Category: ମୁଖ୍ୟ ଖବର

  • ଚଳିତ ବର୍ଷ ଛଟପଟ କରିବ ମୌସୁମୀ

    ଚଳିତ ବର୍ଷ ଛଟପଟ କରିବ ମୌସୁମୀ

    ତାତି ଆଉ ପ୍ରବଳ ଗୁଳୁଗୁଳି ଓଡ଼ିଶାବାସୀଙ୍କୁ କଲବଲ କରୁଥିବା ବେଳେ ଧୋକ୍କା ଦେଇଛି ମୌସୁମୀ। ଜଲଦି ନୂହେଁ ଟିକେ ବିଳମ୍ବରେ ଆସିବ ବୋଲି ଆଗୁଆ ସୂଚେଇ ଦେଇଛି। ମାନେ ଏଥର କେରଳ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କିଛି ଦିନ ବିଳମ୍ବରେ ପ୍ରବେଶ କରିବ। ମେ ୩୦ ନୁହଁ, ଚଳିତ ଜୁନ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯଦିଓ ବିଳମ୍ବରେ ମୌସୁମୀ ଆସିବ, ହେଲେ ଏହାର ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

    ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ରେ କିମ୍ବା ମେ ୩୦ରେ କେରଳ ଛୁଇଁଥାଏ। ହେଲେ ଏଥର ଏହା ସାମାନ୍ୟ ବିଳମ୍ବରେ ଆସିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି “ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌମୁସୀ ବାୟୁ କେରଳ ଆସିବାରେ ସାମାନ୍ୟ ବିଳମ୍ବ ହେବ। ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହା ୪ ଦିନ ଏପଟ ସେପଟ ମଧ୍ୟ ହୋଇପାରେ।” କେରଳ ଛୁଇଁବାର ୧୦ ଦିନ ପରେ ଏହା ଓଡ଼ିଶାକୁ ପ୍ରବେଶ କରିଥାଏ।

    ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। ଗତ ମାସରେ ଆଇଏମଡି କହିଥିଲା ଯେ ଚଳିତ ବର୍ଷ ଏଲ. ନିନୋର ପ୍ରଭାବ ପଡ଼ିପାରେ। ତଥାପି ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ।  ଆଇଏମଡି କହିଛି ଯେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବରେ ୯୬% ବର୍ଷା ହେବ। ଏହାର ଅର୍ଥ ସ୍ୱାଭାବିକ ବର୍ଷା ହେବ। ଏଠାରେ କହି ରଖୁଛୁ, ୯୬%ରୁ  ୫ ପ୍ରତିଶତ ଉପର ତଳ ବର୍ଷାକୁ ସ୍ୱାଭାବିକ ବର୍ଷା କୁହାଯାଏ।

    ସାରା ଦେଶରେ ସ୍ୱାଭାବିକ ବର୍ଷାର ଆକଳନ ହୋଇଥିଲେ ମଧ୍ୟ ଉତ୍ତର ପଶ୍ଚିମ ଭାରତର କିଛି ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ହେବାର ଆଶଙ୍କା ରହିଛି। ମୌସୁମୀ ବର୍ଷାର ପ୍ରଭାବ ଏଲ. ନିନୋ ଉପରେ ନର୍ଭର କରିଥାଏ। ଏଲ. ନିନୋର ପ୍ରଭାବ ପଡ଼ିଲେ ବର୍ଷାର ମାତ୍ରା ସାଧାରଣତଃ କମ ହୋଇଥାଏ। ଦକ୍ଷିଣ ଓ ପଶ୍ଚିମ ଭାରତରେ ଯଦି ମୌସୁମୀ ବର୍ଷା ଉପରେ ଏଲ ନିନୋର ପ୍ରଭାବ ପଡ଼ିବ, ତା’ହେଲେ ମରୁଡ଼ି ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି।

    ମୌସୁମୀ ଉପରେ ଚାଷୀମାନେ ନିର୍ଭର କରନ୍ତି। ତେଣୁ ସମସ୍ତେ ଭଲ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି। ଏଲ ନିନୋର ପ୍ରଭାବ ଯଦି ମୌସୁମୀର ଦ୍ୱିତୀୟ ଭାଗରେ ଶକ୍ତିଶାଳୀ ହେବ,  ତା’ହେଲେ ପଞ୍ଜାବ,  ହରିଆଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଚାଷ କାମ ପ୍ରଭାବିତ ହେବାର ଆଶଙ୍କା ରହିଛି।

  • ସରୁନି କର୍ଣ୍ଣାଟକ ନାଟକ, କଂଗ୍ରେସ ଅଧ୍ୟକ୍ଷ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଦେଢ ଘଣ୍ଟାର ବୈଠକ

    ସରୁନି କର୍ଣ୍ଣାଟକ ନାଟକ, କଂଗ୍ରେସ ଅଧ୍ୟକ୍ଷ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଦେଢ ଘଣ୍ଟାର ବୈଠକ

    କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଦଉଡ଼ ମଧ୍ୟରେ ରାଜ୍ୟରେ ସରକାର ଗଠନ ଉପରେ ଆଲୋଚନା କରିଥିଲେ । ରାହୁଲ ଗାନ୍ଧୀ ଦିଲ୍ଲୀରେ ଖଡଗେଙ୍କ ବାସଭବନକୁ ଯାଇ କଂଗ୍ରେସ ମୁଖିଆଙ୍କ ସହ ପ୍ରାୟ ଦେଢ ଘଣ୍ଟା ବନ୍ଦ କୋଠରୀରେ ଆଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଦଳର ସାଙ୍ଗଠନିକ ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଳ ଏବଂ କର୍ଣ୍ଣାଟକର ଦାୟିତ୍ୱରେ ଥିବା ରଣଦୀପ ସୁରଜେୱାଲା ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ ।

    କଂଗ୍ରେସ ସଭାପତି ଖଡଗେ ସୋମବାର ଦଳର ସମସ୍ତ ୩ ପର୍ଯ୍ୟବେକ୍ଷକଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଇପାରି ନାହାନ୍ତି । କର୍ଣ୍ଣାଟକରେ କଂଗ୍ରେସ ବିଧାନସଭା ଦଳର ନେତା ଚୟନ କରିବାକୁ ଖଡଗେ ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଦେ, ଜିତେନ୍ଦ୍ର ସିଂ ଏବଂ ଦୀପକ ବାବରିଆଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଥିଲେ । ଏହି ତିନି ପର୍ଯ୍ୟବେକ୍ଷକ ଦଳର ନବ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ସେମାନଙ୍କର ପୃଥକ ଭାବରେ ମତ ଜାଣିବା ପରେ ସେମାନେ ଖଡଗେଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ । ଉଭୟ ସିଦ୍ଧରମେୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି ।

    ସିଦ୍ଧରମେୟ ସୋମବାର ନିଜେ ଦିଲ୍ଲୀ ଆସିଥିବା ବେଳେ ଡି.କେ ଶିବକୁମାର ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଶିବକୁମାର ସୋମବାର ଦିଲ୍ଲୀ ଆସିବାର ଥିଲା, କିନ୍ତୁ ପେଟ ଇନଫେକ୍ସନ ଦର୍ଶାଇ ସେ ତାଙ୍କ ପ୍ରସ୍ତାବିତ ଯାତ୍ରାକୁ ବାତିଲ କରିଥିଲେ । ଶିବକୁମାର କହିଛନ୍ତି ଯେ, ମୁଁ ସମସ୍ତ ନେତାଙ୍କୁ ଭେଟିବି । ପ୍ରଥମେ ମୋତେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବାକୁ ପଡିବ । ମୁଁ ଇସ୍ତଫା ଦେଉଛି ବୋଲି କିଛି ଲୋକ ଗୁଜବ ପ୍ରଚାର କରୁଛନ୍ତି, ଏହା ନିର୍ବୋଧତା । ମୋ ପାର୍ଟି ମୋର ମା । ଆମର ସମସ୍ତ ବିଧାୟକ ମିଳିତ ଅଛନ୍ତି ।

    ସିଦ୍ଧରମେୟା ଏବଂ ଶିବକୁମାର କର୍ଣ୍ଣାଟକରେ ସରକାର ଗଠନ ପାଇଁ ଦଳର ମୁଖ୍ୟ ଖଡଗେଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । ଉଭୟ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି । କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚୟନ ଏବଂ ସରକାର ଗଠନ ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ଆଲୋଚନା କରିବାର ସମ୍ବାବନା ରହିଛି । ସୋନିଆ ଗାନ୍ଧୀ ଆଜି ଶିମଳାରୁ ଫେରୁଛନ୍ତି। ତାଙ୍କର ଫେରିବା ପରେ କର୍ଣ୍ଣାଟକର ସିଏମଙ୍କ ନାମ ଘୋଷଣା କରାଯାଇପାରେ ।

  • ପ୍ରଧାନମନ୍ତ୍ରୀଙ୍କ ଆଗରୁ ରାହୁଲ ଗାନ୍ଧୀ ଯିବେ ଆମେରିକା

    ପ୍ରଧାନମନ୍ତ୍ରୀଙ୍କ ଆଗରୁ ରାହୁଲ ଗାନ୍ଧୀ ଯିବେ ଆମେରିକା

    କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଜିତିବା ପରଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ଦିଆଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ମେ ୩୦ ତାରିଖରେ ଆମେରିକା ଗସ୍ତରେ ଯାଉଛନ୍ତି । ରାହୁଲ ଗାନ୍ଧୀ ଆମେରିକାରେ ୧୦ ଦିନ ଧରି ରହିବେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ମଧ୍ୟ ଚର୍ଚ୍ଚାରେ ରହିଛି, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜୁନ୍ ୨୨ରେ ଆମେରିକା ଗସ୍ତରେ ଯାଉଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ରାହୁଲ ଗାନ୍ଧୀ ଆମେରିକା ଯିବାକୁ ଯୋଜନା କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ଏକ ରାଲି ମାଧ୍ୟମରେ ନ୍ୟୁୟର୍କର ମାଡିସନ୍ ସ୍କୋୟାରରେ ୫୦୦୦ ଭାରତୀୟଙ୍କୁ ସମ୍ବୋଧିତ କରିବେ ।

    ଆମେରିକା ଗସ୍ତ ସମୟରେ ରାହୁଲ ଗାନ୍ଧୀ ୱାଶିଂଟନ୍ ଏବଂ କାଲିଫର୍ଣ୍ଣିଆରେ ପ୍ୟାନେଲ୍ ଆଲୋଚନାରେ ମଧ୍ୟ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ସେ ଷ୍ଟାନଫୋର୍ଡ ୟୁନିଭରସିଟିରେ ବକ୍ତା ଭାବରେ ଲୋକମାନଙ୍କ ମଧ୍ୟରେ ଉପସ୍ଥିତ ରହିବେ । ରାହୁଲ ଗାନ୍ଧୀଙ୍କ ଏହି ଗସ୍ତକୁ ନେଇ ଅନେକ ଆଲୋଚନା କରାଯାଉଛି । କାରଣ ଜୁନ୍ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ବାଇଟ ହାଉସର ଅତିଥି ଭାବ ସେଠାରେ ଉପସ୍ଥିତ ରହିବେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ପିଏମ ମୋଦୀଙ୍କୁ ସ୍ୱାଗତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ହ୍ବାଇଟ ହାଉସରେ ରାତ୍ରୀ ଭୋଜନ କରିବେ । ବୈଦେଶିକ ମନ୍ତ୍ରଣାଳୟ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ପ୍ରେସ ବିବୃତ୍ତି ଜାରି କରିଛି ।

    କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ପୂର୍ବରୁ ଲଣ୍ଡନ ଗସ୍ତରେ ଯାଇ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଉଦବୋଧନ ଦେଇଥିଲେ । ଯାହାକୁ ନେଇ ଅନେକ ଆଲୋଚନା ହୋଇଥିଲା । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଦେଇଥିବା ବିବୃତ୍ତି ପାଇଁ ବିଜେପି ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଥିଲା । ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ କେମ୍ବ୍ରିଜରେ ଭାଷଣ ଦେଇ ସମାଲୋଚନା କରିଥିଲେ । କେବଳ ଏତିକି ନୁହେଁ, ସଂସଦରେ ମଧ୍ୟ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଥିଲା ।

  • ପେଟ୍ରୋଲ କେବେ ଆବିଷ୍କାର ହେଲା, ଆଉ ଏହାକୁ ଓଡିଆରେ କ’ଣ କହନ୍ତି?

    ପେଟ୍ରୋଲ କେବେ ଆବିଷ୍କାର ହେଲା, ଆଉ ଏହାକୁ ଓଡିଆରେ କ’ଣ କହନ୍ତି?

    ପ୍ରତ୍ୟେକ ଦିନ ଆପଣ ପେଟ୍ରୋଲ ତ ନିହାତି ବ୍ୟବହାର କରୁଥିବେ । ବାଇକ, କାର ଏବଂ ଅନ୍ୟାନ୍ୟ ଯାନବାହାନ ତଥା ମେସିନ ଆଦି ପେଟ୍ରୋଲ ବିନା ଅଚଳ ହୋଇପଡେ । ହେଲେ ଆପଣ କେବେ ଭାବିଛନ୍ତି କି ଏହି ପେଟ୍ରୋଲର ମୂଲ୍ୟ ଏତେ ଅଧିକ ହୋଇଥିବା ବେଳେ ଏହା କେଉଁଠୁ ଆସୁଛି ଆଉ କେମିତି ତିଆରି ହେଉଛି । ସବୁଠୁ ରୋଚକ କଥା ହେଉଛି, ଆମେ ସମସ୍ତେ ଜାଣିଛନ୍ତି ପେଟ୍ରୋଲ କିମ୍ବା ଡିଜେଲ ହେଉଛି ଏକ ଇଂରାଜୀ ଶବ୍ଦ । ହେଲେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ପେଟ୍ରୋଲକୁ ହିନ୍ଦୀ କିମ୍ବା ଓଡିଆରେ କଣ କହନ୍ତି । ତେବେ ଆଜି ଆସନ୍ତୁ ସେ ବିଷୟରେ ଜାଣିବା ।

    ଆପଣ ପେଟ୍ରୋଲ ପମ୍ପକୁ ପଶିଗଲେ ସେଠାରେ ହିନ୍ଦୀରେ ବି ପେଟ୍ରୋଲ ଆଉ ଇଂରାଜୀରେ ବି ପେଟ୍ରୋଲ ଲେଖା ହୋଇଥାଏ । ନିକଟରେ ସୋସାଲ ମିଡିଆରେ ଏକ ପୋଷ୍ଟ ପ୍ରବଳ ଭଇରାଲ ହୋଇଥିଲା । ଯାହାକୁ ନେଇ ଏବେ ଏହି ପ୍ରଶ୍ନ ଉଙ୍କି ମାରିଛି । ମିଡିଆ ରିପର୍ଟ ମୁତାବକ ପେଟ୍ରୋଲକୁ ହିନ୍ଦୀରରେ ଶିଲାତେଲ କିମ୍ବା ଧ୍ରୁବସ୍ବର୍ଣ୍ଣ କୁହାଯାଇଥାଏ । ଓଡିଆରେ ମଧ୍ୟ ଏହାକୁ ଅନେକ ଲୋକ ଶିଳାତେଲ ବୋଲି କହନ୍ତି । ପେଟ୍ରୋଲର ଆହୁରି କେତୋଟି ପ୍ରଚଳିତ ହିନ୍ଦୀ ନାମ ମଧ୍ୟ ରହିଛି । ସେଥିମଧ୍ୟରୁ ଇନ୍ଧନ, ତେଲ, ସଫା ହୋଇଥିବା ପେଟ୍ରୋଲିୟମ, ସଫା ହୋଇଥିବା ମାଟିର ତେଲ ଆଦି ସାମିଲ ।

    ସେହିପରି ଡିଜେଲକୁ ମଧ୍ୟ ହିନ୍ଦୀରେ ଶିଲାତେଲ କିମ୍ବା ଧ୍ରୁବସ୍ବର୍ଣ୍ଣ କୁଯାଇଥାଏ । ତେବେ ଏଠାରେ ଜଣାଇ ଦେଉଛୁ, ପେଟ୍ରୋଲର ଆବିଷ୍କାର ୧୮୫୯ରେ ଏଡଓ୍ବିନ ଢ୍ରେକ୍ କରିଥିଲେ । ସେହିପରି ଡିଜେଲର ଆବିଷ୍କାର ରୂଡୋଲ୍ଫ ଡିଜେଲ କରିଥିଲେ । ରୂଡୋଲ୍ଫ ଏହାର ଆବିଷ୍କାର ୧୮୯୦ ଦଶକରେ କରିଥିଲେ । ସେହି ସମୟରୁ ପେଟ୍ରୋଲ ଆଉ ଡିଜେଲ ଦୁନିଆର ସବୁଠୁ ପ୍ରମୁଖ ଇନ୍ଧନ ମଧ୍ୟରେ ସାମିଲ । ସହିପରି ଆଉ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପେଟ୍ରୋଲ କମ୍ବା ଡିଜେଲର କୌଣସି ଆଧିକାରୀକ ହିନ୍ଦୀ ନାମ ଏପର୍ଯ୍ୟନ୍ତ ବିକଶିତ ହୋଇନାହିଁ ।

  • ୧୮ରେ ମାଟ୍ରିକ୍ ରେଜଲ୍ଟ, ୧୦ଟାରେ ଘୋଷଣା, ୧୨ଟାରେ ୱେବସାଇଟରେ ଉପଲବ୍ଧ

    ୧୮ରେ ମାଟ୍ରିକ୍ ରେଜଲ୍ଟ, ୧୦ଟାରେ ଘୋଷଣା, ୧୨ଟାରେ ୱେବସାଇଟରେ ଉପଲବ୍ଧ

    ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଫଳାଫଳ ଘୋଷଣା କରିବେ । ପରୀକ୍ଷା ପରିଚାଳନା କମିଟି ପରୀକ୍ଷାଫଳ ପ୍ରକାଶ ପାଇଁ ପ୍ରଥମେ ଅନୁମୋଦନ ପାଇବା ପରେ ଦିନ ୧୦ଟା ବେଳେ ରେଜଲ୍ଚ ପ୍ରକାଶ ପାଇବ ।

    ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବନି । କାରଣ ଆସନ୍ତା ୧୮ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଦିନ ୧୦ଟାରେ ରେଜଲ୍ଟ ଆସିବା ପରେ ମଧ୍ୟାହ୍ନ ୧୨ଟା ପରଠୁ ବୋର୍ଡ ୱେବସାଇଟ www.bseodisha.ac.inରେ ଛାତ୍ରଛାତ୍ରୀମାନେ ନିଜନିଜର ପରୀକ୍ଷା ଫଳ ଜାଣିପାରିବେ । ଯେଉଁଠି ଇଣ୍ଟରନେଟର ସୁବିଧା ନାହିଁ ସେଠାରେ ପରୀକ୍ଷାର୍ଥୀମାନେ ମଧ୍ୟ ମୋବାଇଲରେ ରେଜଲ୍ଟ ଜାଣିପାରିବେ । ନିଜର ମୋବାଇଲରୁ OR10 ଏବଂ ନିଜ ରୋଲ୍ ନମ୍ବରକୁ ଟାଇପ୍ କରି 5676750କୁ ମେସେଜ୍ ପଠାଇଲେ ଫଳାଫଳ ଜାଣିହେବ ବୋଲି ପ୍ରେସମିଟରେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

    ଚଳିତବର୍ଷ ରାଜ୍ୟରେ ୩ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ୨ ହଜାର ୯୧୪ ଜଣ ମଧ୍ୟମା ଏବଂ ୭ହଜାର ୧୮୧ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଏଥିପାଇଁ ରାଜ୍ୟରେ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଭାପତି ରାମଶିଷ ହାଜରା,ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏବଂ ସମ୍ପାଦକ ସୁମିତ୍ରା ସରକାର ଉପସ୍ଥିତ ଥିଲେ ।

    ପୂର୍ବରୁ ମାଟ୍ରିକ୍ ରେଜଲ୍ଟ କେବେ ପ୍ରକାଶ ହେବ ସେ ନେଇ ଛାତ୍ରଛାତ୍ରୀ ଟିକେ ଟେନସନରେ ଥିଲେ । ଏବେ ତାରିଖ ଘୋଷଣା ପରେ ସମସ୍ତଙ୍କ ମନରେ ଉତ୍ସାହ ଭରିଦେଇଛି କାରଣ ରେଜଲ୍ଟ ପ୍ରକାଶନରେ ଆଉ ବିଳମ୍ବ ହେବ ନାହିଁ । ଖୁବଶୀଘ୍ର ସେମାନେ ନିଜ ନିଜ ପରୀକ୍ଷାଫଳ ପାଇପାରିବେ । ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ଏଥର ଯେପରି କୌଣସି ଅଭିଯୋଗ ନ ଆସେ କି କିଛି ବିଭ୍ରାଟ ନଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

  • କର୍ଣ୍ଣାଟକ ଡ୍ରାମା: ମହରଗରୁ ଯାଇ କାନ୍ତାରରେ କଂଗ୍ରେସ

    କର୍ଣ୍ଣାଟକ ଡ୍ରାମା: ମହରଗରୁ ଯାଇ କାନ୍ତାରରେ କଂଗ୍ରେସ

    ଏବେ କର୍ଣ୍ଣାଟକରେ ଆରମ୍ଭ ହୋଇଛି ‘କିସା କୁର୍ସି କା’ଡ୍ରାମା । ଚିରାଚରିତ ଢଙ୍ଗରେ କଂଗ୍ରେସ ଭିତରେ ଥିବା ଦଳଗତ ମତଭେଦ ଓ ବାହାରର ଚାପ ଏବେ ସ୍ପଷ୍ଟ ବାରି ହେଉଛି । ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତେଜିଥିବା ବିବାଦ ଶେଷ ନ ହେଉଣୁ ମୁଖ୍ୟ ପଦବୀଗୁ଼ଡ଼ିକୁ ନେଇ ସୁନ୍ନି ୱାକଫ୍ ବୋର୍ଡ ଅଧ୍ୟକ୍ଷ ସଫି ସାଦିଙ୍କ ଦାବି ଏବେ କଂଗ୍ରେସକୁ ଅଡୁଆରେ ପକାଇଛି ।

    ସୁନ୍ନି ଉଲମା ବୋର୍ଡ ନେତାମାନେ ଦାବି କରିଛନ୍ତି ଯେ କଂଗ୍ରେସ ଜଣେ ମୁସଲମାନଙ୍କୁ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିବା ସହ ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେପରିକି ସ୍ୱାସ୍ଥ୍ୟ, ରାଜସ୍ୱ ଏବଂ ଗୃହ ବିଭାଗ ଇତ୍ୟାଦି ମୁସଲମାନ ବିଧାୟକଙ୍କ ଅଧୀନରେ ରଖାଯାଉ । ନିର୍ବାଚନ ପୂର୍ବରୁ ଧର୍ମନିରପେକ୍ଷତା ଏବଂ ଭାଇଚାରାର ଡିଣ୍ଡିମ ପିଟୁଥିବା କଂଗ୍ରେସ ନିର୍ବାଚନ ପରେ ବହୁରୂପି ଏଣ୍ଡୁଅ ଭଳି ନିଜର ରଙ୍ଗ ବଦଳାଇ ଦେଇଛି ।

    ସୁନ୍ନି ୱାକଫ୍ ବୋର୍ଡ ଅଧ୍ୟକ୍ଷ ସଫି ସାଦିଙ୍କୁ ଦୋଷାରୋପ କରି କଂଗ୍ରେସ କହିଛି ଯେ ସାଦି ଜଣେ ବିଜେପି କର୍ମୀ ଏବଂ ନେତା । ବିଜେପି ପ୍ରବୋଚନାରେ ସେ ଏଭଳି ଦାବି ଉଠାଇଛନ୍ତି ଯାହା କି ବିଜେପି ସରକାର କ୍ଷମତାଧୀନ ଥିବାବେଳେ ସେ କରିପାରିନଥିଲେ । ତେବେ, ଯାହା ହେଉନା କାହିଁକି ସାଫି ଯେ କଂଗ୍ରେସ ଉପରେ ଭରସା କରୁଛନ୍ତି ତାହା ସବୁଠାରୁ ବଡ଼ କଥା । ତେବେ କଂଗ୍ରେସର ଏଭଳି ରାଜନୈତିକ ବୟାନ୍ ନୂଆ କଥା ନୁହେଁ ।

    ଏବେ ଆସିବା ଗୁମର କଥା କଣ । ସାଦିଙ୍କ କହିବା ଅନୁସାରେ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ଜଣେ ମୁସଲମାନଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ଆଲୋଚନା ହୋଇଥିଲା । ଏହା ସହିତ ମୁସଲମାନମାନେ ୩୦ଟି ସିଟରେ ନିର୍ବାଚନ ଲଢ଼ିବା ପାଇଁ ଦାବି କରିଥିଲେ । କିନ୍ତୁ ୩୦ ବଦଳରେ ଏହି ସଂଖ୍ୟାଲଘୁ ସଂପ୍ରଦାୟର ନେତାମାନଙ୍କୁ ୧୫ଟି ଆସନରୁ ଲଢ଼ିବା ପାଇଁ କଂଗ୍ରେସ ଟିକେଟ୍ ଦେଇଥିଲା । ଏବଂ ଉଲ୍ଲେଖନୀୟ କଥା ହେଲା ୧୫ଟି ଆସନରୁ ୯ଟିରେ ମୁସଲିମ୍ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେଣୁ ସାଦିଙ୍କ କହିବାନୁସାରେ ନିର୍ବାଚନ ପୂର୍ବର କଥା ଏବଂ କଂଗ୍ରେସ ବିଜୟ ପଛରେ ମୁସଲିମ୍ ସଂପ୍ରଦାୟର ଯେଉଁ ବିରାଟ ଅବଦାନ ରହିଛି ତାହା ବିଚାର କରି କଂଗ୍ରେସ ସେମାନଙ୍କ ଦାବି ଗ୍ରହଣ କରିନେବା ଉଚିତ୍ । ତେବେ କଥା ହେଉଛି ସଂଖ୍ୟାଲଘୁ ସଂପ୍ରଦାୟ ନେତା ଯଦି ଅନ୍ୟ କୌଣସି ଦଳ ସହିତ ସମ୍ପର୍କ ରଖିଥାନ୍ତି ତେବେ କଂଗ୍ରେସ କଣ ସେମାନଙ୍କ ଆଗକୁ ଯିବା ରାସ୍ତା ରୋକିବା ଠିକ୍ ହେବ କି ?

    ଦୀର୍ଘ ୩୬ ବର୍ଷ ପରେ ବୃହତ ବିଜୟ ହାସଲ କରିଥିବାରୁ ସେଲିବ୍ରେସନ କରିଛନ୍ତି ନେତା ଓ କର୍ମୀ । ହେଲେ ଦଳକୁ ଅଡୁଆରେ ପକାଇଛି ମୁଖ୍ୟମନ୍ତ୍ରୀ ପଦ । କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । କାହା ହାତରେ ଦାୟିତ୍ୱ ଛାଡ଼ିବ କଂଗ୍ରେସ । ଶିବକୁମାର ନା ସିଦ୍ଧରମୈୟା, କାହା ନାଁରେ ମୋହର ମାରିବ ଦଳ । ୧୩ ତାରିଖରେ ରେଜଲ୍ଟ ଘୋଷଣା ପରେ ଏଯାଏ ସିଏମ୍ ପୋଷ୍ଟ ପାଇଁ ଅଙ୍କ ଛିଡୁନି ।

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ୨ ମୁଖ୍ୟ ଦାବିଦାରଙ୍କ ମଧ୍ୟରୁ କର୍ଣ୍ଣାଟକ ପିସିସି ସଭାପତି ଡି.କେ.ଶିବକୁମାର ଅନ୍ୟତମ । ଆଜି ଦିଲ୍ଲୀରେ ପହଞ୍ଚି ଦଳର ସଭାପତିଙ୍କୁ ସେ ଭେଟିବେ । ଦିଲ୍ଲୀ ଯିବା ପୂର୍ବରୁ ଦଳ ପାଇଁ ସବୁବେଳେ ନିଷ୍ଠାର ସହ କାର୍ଯ୍ୟ କରିଛି । ଆଗକୁ ଏହି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଶିବକୁମାର । ରାହୁଲ ଗାନ୍ଧିଙ୍କ ପଦଯାତ୍ରା ପାଇଁ କର୍ଣ୍ଣାଟକରେ କଂଗ୍ରେସକୁ ବଳ ମିଳିଛି । ମୁଁ ଯାହା କରିବାକୁ ପ୍ରତିଶ୍ରୁତି ଦେଇଥିଲି ତାହା ପୂରଣ କରିଛି । ଏବେ ସଭାପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା । ତେବେ ଦଳକୁ ଧୋକା ଦେବିନି କି ବିଦ୍ରୋହ କରିବି ନାହିଁ ବୋଲି କହିଛନ୍ତି ଶିବକୁମାର ।

    କର୍ଣ୍ଣାଟକ ସିଏମ୍ ସସପେନ୍ସ ଜାରି ଥିବାବେଳେ ରେସରେ ଆଗରେ ଅଛନ୍ତି ସିଦ୍ଧରମୈୟା । ଏଥର ସେ ରାଜନୀତି କ୍ୟାରିୟର ଶେଷ କରିବେ । ଦଳ ପାଇଁ ଦୀର୍ଘ ବର୍ଷ କାମ କରିଥିବାରୁ କଂଗ୍ରେସ ତାଙ୍କୁ ଶେଷ ସୁଯୋଗ ଦେଇପାରେ । ସେପଟେ ସିଦ୍ଧରମୈୟାଙ୍କ ସପୋର୍ଟରେ ଅଧିକ ବିଧାୟକ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଓ ଶିବକୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି କିଛି କିଛି ଆଭାସ ମିଳୁଛି । ଏହାସହ ଡିକେ ଶିବକୁମାର ରାଜ୍ୟ କଂଗ୍ରେସ ସଭାପତି ପଦରେ ମଧ୍ୟ ରହିବା ଏକପ୍ରକାର ନିଶ୍ଚିତ ।

  • ତାତି ସାଙ୍ଗକୁ ଗୁଳୁଗୁଳି, ଆହୁରି ବଢ଼ିବ ୫ ଡିଗ୍ରୀ ତାପମାତ୍ରା !

    ତାତି ସାଙ୍ଗକୁ ଗୁଳୁଗୁଳି, ଆହୁରି ବଢ଼ିବ ୫ ଡିଗ୍ରୀ ତାପମାତ୍ରା !

    ରାଜଧାନୀରେ ଅସହ୍ୟ ତାତି । ସକାଳୁ ସକାଳୁ ତାପମାତ୍ରା ୩୨ ଡିଗ୍ରୀ ଉପରେ । ଆଜି ସକାଳ ୮.୩୦ ସୁଦ୍ଧା ତାପମାତ୍ରା ୩୨.୮ ଡିଗ୍ରୀ ଉପରେ ରହିଛି । ଆର୍ଦ୍ରତା ରହିଛି ୭୯ ପ୍ରତିଶତ । ଅସହ୍ୟ ଖରା ଓ ତାତି ରାଜଧାନୀବାସୀଙ୍କୁ କଲବଲ କରିଛି । ଜନଜୀବନ ଅସ୍ତବ୍ୟସ୍ତ ହେଲାଣି ।

