେ ୧୨,୧୯୩ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା । ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୮୦୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୯,୮୩୩ ଜଣ ସୁସ୍ଥ ହୋଇଛନ୍ତି । ୮ଟି ରାଜ୍ୟରେ କୋରୋନା ପିଜିଟିଭିଟି ହାର ୧୦% ଉପରେ ରହୁଛି । ସ୍ଥିତି ଉପରେ ନଜର ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

  • ଅକ୍ଷୟ ତୃତୀୟା, କୃଷକଙ୍କ ପାଇଁ ଶୁଦ୍ଧିର ଦିନ

    ଅକ୍ଷୟ ତୃତୀୟା, କୃଷକଙ୍କ ପାଇଁ ଶୁଦ୍ଧିର ଦିନ

    ଆଜି ବୈଶାଖ ଶୁକ୍ଳ ତୃତୀୟା ତିଥି । ଅକ୍ଷୟ ତୃତୀୟା ଭାବେ ଆଜି ଦିନର ସ୍ୱତନ୍ତ୍ର ପରିଚୟ ରହିଛି । ସରକାରୀ ସ୍ତରରେ କୃଷକ ଦିବସ ଭାବେ ପାଳନ କରାଯାଏ । କୃଷକମାନଙ୍କ ପାଇଁ ଆଜି ଶୁଦ୍ଧିର ଦିନ ।

    ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ ଚାଷୀ । ଆଜିଭଳି ଶୁଭଦିନରେ ଗୃହ ନିର୍ମାଣ, ନିର୍ବନ୍ଧ,ବିବାହ,ବ୍ରତୋପନୟନ ଭଳି ଶୁଭକାମ କରାଯାଇଥାଏ । ଚାଷୀ ନୂଆ ଗଉଣିରେ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନକୁ ଶଙ୍ଖ ହୁଳହୁଳି ଧ୍ବନିର ସହ ମୁଣ୍ଡରେ ଥୋଇଥାଏ । ଅନ୍ୟ ଏକ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ସେହି ନୈବେଦ୍ୟକୁ ପୋତି ହଳ ବୁଲାଏ । ଚାଷୀ ମୁଠା ମୁଠା ବିହନ କିଆରୀରେ ବୁଣିଥାଏ ଯାହାକୁ ଅଖି ମୁଠି କହନ୍ତି । ସେପଟେ, ସଧବାମାନେ ଏହି ଦିନ ଷଠିଦେବୀଙ୍କ ପୂଜା କରିଥାନ୍ତି ।

    ପବିତ୍ର ଅକ୍ଷୟ ତୃତୀୟାରେ ଶୁଭ ଅଖିମୁଠି ଅନୁକୂଳ କରି କୃଷି କ୍ଷେତ୍ରକୁ ଶସ୍ୟ ଶ୍ୟାମଳା କରିବା ପାଇଁ ମାଟି ମା’ଙ୍କୁ ପ୍ରାର୍ଥନା କରିଥାନ୍ତି ଚାଷୀ ।

  • ଆୟ ବହିର୍ଭୂତ ସଂପତ୍ତି ଠୁଳ: ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜସିଟ ଦାଖଲ

    ଆୟ ବହିର୍ଭୂତ ସଂପତ୍ତି ଠୁଳ: ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜସିଟ ଦାଖଲ

    ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ପ୍ରଦୀପ ପାଣିଗ୍ରାହୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଛନ୍ତି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି ଭିଜିଲାନ୍ସ।

    ଭିଜିଲାନ୍ସ ୨୦୨୧ ଅକ୍ଟୋବର ୪ ତାରିଖରେ ମାମଲା କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ପ୍ରଦୀପଙ୍କ ରୋଜଗାର ଓ ଖର୍ଚ୍ଚର ସମସ୍ତ ବିବରଣୀ ବାହାର କରାଯାଇଥିଲା। ଏଥିରୁ ଉଭୟ ସ୍ୱାମୀ ସ୍ତ୍ରୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତିର ସନ୍ତୋଷଜନକ ଉତ୍ତର ପାଇନଥିଲା ଭିଜିଲାନ୍ସ।

    ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତ ଅନୁଧ୍ୟାନ କରି ଚଳିତ ମାସ ୨୦ ତାରିଖରେ ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍‌କୁ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

  • ବିଜେବି କଲେଜ ପରିସରରେ ପୁଣି ଦେଖା ଦେଇଛି ଉତ୍ତେଜନା

    ବିଜେବି କଲେଜ ପରିସରରେ ପୁଣି ଦେଖା ଦେଇଛି ଉତ୍ତେଜନା

    ରାଜଧାନୀର ସର୍ବପୁରାତନ ବିଜେବି କଲେଜ ପରିସରରେ ପୁଣି ଦେଖା ଦେଇଛି ଉତ୍ତେଜନା। କଲେଜ ପରିସରରେ ଅଣଛାତ୍ର ପସି ଛାତ୍ରଙ୍କୁ କରିଛନ୍ତି ଆକ୍ରମଣ। ଛାତ୍ରଙ୍କ ଖେଳରେ ଅଣଛାତ୍ରଙ୍କୁ ସାମିଲ ନ କରିବାକୁ ନେଇ ହୋଇଥିବା ଆକ୍ରମଣରେ ୩ ଛାତ୍ର ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥାନାରେ ଅଭିଯୋଗ ହୋଇଛି। ଥାଥଥ

