ଦ୍ୱିତୀୟ ପର୍ଯ୍ୟାୟରେ ୪୪୧.୭୬ କୋଟି ସୁଧ ରିହାତି, ଚାଷୀଙ୍କୁ ନବୀନଙ୍କ ପ୍ରଶଂସା

ଲୋକସେବା ଭବନର କନଭେନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୩୫ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ, ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଗଲା । ପ୍ରଥମ ପର୍ଯ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା । ୨୦୨୨-୨୩ ବର୍ଷରେ ଚାଷୀଙ୍କୁ ସମୁଦାୟ ୮୫୬.୯୯ କୋଟି ଟଙ୍କା ସୁଧ ରିହାତି ପ୍ରଦାନ କରାଯାଇଛି ।

ଉପସ୍ଥିତ ଥିବା ଏବଂ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଥିବା ଚାଷୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷ ଆମ ଅର୍ଥନୀତିର ଆତ୍ମା । ବିକାଶର ଆଧାର । ଆମର ନୂଆ ଓଡ଼ିଶା,ସଶକ୍ତ ଓଡ଼ିଶାର ସାରଥି ହେଉଛନ୍ତି ଆମର ଚାଷୀମାନେ । ତେଣୁ ସେମାନଙ୍କ ସଶକ୍ତିକରଣ ଉପରେ ସର୍ବଦା ଜୋର୍ ଦିଆଯାଉଛି ବୋଲି ନବୀନ କହିଥିଲେ । ଚାଷୀଙ୍କୁ ସଶକ୍ତ କରିବା ପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ସହ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି । ଚାଷୀଙ୍କୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ନବୀନ କହିଛନ୍ତି । ଚାଷୀ ଭାଇ ଆମର ଗର୍ବ ଏବଂ ସେମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁଁ କୃଷି କ୍ଷେତ୍ରରେ ଓଡ଼ିଶା ଦେଶର ଏକ ଆଗୁଆ ରାଜ୍ୟ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ତିନି ହିତାଧିକାରୀ ରୀନା ସେଠୀ,ନିକୁଞ୍ଜ ବିହାରୀ କାପ ଓ ସବିତା ସାମନ୍ତରାୟ ପ୍ରମୁଖ ଋଣ ଉପରେ ସୁଧ ରିହାତି ଯୋଗୁଁ ସେମାନେ କିପରି ଚାଷ ଓ ବ୍ୟବସାୟ କରି ନିଜ ପରିବାରକୁ ସୁରଖୁରରେ ଚଳାଇ ପାରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ ।

Leave a Reply

Your email address will not be published. Required fields are marked *