    ଆହୁରି ୩ ଦିନ ପ୍ରବଳ ଖରା ଓ ଗୁଳୁଗୁଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ତିନି ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବା ନେଇ ସୂଚନା ମିଳିଛି । ଆଜିଠାରୁ ୧୮ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍ ୱେଭ୍ ସ୍ଥିତି ଜାରି ରହିବ । ୧୬ରେ ଦେବଗଡ଼,ବୌଦ୍ଧ, ବଲାଙ୍ଗିର, ସୁନ୍ଦରଗଡ଼,ଝାରସୁଗୁଡ଼ା,ସମ୍ବଲପୁର, ସୋନପୁର,ଅନୁଗୁଳରେ ହିଟୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୧୮ ତାରିଖରେ ସୋନପୁର,ବୌଦ୍ଧ ଓ ବଲାଙ୍ଗିର, ଝାରସୁଗୁଡ଼ା,ସମ୍ବଲପୁରରେ ହିଟ୍ ୱେଭ୍‌ ଜାରି ରହିବ । ଗତକାଲି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ଥିଲା । ୪୪.୪ ଡିଗ୍ରୀ ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ଥିଲା । ସେହିପରି ଟିଟିଲାଗଡ଼ ୪୪, ଝାରସୁଗୁଡ଼ା ୪୩.୬, ଭବାନୀପାଟଣା ୪୩.୫, ବୌଦ୍ଧ ୪୨.୯ ଓ ଅନୁଗୁଳର ତାପମାତ୍ରା ଥିଲା ୪୨.୭ ଡିଗ୍ରୀ । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୮.୪ ଓ କଟକରେ ତାତି ୩୭.୬ ଡିଗ୍ରୀ ଥିଲା ।

    ସୋନପୁର, ବଲାଙ୍ଗିର, ସୁନ୍ଦରଗଡ଼,ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଲର୍ଟରେ ଅଛି ପ୍ରଶାସନ । ପ୍ରତିଦିନ ଗ୍ରୀଷ୍ମ ପ୍ରବାହ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବାକୁ ନିର୍ଦ୍ଦେଶ ଅଛି । ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ବିଭାଗକୁ ମଧ୍ୟ ଆଲର୍ଟ କରାଯାଇଛି । ମେଡିକାଲ୍ ଗୁଡ଼ିକରେ ଏସି ରୁମ୍ ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ଓ ଓଆରଏସ୍ ମହଜୁଦ ରହିଛି ।

    ସେପଟେ, ରାଜଧାନୀରେ ତାପମାତ୍ରା ବଢ଼ିବା ସହ ଗୁଳୁଗୁଳି ଲୋକଙ୍କ ପାଇଁ ଚିନ୍ତାଜନକ ହୋଇଛି । ଏଭଳି ସ୍ଥିତିରେ ବିଦ୍ୟୁତ୍ ବିଭାଗର ଅବହେଳା ଏବଂ ଖାମଖିଆଲି ମନୋଭାବ ଲୋକଙ୍କୁ ଆହୁରି ଟେନସନରେ ପକାଇଛି । ରାଜଧାନୀରେ ପ୍ରତିଦିନ ବାରମ୍ବାର ବିଜୁଳି କାଟିବା ନେଇ ପ୍ରଶ୍ନ ଉଠାଇଛନ୍ତି ରାଜଧାନୀବାସୀ ।

  • ଆର୍ୟାନ ଖାନଙ୍କୁ କେସରେ ନଫସାଇବା ପାଇଁ ୱାଙ୍ଖେଡେ କରିଥିଲେ ୧୮ କୋଟି ଟଙ୍କାର ଡିଲ୍!

    ଆର୍ୟାନ ଖାନଙ୍କୁ କେସରେ ନଫସାଇବା ପାଇଁ ୱାଙ୍ଖେଡେ କରିଥିଲେ ୧୮ କୋଟି ଟଙ୍କାର ଡିଲ୍!

    ଆର୍ୟାନ୍ ଖାନ ମାମଲାରେ ପୂର୍ବତନ ଏନସିବି ଡାଇରେକ୍ଟର ସମୀର ୱାଙ୍ଖେଡେ ଅସୁବିଧାରେ ଘେରି ହୋଇଥିବାର ଦେଖାଯାଉଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ଏଫଆଇଆର ପଞ୍ଜିକରଣ କରିଛି । ଏଥିରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ୍ ଖାନଙ୍କୁ ସମ୍ପୃକ୍ତ ନକରିବା ବଦଳରେ ସମୀର ୱାଙ୍ଖେଡେ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି ।

    ଏଫଆଇଆର ଅନୁଯାୟୀ, ସମୀର ୱାଙ୍ଖେଡେଙ୍କ ଇଷାରାରେ ଗୋସାଭି ଆର୍ୟାନ୍ ଖାନ ମାମଲାରେ ୨୫ କୋଟି ଟଙ୍କା ଦାବି କରିଥିଲେ । ଏହି ଅର୍ଥରାଶି ବଦଳରେ ଆର୍ୟାନ୍ ଖାନଙ୍କୁ ଡ୍ରଗ୍ ମାମଲାରେ ଫସାଯିବ ନାହିଁ ବୋଲି ନିଶ୍ଚିତ କରାଯାଇଥିଲା ।

    ଏଫ୍ଆଇଆରରେ ଦର୍ଶାଯାଇଛି, ସମୀର ୱାଙ୍ଖେଡେ ଏହି କାରବାର ପାଇଁ ଟଙ୍କା ପ୍ରସଙ୍ଗରେ ଗୋସାଭିଙ୍କୁ ସମ୍ପୂର୍ଣ୍ଣ ଛାଡ ଦେଇଥିଲେ । ଗୋସାଭି ୧୮ କୋଟି ଟଙ୍କାରେ ଏହି ଚୁକ୍ତି ଫାଇନାଲ କରିଥିଲେ । କେବଳ ସେତିକି ନୁହେଁ ଗୋସାଭି ମଧ୍ୟ ଆଡଭାନ୍ସ ଆକାରରେ ୫୦ ଲକ୍ଷ ଟଙ୍କା ନେଇଥିଲେ ।

    ଏଫଆଇ ଅନୁଯାୟୀ, ଅନୁସନ୍ଧାନରେ ସମୀର ୱାଙ୍ଖେଡେ ମଧ୍ୟ ତାଙ୍କ ବିଦେଶ ଯାତ୍ରା ବିଷୟରେ ସଠିକ୍ ସୂଚନା ଦେଇନାହାନ୍ତି । ସେ ତାଙ୍କର ମହଙ୍ଗା ଘଣ୍ଟା ଏବଂ ପୋଷାକ ବିଷୟରେ ମଧ୍ୟ ସତ କହିନାହାନ୍ତି । ସମୀର ୱାଙ୍ଖେଡେଙ୍କ ପାଖେ ତାଙ୍କ ଆୟ ଠାରୁ ବି ଅଧିକ ସମ୍ପତ୍ତି ଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି ।

    ମେ ୧୨ ତାରିଖରେ ସମୀର ୱାଙ୍ଖେଡେଙ୍କ ବିରୋଧରେ ଏକ ବଡ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଇ ସିବିଆଇ ତାଙ୍କ ଘର ଉପରେ ଚଢାଉ କରିଥିଲା । ସିବିଆଇ ଟିମ୍ ୱାଙ୍ଖେଡେଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘରେ ୧୩ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା । ସିବିଆଇ ଅଧିକାରୀ ମାନେ ୱାଙ୍ଖେଡେଙ୍କ ପିତା, ଶ୍ୱଶୁର ଏବଂ ଭଉଣୀଙ୍କ ଘରେ ମଧ୍ୟ ପହଞ୍ଚିଥିଲେ ।

  • ”କାଲିର ଖେଳରେ ମୁଁ ଥିବି ବା ନଥିବି” ଏମିତି କହି ଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି

    ”କାଲିର ଖେଳରେ ମୁଁ ଥିବି ବା ନଥିବି” ଏମିତି କହି ଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି

    ହୀନ୍ଦି ଚଳଚ୍ଚିତ୍ର ‘ମେରା ନାମ ଜୋକର’ର ଡାଏଲଗ ପଢି ପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ଏମ୍.ଆର୍ ଶାହ ବହୁତ ଭାବପ୍ରବଣ ହୋଇଗଲେ ଏବଂ ତାଙ୍କ ଗଳା ମଧ୍ୟ ରୁନ୍ଧି ହୋଇଯାଉଥିଲା । ଏଥିସହିତ ତାଙ୍କର ସର୍ବୋଚ୍ଚ ନ୍ୟାୟାଳୟରୁ ଅବସର ହୋଇଗଲା । ପରମ୍ପରା ଅନୁଯାୟୀ, ସୋମବାର ଦିନ ଜଷ୍ଟିସ୍ ଏମଆର ଶାହା ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ସହ ବେଞ୍ଚରେ ବସିଥିଲେ।

    ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସମେତ ଅନେକ ଓକିଲ ସୁପ୍ରିମକୋର୍ଟରେ ଜଷ୍ଟିସ ଶାହଙ୍କୁ ପ୍ରଶଂସା କରିଥିଲେ । ଜଷ୍ଟିସ୍ ଶାହ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏକ ହିନ୍ଦୀ ଚଳଚ୍ଚିତ୍ର ଗୀତ,”କଲ୍ ଖେଲ୍ ମେଁ ହମ୍ ହୋ ନା ହୋ, ଗାର୍ଦ୍ଦିଶ ମେଁ ତାରେ ରହେଙ୍ଗେ ସାଦା…” ପାଠ କରିଥିଲେ । ଏହା ପରେ ସେ ଭାବପ୍ରବଣ ହୋଇଯାଇଥିଲେ ଆଉ ତାଙ୍କ ଗଳା ରୁନ୍ଧି ହୋଇଯାଉଥିଲା ।

    ବାସ୍ତବରେ ସୁପ୍ରିମକୋର୍ଟରେ ସର୍ବାଧିକ ନିଷ୍ପତ୍ତି ନେଇଥିବା ବିଚାରପତି ମାନଙ୍କ ମଧ୍ୟରୁ ଜଷ୍ଟିସ୍ ଶାହ ହେଉଛନ୍ତି ଅନ୍ୟତମ । ପ୍ରାୟ ୪ ବର୍ଷ ମଧ୍ୟରେ ସେ ପ୍ରାୟ ୭୧୨ କେଶର ବିଚାର କରିଛନ୍ତି । ଶିବସେନା ବିବାଦ ଏବଂ ଦିଲ୍ଲୀ ସରକାର ବନାମ ଏଲଜି ମାମଲା ଉପରେ ବିଚାର କରୁଥିବା ସମ୍ବିଧାନ ପୀଠରେ ମଧ୍ୟ ସେ ସାମିଲ ଥିଲେ ।

    ସିଜେଆଇ ଚନ୍ଦ୍ରଚୁଡ ଏହି ଅବସରରେ କହିଥିଲେ ଯେ, ସେ ଜଣେ ପ୍ରକୃତ ବନ୍ଧୁ ଏବଂ କଲେଜିୟମର ବଡ ସହଯୋଗୀ । ମୋ ପାଖେ ଅନେକ ଗୁପ୍ତ କାହାଣୀ ଅଛି । ଜଷ୍ଟିସ୍ ଶାହ କହିଥିଲେ, ଯଦି ମୁଁ ଭାବପ୍ରବଣ ହୋଇଯାଏ ଏବଂ କାନ୍ଦିବା ଆରମ୍ଭ କରେ ତେବେ ମୋତେ କ୍ଷମା କରିଦେବେ କାରଣ ମୁଁ ନଡ଼ିଆ ପରି । ଆପଣ ମାନେ ସମସ୍ତେ ମୋତେ ପରିବାର ସଦସ୍ୟ ଭାବରେ ଗ୍ରହଣ କରିଛନ୍ତି ଏବଂ ମୋତେ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ମୁଖ୍ୟ ବିଚାରପତି ମୋତେ ଭାଇ ଭାବରେ ପ୍ରୋତ୍ସାହିତ କରିଛନ୍ତି ଏବଂ ମୁଁ ତାଙ୍ କଠାରୁ ବହୁତ କିଛି ଶିଖିଛି ।

    ଶାହ କହିଛନ୍ତି, “ମୁଁ ସର୍ବଦା କାମ ଏବଂ ମକଦ୍ଦମାକାରୀଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରେ । ମୁଁ ସର୍ବଦା କୌଣସି ଭୟ କିମ୍ବା ପକ୍ଷପାତିତା ବିନା ମୋର କର୍ତ୍ତବ୍ୟ ପାଳନ କରିଛି । ଯଦି ମୁଁ କେବେ କାହାର ଭାବନାକୁ ଆଘାତ ଦେଇଛି, ତେବ ମୁଁ କ୍ଷମା ମାଗିନେଉଛି । ମୁଁ ସର୍ବଦା କାର୍ଯ୍ୟରେ ବିଶ୍ୱାସ କରେ । ସମସ୍ତେ କହୁଥିଲେ ଯେ, ମୁଁ ନ୍ୟାୟାଳୟରେ ବରିଷ୍ଠ ଏବଂ କନିଷ୍ଠ ମାନଙ୍କୁ ସମାନ ଆଖିରେ ଦେଖୁଥିଲି । ମୋର ୫ ପ୍ରତିଶତ ଜୁନିୟରଙ୍କ ପ୍ରତି ଦର୍ବଳତା ଥିଲା ଆଉ ସର୍ବଦା ଭାବୁଥିଲି ଯେ, ସେମାନେ ତର୍କ କରୁଥିବା ଓକିଲ ହେବା ଦରକାର । ମୁଁ ଜଣେ ଅବସରପ୍ରାପ୍ତ ବ୍ୟକ୍ତି ନୁହେଁ, ମୁଁ ଏକ ନୂତନ ଇନିଂସ ଆରମ୍ଭ କରିବାକୁ ଯାଉଛି ଏବଂ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ମାଗିବି ବୋଲି ଶାହ କହିଥିଲେ ।

