Category: ରାଜ୍ୟ ଖବର

  • ନକଲି ମୃଦୁପାନୀୟ କମ୍ପାନୀରେ CMCର ଚଢ଼ାଉ, କମ୍ପାନୀ ସିଲ୍ ସହ ୫୦ ହଜାର ଜରିମାନା

    ନକଲି ମୃଦୁପାନୀୟ କମ୍ପାନୀରେ CMCର ଚଢ଼ାଉ, କମ୍ପାନୀ ସିଲ୍ ସହ ୫୦ ହଜାର ଜରିମାନା

    ଡହଡ଼ହ ଖରାରେ ତଣ୍ଟି ଶୁଖିଯାଉଥିବା ବେଳେ ଜୀବନ ବିକଳରେ କିଏ ଫଳରସ, ଆଖୁରସ, ପାଣି କିମ୍ବା ମୃଦୁପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । କିନ୍କୁ ଆପଣ ଜାଣିଛନ୍ତି କି ମୃଦୁପାନୀୟ ନାଁରେ ପଇସା ଦେଇ ଆପଣ ବିଷ ପିଉଛନ୍ତି ?

    କଟକ ସୂତାହାଟ ଅଞ୍ଚଳରେ ନକଲି ମୃଦ୍ୟୁ ପାନୀୟ କମ୍ପାନୀରେ କଟକ ମହାନଗର ନିଗମ ପକ୍ଷରୁ ଚଢ଼ାଉ । କମ୍ପାନୀରେ CMCର ଫୁଡ୍ ସେଫ୍ଟି ଟିମ୍ ଏବଂ ପୋଲିସ ଅତର୍କିତ ଚଢ଼ାଉ କରିବା ପରେ ଯାଞ୍ଚ ଆରମ୍ଭ କରିଥିଲେ । ସେଠାରୁ ବିପୁଳ ପରିମାଣର ନାମିଦାମୀ କମ୍ପାନୀର ବୋତଲ,ଠିପି ଜବତ କରାଯାଇଛି । ସେହି କମ୍ପାନୀର କୌଣସି ବ୍ୟବସାୟିକ ଲାଇସେନ୍ସ ନାହିଁ । ସେଠାରୁ ବିପୁଳ ପରିମାଣର ନକଲି ମୃଦ୍ୟୁପାନୀୟ ଜବତ କରାଯାଇଛି । ଶେଷରେ କମ୍ପାନୀଟିକୁ ସିଲ୍ କରିଛି ସିଏମସି । ଏଥିସହ ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ସିଏମସି ।

    ଏହି ନକଲି ମୃଦ୍ୟୁ ପାନୀୟ କଟକ ସହର ସମେତ ଆଖପାଖ ଜିଲ୍ଲାଗୁଡ଼ିକରେ ବିକ୍ରି ପାଇଁ ପଠାଯାଇଥାଏ । ୮ ଲକ୍ଷ ଟଙ୍କାର ମେସନ୍, ନକଲି ମୃଦ୍ୟୁପାନୀୟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏଥିସହିତ ପାନୀୟ ସାମ୍ପୁଲକୁ ଲ୍ୟାବ୍ ପଠାଯାଇଛି । ରିପୋର୍ଟ୍ ଆସିବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବର୍ତ୍ତମାନ କମ୍ପାନୀ ଉପରେ ୫୦ ହଜାର ଟଙ୍କା ଜରିମାନା ଲଗାଇଛି ସିଏମସି ।

