ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କ ଦରମାରେ ଯୋଡ଼ିହେବ ଅଧିକ ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଭେମ୍ବର ୧୭ ତାରିଖରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି।

ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀମାନେ ୬୦ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିବା ବେଳେ ଏବେ ଏହା ୬୩ ପ୍ରତିଶତକୁ ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଉଛି, ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୬ ମସିହା ଜୁଲାଇ ପହିଲାରୁ ପିଛିଲା ଭାବରେ ଲାଗୁ କରାଯିବ। ଅର୍ଥାତ୍ ଜୁଲାଇ ମାସରୁ ବର୍ଦ୍ଧିତ ଭତ୍ତାର ଲାଭ ପାଇବାକୁ ଯୋଗ୍ୟ ହେବେ କର୍ମଚାରୀ।କେବଳ ସେତିକି ନୁହେଁ, ଚଳିତ ନଭେମ୍ବର ମାସର ଦରମା ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା ନଗଦ ଆକାରରେ ପ୍ରଦାନ କରାଯିବ। ଫଳରେ ନଭେମ୍ବର ମାସର ଦରମାରେ କର୍ମଚାରୀମାନେ ଏହି ବୃଦ୍ଧିର ସୁଫଳ ପାଇପାରିବେ। ଅନ୍ୟପଟେ କେବଳ ଚାକିରିରେ ଥିବା କର୍ମଚାରୀ ନୁହନ୍ତି, ରାଜ୍ୟ ସରକାରଙ୍କ ପେନ୍‌ସନଭୋଗୀଙ୍କ ପାଇଁ ମଧ୍ୟ ରହିଛି ଖୁସି ଖବର। ପେନ୍‌ସନଭୋଗୀଙ୍କ ଟେମ୍ପୋରାରୀ ଇନ୍‌କ୍ରିଜ୍ ବା ଟିଆଇରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ପେନ୍‌ସନଭୋଗୀମାନେ ମଧ୍ୟ ଆଗାମୀ ପେନ୍‌ସନ ରାଶିରେ ଏହାର ଲାଭ ପାଇବେ। ନଭେମ୍ବର ମାସର ପେନ୍‌ସନ ସହିତ ଏହି ବର୍ଦ୍ଧିତ ଟିଆଇ ପ୍ରଦାନ କରାଯିବ।ମହଙ୍ଗା ଭତ୍ତା ହେଉଛି କର୍ମଚାରୀଙ୍କ ମୂଳ ଦରମା ଉପରେ ଦିଆଯାଉଥିବା ଏକ ଅତିରିକ୍ତ ଭତ୍ତା। ବଜାରରେ ଦରଦାମ ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ଭତ୍ତା ପ୍ରଦାନ କରାଯାଇଥାଏ। ଏବେ ଏହି ଭତ୍ତା ୩ ପ୍ରତିଶତ ପଏଣ୍ଟ ବଢ଼ିଥିବାରୁ ମୂଳ ଦରମା ଅନୁଯାୟୀ କର୍ମଚାରୀଙ୍କ ମାସିକ ଆୟରେ ଅତିରିକ୍ତ ରାଶି ଯୋଡ଼ିହେବ।ଉଦାହରଣ ସ୍ୱରୂପ, ଯଦି କୌଣସି କର୍ମଚାରୀଙ୍କ ମୂଳ ଦରମା ୩୦ ହଜାର ଟଙ୍କା ହୋଇଥାଏ, ତେବେ ୩ ପ୍ରତିଶତ ପଏଣ୍ଟ ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ତାଙ୍କୁ ମାସିକ ଅତିରିକ୍ତ ୯୦୦ ଟଙ୍କା ମିଳିବ। ସେହିପରି ମୂଳ ଦରମା ୫୦ ହଜାର ଟଙ୍କା ଥିଲେ ମାସିକ ଅତିରିକ୍ତ ୧୫୦୦ ଟଙ୍କା ମହଙ୍ଗା ଭତ୍ତା ମିଳିପାରିବ।ତେବେ ଏହି ବୃଦ୍ଧିର ଲାଭ ରାଜ୍ୟର ପ୍ରାୟ ସାଢ଼େ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ପାଖରେ ପହଞ୍ଚିବ। ଗୋଟିଏ ପଟେ କର୍ମଚାରୀଙ୍କ ଦରମା ବଢ଼ିବାକୁ ଯାଉଥିବା ବେଳେ ଅନ୍ୟପଟେ ପେନ୍‌ସନଭୋଗୀଙ୍କ ମାସିକ ପେନ୍‌ସନ ରାଶି ମଧ୍ୟ ବୃଦ୍ଧି ପାଇବ।ମୋଟାମୋଟି ଭାବେ ନଭେମ୍ବର ମାସରେ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଘୋଷଣା। ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେଉଥିବା ଏହି ନିଷ୍ପତ୍ତି ପରେ ଏବେ ନଭେମ୍ବର ଦରମା ଓ ପେନ୍‌ସନରେ ବର୍ଦ୍ଧିତ ଭତ୍ତା ମିଳିବାକୁ ଯାଉଛି।