ସ୍ୱାମୀର ଶୁଦ୍ଧିକ୍ରିୟା ପାଇଁ ଅର୍ଥ ଯୋଗାଡ଼ ଚିନ୍ତା, ସାହାଯ୍ୟ ପାଇଁ ବିଧବାଙ୍କ ଗୁହାରି

ଆଖିରୁ ଲୁହ ଶୁଖିଗଲା । ଦୁଃଖକଷ୍ଟରେ ଚାଲିଛି ପରିବାର । ତିନି ତିନିଟା ପିଲା । ସେମାନଙ୍କ ଦାୟିତ୍ୱ କିପରି ନେବେ । ସାହାରା ବନିଥିବା ସ୍ୱାମୀ ଆରପାରିକୁ ଚାଲିଗଲା । ଦିନ ପରେ ଦିନ ଗଡ଼ି ଚାଲିଛି । ଆଗକୁ ଶୁଦ୍ଧିକ୍ରିୟା କରିବାର ଅଛି । ହେଲେ ପାଖରେ ଟଙ୍କାଟିଏ ବି ନାହିଁ । ଅର୍ଥ ଯୋଗାଡ଼ କରିବା ଭାରି କଷ୍ଟକର । ସ୍ୱାମୀର ଶୁଦ୍ଧିକ୍ରିୟା କିପରି କରିବେ ଚିନ୍ତାରେ ମାଳତୀ ।

କେନ୍ଦୁଝର ପାଟଣା ବ୍ଲକ୍ ସରାସକୋଲା ପଞ୍ଚାୟତରେ ଅଛି ଝିଞ୍ଜିନାଳି ସାହି । ସେଠାରେ ରୁହନ୍ତି ମାଳତୀ ମୁଣ୍ଡା । ଏବେ ସେ ବିଧବା । ଗତ ୪ ତାରିଖରେ ତାଙ୍କ ସ୍ୱାମୀ ତଥା ଦିନ ମଜୁରିଆ ଟୁକୁନା ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଘରେ ତିନି ତିନିଟି ଝିଅ । ସେମାନଙ୍କ ବୟସ ଖୁବ୍ କମ୍ ହେଲେ ଖାଇବେ କିପରି । ଛୁଆପିଲାଙ୍କ ପେଟକୁ ଦିଓଳା ଖାଇବା ଦେବା କଷ୍ଟକର । ଏଭଳି ସ୍ଥିତିରେ ସ୍ୱାମୀ ଛାଡ଼ି ଚାଲିଗଲା । ପରିବାର ବୋଝ ଏବେ ବିଧବା ମାଳତୀଙ୍କ ଉପରେ । ଆଗକୁ ସ୍ୱାମୀଙ୍କ ଶୁଦ୍ଧିକ୍ରିୟା । ଅର୍ଥ ଯୋଗାଡ଼ କରିବେ କିପରି ସେ ନେଇ ଚିନ୍ତାରେ ମାଳତୀ ।

ରହିବା ପାଇଁ ଭଲ ଘରଟିଏ ନାହିଁ । ମାଟିଝାଟିର ଖଣ୍ଡିଏ ଘର । କେତେବେଳେ ବି ଭୁଷୁଡ଼ି ଯାଇପାରେ । ସରପଞ୍ଚ, ବ୍ଲକ୍ ଅଧିକାରୀଙ୍କୁ ବାରମ୍ବାର ଗୁହାରି ସତ୍ତ୍ୱେ କେହି ବି ସାହାଯ୍ୟ କରିନାହାଁନ୍ତି । ଶେଷରେ ନିରାଶ ହୋଇ ଏବେ ସାହାଯ୍ୟ ଭିକ୍ଷା ମାଗୁଛନ୍ତି । ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ଏବଂ ପିଲାଙ୍କ ପ୍ରତିପୋଷଣ ପାଇଁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ମାଳତୀ ।

Leave a Reply

Your email address will not be published. Required fields are marked *