    https://youtu.be/Fm3in7wS4T0

    ବର୍ତ୍ତମାନ ବଜାରରେ ନକଲି ଜିନିଷ ବହୁଳ ଭାବେ ଉପଲବ୍ଧ ହେଉଛି । କିଛି ଅସାଧୁ ବ୍ୟବସାୟୀ ଅଧିକ ଲାଭ ପାଇବା ଆଶାରେ ଜନସାଧାରଣଙ୍କ ଜୀବନକୁ ବିପନ୍ନ କରି ଅପମିଶ୍ରିତ ଖାଦ୍ୟପଦାର୍ଥ ବିକ୍ରି କରିବା ସହ ଏହାକୁ ଲୋଭନୀୟ କରିବା ପାଇଁ ଏଥିରେ ସିନ୍ଥେଟିକ୍ ରଙ୍ଗ, ସ୍ୱାଦବର୍ଦ୍ଧକ ସାମଗ୍ରୀ ଏବଂ ଶରୀର ପାଇଁ କ୍ଷତିକାରକ ରାସାୟନିକ ସାମଗ୍ରୀ ବ୍ୟବାହର କରୁଛନ୍ତି । ଅଧିକ ବିକ୍ରି ପାଇଁ ନାମିଦାମୀ କମ୍ପାନୀର ବ୍ରାଣ୍ଡ ନାମ ତଥା ଲୋଗୋ ବ୍ୟବହାର କରିବାକୁ ପଛାଉ ନାହାଁନ୍ତି । ଲୋକଙ୍କ ବିଶ୍ୱାସରେ ବିଷ ଦେଉଥିବା ଏହି ଅସାଧୁ ବ୍ୟବସାୟୀ କବଳରୁ ରକ୍ଷା ପାଇବାକୁ ହେଲେ ଉତ୍ତମ ଏବଂ ବିଶ୍ୱସ୍ତ ଦୋକାନୀଙ୍କ ଠାରୁ ଦେଖିଚାହିଁ ଜିନିଷ କିଣିବାକୁ ହେବ ।

  • ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରଚାର ମୈଦାନରେ ନବୀନଙ୍କୁ ଟକ୍କର ଦେବେ ଧର୍ମେନ୍ଦ୍ର

    ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରଚାର ମୈଦାନରେ ନବୀନଙ୍କୁ ଟକ୍କର ଦେବେ ଧର୍ମେନ୍ଦ୍ର

    ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ଭୋଟ୍ ହାତେଇବା ପାଇଁ ପ୍ରଚାର ଜୋରଦାର ହେଉଛି । ଆଉ ମାତ୍ର ୩ ଦିନ । ଭୋଟ୍ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ ଝାରସୁଗୁଡ଼ାବାସୀ । ଆସନ୍ତାକାଲି ଅର୍ଥାତ୍ ୮ ତାରିଖ ସନ୍ଧ୍ୟାରୁ ଝାରସୁଗୁଡ଼ା ନିର୍ବାଚନୀ ପ୍ରଚାର ବନ୍ଦ ହେବ । ତେଣୁ ଆଜି ଉଭୟ ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯିବ ।

    ଆଜି ଗୋଟିଏ ଦିନରେ ୨ ଲୋକପ୍ରିୟ ନେତାଙ୍କ କାର୍ଯ୍ୟକ୍ରମ । ଝାରସୁଗୁଡ଼ା ସହରରେ ଆୟୋଜିତ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଭୋଟ୍ ହାତେଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ୍‌ ସୋ’ରେ ସାମିଲ ହେବେ । ଏଥିପାଇଁ ଜୋରଦାର ପ୍ରସ୍ତୁତି ହୋଇଥିବା ବେଳେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟ୍ ଭିକ୍ଷା କରିବେ ୨ ନେତା । ନେତା, କର୍ମୀ, ବିଧାୟକ, ସାଂସଦ ତଥା ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ନେତା ସମସ୍ତେ ଆଜିର ପ୍ରଚାରରେ ଯୋଗଦେବେ । ଝାରସୁଗୁଡ଼ାରେ ପ୍ରଚାର ମୈଦାନରେ ନବୀନ ଓ ଧର୍ମେନ୍ଦ୍ରଙ୍କ ଲଢ଼େଇ ଦେଖିବାକୁ ମିଳିବ ।

    ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ଜଣ ଡିଏସ୍‌ପି, ୧୫ ଇନ୍ସପେକ୍ଟର, ୨୨ ଜଣ ଏସଆଇ, ୬୪ ଜଣ ଏଏସ୍‌ଆଇଙ୍କ ଭଳି ମୋଟ ୧୪.୫ ପ୍ଲାଟୁନ ପୋଲିସ୍‌ ମୁତୟନ ହୋଇଛନ୍ତି । ଆଜି ଅପରାହ୍ଣ ସାଢ଼େ ୪ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ ନବୀନ । ସେଠାରୁ ଆମଲିପାଲିସ୍ଥିତ ସଭାସ୍ଥଳକୁ ଯାଇ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୫ଟା ୧୫ ମିନିଟରେ ଝାରସୁଗୁଡ଼ାରୁ ଭୁବନେଶ୍ବର ଅଭିମୁଖେ ବାହାରିବେ ବିଜେଡି ସୁପ୍ରିମୋ । ଅନ୍ୟପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୧୧ଟାରେ କୋଲାବିରା ବ୍ଲକ୍ ଝିର୍ଲିପାଲି ପଞ୍ଚାୟତରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ଅପରାହ୍ଣ ୪.୩୦ରେ ଝାରସୁଗୁଡ଼ା ସହର ବସ୍‌ଷ୍ଟାଣ୍ଡରୁ ସରବାହାଲ ଯାଏ ରୋଡ୍‌ ସୋ’ କରିବେ ।

    ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଆସନ ଖାଲି ରହିଛି । ତେଣୁ ଝାରସୁଗୁଡ଼ାରେ ୧୦ ତାରିଖରେ ଉପନିର୍ବାଚନ ହେଉଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଜିତାଇବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ । ନେତା,ମନ୍ତ୍ରୀ, କର୍ମକର୍ତ୍ତା ସମସ୍ତେ ଏଥିରେ ସାମିଲ ହୋଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ । ଅନ୍ୟପଟେ, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି ନେତା, ମନ୍ତ୍ରୀ ।

  • ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ, ମେସେଜ୍ ପଠାଇ ଫସିଗଲେ ଖେଳ ଶିକ୍ଷକ

    ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ, ମେସେଜ୍ ପଠାଇ ଫସିଗଲେ ଖେଳ ଶିକ୍ଷକ

    ଶେଷରେ ରସିକିଆ ଖେଳ ଶିକ୍ଷକଙ୍କ କଳା କାରନାମା ପର୍ଦ୍ଦାଫାସ ହୋଇଛି । ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇବା ସହ ଭିଡିଓ କଲ୍ କରିବା ଶିକ୍ଷକଙ୍କୁ ବେଶ୍ ମହଙ୍ଗା ପଡ଼ିଛି । ସମ୍ମାନ ହରାଇବା ସହ ତାଙ୍କ ବିରୁଦ୍ଧରେ ଆଉ କି କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ଅପେକ୍ଷାରେ ଅଛନ୍ତି ।

    କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅଧୀନ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ବିଭୂତି ସ୍ୱାଇଁ । ଖେଳରେ ଯେମିତି ମାହିର, ମନେ ମନେ ପ୍ରେମରେ ବି ଉବୁଟୁବୁ ହୋଇଥାନ୍ତି । ଝିଅଙ୍କ ସହ ଟିକେ ପ୍ରେମାଳାପ ହେଲେ ମନ୍ ଖୁସ୍ । ଏଭଳି ଚିନ୍ତାଧାରା ରଖି ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ, ମେସେଜ୍ ପଠାଉଛନ୍ତି । ଇନଷ୍ଟାଗ୍ରାମରେ ଭିଡିଓ କଲ୍ ବି କରନ୍ତି । ମହାକାଳପଡ଼ାରେ ତାଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ପରିବାର ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ରାତି ହେଲେ ଝିଅକୁ ହଇରାଣ କରୁଛନ୍ତି ଖେଳ ଶିକ୍ଷକ । ଭିଡିଓ କଲ୍ କରିବା ସହ ଅଶ୍ଳୀଳ ଫଟୋ ପଠାଉଛନ୍ତି । ଅଶ୍ଳୀଳ ମେସେଜ୍ ବି କରୁଛନ୍ତି । ଛାତ୍ରୀ ରାଜି ହେଲେ ଲକ୍ଷ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ବି ଦେଇଛନ୍ତି ।

    କିନ୍ତୁ ଶିକ୍ଷକଙ୍କ କଳା କାରନାମା ସମ୍ପର୍କରେ କାହାରିକୁ ଜଣାଇଲେ ପରୀକ୍ଷାରେ ଫେଲ୍ କରିବା ସହ ହତ୍ୟା କରିବା ଧମକ ବି ଦେଇଛନ୍ତି ରଙ୍ଗିଲା ଶିକ୍ଷକ । କେତେଦିନ ଆଉ ସମ୍ଭାଳିଥାନ୍ତେ, ତେଣୁ ବାଧ୍ୟହୋଇ ପୀଡ଼ିତା ନିଜ ପରିବାରକୁ ଜଣାଇଲେ । ଶେଷରେ ନ୍ୟାୟ ପାଇଁ ମହାକାଳପଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ଖେଳ ଶିକ୍ଷକଙ୍କ ଛାତ୍ରୀଙ୍କ ପ୍ରତି ଏଭଳି ବ୍ୟବହାର ନେଇ ପ୍ରଶ୍ନବାଚୀ ଉଠିଛି । ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ ।