    ଖବରରୁ ପ୍ରକାଶ କି, କଲେଜର ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିଲେ। ଏହି ସମୟରେ କିଛି ଅଣଛାତ୍ର ସେଠାରେ ପହଞ୍ଚି ଖେଳିବାକୁ ଚାହିଁଥିଲେ।  ଛାତ୍ରମାନେ ମନା କରିଦେଇଥିଲେ। ଫଳରେ ଛାତ୍ର ଓ ଅଣଛାତ୍ରଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଅଣଛାତ୍ରମାନେ ଛାତ୍ରଙ୍କୁ ନିର୍ଧୁମ ମାଡମାରିଥିଲେ। ଏଥିରେ 3 ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ କିଛି ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।

    ଏଠାରେ ଉଲ୍ଲେଖଯୋଗ୍ୟ କି, ବିଜେବି କଲେଜ ଓ ଗଣ୍ଡଗୋଳ ଯେମିତି ସାଧାରଣ ଘଟଣାରେ ପରିଣତ ହୋଇଛି। କିଛି ଦିନ ତଳେ, ରାତିରେ କଲେଜ ପଛପଟେ, ଇଣ୍ଟିଗ୍ରେଟେଡ଼ ଏମ୍‌ବିଏ ଛାତ୍ର ଶାଶ୍ବତ ପଣ୍ଡାଙ୍କୁ କିଛି ଯୁବକ ମଣାନ୍ତକ ଆକ୍ରମଣ କରିଥିଲେ। ଶାଶ୍ବତଙ୍କୁ କାଚ ବୋତଲରେ ଆକ୍ରମଣ ହୋଇଥିଲା। କେତେବେଳେ ଅଣଛାତ୍ରଙ୍କ ଆତଙ୍କ ତ ପୁଣି କେତେବେଳେ ରାଗିଂ ପରି ଘଟଣାକୁ ନେଇ କଲେଜ ପରିସରରେ ସୃଷ୍ଟି ହେଉଛି ଉତ୍ତେଜନା।

  • ତାତିରୁ ତ୍ରାହି! ଆଜିଠୁ ପାଗରେ ସାମାନ୍ୟ ପରିବର୍ତ୍ତନ

    ତାତିରୁ ତ୍ରାହି! ଆଜିଠୁ ପାଗରେ ସାମାନ୍ୟ ପରିବର୍ତ୍ତନ

    ତାତିରୁ କେବେ ମିଳିବ ତ୍ରାହି । ଏମିତି ଅନେକ ପ୍ରଶ୍ନ ଥିବାବେଳେ ଆଜି ସକାଳୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି । ତାତି ଟିକେ କମିଛି । କାଳବୈଶାଖୀ ବର୍ଷା ଆଶଙ୍କା ଥିବାବେଳେ ରାଜ୍ୟବାସୀଙ୍କୁ ସକାଳୁ ସକାଳୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପାଗ ପରିବର୍ତ୍ତନ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

    ଆଜି ସକାଳୁ ସକାଳୁ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ରାଜ୍ୟବାସୀ । ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଦିନର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ଯାଏ ହ୍ରାସ ପାଇପାରେ ।

    ଗ୍ରୀଷ୍ମଲହରୀ ପାଇଁ ଦିଆଯାଇଥିବା ସତର୍କ ସୂଚନାକୁ ହଟାଇଦେଇଛି ପାଣିପାଗ ବିଭାଗ । ଆଜି ସକାଳେ ଥଣ୍ଡା ପବନ ବହିଥିବା ବେଳେ ପାଗ ଟିକେ ମେଘୁଆ ଥିଲା । ସେପଟେ, ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଛି । ଗତ କିଛି ଦିନ ହେଲା ରାଜ୍ୟରେ ଅସହ୍ୟ ତାତିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ଗତକାଲି ୨୮ଟି ସହରର ତାପମାତ୍ରା ୪୦ ଉପରେ ଥିବାବେଳେ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ଥିଲା ।

  • ତାତିରେ ରାଜ୍ୟବାସୀ କଲବଲ, ଝାରସୁଗୁଡ଼ାରେ ସ୍ଥିତି ଅସମ୍ଭାଳ

    ତାତିରେ ରାଜ୍ୟବାସୀ କଲବଲ, ଝାରସୁଗୁଡ଼ାରେ ସ୍ଥିତି ଅସମ୍ଭାଳ

    ପ୍ରଚଣ୍ଡ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ସକାଳୁ ସକାଳୁ ଅନୁଭୂତ ହେଲାଣି ଟାଣ ଖରା । ସକାଳ ସାଢ଼େ ୮ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡ଼ାରେ ପାରଦ ୩୪ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୩.୬ ଡିଗ୍ରୀ ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।