  • ଦିଲ୍ଲୀରୁ କୋଲକାତା ଯାତ୍ରା ମାତ୍ର ୧୭ ଘଣ୍ଟାରେ

    ଦିଲ୍ଲୀରୁ କୋଲକାତା ଯାତ୍ରା ମାତ୍ର ୧୭ ଘଣ୍ଟାରେ

    ୨୦୨୬ ସୁଦ୍ଧା ଶେଷ ହେବ ୩ ହଜାର କୋଟିର ବାରାଣାସୀ-କୋଲକାତା ଏକ୍ସପ୍ରେସ ୱେ୍ ପ୍ରକଳ୍ପ ବୋଲି ଆକଳନ କରାଯାଉଛି। ଏହାଦ୍ୱାରା ଯାତ୍ରାର ସମୟ ୬-୭ ଘଣ୍ଟା ହ୍ରାସ ପାଇବ। ଜାତୀୟ ରାଜଧାନୀ ଦିଲ୍ଲୀରୁ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଯାତ୍ରା ଏଣିକି ରୋମାଞ୍ଚକର ହେବାକୁ ଯାଉଛି । ଯଦି ସବୁକିଛି ଠିକ ହୁଏ, ତେବେ ଆଗାମୀ ତିନି ବର୍ଷ ମଧ୍ୟରେ ବାରାଣସୀ-କୋଲକାତା ଏକ୍ସପ୍ରେସ ମାତ୍ର ୧୭ ଘଣ୍ଟାରେ ଦିଲ୍ଲୀରୁ କୋଲକାତାରେ ପହଞ୍ଚି ପାରିବ।  ଯେଉଁଠି ଗ୍ରୀନଫିଲ୍ଡ ଏକ୍ସପ୍ରେସ ୱେ ଦେଇ ବାରାଣାସୀରୁ କୋଲକାତା ଯାତ୍ରା ୧୦ ଘଣ୍ଟାରେ ନିଶ୍ଚିତ  ସ୍ଥିର ହୋଇଥିବା ବେଳେ ବର୍ତ୍ତମାନ ଦିଲ୍ଲୀରୁ କୋଲକାତା ଯାତ୍ରା ୧୭ଘଣ୍ଟା ମଧ୍ୟରେ ପହଁଞ୍ଚି ପାରିବେ ।

    ଯଦି ଆମେ ଦିଲ୍ଲୀରୁ ବାରାଣାସୀ ଯାତ୍ରା ବିଷୟରେ କଥାହେବା ପୂର୍ବାଞ୍ଚଳ, ଲକ୍ଷ୍ନୌ- ଆଗ୍ରା ଏବଂ ଯମୁନା ଏକ୍ସପ୍ରେସ ୱେ ଦେଇ ୧୦ ଘଣ୍ଟାର ଏହି ଯାତ୍ରା ପୂର୍ବରୁ ସମ୍ଭବ ହୋଇସାରିଛି। ଖବର ଅନୁଯାୟୀ ବାରାଣାସୀ-କୋଲକାତା ଏକ୍ସପ୍ରେସ ୱେ୍ର ୩ ହଜାର କୋଟି ପ୍ରକଳ୍ପ ୨୦୨୬ ସୁଦ୍ଧା ଶେଷ ହେବ ବୋଲି ଆକଳନ କରାଯାଉଛି। ଯାହା ୬୯୦ କିଲୋମିଟରରୁ ୬୧୦ କିଲୋମିଟର ଦୂରତାକୁ ହ୍ରାସ କରିବ ଏବଂ ଯାତ୍ରା ସମୟକୁ ୬-୭ ଘଣ୍ଟା ହ୍ରାସ କରିବ।

    ଏହି ପ୍ରସ୍ତାବିତ ଏକ୍ସପ୍ରେସୱେକୁ ୨୦୨୧ ମସିହାରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ବିଭାଗର  ସଚିବଙ୍କ ନେତୃତ୍ୱରେ ଏକ ବୈଠକରେ ମଞ୍ଜୁରୀ ଦିଆଯାଇଥିଲା, ଯାହା ସମୟ ଏବଂ ମୂଲ୍ୟ ବଞ୍ଚାଇବା ପାଇଁ ରାଜପଥ ମାଧ୍ୟମରେ ପ୍ରମୁଖ ସହରକୁ ସଂଯୋଗ କରିବ । ଏହି ଏକ୍ସପ୍ରେସୱେ ମୋହନିଆ, ରୋହତାସ୍, ସାସାରାମ, ଔରାଙ୍ଗବାଦ,  ଗୟା,  ଚତରା , ହଜାରିବାଗ, ରାଞ୍ଚି, ବୋକାରୋ, ଧାନବାଦ୍, ରାମଗଡ, ହାୱଡ଼ା ଏବଂ ଅନ୍ୟାନ୍ୟ ସ୍ଥାନ ଦେଇ ଯାତାୟାତ କରିବ। ଏନଏଚଏଆଇ ଅନୁଯାୟୀ, ଏହି ଏକ୍ସପ୍ରେସୱେ ବାରାଣାସୀର ରିଙ୍ଗ ରୋଡରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲାର ଏନଏଚ-୧୬ ରେ ଯାଇ ରହିବ।

    ବିଭାଗୀୟ କମିଶନର କୌଶଲ ରାଜ ଶର୍ମା କହିଛନ୍ତି ଯେ ବାରାଣାସୀ ନିକଟ ଚଅଁନଦୌଲିରେ ଏକ୍ସପ୍ରେସୱେ ପାଇଁ ଜମିର ପ୍ରାରମ୍ଭିକ ଚୟନ କରାଯାଇଛି।  କିନ୍ତୁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଚଅଁନଦୌଲି ଡିଏମ୍ ଙ୍କୁ ଏହାକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ କୁହାଯାଇଛି। ବର୍ତ୍ତମାନ ବାରାଣାସୀ ଏବଂ କୋଲକାତା ମଧ୍ୟରେ ଅଧିକାଂଶ ଯାତାୟାତ ଏନଏଚ-୧୯ ମାଧ୍ୟମ ଦେଇ ହେଉଛି। ଏନଏଚ-୧୯ର ଅଧିକାଂଶ ଭାଗ ୬ ଲେନ ଅଟେ