ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ, ମେସେଜ୍ ପଠାଇ ଫସିଗଲେ ଖେଳ ଶିକ୍ଷକ

ଶେଷରେ ରସିକିଆ ଖେଳ ଶିକ୍ଷକଙ୍କ କଳା କାରନାମା ପର୍ଦ୍ଦାଫାସ ହୋଇଛି । ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇବା ସହ ଭିଡିଓ କଲ୍ କରିବା ଶିକ୍ଷକଙ୍କୁ ବେଶ୍ ମହଙ୍ଗା ପଡ଼ିଛି । ସମ୍ମାନ ହରାଇବା ସହ ତାଙ୍କ ବିରୁଦ୍ଧରେ ଆଉ କି କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ଅପେକ୍ଷାରେ ଅଛନ୍ତି ।

କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅଧୀନ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ବିଭୂତି ସ୍ୱାଇଁ । ଖେଳରେ ଯେମିତି ମାହିର, ମନେ ମନେ ପ୍ରେମରେ ବି ଉବୁଟୁବୁ ହୋଇଥାନ୍ତି । ଝିଅଙ୍କ ସହ ଟିକେ ପ୍ରେମାଳାପ ହେଲେ ମନ୍ ଖୁସ୍ । ଏଭଳି ଚିନ୍ତାଧାରା ରଖି ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ, ମେସେଜ୍ ପଠାଉଛନ୍ତି । ଇନଷ୍ଟାଗ୍ରାମରେ ଭିଡିଓ କଲ୍ ବି କରନ୍ତି । ମହାକାଳପଡ଼ାରେ ତାଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ପରିବାର ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ରାତି ହେଲେ ଝିଅକୁ ହଇରାଣ କରୁଛନ୍ତି ଖେଳ ଶିକ୍ଷକ । ଭିଡିଓ କଲ୍ କରିବା ସହ ଅଶ୍ଳୀଳ ଫଟୋ ପଠାଉଛନ୍ତି । ଅଶ୍ଳୀଳ ମେସେଜ୍ ବି କରୁଛନ୍ତି । ଛାତ୍ରୀ ରାଜି ହେଲେ ଲକ୍ଷ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ବି ଦେଇଛନ୍ତି ।

କିନ୍ତୁ ଶିକ୍ଷକଙ୍କ କଳା କାରନାମା ସମ୍ପର୍କରେ କାହାରିକୁ ଜଣାଇଲେ ପରୀକ୍ଷାରେ ଫେଲ୍ କରିବା ସହ ହତ୍ୟା କରିବା ଧମକ ବି ଦେଇଛନ୍ତି ରଙ୍ଗିଲା ଶିକ୍ଷକ । କେତେଦିନ ଆଉ ସମ୍ଭାଳିଥାନ୍ତେ, ତେଣୁ ବାଧ୍ୟହୋଇ ପୀଡ଼ିତା ନିଜ ପରିବାରକୁ ଜଣାଇଲେ । ଶେଷରେ ନ୍ୟାୟ ପାଇଁ ମହାକାଳପଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ଖେଳ ଶିକ୍ଷକଙ୍କ ଛାତ୍ରୀଙ୍କ ପ୍ରତି ଏଭଳି ବ୍ୟବହାର ନେଇ ପ୍ରଶ୍ନବାଚୀ ଉଠିଛି । ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ ।

ପ୍ରତିବାଦରେ ପରିବାର ଲୋକଙ୍କ ସହ ସ୍ଥାନୀୟ ମହିଳାମାନେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ନ୍ୟାୟ ଦାବିରେ ସେମାନେ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ । ସଂପୃକ୍ତ ଖେଳ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିବା, ଦୋଷୀଙ୍କୁ ଦଣ୍ଡଦେବା ଭଳି ଦାବି କରିଥିଲେ । ତେବେ, ଘଟଣାସ୍ଥଳରେ ମହାକାଳପଡ଼ା ଥାନା ଅଧିକାରୀ, ତହସିଲଦାର ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

Leave a Reply

Your email address will not be published. Required fields are marked *