ପ୍ରତିଯୋଗିତା ହେଲେ ‘ଶିକ୍ଷା’ର ଗୁଣାତ୍ମକ ମାନ ବୃଦ୍ଧି ପାଇବ: 5T ସଚିବ

ତୃତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ହୋଇ ଜିଲ୍ଲାଗୁଡ଼ିକ ପାଇଁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଘୋଷଣା କରିଛନ୍ତି । ପ୍ରଥମ ପୁରସ୍କାର ୩ କୋଟି, ଦ୍ୱିତୀୟ ପୁରସ୍କାର ୨ କୋଟି ଏବଂ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ବୋଲି କହିଛନ୍ତି ନବୀନ । ରାଜ୍ୟସ୍ତରରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯିବ କହିଛନ୍ତି ସିଏମ୍ । ଏଥିସହ ଭଲ କାମ କରିଥିବା ଶ୍ରେଷ୍ଠ ଦଶଟି ବ୍ଲକକୁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ।

ଏହି ଅବସରରେ 5T ସଚିବ ଭି.କେ.ପାଣ୍ଡିଆନ କହିଥିଲେ ଯେ ରାଜ୍ୟରେ ଶିକ୍ଷା ଉପରେ ଯେତେ ଅଧିକ ପ୍ରତିଯୋଗିତା ହେବ,ଶିକ୍ଷାର ଗୁଣାତ୍ମକ ମାନ ସେତେ ବୃଦ୍ଧି ପାଇବ । ଚାଲନ୍ତୁ ଶିକ୍ଷାକୁ ଆମେ ଏକ ମହୋତ୍ସବ ଭାବେ ପାଳିବ କରିବା ସହ ପ୍ରତିଯୋଗିତା ମନୋଭାବ ନେଇ ଶିକ୍ଷାର ଉତ୍କର୍ଷ ଲାଭ କରିବା । କେବଳ ଜିଲ୍ଲା ନୁହେଁ, ବ୍ଲକ୍‌ ନୁହେଁ, ଭବିଷ୍ୟତରେ ସ୍କୁଲର ପୁରାତନ ଛାତ୍ରଛାତ୍ରୀ,ପ୍ରଧାନ ଶିକ୍ଷକ,ପଞ୍ଚାୟତ ପ୍ରତିନିଧି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି ।

5T ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ଏଥିରେ କଟକ ଜିଲ୍ଲାର ୯୮ଟି ହାଇସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି, ମାଲକାନଗିରି ଜିଲ୍ଲାର ୪୯ଟି ଏବଂ ଯାଜପୁର ଜିଲ୍ଲାର ୭୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା । ମୋଟ ୩ଟି ପର୍ଯ୍ୟାୟରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହୋଇଛି ।

ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି । ସ୍କୁଲ ପରିଚାଳନା କମିଟିର ସଦସ୍ୟ,ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନ୍‌ଫରେନ୍‌ସିଂରେ ଯୋଡ଼ି ହୋଇଥିବା ସ୍କୁଲ ଗୁଡ଼ିକରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ସଫଳତା ଓଡ଼ିଶାର ସଫଳତା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *