ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରଚାର ମୈଦାନରେ ନବୀନଙ୍କୁ ଟକ୍କର ଦେବେ ଧର୍ମେନ୍ଦ୍ର

୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ଭୋଟ୍ ହାତେଇବା ପାଇଁ ପ୍ରଚାର ଜୋରଦାର ହେଉଛି । ଆଉ ମାତ୍ର ୩ ଦିନ । ଭୋଟ୍ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ ଝାରସୁଗୁଡ଼ାବାସୀ । ଆସନ୍ତାକାଲି ଅର୍ଥାତ୍ ୮ ତାରିଖ ସନ୍ଧ୍ୟାରୁ ଝାରସୁଗୁଡ଼ା ନିର୍ବାଚନୀ ପ୍ରଚାର ବନ୍ଦ ହେବ । ତେଣୁ ଆଜି ଉଭୟ ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯିବ ।

ଆଜି ଗୋଟିଏ ଦିନରେ ୨ ଲୋକପ୍ରିୟ ନେତାଙ୍କ କାର୍ଯ୍ୟକ୍ରମ । ଝାରସୁଗୁଡ଼ା ସହରରେ ଆୟୋଜିତ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଭୋଟ୍ ହାତେଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ୍‌ ସୋ’ରେ ସାମିଲ ହେବେ । ଏଥିପାଇଁ ଜୋରଦାର ପ୍ରସ୍ତୁତି ହୋଇଥିବା ବେଳେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟ୍ ଭିକ୍ଷା କରିବେ ୨ ନେତା । ନେତା, କର୍ମୀ, ବିଧାୟକ, ସାଂସଦ ତଥା ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ନେତା ସମସ୍ତେ ଆଜିର ପ୍ରଚାରରେ ଯୋଗଦେବେ । ଝାରସୁଗୁଡ଼ାରେ ପ୍ରଚାର ମୈଦାନରେ ନବୀନ ଓ ଧର୍ମେନ୍ଦ୍ରଙ୍କ ଲଢ଼େଇ ଦେଖିବାକୁ ମିଳିବ ।

ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ଜଣ ଡିଏସ୍‌ପି, ୧୫ ଇନ୍ସପେକ୍ଟର, ୨୨ ଜଣ ଏସଆଇ, ୬୪ ଜଣ ଏଏସ୍‌ଆଇଙ୍କ ଭଳି ମୋଟ ୧୪.୫ ପ୍ଲାଟୁନ ପୋଲିସ୍‌ ମୁତୟନ ହୋଇଛନ୍ତି । ଆଜି ଅପରାହ୍ଣ ସାଢ଼େ ୪ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ ନବୀନ । ସେଠାରୁ ଆମଲିପାଲିସ୍ଥିତ ସଭାସ୍ଥଳକୁ ଯାଇ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୫ଟା ୧୫ ମିନିଟରେ ଝାରସୁଗୁଡ଼ାରୁ ଭୁବନେଶ୍ବର ଅଭିମୁଖେ ବାହାରିବେ ବିଜେଡି ସୁପ୍ରିମୋ । ଅନ୍ୟପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୧୧ଟାରେ କୋଲାବିରା ବ୍ଲକ୍ ଝିର୍ଲିପାଲି ପଞ୍ଚାୟତରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ଅପରାହ୍ଣ ୪.୩୦ରେ ଝାରସୁଗୁଡ଼ା ସହର ବସ୍‌ଷ୍ଟାଣ୍ଡରୁ ସରବାହାଲ ଯାଏ ରୋଡ୍‌ ସୋ’ କରିବେ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଆସନ ଖାଲି ରହିଛି । ତେଣୁ ଝାରସୁଗୁଡ଼ାରେ ୧୦ ତାରିଖରେ ଉପନିର୍ବାଚନ ହେଉଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଜିତାଇବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ । ନେତା,ମନ୍ତ୍ରୀ, କର୍ମକର୍ତ୍ତା ସମସ୍ତେ ଏଥିରେ ସାମିଲ ହୋଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ । ଅନ୍ୟପଟେ, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି ନେତା, ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *