ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟ୍ ଘଟଣା, ୭ ଦିନରେ ରିପୋର୍ଟ ଦିଅ: ରାଜ୍ୟପାଳ

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି । ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଷ୍ଟ୍ରପତିଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତର ପ୍ରଥମ ଦିନରେ ଟାଟା ପାୱାରର ଦୁଇ ବାବୁ ଟିପିଏନଓଡିଏଲର ସିଇଓ ଭାସ୍କର ସରକାର ଓ ଟାଟା ପାୱାରର ଜଣେ ଉଚ୍ଚ ଅଧିକାରୀ ରାଇରଙ୍ଗପୁରଠାରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଗସ୍ତର ଶେଷଦିନରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଅଭିଭାଷଣ ଦେଉଥିବା ବେଳେ ବିଜୁଳି କଟିଗଲା । ରାଷ୍ଟ୍ରପତି ୯ ମିନିଟ୍ ଅନ୍ଧାରରେ ରହି ଅଭିଭାଷଣ ଦେଲେ ଯାହାକୁ ନେଇ ନିନ୍ଦିତ ହେବାକୁ ପଡ଼ିଛି ।

ଏଭଳି ଘଟଣାକୁ ୩ ଦିନ ପରେ ହେଲାଣି । ବିଦ୍ୟୁତ ସରବରାହ ସଂସ୍ଥା ଟାଟା ପାୱାର୍ ହାତ ଝାଡ଼ିଦେଇ ବସିଛି । ଦିନକ ଆଗରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବାଲେଶ୍ୱର ରେଞ୍ଜ ସିଇଓ ଭାସ୍କର ବାବୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କଟିଯିବାରେ ସେମାନଙ୍କର କିଛି ଦୋଷ ନାହିଁ ବୋଲି ସଫେଇ ଦେଇଛନ୍ତି । ଦେଶର ପ୍ରଥମ ନାଗରିକଙ୍କ କାର୍ଯ୍ୟକ୍ରମରେ ଏତେବଡ଼ ବିଭ୍ରାଟ ପାଇଁ ଏହି ବାବୁ ଦୁଃଖପ୍ରକାଶ କଲେ ନାହିଁ କି କ୍ଷମା ପ୍ରାର୍ଥନା କଲେ ନାହିଁ । ଦାୟିତ୍ୱହୀନତା,ଅସୌଜନ୍ୟତା ଓ ଅହଂକାରର ଏହା ଶ୍ରେଷ୍ଠ ନିଦର୍ଶନ । ଏଭଳି ଘଟଣାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ମଧ୍ୟ କୌଣସି ରିଆକ୍ସନ ନାହିଁ । ୭ ଦିନ ଆଗରୁ ବ୍ୟବସ୍ଥାର ତଦାରଖ ହୋଇଥିଲା । ଅଡିଟୋରିୟମ୍ ଦାୟିତ୍ୱ ନେଇଥିବା ଇଡକୋର ୮ ଜଣ ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍ ସରବରାହର ଯାଞ୍ଚ ହୋଇଥିବା ବେଳେ ଏଭଳି ଘଟଣା କିପରି ଘଟିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନୈତିକତା ଦୃଷ୍ଟିରୁ ସବୁ ଦୋଷ ନିଜ ଉପରକୁ ନେଇଛନ୍ତି । ପୂରା ଘଟଣା ପାଇଁ ଦୁଃଖିତ ଓ ମର୍ମାହତ ବୋଲି କୁଳପତି କହିଛନ୍ତି । ବିଦ୍ୟୁତ ପରିଚାଳନା ଦାୟିତ୍ୱରେ ଥିବା ଜଣେ ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମିତ କରାଯାଇଛି । ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ କୁମାର ଦଳେଇ ବାରିପଦା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ସେପଟେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କିନ୍ତୁ ଆକ୍ସନ ମୁଡରେ ଅଛନ୍ତି । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

Leave a Reply

Your email address will not be published. Required fields are marked *