    ଆଜି ପାଇଁ ୬ଟି ଜିଲ୍ଲାକୁ ହିଟୱେଭ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ସମ୍ବଲପୁର,ସୋନପୁର,ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼। ତେବେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ୨୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସହର ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ।

    ଆସନ୍ତାକାଲି ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଗଜପତି,ଗଞ୍ଜାମ,ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ ଓ ରାୟଗଡ଼ା କୋରାପୁଟ,ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ସେହିପରି ୨୨ ଓ ୨୩ ତାରିଖରେ ବର୍ଷା ଆଶଙ୍କା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

  • ରାଜ୍ୟରେ ଅସହ୍ୟ ତାତି, ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି

    ରାଜ୍ୟରେ ଅସହ୍ୟ ତାତି, ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି

    ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି । ରାଜ୍ୟର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଆଜି ସରକାର ବିଧିବଦ୍ଧ ଭାବେ ଗ୍ରୀଷ୍ମଛୁଟି ଘୋଷଣା କରିବେ ।

    ଗତ କିଛି ଦିନ ହେଲା ରାଜ୍ୟରେ ତାତି ଅସହ୍ୟ ହେଲାଣି । ଗୁଳୁଗୁଳି ସହ ତାପମାତ୍ରା ବଢୁଛି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହେଉଛି । ସ୍କୁଲ ବାରମ୍ବାର ଛୁଟି ଘୋଷଣା ହେଉଛି । ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରୁଛି । ଦିନ ବଢ଼ିବା ସହ ତାତି ମଧ୍ୟ ବଢୁଛି । ସକାଳ ୮ଟା ପରଠୁ ଧୀରେ ଧୀରେ ରାଜଧାନୀ ରାସ୍ତା ଶୂନଶାନ ହେଉଛି । ଆହୁରି କିଛି ଏଭଳି ସ୍ଥିତି ଲାଗି ରହିବ । ତେଣୁ ଆଗୁଆ ପିଲାଙ୍କ ସ୍କୁଲ ଛୁଟି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେତେଦିନ ଯାଏ ସ୍କୁଲ ଛୁଟି ରହିବ, ଏହାର ନିୟମାବଳୀ କ’ଣ ସେ ନେଇ ଆଜି ବିସ୍ତୃତ ଭାବେ ଘୋଷଣା କରିବେ ସରକାର ।

  • ରାଜ୍ୟରେ ତାତିରୁ ତ୍ରାହି କେବେ ? ଶିକ୍ଷାନୁଷ୍ଠାନ ୨ ଦିନିଆ ଛୁଟି

    ରାଜ୍ୟରେ ତାତିରୁ ତ୍ରାହି କେବେ ? ଶିକ୍ଷାନୁଷ୍ଠାନ ୨ ଦିନିଆ ଛୁଟି

    ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ରାଜ୍ୟରେ ଆହୁରି କିଛି ଦିନ ଯାଏ ତାତି ଅସହ୍ୟ ହେବ । ଏଭଳି ଅନୁମାନ କରି ଭାରତୀୟ ପାଣିପାଗ ବିଭାଗର ସୂଚନା ପରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ତାପାମାତ୍ରା ବଢୁଥିବା ବେଳେ ଅଧିକାଂଶ ସହରରେ ପାରଦ ପ୍ରାୟ ୪୦ ଡିଗ୍ରୀ ଉପରେ ରହିଛି ।

    ରାଜ୍ୟବାସୀଙ୍କୁ ତାତିରୁ ଆଶ୍ୱସ୍ତି ମିଳିବ କେବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ସୋନପୁର ଓ ବୌଦ୍ଧରେ ହିଟ୍‌ୱେଭ୍‌ ଜାରି ରହିବ । ଏସବୁ ଜିଲ୍ଲା‌ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଖରା ସମୟରେ ସତର୍କ ରହିବାକୁ ଓ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଆହୁରି କିଛି ଦିନ ରାଜ୍ୟର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନି । ତାତି ଓ ଗୁଳୁଗୁଳି ପୂର୍ବପରି ଜାରି ରହିବ । ୩ ଦିନ ପରେ ରାଜ୍ୟର ତାପମାତ୍ରା ଅଳ୍ପ ମାତ୍ରାରେ ଖସିପାରେ ।

    ସେପଟେ, ଅସହ୍ୟ ତାତିକୁ ନଜରରେ ରଖି ସରକାର ଆଜି ଓ କାଲି ଦୁଇଦିନ ପାଇଁ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିଛନ୍ତି । ଏହି ୨ ଦିନ ସମସ୍ତ ସରକାରୀ ସ୍କୁଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ପୂର୍ବରୁ ଏପ୍ରିଲ ୧୨ରୁ ୧୬ ତାରିଖ ଯାଏଁ ଛୁଟି ଘୋଷଣା ହୋଇଥିବା ବେଳେ ୧୭ ତାରିଖରେ ସ୍କୁଲ ଖୋଲିଥିଲା । ସେପଟେ, ୨୧ ତାରିଖରୁ ବର୍ଷା ଆଶଙ୍କା ମଧ୍ୟ ରହିଛି ।