ଧରଣୀଧର ଜୟନ୍ତୀରେ ଉପେକ୍ଷା ପ୍ରତିବାଦରେ ଇସ୍ତଫା ଦେଲେ ସରପଞ୍ଚ

() ବିପ୍ଳବୀ ଧରଣୀଧରଙ୍କ ଜୟନ୍ତୀରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ। ସଂଗ୍ରାମୀଙ୍କ ଜନ୍ମସ୍ଥାନ ସଦରବ୍ଲକ ବରଦାପାଳ ପଞ୍ଚାୟତ କସୁମିତା ଗ୍ରାମଠାରେ ଧରଣୀଧରଙ୍କ ଜୟନ୍ତୀ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସମାରୋହ। ଏହି କାର୍ଯ୍ୟକ୍ରମକୁ ନିର୍ବାଚିତ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସ୍ଥାନୀୟ ବରଦାପାଳ ସରପଞ୍ଚ ଗଣେଶଚନ୍ଦ୍ର ମୁଣ୍ଡାଙ୍କୁ ସାମାନ୍ୟ ସୂଚନା ମଧ୍ୟ ଦିଆଯାଇନଥିଲା ।

ଏକ ଜିଲାସ୍ତରୀୟ ସମାରୋହରେ ନିଜର ଉପେକ୍ଷାକୁ ବିରୋଧ କରି ସରପଞ୍ଚ ମୁଣ୍ଡା ନିଜ ଇସ୍ତଫା ପତ୍ର ସଦର ବିଡିଓଙ୍କୁ ପଠାଇ ଦେଇଛନ୍ତି । ଇସ୍ତଫାକୁ ନେଇ ମୁଣ୍ଡା କହିଛନ୍ତି କି, ସେ ଜଣେ ଆଦିବାସୀ ହୋଇଥିବାରୁ ତାଙ୍କୁ ଜଣାଯାଇନଥିଲା। ଏମିତି କି, ପଞ୍ଚାୟତର ନାମ କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନ ଥିଲା। ଯାହା ମୋତେ ବ୍ୟଥିତ କରିଛି। ଏହାକୁ ଦେଖି ମନେ ହେଉଛି ସରପଞ୍ଚ ପଦରେ ରହିବାକୁ ମୁଁ ଯୋଗ୍ୟ ନୁହେଁ ।

ତେବେ ପ୍ରଶାସନିକ କାର୍ଯ୍ୟକ୍ରମରେ ଜଣେ ସ୍ଥାନୀୟ ସରପଞ୍ଚଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଉପେକ୍ଷା କରାଯାଇଛି ନା , ଆଦିବାସୀ ନେତା ବୋଲି ଅବହେଳା କରାଯାଇଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ସଦର ବିଡ଼ିଓ ବିକାଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଛନ୍ତି । ଏଭଳି ସ୍ଥିତିରେ ଶ୍ରୀମୁଣ୍ଡାଙ୍କ ଇସ୍ତଫାପତ୍ରକୁ ପ୍ରଶାସନ ଗ୍ରହଣ କରୁଛି ନାଁ ତାଙ୍କୁ ବୁଝାଶୁଝା ପାଇଁ ଉଦ୍ୟମ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *