Category: ରାଜ୍ୟ ଖବର

  • ସ୍ୱାମୀର ଶୁଦ୍ଧିକ୍ରିୟା ପାଇଁ ଅର୍ଥ ଯୋଗାଡ଼ ଚିନ୍ତା, ସାହାଯ୍ୟ ପାଇଁ ବିଧବାଙ୍କ ଗୁହାରି

    ସ୍ୱାମୀର ଶୁଦ୍ଧିକ୍ରିୟା ପାଇଁ ଅର୍ଥ ଯୋଗାଡ଼ ଚିନ୍ତା, ସାହାଯ୍ୟ ପାଇଁ ବିଧବାଙ୍କ ଗୁହାରି

    ଆଖିରୁ ଲୁହ ଶୁଖିଗଲା । ଦୁଃଖକଷ୍ଟରେ ଚାଲିଛି ପରିବାର । ତିନି ତିନିଟା ପିଲା । ସେମାନଙ୍କ ଦାୟିତ୍ୱ କିପରି ନେବେ । ସାହାରା ବନିଥିବା ସ୍ୱାମୀ ଆରପାରିକୁ ଚାଲିଗଲା । ଦିନ ପରେ ଦିନ ଗଡ଼ି ଚାଲିଛି । ଆଗକୁ ଶୁଦ୍ଧିକ୍ରିୟା କରିବାର ଅଛି । ହେଲେ ପାଖରେ ଟଙ୍କାଟିଏ ବି ନାହିଁ । ଅର୍ଥ ଯୋଗାଡ଼ କରିବା ଭାରି କଷ୍ଟକର । ସ୍ୱାମୀର ଶୁଦ୍ଧିକ୍ରିୟା କିପରି କରିବେ ଚିନ୍ତାରେ ମାଳତୀ ।

    କେନ୍ଦୁଝର ପାଟଣା ବ୍ଲକ୍ ସରାସକୋଲା ପଞ୍ଚାୟତରେ ଅଛି ଝିଞ୍ଜିନାଳି ସାହି । ସେଠାରେ ରୁହନ୍ତି ମାଳତୀ ମୁଣ୍ଡା । ଏବେ ସେ ବିଧବା । ଗତ ୪ ତାରିଖରେ ତାଙ୍କ ସ୍ୱାମୀ ତଥା ଦିନ ମଜୁରିଆ ଟୁକୁନା ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଘରେ ତିନି ତିନିଟି ଝିଅ । ସେମାନଙ୍କ ବୟସ ଖୁବ୍ କମ୍ ହେଲେ ଖାଇବେ କିପରି । ଛୁଆପିଲାଙ୍କ ପେଟକୁ ଦିଓଳା ଖାଇବା ଦେବା କଷ୍ଟକର । ଏଭଳି ସ୍ଥିତିରେ ସ୍ୱାମୀ ଛାଡ଼ି ଚାଲିଗଲା । ପରିବାର ବୋଝ ଏବେ ବିଧବା ମାଳତୀଙ୍କ ଉପରେ । ଆଗକୁ ସ୍ୱାମୀଙ୍କ ଶୁଦ୍ଧିକ୍ରିୟା । ଅର୍ଥ ଯୋଗାଡ଼ କରିବେ କିପରି ସେ ନେଇ ଚିନ୍ତାରେ ମାଳତୀ ।

    ରହିବା ପାଇଁ ଭଲ ଘରଟିଏ ନାହିଁ । ମାଟିଝାଟିର ଖଣ୍ଡିଏ ଘର । କେତେବେଳେ ବି ଭୁଷୁଡ଼ି ଯାଇପାରେ । ସରପଞ୍ଚ, ବ୍ଲକ୍ ଅଧିକାରୀଙ୍କୁ ବାରମ୍ବାର ଗୁହାରି ସତ୍ତ୍ୱେ କେହି ବି ସାହାଯ୍ୟ କରିନାହାଁନ୍ତି । ଶେଷରେ ନିରାଶ ହୋଇ ଏବେ ସାହାଯ୍ୟ ଭିକ୍ଷା ମାଗୁଛନ୍ତି । ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ଏବଂ ପିଲାଙ୍କ ପ୍ରତିପୋଷଣ ପାଇଁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ମାଳତୀ ।

  • ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ, ଆଜି ଅପରାହ୍ଣରେ ଦିଲ୍ଲୀ ଯିବେ ନବୀନ

    ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ, ଆଜି ଅପରାହ୍ଣରେ ଦିଲ୍ଲୀ ଯିବେ ନବୀନ

    ଆଜିଠାରୁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି । ୧୧ ତାରିଖ ଅର୍ଥାତ ଆସନ୍ତାକାଲି ଏବଂ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଆମ ରାଜ୍ୟ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

    ଦିଲ୍ଲୀ ରହିବା ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉଠାଇବେ । କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଏ ନେଇ ଆଲୋଚନା କରିବେ । ବିଭିନ୍ନ ଯୋଜନାରେ ବକେୟା ଅର୍ଥ ଓଡ଼ିଶାକୁ ତୁରନ୍ତ ଦେବାକୁ ଦାବି କରିବେ ନବୀନ । ରାଜ୍ୟର ନ୍ୟାଯ୍ୟ ଦାବି ଉପସ୍ଥାପନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛି ବିଜୁ ଜନତା ଦଳ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ରାଜ୍ୟ ବିକାଶରେ ବାଧକ ସାଜୁଥିବା ଦଳ ଅଭିଯୋଗ କରିଛି ।

    ଏବେ ଏସବୁ ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଉଠାଇବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ପାଇଁ କେନ୍ଦ୍ରମନ୍ତ୍ରୀମାନଙ୍କୁ ହକ୍ ମାଗିବେ । ସେପଟେ, ଜାତୀୟସ୍ତରରେ ରାଜନୈତିକ ସମୀକରଣ ବଦଳୁଛି । ତେଣୁ ନବୀନଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ବ ରଖିବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶା ଫେରିବେ ।

  • ଆଜି ୧୮ଟି ସହର ୪୦ ଡିଗ୍ରୀ ଉପରେ,ବୌଦ୍ଧ ସର୍ବାଧିକ

    ଆଜି ୧୮ଟି ସହର ୪୦ ଡିଗ୍ରୀ ଉପରେ,ବୌଦ୍ଧ ସର୍ବାଧିକ

    ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ୱେଲ ମାର୍କଡ ଲୋ ପ୍ରେସର୍ ବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଇଏମଡି କହିଛି, ପୂର୍ବାନୁମାନ ଅନୁସାରେ କାଲି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବାତ୍ୟା। ୧୨ ତାରିଖ ପରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ। ବାତ୍ୟା ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁପାରେ। ତେବେ ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ।

    ସେପଟେ ବେଶ୍ କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ତାତି। ଏପ୍ରିଲ ମାସରେ ପ୍ରାୟ ଦୁଇ ସପ୍ତାହ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ବେଳେ ଲୋକେ ଅସହ୍ୟ ଗରମରେ ସନ୍ତୁଳି ହୋଇଯାଇଥିଲେ। ତା’ପରେ ବିଭିନ୍ନ ସମୟରେ କାଳବୈଶାଖୀ ବର୍ଷା ଯୋଗୁ ପ୍ରାୟ ଦୁଇ ସପ୍ତାହ ଧରି ଖରାରୁ ରକ୍ଷା ପାଇଥିଲେ ଲୋକେ। କିନ୍ତୁ ଏବେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୧୮ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ବୌଦ୍ଧରେ। ଏଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ରହିଥିଲା।
    ସେହିପରି ଝାରସୁଗୁଡ଼ାର, ସମ୍ବଲପୁର, ରାଉରକେଲା, ଅନୁଗୋଳ, ସୁନ୍ଦରଗଡ଼, ତାଳଚେର, ବଲାଙ୍ଗିର, ଜଗତସିଂହପୁର, ଚାନ୍ଦବାଲି, ଟିଟିଲାଗଡ଼, ସୋନପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ାରେ 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

    ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ଆଜି ୩୮.୭ ଡିଗ୍ରୀ ରହିଥିବା ବେଳେ କଟକ, ହୀରାକୁଦ, ବରଗଡ଼, ନୂଆପଡ଼ା, ଭବାନୀପାଟଣା, ଦେବଗଡ଼, ମାଲକାନଗିରି, ଢେଙ୍କାନାଳ, ଯାଜପୁର, ଫୁଲବାଣୀ, ଭଦ୍ରକ, ପାରଳାଖେମୁଣ୍ଡି, ବାରିପଦା, ଛତ୍ରପୁର, ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦୁଝରରେ ୪୦ ଡିଗ୍ରୀ ତଳେ ଥିଲା ତାପମାତ୍ରା।

  • ‘ଆମେ ଭଲ ବନ୍ଧୁ, ରାଜନୈତିକ ଚର୍ଚ୍ଚା କରିନୁ’

    ‘ଆମେ ଭଲ ବନ୍ଧୁ, ରାଜନୈତିକ ଚର୍ଚ୍ଚା କରିନୁ’

    ବିଜେପି ବିରୋଧୀ ମେଣ୍ଟ ପ୍ରୟାସରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲା । ତେବେ ଏଥିରେ କୌଣସି ରାଜନୈତିକ ଚର୍ଚ୍ଚା କି ମେଣ୍ଟ ନେଇ ଆଲୋଚନା ହୋଇନାହିଁ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆମେ ପୁରୁଣା ବନ୍ଧୁ ବୋଲି କହି ରାଜନୈତିକ ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି । ବିହାର ତୀର୍ଥଯାତ୍ରୀଙ୍କ ପାଇଁ ପୁରୀରେ ଦେଢ଼ ଏକର ଜମି ମାଗଣାରେ ଯୋଗାଇ ଦେବାକୁ ନବୀନ ଏହି ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି ।

    ଆଜି ଦିନ ପ୍ରାୟ ୧୨ଟାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ବିଜେଡିର ଦୁଇ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅଶୋକ ପଣ୍ଡା ତାଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦରରୁ ନୀତୀଶ ସିଧାସଳଖ ନବୀନ ନିବାସ ଆସିଥିଲେ । ନବୀନ ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ । ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହା ଭିତରେ ସେମାନେ ମଧ୍ୟାହ୍ନ ଭୋଜନ କରିଥିଲେ ।

    ଏହାପରେ ଉଭୟ ମୁଖ୍ୟମନ୍ତ୍ରୀ ବାହାରକୁ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ନବୀନ କହିଥିଲେ, ଆମେ ପୁରୁଣା ବନ୍ଧୁ । ବାଜପେୟୀ ସରକାରରେ ଉଭୟ ମନ୍ତ୍ରୀ ଥିଲୁ । ପୁରୀରେ ବିହାରର ତୀର୍ଥଯାତ୍ରୀଙ୍କ ପାଇଁ ଓଡ଼ିଶା ସରକାର ଦେଢ଼ ଏକର ଜମି ଯୋଗାଇଦେବେ । ସେଥିରେ ବିହାର ଭବନ ନିର୍ମାଣ ହେବ । ସମ୍ପୂର୍ଣ୍ଣ ମାଗଣାରେ ଏହି ଜମି ଦିଆଯିବ ବୋଲି ନବୀନ କହିଥିଲେ । ଆଜିର ବୈଠକରେ ମେଣ୍ଟ ଆଲୋଚନା ହୋଇନି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ନବୀନ କହିଥିଲେ ।

    ସେହିଭଳି ନୀତୀଶ ମଧ୍ୟ ସମାନ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, ବିଜୁବାବୁଙ୍କ ସମୟରୁ ଆମର ପୁରୁଣା ସମ୍ପର୍କ । ଆମେ ଉଭୟ ପୁରୁଣା ବନ୍ଧୁ । ମୁଁ ଏଠାକୁ ଆଗରୁ ବାରମ୍ବାର ଆସିଛି । କରୋନା ଯୋଗୁଁ ମଝିରେ ଆସି ପାରି ନ ଥିଲି । ନବୀନ ବାବୁଙ୍କୁ ଭେଟିବାକୁ ବହୁ ଦିନରୁ ଇଚ୍ଛା ଥିଲା । ଆଜି ଦେଖା ହେଲା । ଦୁଇ ପୁରୁଣା ବନ୍ଧୁ କଥା ହେଲୁ । ଆମ ଭିତରେ କୌଣସି ରାଜନୈତିକ ଆଲୋଚନା ହୋଇନି ବୋଲି ନୀତୀଶ କହିଥିଲେ । ପୁରୀରେ ବିହାର ତୀର୍ଥଯାତ୍ରୀଙ୍କୁ ଦେଢ଼ ଏକର ଜମି ମାଗଣାରେ ଯୋଗାଇଦେବାକୁ ନବୀନବାବୁ ଘୋଷଣା କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ ।

    ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ବିରୋଧୀ ମେଣ୍ଟ ପାଇଁ ନୀତୀଶ କୁମାର ନବୀନଙ୍କୁ ମନେଇବାକୁ ଓଡ଼ିଶା ଆସୁଥିବା ଚର୍ଚ୍ଚା ହୋଇଥିଲା । ପୂର୍ବରୁ ନୀତୀଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପ୍ରମୁଖଙ୍କୁ ସାକ୍ଷାତ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ । ଚଳିତ ମାସ ୧୮ ତାରିଖରେ ନୀତୀଶ ଅଣ ବିଜେପି ଦଳମାନଙ୍କର ଏକ ମେଳି ଆୟୋଜନ କରୁଛନ୍ତି । ଏଥିରେ ସାମିଲ ହେବା ପାଇଁ ନବୀନଙ୍କୁ ନୀତୀଶ ଅନୁରୋଧ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।

    ମାତ୍ର ଆଜି ନୀତୀଶ ନବୀନ ନିବାସ ଆସି ନବୀନଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ଏବଂ ଏହି ଆଲୋଚନାକୁ ଉଭୟ ବନ୍ଧୁତ୍ୱ ସମ୍ପର୍କର ଦ୍ୱାହି ଦେଇ ରାଜନୈତିକ ପ୍ରସଙ୍ଗକୁ ଏଡାଇଦେବା ସମସ୍ତଙ୍କ ମୁଣ୍ଡ ଟିଣ କରିଦେଇଛି । ବନ୍ଧୁ ନବୀନଙ୍କୁ ନୀତୀଶ କ’ଣ ଖାଲି ସ୍ନେହରେ ଭେଟିବାକୁ ଆସିଥିଲେ ନା ନୀତୀଶଙ୍କ ପ୍ରସ୍ତାବରେ ନବୀନ ରାଜି ହେଲେ ନାହିଁ? ଏହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ହେଉଛି ।

    ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବାନୁଯାୟୀ, ଯଦି ବି ନବୀନଙ୍କୁ ମନାଇବା ନୀତୀଶଙ୍କ ପାଇଁ ଏତେ ସହଜ ନୁହେଁ । କେନ୍ଦ୍ରରେ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ସମର୍ଥନ କରୁଥିଲେ ମଧ୍ୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିକୁ ଧରି ସେ ରାଜନୀତି କରୁଛନ୍ତି । ଜାତୀୟ ରାଜନୀତିରେ ଏହା ତାଙ୍କ ପାଇଁ ଗୁରୁତ୍ୱ ରଖୁଛି । ତେଣୁ କଂଗ୍ରେସକୁ ସାଥୀରେ ରଖିବାକୁ ଚାହୁଁଥିବା ନୀତୀଶଙ୍କ ପାଲରେ ନବୀନ ପଡ଼ିବେ ବୋଲି ବିଶ୍ୱାସ ହେଉନାହିଁ । ସମ୍ଭାବ୍ୟ ରାଜନୈତିକ ଦୃଶ୍ୟପଟରେ ନବୀନଙ୍କ ରଣନୀତି ଓ ଗୋଟିଚାଳନା ଏବେଠାରୁ ବୁଝିବା କଷ୍ଟକର ବୋଲି ସେମାନଙ୍କର ମତ ।

    ଏହାପୂର୍ବରୁ ଗତ ମାର୍ଚ୍ଚ ୨୩ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସ ଆସି ନବୀନଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତକାର ସୌଜନ୍ୟମୂଳକ ଥିଲା ଏବଂ କୌଣସି ଗମ୍ଭୀର ରାଜନୈତିକ ଚର୍ଚ୍ଚା ହୋଇନାହିଁ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ସଶକ୍ତ ସଂଘୀୟ ବ୍ୟବସ୍ଥା ଉପରେ ସୁନ୍ଦର ଆଲୋଚନା ହୋଇଥିବା ଜଣାଇଥିଲେ ।

  • ରାତି ପାହିଲେ ଝାରସୁଗୁଡ଼ା ଭୋଟ

    ରାତି ପାହିଲେ ଝାରସୁଗୁଡ଼ା ଭୋଟ

     ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାତି ପାହିଲେ ହେବ ଭୋଟ୍ । ବୁଧବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୧୯୭ ଟି ସ୍ଥାନରେ ୨୫୩ ବୁଥରେ ଭୋଟିଂ ହେବ । ସମୁଦାୟ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର୍ ଭୋଟ୍ ଦେବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୦ ହଜାର ୬୮୩ ମହିଳା ଭୋଟର୍ ଥିବା ବେଳେ ୧ ଲକ୍ଷ ୧୦ ହଜାର ୩୨୩ ପୁରୁଷ ଭୋଟର୍ ଅଛନ୍ତି ।

    ଉପନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରାଇବା ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ୬୯ ଟି ସ୍ଥାନରେ ୧୦୬ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏହି ସମ୍ବେଦନଶୀଳ ବୁଥଗୁଡ଼ିକରେ ମାଇକ୍ରୋ ଅବଜର୍ଭର ରହିବେ । ସମସ୍ତ ୨୫୩ ବୁଥରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ହୋଇଛି । ସମୁଦାୟ ୧୧୯୪ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

    ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନମଣ୍ଡଳୀକୁ ୫ଟି ଜୋନରେ ବିଭକ୍ତ କରାଯାଇଛି । ଓଡ଼ିଶା ପୁଲିସର ୧୯ ପ୍ଲାଟୁନ୍ ଫୋର୍ସ, ୩୦୦ ଓଆର୍ କନେଷ୍ଟବଳ, ୧୫୦ ହୋମଗାର୍ଡ, ୧୦୦ ଅଫିସରଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିୟୋଜିତ କରାଯାଇଥିବା ବେଳେ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ୧୪୪ ବୁଥ୍ ଉପରେ ବିଶେଷ ନଜର ରଖିବେ ।

    ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ମୋଟ ୯ ଜଣ ପ୍ରାର୍ଥୀ ଅଛନ୍ତି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେଉଛି । ଆସନ୍ତା ୧୩ ତାରିଖରେ ଭୋଟଗଣତି ହେବ ।

  • ‘ହାତୀ ମୃତ୍ୟୁ ରୋକିବାକୁ ସୌରଚାଳିତ ବିଦ୍ୟୁତକୁ ବିକଳ୍ପ କର’

    ‘ହାତୀ ମୃତ୍ୟୁ ରୋକିବାକୁ ସୌରଚାଳିତ ବିଦ୍ୟୁତକୁ ବିକଳ୍ପ କର’

    ହାତୀ ମୃତ୍ୟୁକୁ ନେଇ ଜଏଣ୍ଟ ଟାସ୍କ ଫୋର୍ସ ରିପୋର୍ଟ ଉପରେ ଓଡିଶା ହାଇକୋର୍ଟଙ୍କ ଉଦବେଗ। ଯଥାଶୀଘ୍ର ଜଙ୍ଗଲରେ ବିଦ୍ୟୁତ୍ ଯୋଗାଣରେ ବିକଳ୍ପ ଆଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ସୌରଚାଳିତ ବିଦ୍ୟୁତ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି କୋର୍ଟ।

    ଟାସ୍କ ଫୋର୍ସ ରିପୋର୍ଟ ମୁତାବକ, ଗତ ଦୁଇ ମାସରେ ୧୪ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୨୦ ମଣିଷଙ୍କ ଜୀବନ ଯାଇଛି। ବିଦ୍ୟୁତ୍ ଆଘାତରେ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଛି। ତେଣୁ ଆଜି ଶୁଣାଣି କାଳରେ ହାଇକୋର୍ଟ ଜଙ୍ଗଲରେ ଟଣାଯାଇଥିବା ବିଦ୍ୟୁତ୍ ଯୋଗାଣର ବିକଳ୍ପ ଆଣିବାକୁ କହିଛନ୍ତି।  ଏଥିପାଇଁ ସପ୍ତାହକ ଭିତରେ ଚାରି ବିଦ୍ୟୁତ ବିତରଣ କମ୍ପାନୀର ସିଇଓଙ୍କ ମିଟିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଜଏଣ୍ଟ ଟାସ୍କ ଫୋର୍ସ ଅଧ୍ୟକ୍ଷତା କରିବ ବୋଲି ଉଚ୍ଚନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଭାଯାଇଛି।

    ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପଦକ୍ଷେପ ପ୍ରସଙ୍ଗରେ ପଦକ୍ଷେପ ନେଇ ନିଷ୍ପତି ନେବେ କରାଯାଇଥିବା ଆକ୍ସନ ପ୍ଲାନ ର ଅଗ୍ରଗତି ସମ୍ପର୍କରେ ଜଏଣ୍ଟ ଟାସ୍କ ଫୋର୍ସ ଅଧ୍ୟକ୍ଷ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

  • ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ

    ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ

    ଆସନ୍ତାକାଲି ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ପଡ଼ି ରହିଥିବା ସରକାରୀ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଦୀର୍ଘଦିନ ହେଲା କିଛି କାର୍ଯ୍ୟ ପଡ଼ି ରହିଥିବା ବେଳେ ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବେ ।

    ପୂର୍ବରୁ ଅନେକ ଥରେ ଦିଲ୍ଲୀ ଗସ୍ତ କଲେଣି ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବୈଠକରେ ସାମିଲ ହୋଇଥିଲେ । ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ରାଜ୍ୟର ଆବଶ୍ୟକତା ତଥା ସ୍ୱାର୍ଥ ପୂରଣ ପାଇଁ ପୁରା ଯୋଶରେ କାମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ଅନୁଦାନ ରାଶି ପ୍ରଦାନ ପାଇଁ ହେଉ ଅବା କେନ୍ଦ୍ରରେ ପଡ଼ି ରହିଥିବା ବଳକା ରାଶି, ମାଓବାଦୀ ପ୍ରସଙ୍ଗ ହେଉ ଅବା ସୁରକ୍ଷା ବୈଠକ ସବୁଥିରେ ନବୀନ ଉପସ୍ଥିତ ରହୁଛନ୍ତି । ତେଣୁ ଆଜିକାଲି ମଖ୍ୟମନ୍ତ୍ରୀ ଅଧିକ ଥର ଦିଲ୍ଲୀ ଗସ୍ତ କରିବାକୁ ପଡୁଛି । ଏବେ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି ।

    ପୂର୍ବରୁ ତାଙ୍କ ଗସ୍ତ ନେଇ ବିରୋଧୀ ମାନେ ବାରମ୍ବାର ପ୍ରଶ୍ନ କରୁଥିଲେ । ଦିଲ୍ଲୀ ଗସ୍ତର ଫାଇଦା ନେଇ ଚର୍ଚ୍ଚା କରୁଥିଲେ । କିନ୍ତୁ ନବୀନ ସବୁବେଳେ ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ଲଢ଼େଇ ଜାରି ରଖିଛନ୍ତି । ଦିଲ୍ଲୀ ଗସ୍ତ କରି କେନ୍ଦ୍ରଠାରୁ ବହୁ ସାହାଯ୍ୟ, ସହାୟତା ପାଇବା ସହ ନିଜ ହକ୍ ପ୍ରସଙ୍ଗ ରଖିଛନ୍ତି । ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ଭୋଟିଂ ଅଛି । ଆଜି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏଭଳି ସ୍ଥିତିରେ ଆସନ୍ତାକାଲି ନବୀନ ଦିଲ୍ଲୀ ଗସ୍ତ କରୁଛନ୍ତି ।

  • ପଣସ ହେଲା କାଳ, ଦୁଇ ଗଛ ମଝିରେ ଫସିଗଲା ହାତୀ

    ପଣସ ହେଲା କାଳ, ଦୁଇ ଗଛ ମଝିରେ ଫସିଗଲା ହାତୀ

    ଅନୁଗୁଳ ଜିଲ୍ଲା ବୃତ୍ତି ଗାଁ ନିକଟରେ ଏକ ହାତୀ ଫସି ରହିଛି । ପଣସ ଖାଇବାକୁ ଆସି ହାତୀଟି ଫସିଯାଇଥିବା ଅନୁମାନ କରାଯାଉଛି । ଦୁଇ ଗଛ ମଝିରେ ଫସି ରହିଛି ଗଜରାଜ । ପଣସ ଖାଇବା ଲୋଭ ଶେଷରେ ହାତୀକୁ ଅଡୁଆରେ ପକାଇଛି । ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ବନାଞ୍ଚଳ ବୃତ୍ତି ଗାଁ ନିକଟରେ ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।

    ଏଭଳି ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମିଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଫସି ଯାଇଥିବା ହାତୀ ଉଦ୍ଧାର ପାଇଁ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଛି । ହାତୀ ଯଦି ଆହତ ଥିବ ତାହେଲେ ତାର ଚିକିତ୍ସା କରାଯିବ ବୋଲି ଜିଲ୍ଲା DFO ସୂଚନା ଦେଇଛନ୍ତି । ଖରାଦିନରେ ଆମ୍ବ, ପଣସ ପାଚୁଥିବାରୁ ଏହା ଖାଇବା ପାଇଁ ଜଙ୍ଗଲ, ବଣ, ପାହାଡ଼ରେ ବୁଲିଥାନ୍ତି ହାତୀପଲ । ଏବେ ପଣସ ଖାଇବାକୁ ଆସି ହାତୀ ଫସିଯାଇଥିବା ବେଳେ ତାର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

    ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

    ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଆଜି ଭୋର ସାଢ଼େ ୫ଟାରେ ସୁଦୃଶ୍ୟ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏହା ବାତ୍ୟାର ରୂପ ନେଇପାରେ । ୧୨ ତାରିଖ ସକାଳ ଯାଏ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୨ ତାରିଖରେ ଗତିପଥ ପରିବର୍ତ୍ତନ କରି ବାଂଲାଦେଶ ଏବଂ ମିଆଁମାର ଆଡ଼କୁ ଯିବାନେଇ ପୂର୍ବାନୁମାନ କରାଯାଇଛି । ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଓଡ଼ିଶାକୁ ବାତ୍ୟା ନେଇ ବିପଦ ନଥିବା ପୂର୍ବାନୁମାନ କରାଯାଉଛି ।

    ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜିଠାରୁ ଆଣ୍ଡାମାନ ଏବଂ ନିକୋବରରେ ବର୍ଷା ଆରମ୍ଭ ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ଅର୍ଥାତ ୧୦ ତାରିଖରେ ବର୍ଷା ପବନ ବଢ଼ିବ ଯାହାର ପ୍ରଭାବରେ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର,ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର,ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

    ପ୍ରତିବର୍ଷ ଓଡ଼ିଶା ପ୍ରାୟତଃ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ହେଲେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଦମ୍ ଲଗାଉଛନ୍ତି । ପୂର୍ବ ପ୍ରସ୍ତୁତି କରି ଅଧିକାରୀଙ୍କୁ ନିୟୋଜିତ କରୁଛନ୍ତି । ବୈଠକ ପରେ ବୈଠକ ହେଉଛି । କିପରି ମୁକାବିଲା ହେବ ସେ ନେଇ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଧନଜୀବନ ରକ୍ଷା ଦିଗରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ବିଶ୍ୱରେ ଚହଳ ସୃଷ୍ଟି କରିଥିବା ‘କୋରୋନା’ ମୁକାବିଲା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆବଶ୍ୟକ ପଦକ୍ଷେପ ନେଇ ପ୍ରଶଂସିତ ହୋଇଛି ।

    କେବଳ ରାଜ୍ୟ ନୁହଁ, ବିଶ୍ୱରେ ଓଡି଼ଶା ପୁରସ୍କୃତ ହେଲାଣି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନବୀନ ସରକାରଙ୍କ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ସେଥିପାଇଁ ଅଧିକାଂଶ କ୍ଷେତ୍ରରେ ଓଡ଼ିଶା ନମ୍ବର ୱାନ୍ ପାଲଟିଛି । ବନ୍ୟା,ବାତ୍ୟା ହେଉ ଅବା ସାମୁଦ୍ରିକ ଝଡ଼ ପ୍ରତି କ୍ଷେତ୍ରରେ ଆଗୁଆ ପ୍ରସ୍ତୁତି କରୁଛି ଓଡ଼ିଶା । ଏବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ଥିବାବେଳେ ସବୁଠି ସତର୍କ କରାଯାଇଛି ।

    ସେପଟେ, ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଲୋକଙ୍କ ପାଇଁ ଏହା ଅସହ୍ୟ ହେଲାଣି । ଆହୁରି ୪ ଦିନ ଗୁଳିଗୁଳି ଲାଗି ରହିବ । ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।

  • ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟ୍ ଘଟଣା, ୭ ଦିନରେ ରିପୋର୍ଟ ଦିଅ: ରାଜ୍ୟପାଳ

    ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟ୍ ଘଟଣା, ୭ ଦିନରେ ରିପୋର୍ଟ ଦିଅ: ରାଜ୍ୟପାଳ

    ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି । ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଷ୍ଟ୍ରପତିଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତର ପ୍ରଥମ ଦିନରେ ଟାଟା ପାୱାରର ଦୁଇ ବାବୁ ଟିପିଏନଓଡିଏଲର ସିଇଓ ଭାସ୍କର ସରକାର ଓ ଟାଟା ପାୱାରର ଜଣେ ଉଚ୍ଚ ଅଧିକାରୀ ରାଇରଙ୍ଗପୁରଠାରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଗସ୍ତର ଶେଷଦିନରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଅଭିଭାଷଣ ଦେଉଥିବା ବେଳେ ବିଜୁଳି କଟିଗଲା । ରାଷ୍ଟ୍ରପତି ୯ ମିନିଟ୍ ଅନ୍ଧାରରେ ରହି ଅଭିଭାଷଣ ଦେଲେ ଯାହାକୁ ନେଇ ନିନ୍ଦିତ ହେବାକୁ ପଡ଼ିଛି ।

    ଏଭଳି ଘଟଣାକୁ ୩ ଦିନ ପରେ ହେଲାଣି । ବିଦ୍ୟୁତ ସରବରାହ ସଂସ୍ଥା ଟାଟା ପାୱାର୍ ହାତ ଝାଡ଼ିଦେଇ ବସିଛି । ଦିନକ ଆଗରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବାଲେଶ୍ୱର ରେଞ୍ଜ ସିଇଓ ଭାସ୍କର ବାବୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କଟିଯିବାରେ ସେମାନଙ୍କର କିଛି ଦୋଷ ନାହିଁ ବୋଲି ସଫେଇ ଦେଇଛନ୍ତି । ଦେଶର ପ୍ରଥମ ନାଗରିକଙ୍କ କାର୍ଯ୍ୟକ୍ରମରେ ଏତେବଡ଼ ବିଭ୍ରାଟ ପାଇଁ ଏହି ବାବୁ ଦୁଃଖପ୍ରକାଶ କଲେ ନାହିଁ କି କ୍ଷମା ପ୍ରାର୍ଥନା କଲେ ନାହିଁ । ଦାୟିତ୍ୱହୀନତା,ଅସୌଜନ୍ୟତା ଓ ଅହଂକାରର ଏହା ଶ୍ରେଷ୍ଠ ନିଦର୍ଶନ । ଏଭଳି ଘଟଣାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ମଧ୍ୟ କୌଣସି ରିଆକ୍ସନ ନାହିଁ । ୭ ଦିନ ଆଗରୁ ବ୍ୟବସ୍ଥାର ତଦାରଖ ହୋଇଥିଲା । ଅଡିଟୋରିୟମ୍ ଦାୟିତ୍ୱ ନେଇଥିବା ଇଡକୋର ୮ ଜଣ ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍ ସରବରାହର ଯାଞ୍ଚ ହୋଇଥିବା ବେଳେ ଏଭଳି ଘଟଣା କିପରି ଘଟିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନୈତିକତା ଦୃଷ୍ଟିରୁ ସବୁ ଦୋଷ ନିଜ ଉପରକୁ ନେଇଛନ୍ତି । ପୂରା ଘଟଣା ପାଇଁ ଦୁଃଖିତ ଓ ମର୍ମାହତ ବୋଲି କୁଳପତି କହିଛନ୍ତି । ବିଦ୍ୟୁତ ପରିଚାଳନା ଦାୟିତ୍ୱରେ ଥିବା ଜଣେ ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମିତ କରାଯାଇଛି । ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ କୁମାର ଦଳେଇ ବାରିପଦା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

    ସେପଟେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କିନ୍ତୁ ଆକ୍ସନ ମୁଡରେ ଅଛନ୍ତି । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।