    ପ୍ରତିବାଦରେ ପରିବାର ଲୋକଙ୍କ ସହ ସ୍ଥାନୀୟ ମହିଳାମାନେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ନ୍ୟାୟ ଦାବିରେ ସେମାନେ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ । ସଂପୃକ୍ତ ଖେଳ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିବା, ଦୋଷୀଙ୍କୁ ଦଣ୍ଡଦେବା ଭଳି ଦାବି କରିଥିଲେ । ତେବେ, ଘଟଣାସ୍ଥଳରେ ମହାକାଳପଡ଼ା ଥାନା ଅଧିକାରୀ, ତହସିଲଦାର ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

  • କଟକ : ଯୋବ୍ରା ବ୍ୟାରେଜ ଗେଟରୁ ଯୁବକଙ୍କ ମୃତଦେହ ଠାବ

    କଟକ : ଯୋବ୍ରା ବ୍ୟାରେଜ ଗେଟରୁ ଯୁବକଙ୍କ ମୃତଦେହ ଠାବ

    କଟକ ଯୋବ୍ରା ବ୍ୟାରେଜ୍ ଗେଟରୁ ମୃତଦେହ ଠାବ । ଜଣେ ଯୁବକଙ୍କ ମୃତଦେହ ଭାସିଭାସି ଗେଟରେ ଲାଗିଥିଲା । ମୃତଦେହ ଦେଖିବା ପରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ଯୁବକଙ୍କ କୌଣସି ପରିଚୟ ମିଳିପାରି ନାହିଁ ।

    ସୂଚନା ଅନୁସାରେ ମୃତ ଯୁବକଙ୍କ ବୟସ ୨୫ରୁ ୩୦ ବର୍ଷ ହେବ । ଘଟଣାକୁ ନେଇ ଜଗତପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କଟକ ଏସସିବି ପଠାଯାଇଛି । କାରଣ କଣ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । କିଏ ହତ୍ୟା କରିଛି ନା ନିଜେ ଆତ୍ମହତ୍ୟା କରିଛନ୍ତି ସେଇ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ । ସମସ୍ତଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ପ୍ରଥମ ଘଟଣା ନୁହେଁ, ଅନେକ ଥର ଏଭଳି ଅଘଟଣ ଘଟିଲାଣି । ତେବେ, ଲୋକଙ୍କ ସୁରକ୍ଷା ଦିଗରେ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

  • ଧରଣୀଧର ଜୟନ୍ତୀରେ ଉପେକ୍ଷା ପ୍ରତିବାଦରେ ଇସ୍ତଫା ଦେଲେ ସରପଞ୍ଚ

    ଧରଣୀଧର ଜୟନ୍ତୀରେ ଉପେକ୍ଷା ପ୍ରତିବାଦରେ ଇସ୍ତଫା ଦେଲେ ସରପଞ୍ଚ

    () ବିପ୍ଳବୀ ଧରଣୀଧରଙ୍କ ଜୟନ୍ତୀରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ। ସଂଗ୍ରାମୀଙ୍କ ଜନ୍ମସ୍ଥାନ ସଦରବ୍ଲକ ବରଦାପାଳ ପଞ୍ଚାୟତ କସୁମିତା ଗ୍ରାମଠାରେ ଧରଣୀଧରଙ୍କ ଜୟନ୍ତୀ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସମାରୋହ। ଏହି କାର୍ଯ୍ୟକ୍ରମକୁ ନିର୍ବାଚିତ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସ୍ଥାନୀୟ ବରଦାପାଳ ସରପଞ୍ଚ ଗଣେଶଚନ୍ଦ୍ର ମୁଣ୍ଡାଙ୍କୁ ସାମାନ୍ୟ ସୂଚନା ମଧ୍ୟ ଦିଆଯାଇନଥିଲା ।

    ଏକ ଜିଲାସ୍ତରୀୟ ସମାରୋହରେ ନିଜର ଉପେକ୍ଷାକୁ ବିରୋଧ କରି ସରପଞ୍ଚ ମୁଣ୍ଡା ନିଜ ଇସ୍ତଫା ପତ୍ର ସଦର ବିଡିଓଙ୍କୁ ପଠାଇ ଦେଇଛନ୍ତି । ଇସ୍ତଫାକୁ ନେଇ ମୁଣ୍ଡା କହିଛନ୍ତି କି, ସେ ଜଣେ ଆଦିବାସୀ ହୋଇଥିବାରୁ ତାଙ୍କୁ ଜଣାଯାଇନଥିଲା। ଏମିତି କି, ପଞ୍ଚାୟତର ନାମ କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନ ଥିଲା। ଯାହା ମୋତେ ବ୍ୟଥିତ କରିଛି। ଏହାକୁ ଦେଖି ମନେ ହେଉଛି ସରପଞ୍ଚ ପଦରେ ରହିବାକୁ ମୁଁ ଯୋଗ୍ୟ ନୁହେଁ ।

    ତେବେ ପ୍ରଶାସନିକ କାର୍ଯ୍ୟକ୍ରମରେ ଜଣେ ସ୍ଥାନୀୟ ସରପଞ୍ଚଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଉପେକ୍ଷା କରାଯାଇଛି ନା , ଆଦିବାସୀ ନେତା ବୋଲି ଅବହେଳା କରାଯାଇଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ସଦର ବିଡ଼ିଓ ବିକାଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଛନ୍ତି । ଏଭଳି ସ୍ଥିତିରେ ଶ୍ରୀମୁଣ୍ଡାଙ୍କ ଇସ୍ତଫାପତ୍ରକୁ ପ୍ରଶାସନ ଗ୍ରହଣ କରୁଛି ନାଁ ତାଙ୍କୁ ବୁଝାଶୁଝା ପାଇଁ ଉଦ୍ୟମ କରୁଛି ତାହା ଦେଖିବାକୁ ବାକି ରହିଲା ।

  • ଫର୍ଚ୍ୟୁନ୍‌ ଇଣ୍ଡିଆ ମାଗାଜିନ୍‌ରେ ୪ ଓଡିଆ ଉଦ୍ୟୋଗୀ

    ଫର୍ଚ୍ୟୁନ୍‌ ଇଣ୍ଡିଆ ମାଗାଜିନ୍‌ରେ ୪ ଓଡିଆ ଉଦ୍ୟୋଗୀ

    ଓଡିଆ ଯୁବକଙ୍କ ସଫଳତା। ସମ୍ମାନଜନକ ଫରଚ୍ୟୁନ୍‌ ଇଣ୍ଡିଆ ମାଗାଜିନ୍‌ରେ ନିଜ ନାମ ସାମିଲ କରି ରାଜ୍ୟର କୋଟି କୋଟି ଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଓଡିଶାର ୪ ଉଦ୍ୟୋଗୀ । ମାଗାଜିନର ‘୪୦ ଅଣ୍ଡର ୪୦’ ସେଗ୍‌ମେଣ୍ଟରେ  ଅଲିଭ ରିଡ୍‌ଲେ ମିଡିଆର ଫାଉଣ୍ଡର ସମର ପ୍ରତାପ ନାୟକ ସାମିଲ ହୋଇଛନ୍ତି, ଯିଏ ହେଉଛନ୍ତି ସର୍ବ କନିଷ୍ଠ ଉଦ୍ୟୋଗୀ।

    IIM ଅହମ୍ମଦାବାଦରେ ମ୍ୟାନେଜମେଣ୍ଟ ପାଠ ପଢ଼ିଛନ୍ତି ସମର। ପାଠ ପଢ଼ା ସରିବା ପରେ ଚାକିରି ପଛରେ ନ ଧାଇଁ ବେଙ୍ଗାଲୁରରେ ବ୍ୟବସାୟ ଆରମ୍ଭ କରିଥିଲେ ସମର। ରାଜ୍ୟରେ କୁଶଳୀ ଶ୍ରମିକ ଓ ସୁଯୋଗର ଅଭାବ ଥିବା ଜାଣି ମଧ୍ୟ କିଛି ଦିନ ପରେ ଓଡ଼ିଶା ଫେରିଥିଲେ। ସମରଙ୍କ କହିବାନୁଯାୟୀ, ଉଦ୍ୟୋଗପତିମାନଙ୍କୁ ସବୁବେଳେ ଦୁଇଟି ବଡ଼ ସୁଯୋଗ ମିଳିଥାଏ। ଗୋଟିଏ ହେଲା କିଛି ସମସ୍ୟା ଆସିଲେ ଏହାକୁ ନିଜ ଢ଼ଙ୍ଗରେ ସମାଧନ କରିବା। ଆଉ ସମସ୍ୟାର ସମାଧାନ ହୋଇସାରିବା ପରେ ଏହାର ସ୍ୱାଦ ଚାଖିବା।

    ସମରଙ୍କ ବ୍ୟତୀତ ଫାଲକନ ରିୟଲ ଇଷ୍ଟେଟର ଡାଇରେକ୍ଟର ପାର୍ଥଜିତ ପଟ୍ଟନାୟକ ଓ ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ଜୟ ଦାଶ ଓ ସୁମା ଦାଶ ବି ଏହି ସମ୍ମାନଜନକ ପତ୍ରିକାରେ ସ୍ଥାନ ପାଇଛନ୍ତି। ପାର୍ଥଜିତ ୨୦୦୮ ମସିହାରେ ଲଣ୍ଡନରୁ ଏମବିଏ କରି ଓଡ଼ିଶା ଫେରିଥିଲେ। ଏହାପରେ ସେ ଫାଲକନ ରିୟଲ ଇଷ୍ଟେଟର ଡାଇରେକ୍ଟର ପଦବୀ ସମ୍ଭାଳିଥିବା ବେଳେ ଖୁବ୍‌ ଶୀଘ୍ର ସଫଳ ହୋଇଥିଲେ। ପାର୍ଥଜିତଙ୍କ ନେତୃତ୍ୱରେ ଫାଲକନ ଦିନକୁ ଦିନ ସଫଳତାର ଶିଡି ଚଢ଼ି ଚାଲିଛି।

    ଆମେରିକାରରେ ରହୁଥିବା ଜୟ ଦାଶ ଓ ସୁମା ଦାଶ କୋଭିଡ ସମୟରେ ରାଜ୍ୟକୁ ଫେରି କିଛି କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜ ରାଜ୍ୟକୁ ଫେରି ସେ ରାଜଧାନୀରେ ନୂଆ ଢାଞ୍ଚାର ପ୍ରଥମ ୱେଲନେସ୍ ଫାର୍ମାସୀ ଷ୍ଟୋର ଖୋଲିଲେ। ଯେଉଁଥିରେ ଗୋଟିଏ ଛାତ ତଳେ ବହୁ ହେଲଥ୍‌ ଫାସିଲିଟି ସହ 24×7 ଫର୍ମାଟରେ ହୋମ ଡେଲିଭରି ସେବା ବି ଆରମ୍ଭ ହେଲା। ବର୍ଷକ ଭିତରେ ସେମାନଙ୍କ କାର୍ଯ୍ୟକୁ ରାଜଧାନୀବାସୀଙ୍କ ଦ୍ୱାରା ଆଦୃତ ହୋଇପାରିଛି।

  • ରାଜଧାନୀରେ ରୋଡ୍ ରୋମିଓଙ୍କ ଆତଙ୍କରାଜ, ହଷ୍ଟେଲରେ ଭଙ୍ଗାରୁଜା

    ରାଜଧାନୀରେ ରୋଡ୍ ରୋମିଓଙ୍କ ଆତଙ୍କରାଜ, ହଷ୍ଟେଲରେ ଭଙ୍ଗାରୁଜା

    ରାଜଧାନୀ ଭୁବନେଶ୍ୱରର ଏକ ଲେଡିଜ୍ ହଷ୍ଟେଲରେ ରୋଡ୍ ରୋମିଓଙ୍କ ଆତଙ୍କରାଜ । ହଷ୍ଟେଲ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ୧୦ରୁ ଅଧିକ ଯୁବକ ଏଭଳି କାଣ୍ଡ ଭିଆଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରିଛି ପୋଲିସ ।

    ନୟାପଲ୍ଲୀ ଥାନା ଅଧିନ ଉଗ୍ରତାରା ଲେଡିଜ ହଷ୍ଟେଲରେ ଛାତ୍ରୀମାନେ ଆକ୍ରମଣର ଶିକାର ହୋଇଛନ୍ତି । ଛାତ୍ରୀମାନେ ହଷ୍ଟେଲ ଆଗରେ ଛିଡ଼ା ହୋଇଥିବା ବେଳେ ଯୁବକ ଟେକା ଫିଙ୍ଗିଥିଲେ । ବିରୋଧ କରିବାରୁ ଧମକ ଦେଇଥିଲେ ଏବଂ ଧକ୍କା ମାରିବା ସହ ମାଡ଼ ମାରିଥିଲେ । ଆଉ କିଛି ଯୁବତୀ ବାହାରକୁ ଆସିବା ବେଳେ ସେମାନଙ୍କ ଉପରକୁ ଟେକା ଫିଙ୍ଗିଥିଲେ ରୋଡ୍ ରୋମିଓ । ନିଶା ଖାଇ ଏଭଳି କମେଣ୍ଟ ମାରୁଥିବା କହିଛନ୍ତି ଛାତ୍ରୀ ।

    ଏପରିକି ହଷ୍ଟେଲ କାନ୍ଥ ଭାଙ୍ଗିବା ସହ ଟେକା ଫିଙ୍ଗି କାଚ ଭାଙ୍ଗିଥିଲେ । ୧୦ରୁ ଅଧିକ ଦୃର୍ବୃତ୍ତ ହଷ୍ଟେଲରେ ଆତଙ୍କ ଖେଳାଇଥିଲେ । ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ, ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସକୁ ଖବର ମିଳିଛି । ଏହି ଘଟଣା ପରେ ମଦ୍ୟପାନ କରୁଥିବା ସ୍ଥାନରେ ଅତର୍କିତ ଚଢ଼ାଉ କରିଛି ପୋଲିସ ।

  • ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା

    ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା

    ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ମଧ୍ୟମ ଟ୍ରପୋସ୍ଫରିକ ସ୍ତର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ’ ୯ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହାପରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଉତ୍ତର ଦିଗକୁ ଗତି କରୁଥିବା ବେଳେ ଏହା ଘୂର୍ଣ୍ଣିବଳୟର ରୂପ ନେବ । ଲଘୁଚାପ ସୃଷ୍ଟି ପରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ।

    ଏହାର ପ୍ରଭାବରେ ୮ରୁ ୧୨ ତାରିଖ ମଧ୍ୟରେ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ୮ରୁ ୧୧ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୧୦ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

    ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୭୦ କିଲୋମିଟର ଯାଏ ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେହିପରି ୧୦ ତାରିଖରୁ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇ ଦକ୍ଷିଣ-ପୂର୍ବ ଏବଂ ଏହାର ଆଖପାଖ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୬୦/୭୦ କିଲୋମିଟରରୁ ୮୦ କିଲୋମିଟରକୁ ବୃଦ୍ଧି ପାଇବ । ୭ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ ।

    ୯ ତାରିଖରୁ ପ୍ରବଳ ବର୍ଷିପାରେ । ୧୦ ତାରିଖରୁ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ୮ ଓ ୯ ତାରିଖ ବେଳକୁ ଆଣ୍ଡାମାନ ସମୁଦ୍ର ଅଶାନ୍ତ ରହିବ । ତେବେ ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସମୁଦ୍ର ଅଶାନ୍ତ ରହିବ । ବର୍ଷା, ପବନ ଆଶଙ୍କା ଥିବାରୁ ମତ୍ସ୍ୟଜୀବୀ,ଛୋଟ ଜାହାଜ,ଡଙ୍ଗା ଓ ଟ୍ରଲରଗୁଡ଼ିକୁ ୭ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର ଆଖପାଖ ଅଞ୍ଚଳ ଏବଂ ୯ରୁ ଦକ୍ଷିଣ-ପୂର୍ବ ଓ ଆଖପାଖ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯିବାକୁ ବାରଣ କରାଯାଇଛି ।

  • ଗାଁରେ ହାତୀ ବୁଲୁଥିବାରୁ ଲୋକେ ଭୟଭୀତ, ଘଉଡ଼ାଇବା ପାଇଁ ଦାବି

    ଗାଁରେ ହାତୀ ବୁଲୁଥିବାରୁ ଲୋକେ ଭୟଭୀତ, ଘଉଡ଼ାଇବା ପାଇଁ ଦାବି

    କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକରେ ହାତୀ ଆତଙ୍କ । ଶୋଷ କାନପୁର ଅଞ୍ଚଳରେ ଲୋକେ ଭୟଭୀତ । ବିଶେଷକରି ଖରାଦିନରେ ଆମ୍ବ, ପଣସ ପାଚିବା ସମୟରେ ହାତୀଙ୍କ ଯାଆସ ଲାଗି ରହିଥାଏ । ଗତ କିଛି ବର୍ଷ ହେଲା ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ଶୋଷ,ବାଘୁଆ ଅଞ୍ଚଳ ଆସୁଛନ୍ତି ହାତୀପଲ । ଏଠାରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଏପରି କି ଦୁଇ ବର୍ଷ ହେଲା ଅନେକ ଲୋକଙ୍କୁ ଆକ୍ରମଣ କରିବା ସହ ଫସଲ ନଷ୍ଟ କରୁଛନ୍ତି ।

    ଏବେ କିଛି ଦିନ ହେଲା ଗୋଟେ ଦନ୍ତା ହାତୀ ଶୋଷ, ବାଘୁଆ, ବିଦ୍ୟାଧରପୁର ଅଞ୍ଚଳରେ ଚଳପ୍ରଚଳ କରୁଛି । ଦିନରେ ଆମ୍ବ, ପଣସ ତୋଟାରେ ଶୋଉଥିବା ବେଳେ ରାତିରେ ବିଭିନ୍ନ ସ୍ଥାନ ବୁଲାବୁଲି କରୁଛନ୍ତି । ଅଞ୍ଚଳରେ ଫସଲ ନଷ୍ଟ ମଧ୍ୟ କରୁଛନ୍ତି । ଗତକାଲି ଦିନ ଦ୍ୱିପ୍ରହରେ ବାଘୁଆ ଗାଁରେ ହାତୀ ପଶି ଥିବାବେଳେ ଲୋକେ ଭୟଭୀତ ହୋଇଥିଲେ । ଲୋକମାନେ ବାହାରକୁ ବାହାରି ପାରୁନାହାଁନ୍ତି । ତେଣୁ ବନ ବିଭାଗ ତୁରନ୍ତ ହାତୀକୁ ଘଉଡ଼ାଇବା ଲାଗି ପଦକ୍ଷେପ ନେବାକୁ ଗାଁ ଲୋକେ ଦାବି କରିଛନ୍ତି ।

  • ଅର୍ଚ୍ଚନା ନାଗ ନିର୍ଦ୍ଦୋଷ, ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣପତ୍ର ନାହିଁ: ଓକିଲ

    ଅର୍ଚ୍ଚନା ନାଗ ନିର୍ଦ୍ଦୋଷ, ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣପତ୍ର ନାହିଁ: ଓକିଲ

    ଅର୍ଚ୍ଚନା ନାଗ ନିର୍ଦ୍ଦୋଷ । ତାଙ୍କ ବିରୋଧରେ ଠୋସ୍ କିଛି ପ୍ରମାଣପତ୍ର ନାହିଁ । ତେଣୁ ED ତାଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଇପାରିବ ନାହିଁ । ଏଭଳି କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ । EDକୁ ସବୁ ପ୍ରକାର ସହଯୋଗ କରାଯାଉଛି କିନ୍ତୁ ଅର୍ଚ୍ଚନାଙ୍କ ବିରୁଦ୍ଧରେ ED କୌଣସି ପ୍ରମାଣପତ୍ର ଯୋଗାଡ଼ କରିପାରିନି ।

    ବହୁ ଚର୍ଚ୍ଚିତ ବ୍ଲାକମେଲିଙ୍ଗ ଘଟଣାରେ ଅର୍ଚ୍ଚନା ମୁଖ୍ୟ ଅଭିଯୁକ୍ତ ବୋଲି ଇଡି ଦାବି କରି ଆସୁଛି । ପୂର୍ବରୁ ୨୨୪୧ ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ଏବଂ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଚାର୍ଜସିଟ ପ୍ରସ୍ତୁତ କରିସାରିଛି । ଏଥିସହ ପୂର୍ବରୁ କମିଶନରେଟ ପୋଲିସ ନିକଟରେ ହୋଇଥିବା ମାମଲା ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବୟାନ ଆଧାରରେ ପ୍ରସ୍ତୁତ ହୋଇଥିବା ୫୦୧ ପୃଷ୍ଠାର ଚାର୍ଜସିଟକୁ କମିଶନରେଟ ପୋଲିସ ଜେଏମଏଫସି କୋର୍ଟରେ ପୂର୍ବରୁ ଦାଖଲ କରିସାରିଥିଲା । ଉକ୍ତ ଚାର୍ଜସିଟରେ ଅର୍ଚ୍ଚନାଙ୍କ ବିରୁଦ୍ଧରେ ଅନେକ ତଥ୍ୟ ପ୍ରମାଣ ରହିଥିବା ଦାବି କରିଥିଲା ED । ଅଡିଓ ଭିଡିଓ ରେକର୍ଡ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିଲା ।

    ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଆଲିସାନ ବଙ୍ଗଳାରେ ତନାଘନା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘରଟିର ମୂଲ୍ୟ ପ୍ରାୟ ୩ କୋଟିରୁ ଅଧିକ ହେବ । ଅର୍ଥ ହେରଫେର, ବ୍ଲାକମେଲିଂ ପରି ଅନେକ ଅଭିଯୋଗ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନାଁରେ ରହିଛି । ଅର୍ଚ୍ଚନାଙ୍କ ସହ ଅନେକ ନେତା, ଅଧିକାରୀଙ୍କ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ଧରିଛି ।