ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ମଧ୍ୟମ ଟ୍ରପୋସ୍ଫରିକ ସ୍ତର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ’ ୯ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହାପରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଉତ୍ତର ଦିଗକୁ ଗତି କରୁଥିବା ବେଳେ ଏହା ଘୂର୍ଣ୍ଣିବଳୟର ରୂପ ନେବ । ଲଘୁଚାପ ସୃଷ୍ଟି ପରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ।

ଏହାର ପ୍ରଭାବରେ ୮ରୁ ୧୨ ତାରିଖ ମଧ୍ୟରେ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ୮ରୁ ୧୧ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୧୦ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୭୦ କିଲୋମିଟର ଯାଏ ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେହିପରି ୧୦ ତାରିଖରୁ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇ ଦକ୍ଷିଣ-ପୂର୍ବ ଏବଂ ଏହାର ଆଖପାଖ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୬୦/୭୦ କିଲୋମିଟରରୁ ୮୦ କିଲୋମିଟରକୁ ବୃଦ୍ଧି ପାଇବ । ୭ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ ।

୯ ତାରିଖରୁ ପ୍ରବଳ ବର୍ଷିପାରେ । ୧୦ ତାରିଖରୁ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ୮ ଓ ୯ ତାରିଖ ବେଳକୁ ଆଣ୍ଡାମାନ ସମୁଦ୍ର ଅଶାନ୍ତ ରହିବ । ତେବେ ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସମୁଦ୍ର ଅଶାନ୍ତ ରହିବ । ବର୍ଷା, ପବନ ଆଶଙ୍କା ଥିବାରୁ ମତ୍ସ୍ୟଜୀବୀ,ଛୋଟ ଜାହାଜ,ଡଙ୍ଗା ଓ ଟ୍ରଲରଗୁଡ଼ିକୁ ୭ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର ଆଖପାଖ ଅଞ୍ଚଳ ଏବଂ ୯ରୁ ଦକ୍ଷିଣ-ପୂର୍ବ ଓ ଆଖପାଖ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *